ଭୁବନେଶ୍ବର: ସେ ଆଗରୁ ଥିଲେ ବିଜେପିର ବଡ ନେତା, ପରେ ହେଲେ ବିଧାୟକ ଓ ମନ୍ତ୍ରୀ, ଆଉ ଏବେ ସେ ହେଲେ କବି। ସେ ହେଉଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଦୀର୍ଘ ବର୍ଷର ରାଜନୈତିକ ଜୀବନ ଭିତରେ ଲୁଚି ରହିଥିବା କବିତ୍ବର ଭାବ ଶେଷରେ ଫୁଟି ବାହାରକୁ ଆସିଛି। ଆଜି ଜୟଦେବ ଭବନରେ ଲୋକାର୍ପଣ ହୋଇଛି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରଥମ କବିତା ପୁସ୍ତକ ‘ଉଠିବ କି ଜାତିର କଙ୍କାଳ’। ଏହାକୁ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, କବି ହରିଚନ୍ଦନଙ୍କ ଉପସ୍ଥିତିରେ ଲୋକାର୍ପିତ କରିଥିଲେ।

କବି ପୃଥ୍ବୀରାଜଙ୍କ ଲିଖିତ ଏହି କବିତା ପୁସ୍ତକରେ ମୋଟ ୩୮ ଟି କବିତା ସ୍ଥାନିତ କରାଯାଇଛି। ଏହା ‘ମାଆ’ ନାମିତ କବିତାରୁ ଆରମ୍ଭ ହୋଇ ‘ବାପା’ ନାମିତ କବିତାରେ ଶେଷ ହୋଇଛି। ପୂର୍ବରୁ ସେ କେତେକ କବିତା ନିଜର ସାମାଜିକ ଗଣମାଧ୍ୟମରେ ପ୍ରକାଶିତ କରି ବେଶ ଚର୍ଚ୍ଚାକୁ ଆସିଥିଲେ। ତାହା ଏଥିରେ ସ୍ଥାନିତ ହେବା ସହିତ ବହୁ ନୂଆ କବିତା ପ୍ରକାଶିତ କରାଯାଇଛି। ସେଥି ମଧ୍ୟରେ ରହିଛି ‘ଦରଦୀ ହୃଦୟ’, ‘ବାକ ସ୍ବାଧୀନତା’, ‘ଆତ୍ମହତ୍ୟା’, ‘ଅବଶ ମଣିଷର ଚିତ୍କାର’, ଧିକ୍ ମଣିଷପଣିଆ’ ଓ ‘ବର୍ଷା ରାଣୀ’ ପରି କବିତା । ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଏହି ପୁସ୍ତକକୁ ପ୍ରକାଶିତ କରିଛନ୍ତି ବିଶ୍ବମୁକ୍ତି ପ୍ରକାଶନୀ ସଂସ୍ଥା।

ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଶିଷ୍ଟ ଲେଖକ ଅଧ୍ୟାପକ ଶ୍ରୀ ବିଶ୍ୱରଞ୍ଜନ, ବିଶିଷ୍ଟ ଲେଖିକା ତଥା ବାଗ୍ମୀ ପ୍ରଫେସର ଅର୍ଚ୍ଚନା ନାୟକ ଏବଂ ବିଶ୍ବମୁକ୍ତି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ପ୍ରଫେସର ଶଶାଙ୍କ ଶେଖର ଚୂଡ଼ାମଣି ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଦ୍ବିତୀୟ ଅଧିବେଶନରେ ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ନେଇ ଆୟୋଜିତ ହୋଇଥିଲା ସାହିତ୍ୟ ବିମର୍ଶ, ‘ଆମ ଭାଷା-ଆମ ଅସ୍ମିତା’। ଏଥିରେ ବିଶିଷ୍ଠ ଶିଶୁ ସାହିତ୍ୟିକ ଦାଶ ବେନହୁର, ପ୍ରଫେସର ବିଜୟାନନ୍ଦ ସିଂ, ଡଃ ସଂଘମିତ୍ରା ମିଶ୍ର ଏବଂ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତ ପ୍ରକାଶ କରିଥିଲେ।


