ପୁରୀ: ପୁରୀ ଶ୍ରୀମନ୍ଦିରକୁ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ- DGCA ପକ୍ଷରୁ ରେଡ୍ ଜୋନ୍ ରୂପେ ଘୋଷଣା କରାଯାଇଛି। ଏୟାରସ୍ପେସ୍ ମ୍ୟାପରେ ଏହାର ତଥ୍ୟ ରହିଥିବା ଡିଜିସିଏ ୱେବସାଇଟରୁ ଜଣାପଡ଼ିଛି। ଗତମାସ ସେପ୍ଟେମ୍ବର ୨୬ ତାରିଖଠାରୁ ଶ୍ରୀମନ୍ଦିର ଅଞ୍ଚଳକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହାର ଅବଧି ତିନିବର୍ଷ ଅର୍ଥାତ ଆଗାମୀ ୨୦୨୮ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ରହିଛି।
ନିୟମ ଅନୁସାରେ ପୁର୍ନବାର ସମୟସୀମା ବୃଦ୍ଧି ନେଇ ଆବେଦନ କରିବାକୁ ପଡିବ। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଏବେ ରେଡ୍ ଜୋନ୍ ଘୋଷଣା ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି। ଏଣିକି ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲଗାଇ ଶ୍ରୀମନ୍ଦିର ଉପରେ ଉଡୁଥିବା ଡ୍ରୋନକୁ କାବୁ କରାଯିବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।