ଭୁବନେଶ୍ୱର: ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଆଗାମୀ ଦଶ ବର୍ଷ ଓଡ଼ିଶା ପାଇଁ ହେବ ‘ସୁବର୍ଣ୍ଣ ଦଶକ’। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ ଗୁଜରାଟ ଗସ୍ତ ସାରି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରିବା ଅବସରରେ ଗଣମାଧ୍ୟମକୁ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ଅବସରରେ ସେ ଅହମଦାବାଦ, ମୁନ୍ଦ୍ରା, ଏକତା ନଗର (କେବାଡିଆ-ଷ୍ଟାଚ୍ୟୁ ଅଫ୍ ୟୁନିଟି) ଓ ଭଦୋଦରା ଗସ୍ତ କରି ବିଭିନ୍ନ ଶିଳ୍ପପତି ଓ ଶିଳ୍ପପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଗସ୍ତରେ ଓଡ଼ିଶା ପାଇଁ ସମୁଦାୟ ୪୮,୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶୃତି ଓ ପ୍ରସ୍ତାବ ମିଳିଛି ଏବଂ ଏହାଦ୍ୱାରା ୬୭,୮୩୮ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଜରାଟର ଶିଳ୍ପ ବିକାଶକୁ ଦେଖି ସେ ଅନୁଭବ କରିଛନ୍ତି ଯେ, କିପରି ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ନିର୍ଣ୍ଣାୟକ ପଦକ୍ଷେପ ଯୋଗୁ ଗୁଜରାଟ ଏକ ବିଶ୍ୱସ୍ତରୀୟ ଶିଳ୍ପ କେନ୍ଦ୍ରରେ ପରିଣତ ହୋଇପାରିଛି।
ସେ କହିଥିଲେ ଯେ, ଭାରତର ପଶ୍ଚିମ ଉପକୂଳ ବିକଶିତ ହୋଇସାରିଛି ଏବଂ ଆହୁରି ଅଗ୍ରଗତି କରୁଛି। ଏବେ ବିକଶିତ ଭାରତ ପାଇଁ ଏବଂ ସନ୍ତୁଳିତ ବିକାଶ ପାଇଁ ପୂର୍ବ ଉପକୂଳର ଅଭିବୃଦ୍ଧି ଅତ୍ୟନ୍ତ ଆବଶ୍ୟକ। ଗୁଜରାଟର ଶିଳ୍ପପତି ମାନଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କର ଏହା ଥିଲା ଟୁ-କୋଷ୍ଟ ଷ୍ଟ୍ରାଟେଜି ବା ଦୁଇ-ଉପକୂଳ ରଣନୀତି।
ସେ କହିଥିଲେ ଯେ, ପାରାଦୀପ, ଧାମରା ଓ ଗୋପାଳପୁର ପରି ବନ୍ଦର ଯୋଗୁ ଓଡ଼ିଶା ପୂର୍ବ-ଏସିଆ, ଦକ୍ଷିଣ ପୂର୍ବ-ଏସିଆ ଏବଂ ସମଗ୍ର ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଦେଶମାନଙ୍କ ପାଇଁ ଏକ ପ୍ରବେଶ ଦ୍ୱାର ବା ଗେଟ୍-ୱେ ଭାବରେ ସୁଯୋଗ ସୃଷ୍ଟି କରୁଛି। ତେଣୁ ଓଡ଼ିଶାର ବନ୍ଦରଭିତ୍ତିକ ବିକାଶର ଉଦ୍ୟମ ଅତ୍ୟନ୍ତ ବାସ୍ତବବାଦୀ ବୋଲି ସେ କହିଥିଲେ। ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ରଣନୈତିକ ପ୍ରସ୍ତାବ ଉପରେ ଶିଳ୍ପପତିମାନେ ସମ୍ପୂର୍ଣ୍ଣ ଭାବେ ସହମତ ହୋଇଥିଲେ ଏବଂ ଓଡ଼ିଶାରେ ବନ୍ଦରଭିତ୍ତିକ ବିକାଶ ପାଇଁ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ କହିଥିଲେ ଯେ, ଏହି ଇନ୍ଭେଷ୍ଟର୍ସ ମିଟ୍ରେ ଓଡ଼ିଶା ପାଇଁ ଅତ୍ୟାଧୁନିକ ଏବଂ ଅଭିବୃଦ୍ଧି ସମ୍ଭାବନା ସମ୍ପନ୍ନ କ୍ଷେତ୍ର ଗୁଡ଼ିକରେ ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଏହି ସବୁ କ୍ଷେତ୍ର ଗୁଡ଼ିକ ହେଲା- ଗ୍ରୀନ୍ ଏନର୍ଜି, ସେମି-କଣ୍ଡକ୍ଟର, ରେଆର୍ ଆର୍ଥ, କେମିକାଲ୍ସ, ଫାର୍ମାସ୍ୟୁଟିକାଲ୍ସ, ମେଟାଲ୍ ଡାଉନ୍ଷ୍ଟ୍ରିମ୍, ଏରୋ-ସ୍ପେସ୍ ଓ ଡିଫେନ୍ସ, ଫୁଡ୍-ପ୍ରୋସେସିଂ, ଆପାରେଲ୍ ଓ ଟେକ୍ସଟାଇଲ୍, ଟୁରିଜିମ୍, ଆଇ.ଟି ଓ ଆଇ.ଟି.ଇ.ଏସ୍, ଲଜିଷ୍ଟିକ୍ସ, ଇନ୍ଫ୍ରାଷ୍ଟ୍ରକ୍ଚର୍, କ୍ୟାପିଟାଲ୍ ଗୁଡ୍ସ ଏବଂ ଶକ୍ତି କ୍ଷେତ୍ର।
ଏହି ତିନିଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ୭୦୦ ରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ୧୩୨ ଜଣ ବିଶିଷ୍ଟ ଶିଳ୍ପପତି ଏବଂ ଶିଳ୍ପ ପ୍ରତିନିଧି ମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା (ୱାନ୍-ଟୁ-ୱାନ୍) କରିଥିଲେ।
ଭଦୋଦରାରେ ଆଜିର କାର୍ଯ୍ୟକ୍ରମ
ଆଜି ମୁଖ୍ୟମନ୍ତ୍ରୀ ଭଦୋଦରା’ରେ (ବରୋଦା) ଅନୁଷ୍ଠିତ ନିବେଶକ ସମ୍ମିଳନୀ ରୋଡ୍-ଶୋ’କୁ ସମ୍ବୋଧିତ କରି କହିଛନ୍ତି “ପଶ୍ଚିମ ଭାରତ ପୂର୍ବରୁ ହିଁ ଭାରତର ଶିଳ୍ପ ଅଭିବୃଦ୍ଧିର ନେତୃତ୍ୱ ନେଇସାରିଛି। ବର୍ତ୍ତମାନ ‘ବିକଶିତ ଭାରତ’ ପାଇଁ ପୂର୍ବ ଭାରତର ବିକାଶ ଜରୁରୀ ଏବଂ ଓଡ଼ିଶା ଏହି ପରିବର୍ତ୍ତନର ନେତୃତ୍ୱ ନେବାକୁ ପ୍ରସ୍ତୁତ”।
‘ପୂର୍ବୋଦୟ’ ପରିକଳ୍ପନା ଅଧୀନରେ ଓଡ଼ିଶାକୁ ପୂର୍ବ ଭାରତର ବିକାଶର ଇଞ୍ଜିନ ଭାବେ ଉପସ୍ଥାପିତ କରି ମୁଖ୍ୟମନ୍ତ୍ରୀ ଗୁଜରାଟର ପ୍ରମୁଖ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ସେମାନଙ୍କର ଶିଳ୍ପ ସମ୍ପ୍ରସାରଣ କରିବାକୁ ଏବଂ ରାଜ୍ୟର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟରେ ସହଭାଗୀ ହେବାକୁ ଆମନ୍ତ୍ରଣ କରିଛନ୍ତି।
ଗୁଜରାଟ ଗସ୍ତ କାଳରେ ନିବେଶକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। Metal Downstream, କେମିକାଲ୍ସ, ଫାର୍ମାସ୍ୟୁଟିକାଲ୍ସ, ବିରଳ ମୃତ୍ତିକା, ସବୁଜ ଶକ୍ତି ଉପକରଣ, ଭିତ୍ତିଭୂମି, ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ଓ ବସ୍ତ୍ର ଶିଳ୍ପ, IT ଏବଂ ITES, ESDM ଓ ସେମିକଣ୍ଡକ୍ଟର, ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ, ପ୍ଲାଷ୍ଟିକ, ପର୍ଯ୍ୟଟନ, ଏରୋସ୍ପେସ୍ ଓ ପ୍ରତିରକ୍ଷା, ଏବଂ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ ପ୍ରତିଶ୍ରୁତି ମିଳିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।
ପ୍ରମୁଖ ପୁଞ୍ଜି ନିବେଶ
ଗୁଜରାଟ ରୋଡ୍-ଶୋ’ ଓଡ଼ିଶା ପାଇଁ ଉଲ୍ଲେଖନୀୟ ସଫଳତା ଆଣିଦେଇଛି:
• ମୋଟ ୭୧ଟି ନିବେଶ ପ୍ରସ୍ତାବ (୮ଟି MoUs ଏବଂ ୬୩ଟି ନିବେଶ ଆଗ୍ରହ ପତ୍ର) ମିଳିଛି।
• ମୋଟ ନିବେଶ ସମ୍ଭାବନା: ୪୮,୩୩୦ କୋଟି ଟଙ୍କା।
• ଆନୁମାନିକ ନିଯୁକ୍ତି ସୁଯୋଗ: ୬୭,୮୩୮ ରୁ ଅଧିକ।
ମୁଖ୍ୟମନ୍ତ୍ରୀ ଶିଳ୍ପଗୁଡ଼ିକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଓଡ଼ିଶାର ‘GO-SWIFT’ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ମାଧ୍ୟମରେ ନିବେଶକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଓଡ଼ିଶା କେବଳ ଏକ ନିବେଶ ସ୍ଥଳ ନୁହେଁ, ବରଂ ଏହା ବିଶ୍ୱାସ, ଦ୍ରୁତ କାର୍ଯ୍ୟକାରିତା ଏବଂ ସ୍ଥିରତା ଉପରେ ଆଧାରିତ ଏକ ଦୀର୍ଘକାଳୀନ ଅଭିବୃଦ୍ଧିର ସହଭାଗୀ। ୨୦୩୬ ସୁଦ୍ଧା ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ରେ ସହଯୋଗ କରିବା ପାଇଁ ରାଜ୍ୟ ସରକାର ଏକ ସ୍ପଷ୍ଟ ରୋଡ୍ମ୍ୟାପ୍ ସହ କାର୍ଯ୍ୟ କରୁଛନ୍ତି।


