ଭୁବନେଶ୍ବର: ଆଜି ସକାଳୁ ପ୍ରଦେଶ କଂଗ୍ରେସ ଏବଂ ବାମଦଳ ମିଳିତ ଭାବେ ଓଡିଶା ବନ୍ଦ ଡାକରା ଦେଇଛନ୍ତି। ବାଲେଶ୍ବର ଛାତ୍ରୀ ମୃତ୍ୟୁକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ରାଜ୍ୟ ସରକାର ନ୍ୟାୟ ଦେଇପାରିଲେ ନାହିଁ। ଫଳରେ ସେ ବାଧ୍ୟ ହୋଇ ଆତ୍ମହୁତି ଦେଲା। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଜି କଂଗ୍ରେସ ସହିତ 8ଟି ଅନ୍ୟଦଳ ମିଳିତ ଭାବେ ଏହି ଓଡିଶା ବନ୍ଦ ଡାକରା ଦେଇଛନ୍ତି।
ଆଜି ସକାଳୁ କଂଗ୍ରେସ ଭବନରୁ କର୍ମିମାନେ ବାହାରି ଲୋକସେବା ଭବନ ଆଡକୁ ଶୋଭାଯାତ୍ରା କରି ଯାଇ ରାସ୍ତା ଅଧାରେ ଧାରଣାରେ ବସିଛନ୍ତି। ସେହିପରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମିମାନେ ରହି ଚକାବନ୍ଦ କରିଛନ୍ତି। ଫଳରେ ଭୁବନେଶ୍ବରରେ ବର୍ତ୍ତମାନ ଶୂନଶାନ ହୋଇଯାଇଛି। କାଁ ଭାଁ କିଏ ଗାଡିରେ ଆସିଲେ ସେମାନଙ୍କୁ କଂଗ୍ରେସ କର୍ମିମାନେ ବୁଝାଇ ଏହି ଆନ୍ଦୋଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଉଛନ୍ତି।
ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ ବନ୍ଦ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। କେତେକ ସ୍ଥାନରେ ସାଧାରଣ ଲୋକେ ଏବଂ କଂଗ୍ରେସ କର୍ମି ଧସ୍ତାଧସ୍ତି ହେଉଥିବାର ନଜରକୁ ଆସିଛି। ସେହିପରି ଜାତୀୟ ରାଜପଥକୁ ମଧ୍ୟ କଂଗ୍ରେସ କର୍ମିମାନେ ବନ୍ଦ କରିରଖିଛନ୍ତି। ଗାଡି ଆଗରେ ଶୋଇପଡି ସେମାନେ ଧାରଣ ଦେଉଛନ୍ତି। ସବୁ ସ୍ଥାନରେ ମୋହନ ମାଝୀ ମୁର୍ଦ୍ଦାବାଦ ସ୍ଲୋଗାନ ଚାଲିଛି।
ସେହିପରି ହିଂସାକାଣ୍ଡକୁ ରୋକିବା ପାଇଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି। ବିଶେଷକରି ଲୋକସେବା ଭବନ ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ଗୃହ ବିଭାଗ ତରଫରୁ ସମସ୍ତ ଜିଲ୍ଲା ଏସପିଙ୍କୁ ସୁରକ୍ଷା ତଦାରଖ କରିବାକୁ ଚିଠି କରାଯାଇଥିଲା। ସେହି ଅନୁସାରେ ଆଜି ବିଭିନ୍ନ ଥାନା ଅଞ୍ଚଳରେ ପରିସ୍ଥିତିକୁ ତୀକ୍ଷ୍ମ ନଜରରେ ରଖାଯାଇଛି।
ଆଜି ସକାଳୁ କଂଗ୍ରେସ ଭବନରୁ ସଭାପତି ଭକ୍ତ ଦାସ, ପ୍ରଭାରୀ ଅଜୟ ଲୁଲୁ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଏହି ରାଲି କରି ଲୋକସେବା ଭବନ ଆଡକୁ ଯାଇଥିଲେ। ଏହାପରେ ସେମାନେ ଗାନ୍ଧୀମାର୍ଗରେ ବସି ରହି ଧାରଣା ଦେଇଛନ୍ତି। ଏ ନେଇ ସଭାପତି କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ। ଆଗକୁ କଂଗ୍ରେସ ଏହାକୁ ତୀବ୍ର କରିବ ବୋଲି ସଭାପତି ଭକ୍ତ ଦାସ କହିଛନ୍ତି।