ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡସ (ଓସ୍କାର ୨୦୨୭) ପାଇଁ ଭାରତର ଆଧିକାରିକ ମନୋନୟନ ଭାବେ ଚୟନ ହୋଇଛି ମରାଠୀ ଚଳଚ୍ଚିତ୍ର ‘ଗୋନ୍ଧଲ’। ‘ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ’ (ଏଫଏଫଆଇ) ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ‘ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ’ ବିଭାଗ ପାଇଁ ଦେଶର ମୋଟ ୩୩ଟି ଉଚ୍ଚକୋଟୀର ସିନେମା ମଧ୍ୟରୁ ‘ଗୋନ୍ଧଲ’କୁ ଶ୍ରେଷ୍ଠ ଭାବେ ବଛାଯାଇଥିବା ଚୟନ କମିଟିର ଅଧ୍ୟକ୍ଷ ପି. ଶେଷାଦ୍ରି ସୂଚନା ଦେଇଛନ୍ତି। ସନ୍ତୋଷ ଦାବଖରଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଗ୍ରାମୀଣ ମହାରାଷ୍ଟ୍ରର ପୃଷ୍ଠଭୂମିରେ ଗତିଶୀଳ। ଏକ ନବଦମ୍ପତିଙ୍କୁ କେନ୍ଦ୍ର କରି ଗୋଟିଏ ରାତିରେ ଅନୁଷ୍ଠିତ ହେଉଥିବା ପାରମ୍ପରିକ ପୂଜାବିଧି (‘ଗୋନ୍ଧଲ’ ଅନୁଷ୍ଠାନ) ଉପରେ ଚଳଚ୍ଚିତ୍ରଟି ସୁନ୍ଦର ଭାବେ ଆଧାରିତ। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଚୟନ କମିଟି ଅଧ୍ୟକ୍ଷ ପି. ଶେଷାଦ୍ରି କହିଛନ୍ତି, “ଏହି ବର୍ଷ ପ୍ରତିଯୋଗିତାରେ ୪ଟି ମରାଠୀ, ୧୪ଟି ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ୩୩ଟି ସିନେମା ସାମିଲ ଥିଲା। ଗତ ୧୦ ଦିନ ଧରି ନିରବଚ୍ଛିନ୍ନ ସ୍କ୍ରିନିଂ ଓ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ତଥା ମରାଠୀ ସିନେମା ଜଗତ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ।” ଶ୍ରେଷ୍ଠ ୩ ତାଲିକାର ଅନ୍ତିମ ପର୍ଯ୍ୟାୟରେ ‘ଗୋନ୍ଧଲ’ ବ୍ୟତୀତ ‘ଅଙ୍ଘ’ ଏବଂ ‘ଇକ୍କିସ୍’ ଚଳଚ୍ଚିତ୍ର ଦ୍ୱୟ ଶ୍ରେଷ୍ଠ ୩ଟି ସିନେମା ତାଲିକାରେ କଡ଼ା ପ୍ରତିଯୋଗିତା କରିଥିଲେ।


