ଯାଜପୁର: ପାଣିକୋଇଲିସ୍ଥିତ ଯାଜପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ଦୁଃଖଦ ଅଘଟଣ ଘଟିଯାଇଛି। ବାରାକ ପରିସରରେ ଥିବା ପୋଖରୀରେ ବୁଡ଼ି ଜଣେ ନବନିଯୁକ୍ତ ଗୃହରକ୍ଷୀଙ୍କର ମୃତ୍ୟୁ ହୋଇଛି। ମୃତ ଗୃହରକ୍ଷୀ ଜଣକ ହେଲେ କଳିଙ୍ଗନଗର ଥାନା ରାଣାଗୁଣ୍ଡି ଗ୍ରାମର ରାକେଶ କୁମାର ଜେନା। ନବନିଯୁକ୍ତ ଗୃହରକ୍ଷୀମାନେ ପାଣିକୋଇଲି ପୋଲିସ ମୁଖ୍ୟାଳୟ ବାରାକରେ ରହି ତାଲିମ ନେଉଥିଲେ। ଆଜି ଛୁଟିଦିନ ଥିବାରୁ ରାକେଶ ତାଙ୍କ ସହକର୍ମୀଙ୍କ ସହ ବାରାକ ପରିସରସ୍ଥ ପୋଖରୀକୁ ଗୋଡ଼ହାତ ଧୋଇବାକୁ ଯାଇଥିଲେ। ସେଠାରେ ଅସାବଧାନତାବଶାତଃ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡ଼ିଯାଇଥିଲେ। ସାଥୀ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ତୁରନ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କୁ ଜଣାଇଥିଲେ।
ଖବର ପାଇ ଯାଜପୁର ରୋଡ୍ ଓ ରସୁଲପୁରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପରିଶ୍ରମ ପରେ ରାକେଶଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିବା ନେଇ ପାଣିକୋଇଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଛନ୍ତି।


