ପାରାଦ୍ବୀପ: ଗଭୀର ଡ୍ରାଫ୍ଟ ଓ ବୃହତ୍ ମାଲବାହୀ ଜାହାଜ ପରିଚାଳନା କ୍ଷେତ୍ରରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ଏକ ବଡ଼ ଐତିହାସିକ ସଫଳତା ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ବିଶିଷ୍ଟ ‘କ୍ୟାପ୍ସାଇଜ୍’ ଶ୍ରେଣୀର ବିଶାଳ ମାଲବାହୀ ଜାହାଜ ‘ଏମ୍ଭି ମିନେରାଲ୍ କ୍ୱାଙ୍ଗ୍ୟାଙ୍ଗ୍’ କୁ ବନ୍ଦରର ପଶ୍ଚିମ ଡକ୍-୧ରେ ସଫଳତାର ସହ ବର୍ଥିଂ କରାଯାଇଛି। ବନ୍ଦର ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ମିଳିଥିବା ଖବର ଅନୁଯାୟୀ, ୨୯୨ ମିଟର ଲମ୍ବ, ୪୫ ମିଟର ପ୍ରସ୍ଥ ଏବଂ ୧୬.୫୦ ମିଟର ଡ୍ରାଫ୍ଟ ବିଶିଷ୍ଟ ଏହି ଜାହାଜଟି ଅଷ୍ଟ୍ରେଲିଆର ‘ହେ ପଏଣ୍ଟ’ରୁ ୧ ଲକ୍ଷ ୫୨ ହଜାର ୭୦୨ ମେଟ୍ରିକ୍ ଟନ୍ କୋକିଂ କୋଲ୍ ଆଣି ସେପ୍ଟେମ୍ବର ୫ ତାରିଖରେ ପାରାଦ୍ୱୀପରେ ପହଞ୍ଚିଥିଲା। ସେପ୍ଟେମ୍ବର ୬ ସକାଳ ୬ଟାରେ ଅତି ସୁରକ୍ଷିତ ଭାବେ ଏହାକୁ ଡବ୍ଲୁ ଡି-୧ ରେ ବର୍ଥିଂ କରାଯାଇଛି।
ଏତେ ଅଧିକ ଡ୍ରାଫ୍ଟର କ୍ୟାପ୍ସାଇଜ୍ ଜାହାଜକୁ ପରିଚାଳନା କରି ପାରାଦ୍ୱୀପ ବନ୍ଦର ନିଜର ଆଧୁନିକ ‘ଡିପ୍-ଡ୍ରାଫ୍ଟ ହ୍ୟାଣ୍ଡଲିଂ’ ଦକ୍ଷତାର ପ୍ରମାଣ ଦେଇଛି। ଏହି ନୂତନ ସଫଳତା ଦ୍ୱାରା ଆଗାମୀ ଦିନରେ ବୃହତ୍ ବଲ୍କ କ୍ୟାରିୟର୍ ଜାହାଜ ପରିଚାଳନା ଆହୁରି ସହଜ ହେବ। ଏଥିସହ ମାଲ ପରିବହନ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହେବା ସହ ଜାହାଜର ‘ଟର୍ଣ୍ଣଆରାଉଣ୍ଡ ସମୟ’ ହ୍ରାସ ପାଇବ ବୋଲି ବନ୍ଦର କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।


