ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୨୧,୮୦୦ କୋଟି ଟଙ୍କାର ପୁଣେ ମେଟ୍ରୋ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନୂଆ ମେଟ୍ରୋ ପ୍ରକଳ୍ପ ପୁଣେର ବିକାଶକୁ ତ୍ୱରାନ୍ୱିତ କରିବ ଓ ଜୀବନଯାପନକୁ ସୁଗମ କରିବ। ହିଞ୍ଜୱାଡିରୁ ଶିବାଜୀନଗର କରିଡର ପୁଣେର ପ୍ରମୁଖ ଆଇଟି କେନ୍ଦ୍ରକୁ ଉତ୍ତମ ଯୋଗାଯୋଗ ପ୍ରଦାନ କରିବ।
ପୁଣେ ସହରକୁ ଯୁବ ଆକାଂକ୍ଷାର କେନ୍ଦ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଇଟି, ଅଟୋମୋବାଇଲ୍, ଷ୍ଟାର୍ଟଅପ୍ କ୍ଷେତ୍ରରେ ପୁଣେ ବିକଶିତ ଭାରତର ଶକ୍ତିକୁ ପ୍ରତିନିଧିତ୍ୱ କରୁଛି। ମେଟ୍ରୋ ଯୋଗାଯୋଗ ସୁଦୃଢ଼ ହେଲେ ସହରର ବିକାଶକୁ ନୂଆ ଗତି ମିଳିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୧୨ ବର୍ଷରେ ଦେଶର ମେଟ୍ରୋ ନେଟୱାର୍କ ୨୬ଟି ସହରରେ ୧,୨୦୦ କିମିକୁ ବୃଦ୍ଧି ପାଇଛି ଓ ଦୈନିକ ୧ କୋଟିରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି। ୨୦୧୪ରେ ମହାରାଷ୍ଟ୍ରରେ ମାତ୍ର ୧୦ କିମି ମେଟ୍ରୋ ଥିଲା, ଏବେ ୧୭୫ କିମି କାର୍ଯ୍ୟକ୍ଷମ ଅଛି ଓ ୬୮୦ କିମିର କାମ ଚାଲିଛି।
ସେ ଆହୁରି କହିଛନ୍ତି ଯେ, ଭାରତ ଆଜି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହେବା ସହ ଦ୍ରୁତ ଗତିରେ ଦାରିଦ୍ର୍ୟ ହ୍ରାସ କରୁଥିବା ଦେଶ ମଧ୍ୟ। ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଗତ ୧୦-୧୨ ବର୍ଷରେ ୫୦ କୋଟି ଲୋକ ଘୋର ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି।


