ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁ ନିଖୋଜ ଥିବା ଅଟୋ ଚାଳକ ସଞ୍ଜୟ ସ୍ୱାଇଁଙ୍କ ମୃତଦେହ ଦୀର୍ଘ ୩୬ ଘଣ୍ଟାର ଖୋଜାଖୋଜି ପରେ ଉଦ୍ଧାର ହୋଇଛି। ଓଡ୍ରାଫ୍, ଭୁବନେଶ୍ୱର ଓ ବାଲିଅନ୍ତା ଅଗ୍ନିଶମ ବାହିନୀର ମିଳିତ ସର୍ଚ୍ଚ ଅପରେସନ୍ ବେଳେ ଟଙ୍କପାଣି ବ୍ରିଜ୍ଠାରୁ ପ୍ରାୟ ୨ କିଲୋମିଟର ଦୂର ଲିଙ୍ଗିପୁର-ବାଙ୍କୁଆଳ ନିକଟ କୁଆଖାଇ ନଦୀରୁ ଏହି ଶବ ଠାବ କରାଯାଇଛି। ମୃତ ସଞ୍ଜୟ ଓଲ୍ଡଟାଉନ୍ ହରଚଣ୍ଡୀ ସାହିର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୭ ତାରିଖ ରାତି ପ୍ରାୟ ୧୦ଟାରେ ପତ୍ନୀଙ୍କ ସହ ପାରିବାରିକ କଳହ ହେବା ପରେ ମାନସିକ ଭାରସାମ୍ୟ ହରାଇ ସଞ୍ଜୟ ଘରୁ ବାହାରି ଆସିଥିଲେ। ପରେ ଟଙ୍କପାଣି ବ୍ରିଜ୍ ଉପରେ ଅଟୋ, ମୋବାଇଲ୍, ଚପଲ ଓ ଗାଡ଼ି ଚାବି ଛାଡ଼ି ସେ ନଦୀକୁ ଡେଇଁପଡ଼ିଥିଲେ। ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋଟିକୁ ଜବତ କରିଥିଲା, ଯାହା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଛି। ପୂର୍ବରୁ ଯେଉଁ ସ୍ଥାନରେ ସଞ୍ଜୟଙ୍କ ପୁତୁରା ଜୀବନ ହାରିଥିଲେ, ଠିକ୍ ସେହି ସ୍ଥାନରୁ ହିଁ ଆଜି ଦାଦା ସଞ୍ଜୟଙ୍କ ମୃତଦେହ ମିଳିଛି। ଖବର ପାଇ ବାଲିଅନ୍ତା ଥାନା ପୋଲିସ ଓ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।


