ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ର ପ୍ରଭାବ ସମ୍ପୂର୍ଣ୍ଣ ପ୍ରଶମିତ ହୋଇନଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ନୂତନ ପାଣିପାଗ ନିୟାମକ ସକ୍ରିୟ ହୋଇଉଠିଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବା ସହ ତା’ର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ଗତ ଦୁଇଦିନ ଧରି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିଲା, ଯାହା ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଥିଲା। ଏହାର ପ୍ରଭାବରେ ସେହି ଅଞ୍ଚଳରେ ଲଘୁଚାପ କ୍ଷେତ୍ରଟି ବିକଶିତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, ସିଷ୍ଟମଟି ଲଘୁଚାପ ଓ ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିଲେ ହେଁ, ଏହା ବାତ୍ୟାର ରୂପ ନେବ କି ନାହିଁ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ପୂର୍ବାନୁମାନ କରାଯାଇନାହିଁ। ସିଷ୍ଟମର ଗତିପଥ, ତୀବ୍ରତା ଏବଂ ଏହା କେଉଁ ସ୍ଥାନରେ ଉପକୂଳ ଛୁଇଁବ, ସେ ସମ୍ପର୍କରେ ଆଗାମୀ ଦିନରେ ସ୍ଥିତି ଆଉଟିକେ ସ୍ପଷ୍ଟ ହେବା ପରେ ବିବରଣୀ ପ୍ରଦାନ କରାଯିବ।
ଅନ୍ୟପଟେ, ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଦକ୍ଷିଣ ଚୀନ୍ ସାଗରରୁ ଥାଇଲାଣ୍ଡ ଉପସାଗର ଦେଇ ଆସିଥିବା ଏକ ସିଷ୍ଟମର ଅଂଶବିଶେଷ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି କରିଛି। ଏହାର ପରବର୍ତ୍ତୀ ଗତିପଥ ଓ ଘନୀଭୂତ ହେବା ନେଇ ବିନ୍ନ ବିନ୍ନ ଆନ୍ତର୍ଜାତୀୟ ମଡେଲ ଭିନ୍ନ ମତ ଦେଉଛନ୍ତି। ୟୁରୋପୀୟ ମଡେଲ ଅନୁଯାୟୀ, ଏହା ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟ ସ୍ଥିତିରେ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ। ଅନ୍ୟପଟେ, ଆମେରିକୀୟ ମଡେଲ ଏହା ଏକ କ୍ଷୁଦ୍ର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ପୂର୍ବାନୁମାନ କରିଛି। ତେବେ ଅକ୍ଟୋବର ଶେଷ ଓ ନଭେମ୍ବର ପ୍ରାରମ୍ଭ ବାତ୍ୟାର ପ୍ରମୁଖ ସମୟ ହୋଇଥିବାରୁ ଏବଂ ପୂର୍ବ ବର୍ଷଗୁଡ଼ିକରେ ଏହି ସ୍ଥାନରୁ ଅନେକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହୋଇଥିବାରୁ, ଏହି ସିଷ୍ଟମ ଉପରେ କ୍ରମାଗତ ନଜର ରଖାଯାଇଛି।
ସେହିପରି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ମତରେ, ଏହି ସମ୍ଭାବ୍ୟ ଲଘୁଚାପ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁ ମୁହାଁ ହେବାର ସମ୍ଭାବନା ଅଧିକ ରହିଛି। ପ୍ରାଥମିକ ଆକଳନ ଅନୁଯାୟୀ, ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା କମ୍ ରହିଛି। ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ୍ ସାହୁ ଏବଂ କିଛି ବିଦେଶୀ ସଂସ୍ଥାର ଆକଳନ ଅନୁସାରେ, ଏହି ସିଷ୍ଟମଟି ଅବପାତର ରୂପ ନେଇ ନଭେମ୍ବର ପ୍ରଥମ ସପ୍ତାହ ଆରମ୍ଭ ବେଳକୁ ଉପକୂଳ ଆଡ଼କୁ ମୁହାଁଇପାରେ।
ଏହି ସମୟରେ, ପୂର୍ବରୁ ସକ୍ରିୟ ଥିବା ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ର ଅବଶିଷ୍ଟାଂଶ ଦୁର୍ବଳ ହୋଇ ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇରହିଛି। ଏହା ପ୍ରଭାବରେ କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ, ସମୁଦ୍ରରେ ସୃଷ୍ଟି ହୋଇଥିବା ଏହି ନୂତନ ଲଘୁଚାପ କ୍ଷେତ୍ରର ବୃଦ୍ଧି ଓ ଗତିପଥ ଉପରେ ସାରା ରାଜ୍ୟର ନଜର ରହିଛି।


