ଭୁବନେଶ୍ବର: ଓଡ଼ିଶାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷରେ ନିୟୋଜିତ ହୋଇଥିବା ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ଫଳରେ ରାଜ୍ୟର ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଉପକୃତ ହେବା ସହ ସେମାନଙ୍କର ଦୀର୍ଘଦିନର ଆଶା ପୂରଣ ହୋଇପାରିଛି।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ନିର୍ଦ୍ଧାରିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୦୨୩-୨୪ ବର୍ଷରେ କାର୍ଯ୍ୟରେ ଯୋଗଦେଇ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିବା କନିଷ୍ଠ ଶିକ୍ଷକମାନଙ୍କୁ ପ୍ରାଥମିକ ଶିକ୍ଷକ କ୍ୟାଡରର ପଞ୍ଚମ-କ ସ୍ତରରେ ସହକାରୀ ଶିକ୍ଷକ ଭାବେ ନିୟମିତ କରାଯାଇଛି। ଏହି ନିୟମିତୀକରଣ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ ବୋଲି ସ୍ପଷ୍ଟ କରାଯାଇଛି। ନିର୍ଦ୍ଧାରିତ ଶର୍ତ୍ତାବଳୀ ପୂରଣ କରୁଥିବା ଶିକ୍ଷକମାନେ ହିଁ ଏହି ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ।
ଏହି ନୂତନ ନିୟମ ଅନୁସାରେ ନିୟମିତ ହୋଇଥିବା ଶିକ୍ଷକମାନେ ୨୦୨୬ ଜାନୁଆରୀ ୧ ତାରିଖରୁ ସହକାରୀ ଶିକ୍ଷକ ପଦବୀ ଅନୁଯାୟୀ ନିୟମିତ ଦରମା ଏବଂ ସରକାରଙ୍କ ଅନ୍ୟାନ୍ୟ ସମସ୍ତ ପ୍ରାପ୍ୟ ଓ ସେବା ସମ୍ବନ୍ଧୀୟ ସୁବିଧା ସୁଯୋଗ ପାଇବା ପାଇଁ ହକଦାର ହେବେ। ତେବେ ସେମାନଙ୍କର ପ୍ରାରମ୍ଭିକ ଯୋଗଦାନ ତାରିଖରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାଳକୁ ଚୁକ୍ତିଭିତ୍ତିକ ବା ଯୋଜନାଭିତ୍ତିକ ସେବା ଭାବେ ଗ୍ରହଣ କରାଯିବ ଏବଂ ଏହି ଅବଧି ପାଇଁ କୌଣସି ନିୟମିତ କ୍ୟାଡର ବରିଷ୍ଠତା କିମ୍ବା ଆନୁଷଙ୍ଗିକ ନିୟମିତ ସେବା ସୁବିଧା ଦାବି କରାଯାଇପାରିବ ନାହିଁ।
ରାଜ୍ୟ ସରକାରଙ୍କ ଏହି ସଂସ୍କାରମୂଳକ ପଦକ୍ଷେପ ଫଳରେ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବ। ରାଜ୍ୟପାଳଙ୍କ ଆଦେଶକ୍ରମେ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବଙ୍କ ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି ଏବଂ ଏହାକୁ ଓଡ଼ିଶା ଗେଜେଟରେ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷକ ସଂଘ ଓ ଶିକ୍ଷାବିତ୍ମାନେ ସାଧୁବାଦ ଜଣାଇଛନ୍ତି।


