ଭୁବନେଶ୍ବର: ତାଙ୍କ ଭିତରେ ଅହି ନକୂଳ ସଂପର୍କ। ଜଣେ ପୂର୍ବକୁ ଅନେଇଲେ ଅନ୍ୟଜଣେ ପଶ୍ଚିମକୁ। ହେଲେ ସେମାନେ ଯେ, ଦିନେ ଏକାଠି ହେବେ ତାହା କେହି ଭାବି ନ ଥିଲେ। ଆମେ କହୁଛୁ କଂଗ୍ରେସ ଓ ବିଜେଡି କଥା। ରାଜ୍ୟସଭା ନିର୍ବାଚନ ପାଇଁ ଉଭୟ ଦଳର ସଭାପତି ଏକାଠି ଲାଗିଲାଗି ବସିଛନ୍ତି। ଏହିପରି ଏକ ବିରଳ ଦୃଶ୍ୟ ଆଜି ବିଧାନସଭାର ପ୍ରକୋଷ୍ଠରେ ଦେଖିବାକୁ ମିଳିଥିଲା।
ଆଜି ଅର୍ଥାତ ଗୁରୁବାର ଥିଲା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଫଳରେ ଆଜି କଂଗ୍ରେସ ଓ ବିଜେଡି ଦେଇଥିବା ମିଳିତ ପ୍ରାର୍ଥୀ ପାଇଁ ଦୁଇ ଦଳର ସଭାପତି ଏକାଠି ହୋଇଥିଲେ। ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମାଙ୍କନ ଦାଖଲ ବେଳେ ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ଏହି ଦୁଇ ସଭାପତି ଏକାଠି ବସିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। କେବଳ ଭକ୍ତ ନୁହଁନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ସେହି ଧାଡିରେ ବସିଥିଲେ।
ତେବେ ସାଧାରଣରେ ପ୍ରଶ୍ନ ଉଠିଛି ଯେ, କଣ ଆଗାମୀ ଦିନରେ କଂଗ୍ରେସ ଓ ବିଜେଡି ଏକାଠି ହେବେ କି। କାରଣ ରାଜ୍ୟସଭା ନିର୍ବାଚନ ପାଇଁ ଏକାଠି ହୋଇଛନ୍ତି ଯେତେବେଳେ, ଅନ୍ୟ ନିର୍ବାଚନରେ ମଧ୍ୟ ଏକାଠି ହୋଇପାରନ୍ତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ସବୁବେଳେ ବିଜେପିକୁ ସାହାର୍ଯ୍ୟ କରିଆସୁଥିବା ବିଜେଡି ହଠାତ ଏପରି ୟୁଟର୍ଣ୍ଣ କରିବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ବିଜେଡି ସବୁବେଳେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରଖିବା ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଆସିଛନ୍ତି। ହେଲେ ସେ ବିଜେପି ପାଖାପାଖି ରହିଆସିଛନ୍ତି। କିନ୍ତୁ କେବେ ବି କୌଣସି କ୍ଷେତ୍ରରେ ବିଜେଡି କଂଗ୍ରେସ ସହିତ ହାତ ମିଳାଇ ନାହିଁ। ପ୍ରଥମ ଥର ପାଇଁ ଓଡିଶା ରାଜନୀତିରେ ଏହି ବିରଳ ଘଟଣା ଘଟିଛି।
ତେବେ ଏହାକୁ ନେଇ ଭକ୍ତ ଦାସ ଯାହା କହିଚନ୍ତି ତାହା ମଧ୍ୟ ବେଶ ରୋଚକ କଥା। କାରଣ ସେ କହିଛନ୍ତି ସମଭାବାପର୍ଣ୍ଣ ଦଳ ଏକାଠି ହୋଇଛନ୍ତି। ଆଜି ରାଜ୍ୟସଭାରେ ଜଣେ ସାଧାରଣ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି, କଂଗ୍ରେସ ଓ ସିପିଆଇ ଏକାଠି ହୋଇଛନ୍ତି। ଏହି ନିଷ୍ପତି ଆମର କେନ୍ଦ୍ରୀୟ ନେତୃତ୍ବଙ୍କ ଅନୁମତିରେ କରାଯାଇଛି। ଆଗାମୀ ଦିନରେ କଣ ହେବ ସେ ସଂପର୍କରେ ଏବେ କିଛି କହି ହେବ ନାହିଁ।
ଗତ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିର ସଂପର୍କ ନେଇ କଂଗ୍ରେସ ବେଶ ସମାଲୋଚନା କରୁଥିଲା। ଏପରିକି ବିଭିନ୍ନ ସ୍ଥାନରେ କଂଗ୍ରେସ ବିଜେଡି ଓ ବିଜେପି ମଧ୍ୟରେ ମିଛିମିଛିକା ବାହାଘର କରିଥିଲା। ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ବିଜେଡି ବିଜେପି ଭିତିର ସଂପର୍କ ଉପରେ ଲୋକଲୋଚନକୁ ଆଣିବା। ତେବେ ଏବେ କଂଗ୍ରେସ ବିଜେଡି ମଧ୍ୟରେ ଏପରି ସଂପର୍କକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ହେବାରେ ଲାଗିଛି।


