Categories
ଆଜିର ଖବର ରାଜ୍ୟ ଖବର

ରାଇରଙ୍ଗପୁରରେ ଅବକାଶ ନିବାସ ଓ କ୍ରୀଡ଼ା ପରିସରର ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୮ ଫେବ୍ରୁଆରୀ ୨୦୨୪) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ କେନ୍ଦ୍ର ସରକାରଙ୍କ ଅବକାଶ ନିବାସ ଏବଂ କ୍ରୀଡ଼ା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ଆଭାସୀ ମାଧ୍ୟମରେ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବଡ଼ସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି।

ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ସରକାର ଆଦିବାସୀ ଅଞ୍ଚଳର ବିକାଶ ଏବଂ ଆଦିବାସୀ ଭାଇଭଉଣୀଙ୍କ ପ୍ରଗତିକୁ ପ୍ରାଥମିକତା ଦେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଜୁଳି ଓ ରାସ୍ତା ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହ ଆଦିବାସୀ ପରିବାରକୁ ନଳ ଯୋଗେ ପାଣି ଯୋଗାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, ସିକଲ୍ ସେଲ୍ ରକ୍ତହୀନତା ଦୂର କରିବା ପାଇଁ ଏକ ଜାତୀୟ ମିଶନ ଆରମ୍ଭ କରାଯାଇଛି, ଯେଉଁଥିରେ ଅନେକ ପିଢ଼ି ଧରି ଯେଉଁ ଆଦିବାସୀ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେଉଥିଲେ ସେମାନେ ଉପକୃତ ହେବେ। ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ ହୋଇ ହିତାଧିକାରୀ ହେବାକୁ ସେ ଅନୁରୋଧ କରିଛନ୍ତି। ସେମାନଙ୍କ ଉଦ୍ୟମ ବିନା ବିକାଶ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ସମାଜର ବିକାଶ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଥିଲେ। ସେଥିପାଇଁ ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିଛନ୍ତି। ଯଦିଓ ସରକାର ସ୍କୁଲ ପ୍ରତିଷ୍ଠା କରୁଛନ୍ତି ତଥାପି ପିଲାଙ୍କୁ ସ୍କୁଲ ପଠାଇବା ଅଭିଭାବକଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

ଏକ ସଶକ୍ତ ସମାଜ ପାଇଁ ମହିଳା ସଶକ୍ତିକରଣ ଜରୁରୀ ବୋଲି ରାଷ୍ଟ୍ରପତି କହିଥିଲେ। ସେ ଆହୁରି କହିଥିଲେ, ମହିଳାମାନଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସମସ୍ତଙ୍କ ସହଯୋଗ ଓ ଭାଗିଦାରୀରେ ହିଁ ସରକାରୀ ଯୋଜନାର ଶତ ପ୍ରତିଶତ ଲାଭ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ।

ଆଜି ଆରମ୍ଭ ହୋଇଥିବା ସଡ଼କ ପ୍ରକଳ୍ପଗୁଡ଼ିକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବ ବୋଲି ରାଷ୍ଟ୍ରପତି ବିଶ୍ୱାସ ବ୍ୟକ୍ତ କରିଥିଲେ। କ୍ରୀଡ଼ା ପରିସର ନିର୍ମାଣ ହେଲେ ଯୁବପିଢ଼ିଙ୍କୁ ଉନ୍ନତ କ୍ରୀଡ଼ା ସୁଯୋଗ ମିଳିବ। ଅବକାଶ ନିବାସ ନିର୍ମାଣ ପରେ ରାଇରଙ୍ଗପୁର ଆସିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜନ୍ମସ୍ଥାନ ଭ୍ରମଣ ଶେଷ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି, ଏହି ଗସ୍ତ ଏକ ସ୍ମରଣୀୟ ମୁହୁର୍ତ୍ତ

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ହେଉଛି ଶେଷ ଦିନ। ଆଜି ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଏହି ଗସ୍ତର ଶେଷ ପର୍ଯ୍ୟାୟରେ ସେ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିଛନ୍ତି। ସେ ମୁଣ୍ଡରେ ଟୋପି ପିନ୍ଧି ଏକାଏକା ଅଭୟାରଣ୍ୟ ଭିତରେ ଭ୍ରମଣ କରିଛନ୍ତି। ରାଷ୍ଟ୍ରପତି ଶୁକ୍ରବାର ସକାଳୁ ନିଜ ଗ୍ରାମରୁ ବାହାରି ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ। ଏହାପରେ ସେ ରାଇରଂଗପୁରର ଦାଣ୍ଡବୋଷରେ ଅଲିଚିକି ଭାଷାର ଜନକ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

ଏହାପରେ ସେ ହେଲିକାପ୍ଟରରେ ଯଶିପୁରରେ ପହଞ୍ଚିବା ପରେ କାରକେଡରେ ଶିମିଳିପାଳ ଅଭୟାରଣ୍ୟକୁ ଯାଇଥିଲେ। ସେଠାରେ ଅଭୟାରଣ୍ୟ ତରଫରୁ ପାରଂପାରିକ ନୃତ୍ୟଗୀତରେ ସ୍ବାଗତ କରି ଭିତରକୁ ପାଛୋଟି ନିଆଯାଇଥିଲା। ରାଷ୍ଟ୍ରପତି ସେଠାରେ ପ୍ରାୟ ଦୁଇ ଘଣ୍ଟା ଭ୍ରମଣ କରିଥିଲେ। ଅଭୟାରଣ୍ୟ ବୁଲିବା ପାଇଁ ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ରାଷ୍ଟ୍ରପତି ଗାଡି ଛାଡି କିଛି ସମୟ ଏକା ଏକା ମଧ୍ୟ ବୁଲିଥିଲେ। ଶିମିଲିପାଳର ପ୍ରାକୃତିକ ଶୋଭାରାଶି ଦେଖି ସେ ଅଭିଭୂତ ହୋଇପଡିଥିଲେ। ସେ ପିଲାଟି ଦିନରୁ ପ୍ରାକୃତିକ ପରିବେଷ ମଧ୍ୟରେ ବଢିଥିଲେ ମଧ୍ୟ ଶିମିଳିପାଳ ଶୋଭା ତାଙ୍କୁ ବେଶ ଆକର୍ଷିତ କରିଥିଲା। ସେଠାରେ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଥିରେ ପଣସ ତରକାରୀ କରାଯିବା ସହିତ ପାରଂପାରିକ ଖାଦ୍ୟ ପରଶା ଯାଇଥିଲା।

ଶୁକ୍ରବାରରେ ରାଷ୍ଟ୍ରପତି ବାରିପଦା ସର୍କିଟ ହାଉସରେ ରାତ୍ରୀଯାପନ କରିଥିଲେ। ସେଠାରେ ମଧ୍ୟ ରାତ୍ରୀ ଭୋଜନରେ ପାରଂପାରିକ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଏଥିରେ ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋରମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।

ଏହାପରେ ଆଜି ସକାଳୁ ସେ ବାରିପଦା ସର୍କିଟ ହାଉସରୁ ବାହାରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ସେଠାରେ ସେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ନିଜ ଜନ୍ମମାଟିରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସେଠାକାର ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ନିଜ ମାଟିର ଝିଅ ରାଷ୍ଟ୍ରପତି ହୋଇଥିବାରୁ ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଛି।

ଗୁରୁବାର ରାତିରେ ରାଷ୍ଟ୍ରପତି ଅତିଥୀ ଭବନରେ ନ ରହି ନିଜ ଘରେ ଅବସ୍ଥାନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କର ରହଣୀ ରାଇରଙ୍ଗପୁର ଗେଷ୍ଚ ହାଉସରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେ ସେଠାରେ ରହି ନ ଥିଲେ। ପ୍ରୋଟକଲ ପରିତ୍ୟାଗ କରି ସେ ନିଜ ଘରେ ପରିବାର ଲୋକଙ୍କ ସହ ଖାଇବା ଏବଂ ସେହିଠାରେ ରାତ୍ରୀ ଯାପନ ମଧ୍ୟ କରିଥିଲେ।

ପରିବାର ଲୋକେ ରାଷ୍ଟ୍ରପତିଙ୍କ ପାଇଁ ରୁଟି, ଚକୁଳି, ଡାଲମା, ସଜନା ଛୁଇଁ ଭଜା ଓ ଅତି ପ୍ରିୟର ଛତୁ ବେସର ପ୍ରସ୍ତୁତ କରିଥିଲେ। ରାତି ପର୍ଯ୍ୟନ୍ତ ରାଷ୍ଟ୍ରପତି ପରିବାର ଲୋକଙ୍କ ସହିତ ଗପସପ କରିଥିଲେ। ରାଷ୍ଟ୍ରପତି ତାଙ୍କ ଜନ୍ମସ୍ଥାନର ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଶ୍ଚିତ ଏକ ସ୍ମରଣୀୟ ମୁହୁର୍ତ୍ତ ହୋଇ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ସାପ୍ତାହିକ ଗୋରୁ ହାଟରେ ଗୁଳି କାଣ୍ଡ, ଜାମସୁ ଅଲ୍ଲୀ ନାମକ ବ୍ୟବସାୟୀ ମୃତ

ବାରିପଦା: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଏକ ଗୁଳିକାଣ୍ଡ ଘଟିଯାଇଛି। ସକାଳୁ ସାପ୍ତାହିକ ଗୋରୁ ହାଟ ଚାଲିଥିବାବେଳେ ୪ଜଣ ଦୁର୍ବୃତ୍ତ ଆସି ହତାଠ୍ ଜଣେ ଗୋରୁ ବେପାରୀଙ୍କ ଉପରେ ଗୁଳି ଚାଳନା କରିଥିଲେ।

ତାଙ୍କୁ ପାଖରୁ ଗୁଳି କରାଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ହେଉଛନ୍ତି ପଶ୍ଚିମବଙ୍ଗ ଜମ୍ବାଲି ଥାନା ଅଧିନର ଜାମସୁ ଅଲ୍ଲୀ। ଗୁଳିକାଣ୍ଡ ପରେ ଦୁର୍ବତମାନେ ତାଙ୍କଠାରୁ ଠାରୁ ୨୦ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।