ଭୁବନେଶ୍ଵର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆଜି ଶେଷ ହେଉଛି। ଏଥିସହିତ ପ୍ରଚାର କାର୍ଯ୍ୟ ଜୋର ଧରିଛି। ଏହି ଆସନ ପାଇଁ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେବ। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଶନିବାର ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଏକ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଥିଲେ।
ସେହିପରି କଂଗ୍ରେସର ଘାସିରାମ ମାଝୀ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ସହ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନପତ୍ର ଦାଖଲ କରିବାର ସୂଚନା ରହିଛି। ଏହା ପୂର୍ବରୁ ସେ ଏକ ରୋଡ ଶୋ କରିଛନ୍ତି।
ଶୋଭାଯାତ୍ରାରେ ସ୍ନେହାଙ୍ଗିନୀ ଛୁରିଆ ନିଜ ସମର୍ଥକଙ୍କ ସହ ନଗର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ଜନସଭାରେ ଉଦବୋଧନ ଦେଇଥିଲେ। ନୂଆପଡ଼ା ଜିଲ୍ଲା ତାଙ୍କ ମାମୁ ଘର ଏବଂ ସେ ଖାଣ୍ଟି ସମ୍ବଲପୁରିଆ ବୋଲି କହିଥିଲେ। ଜନସଭାରେ ବିଜେଡିର ବରିଷ୍ଠନେତାମାନେ ଉପସ୍ଥିତ ଥିଲେ।