ଭୁବନେଶ୍ୱର: ରେଳ ଭିତ୍ତିଭୂମି, ପରିଚାଳନା ଦକ୍ଷତା ଏବଂ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତିରେ ରାଷ୍ଟ୍ରପତି ୨୦ ଜୁନ୍ ୨୦୨୬ରେ ରାଇରଙ୍ଗପୁର ଠାରେ ୭୩୨ କୋଟିରୁ ଅଧିକ ଟଙ୍କାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପକୁ ଦେଶବାସୀଙ୍କୁ ସମର୍ପଣ କରିବେ।
ପୂର୍ବତଟ ରେଳପଥ ଅଧୀନରେ ବିକଶିତ ଏହି ଦୁଇଟି ପ୍ରକଳ୍ପ ରେଳ ଲାଇନର କ୍ଷମତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ, ଭିଡ଼ ହ୍ରାସ କରିବ ଏବଂ ଯାତ୍ରୀବାହୀ ତଥା ମାଲବାହୀ ଟ୍ରେନର ସୁଗମ ଚଳାଚଳକୁ ସହଜ କରିବ। ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ରେଳ ଭିତ୍ତିଭୂମିର ମେରୁଦଣ୍ଡକୁ ଆହୁରି ମଜବୁତ କରିବ ଏବଂ ରାଜ୍ୟରେ ବଢ଼ୁଥିବା ଶିଳ୍ପ ତଥା ଅର୍ଥନୈତିକ କାର୍ଯ୍ୟକଳାପକୁ ସହାୟତା ପ୍ରଦାନ କରିବ।
୧୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ୩୨୩ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି, ଯାହା ବୃହତ ଭଦ୍ରକ – ନିର୍ଗୁଣ୍ଡି ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଏକ ଅଂଶ ଭାବରେ ବିକଶିତ କରାଯାଇଛି। ଏହି ପ୍ରକଳ୍ପଟି ଅତ୍ୟଧିକ ବ୍ୟସ୍ତବହୁଳ ହାୱଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ କ୍ଷମତା ବୃଦ୍ଧି କରିବ, ଭିଡ଼ ହ୍ରାସ କରିବ, ସମୟାନୁବର୍ତ୍ତିତାରେ ସୁଧାର ଆଣିବ ଏବଂ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନଗୁଡ଼ିକର ଦ୍ରୁତ ଚଳାଚଳ ନିଶ୍ଚିତ କରିବ।
ଏହି ପ୍ରକଳ୍ପ କୋଇଲା ଏବଂ ଅନ୍ୟାନ୍ୟ ଭାରୀ ସାମଗ୍ରୀର ନିରବଚ୍ଛିନ୍ନ ପରିବହନରେ ମଧ୍ୟ ସହାୟକ ହେବ, ଯାହା ନିକଟସ୍ଥ ବନ୍ଦର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକୁ ସୁଦୃଢ଼ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିବ, ଯାହାଦ୍ୱାରା ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସହଯୋଗ ମିଳିବ।
ସେହିପରି, ୪୦୯ କୋଟି ଟଙ୍କା ବ୍ୟୟରେ ୨୭ କିଲୋମିଟର ଦୈର୍ଘ୍ୟରେ ସମ୍ପୂର୍ଣ୍ଣ ହୋଇଥିବା ହିନ୍ଦୋଳ ରୋଡ଼ – ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପ, ଗୁରୁତ୍ୱପୂର୍ଣ୍ଣ ବୁଢ଼ାପଙ୍କ – ଶାଳଗାଁ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଏକ ଅଂଶ ଅଟେ। ଏହି ପ୍ରକଳ୍ପ ଟ୍ରେନ୍ ପରିଚାଳନ କ୍ଷମତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ, ପରିଚାଳନାଗତ ପ୍ରତିବନ୍ଧକ ଗୁଡ଼ିକୁ ଦୂର କରିବ ଏବଂ କୋଇଲା, ଇସ୍ପାତ, ବିଦ୍ୟୁତ କ୍ଷେତ୍ର ପାଇଁ ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଶିଳ୍ପ ଜାତ ସାମଗ୍ରୀର ସୁଗମ ପରିବହନକୁ ସହାୟତା କରିବ।
ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ସୃଷ୍ଟ ଅତିରିକ୍ତ କ୍ଷମତା ଅଧିକ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ପରିଚାଳନକୁ ସମ୍ଭବ କରିବ, ସଂଯୋଗୀକରଣର ବ୍ୟବସ୍ଥାରେ ଉନ୍ନତି ଆଣିବ, ଶିଳ୍ପ ଲଜିଷ୍ଟିକ୍ସକୁ ମଜବୁତ କରିବ ଏବଂ ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।
ଏହି କ୍ଷମତା ବୃଦ୍ଧି ପ୍ରକଳ୍ପଗୁଡ଼ିକ ଆଧୁନିକ, ଦକ୍ଷ ଏବଂ ଭବିଷ୍ୟତ ଉପଯୋଗୀ ରେଳ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାର ପ୍ରତିଫଳନ। ଏହି ପ୍ରକଳ୍ପଗୁଡ଼ିକ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସଂକଳ୍ପକୁ ସୁଦୃଢ଼ କରିବାରେ ବହୁ ଦୂର ସହାୟକ ହେବ।


