MMDR Act: ଆଜି ରାଜରାସ୍ତାରେ ବିରାଟ ବିକ୍ଷୋଭ କରିଛି ବିଜୁ ଜନତା ଦଳ। ଆଜି ପିଏମଜି ଛକରେ ଦଳର ହଜାରହଜାର କର୍ମି ଏକାଠି ହୋଇ MMDR Act ବିରୋଧରେ ଗର୍ଜ୍ଜନ କରିଛନ୍ତି। ଆଜି ବିଜେଡି ରାଜରାସ୍ତାରେ ଯେପରି ବିକ୍ଷୋଭ କରିଛି ସେଥିରେ ଶାସକ ବିଜେପିର ନିଦ ହଜାଇ ଦେଇଛି। ବିଜେଡି ଏହି ଆଇନିକୁ କଳା ଆଇନି ବୋଲି କହିଛି। କେନ୍ଦ୍ର ସରକାର ତୁରନ୍ତ ଏହି ଆଇନିକୁ ପ୍ରତ୍ୟାହାର କରିବା ପାଇଁ ବିଜେଡି ଦାବୀ କରିଛି।
ବିଜେଡିର ଏହି ବିକ୍ଷୋଭ ବେଳେ କର୍ମି ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ଦୀର୍ଘ ସମୟ ଧରି ରାଜରାସ୍ତା ପାଲଟିଥିଲା ରଣକ୍ଷେତ୍ର। ପୋଲିସ ବ୍ୟାରିକେଟ ଉପରେ ଚଢି ବିଜେଡି କର୍ମି ଓ ନେତାମାନେ ବିଜେପି ସରକାର ହାଏ ହାଏ ବୋଲି ସ୍ଲୋଗାନ ଦେଇଥିଲେ। କେନ୍ଦ୍ର ସରକାର ଯେ ପର୍ଯ୍ୟନ୍ତ ଏହି ଆଇନିକୁ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ନେତାମାନେ କହିଛନ୍ତି।
ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ଖୋଦ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କର୍ମିମାନଙ୍କୁ ଅଭିଭାଷଣ ଦେଇ ରାଜ୍ୟ ଓ କେନ୍ଦ୍ର ସରକାର କିପରି ରାଜ୍ୟରେ ଶୋଷଣ କରୁଛି ତାହା କହିଥିଲେ। ସେ କହିଥିଲେ ଯେ, ଆମେମାନେ ମାଟି ପାଇଁ ଏକାଠି ହେଉଛୁ। ଏ ସରକାରକୁ ଜେନ-ଜି ଏବଂ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ। ଏହା ହେଉଛି ସାଢେ ଚାରିକୋଟି ଓଡିଆଙ୍କ କଥା।
ନବୀନ କର୍ମିମାନଙ୍କୁ କହିଥିଲେ, ଓଡ଼ିଶାର ସ୍ୱାର୍ଥ ପାଇଁ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ଅଧିକାର ପାଇଁ, ଆମ GenZ ଙ୍କ ଭବିଷ୍ୟତ ପାଇଁ ବିଜେଡିର ବିଶାଳ MMDR ବିକ୍ଷୋଭରେ ସାମିଲ ହେଲି।
ସଂଶୋଧିତ MMDR ଆଇନ ଓଡ଼ିଆଙ୍କ ଅଧିକାର ଛଡ଼ାଇ ନେଇଛି। ଏହା ଏକ ସାଧାରଣ ଆଇନ ନୁହେଁ। ରାଜ୍ୟର ଅଧିକାର ସହ ଏ ଆଇନ ଜଡ଼ିତ। ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ।
ଦୁଃଖର କଥା ବିନା ଆଲୋଚନାରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ପାରିତ ହୋଇଗଲା। ଆଉ ଆମର କୋଡ଼ିଏ BJP ସାଂସଦ ଚୁପ୍ ବସିଲେ, କାହା ସ୍ୱାର୍ଥରେ? ଓଡ଼ିଶା ସରକାର ବି ଚୁପ୍ ରହିଲେ, କାହା ଡରରେ?
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି। ଉତ୍ତର ନାହିଁ। MMDR ସଂଶୋଧନ ଆଇନକୁ ବିରୋଧ କରି ପ୍ରସ୍ତାବ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲି। କିନ୍ତୁ ଉତ୍ତର ନାହିଁ। ନାହିଁ ନାହିଁର ଏ ସରକାର। କେବଳ ବାକ୍ୟବୀର।
ଏହି ଆଇନ ପାଇଁ ଓଡ଼ିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ। ଓଡ଼ିଶାର ସ୍ୱାର୍ଥ ପାଇଁ ସରକାର ନୀରବ କାହିଁକି? ଏ ମାଟିଠାରୁ ପାର୍ଟି କେବେ ବି ବଡ଼ ହୋଇପାରିବ ନାହିଁ। ଚୌକି ଆଜି ଅଛି କାଲି ନ ଥିବ। କିନ୍ତୁ ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ। GenZ ଆପଣଙ୍କୁ କ୍ଷମା ଦେବେ ନାହିଁ। ଓଡ଼ିଶାବାସୀ କ୍ଷମା ଦେବେ ନାହିଁ।
ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢିବି। ସମସ୍ତଙ୍କୁ ମୋର ଅନୁରୋଧ, ସବୁ ଦଳଙ୍କୁ ମୋର ଅନୁରୋଧ, ଏ ଲଢେଇରେ ସାମିଲ ହୁଅନ୍ତୁ। ଆସନ୍ତୁ, ଏ ମାଟି ପାଇଁ ଏକାଠି ହେବା। ସଙ୍କଳ୍ପ କରିବା, MMDR ସଂଶୋଧନ ଆଇନକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେବା ନାହିଁ। ଆମେ ଲଢ଼ିବା, ଆମ ଅଧିକାର ଫେରାଇ ଆଣିବା। ବନ୍ଦେ ଉତ୍କଳ ଜନନୀ