ଭୁବନେଶ୍ଵର: ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା ଏବେ ନୂଆ ମୋଡ ନେଇଛି। ଉକ୍ତ ହତ୍ୟାକାଣ୍ଡ ମାମଲାରେ ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି।
ତେବେ ଏନେଇ ସରକାରୀ ଦଳ ବିଜେପି ଉପରେ ବିଜେଡ଼ି ଗୁରୁତର ଅଭିଯୋଗ ଆଣିଛି। ଆଇନଗତ ଲଢ଼େଇ ଲଢ଼ିବ ବୋଲି ବିଜେଡି କହିଛି। ନୂଆପଡ଼ା ନିର୍ବାଚନକୁ ଦୃଷ୍ଟିରେ ରଖି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ବିକ୍ରମଙ୍କୁ ଫସାଇବାକୁ ଉଦ୍ୟମ କରାଯାଇଥିବା ବିଜେଡ଼ି କହିଛି। ସେହିଭଳି ବିକ୍ରମ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା ବିଜେଡି ନେତା ଚନ୍ଦ୍ରଶେଖର ସାହୁ କହିଛନ୍ତି।
ବିକ୍ରମଙ୍କୁ ଗିରଫର ବଳିଷ୍ଠ ପ୍ରମାଣ ନାହିଁ। ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଚାପରେ ଏଭଳି କରିଥିଲେ ପରିଣାମ ଭୟାବହ ହେବ ବୋଲି ବିଜେଡ଼ି ଚେତାବନୀ ଦେଇଛି।
ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ରାତିରୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଅଟକ ରଖିଥିଲା। ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୋଟ ୧୨ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଚିଂଟୁ ପ୍ରଧାନ, କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ଦଳାଇ, ଛାତ୍ରନେତା ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, କାଳିଆ ଭୂୟାଁ, ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ ପାଶୱାନ ଓ କୁନ୍ଦନ ପାଶୱାନ।