କେଦାର ମିଶ୍ର
ଗତକାଲି ଭାରତର ଶିଥିଳ ଅର୍ଥବ୍ୟବସ୍ଥା ଲାଗି ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଆଜିଯାଏ ଅର୍ଥନୀତିର ଶିଥିଳ ଅବସ୍ଥାକୁ ଅସ୍ଵୀକାର କରି ଆସୁଥିବା କେନ୍ଦ୍ର ସରକାର ପ୍ରଥମଥର ଲାଗି ଶିଥିଳତାକୁ ସ୍ଵୀକାର କରିବା ସହିତ ଏଥିରୁ ମୁକୁଳିବା ଲାଗି କେତୋଟି ବାଟ ବାହାର କରିଛନ୍ତି। ତେବେ ଏ ବାଟ ଅର୍ଥନୈତିକ ଅଭିବୃଦ୍ଧିରେ କେତେ ଦୂର ସହାୟକ ହେବ, ତାକୁ ନେଇ ସନ୍ଦେହ ଆଜି ମଧ୍ୟ ରହିଛି। ଗତକାଲି କର୍ପୋରେଟ ଟିକସକୁ ୩୫% ରୁ ୨୫% କୁ ଖସାଇ ଦିଆଯାଇଛି। ପ୍ରାୟ ୧୦% କର୍ପୋରେଟ ଟିକସ କମିବା ଫଳରେ ସରକାରଙ୍କ ରାଜକୋଷ କୁ ପ୍ରାୟ ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର ବିତ୍ତୀୟ ଘାଟା ସହିବାକୁ ପଡିବ। ଏକଥା କହିଲା ବେଳେ ଆମେ ଭୁଲିଯିବା ଉଚିତ ନୁହଁ ଯେ ଆନ୍ତର୍ଜାତିକ ବଜାରରେ ତେଲର ମୂଲ୍ୟବୃଦ୍ଧି ଓ ଆରବ ବଜାରରେ ତେଲ ଯୋଗାଣର ସଙ୍କଟ ଯୋଗୁଁ ମଧ୍ୟ ବିତ୍ତୀୟ ଘାଟା ପ୍ରଭାବିତ ହେଉଛି। କର୍ପୋରେଟ ଟିକସ ଛାଡ ବାବଦକୁ ହେବାକୁ ଥିବା କ୍ଷତି ସହିତ ତୈଳ ସଙ୍କଟ ଜନିତ ଚାପକୁ ମିଶେଇ ଦେଖିଲେ, ଅର୍ଥନୀତିର ଭବିଷ୍ୟତ ଆଜି ବି ଅନ୍ଧାରରେ ରହିଛି।
କର୍ପୋରେଟ ଟିକସ କମାଇବା ବ୍ୟତୀତ ଗତକାଲି ଜିଏସଟି ପରିଷଦ ବୈଠକରେ କେତେକ ଦ୍ରବ୍ୟ ଉପରୁ ଜିଏସଟି ହ୍ରାସ ବୃଦ୍ଧି ଘୋଷଣା କରାଯାଇଛି। ସେବା କ୍ଷେତ୍ରରେ ବ୍ୟବସାୟ ବଢାଇବାକୁ ହୋଟେଲରେ କୋଠରି ଭଡା ବାବଡକୁ ରହିଥିବା ଜିଏସଟି ହ୍ରାସ ହୋଇଛି। ହଜାରେ ଟଙ୍କାରୁ କମ ମୂଲ୍ୟର କୋଠରି ଲାଗି ୦%, ୧୦୦୦ ରୁ ୭୫୦୦ ଟଙ୍କାରା କୋଠରି ଲାଗି ୧୨% ଓ ତାଠୁ ଅଧିକ ମୂଲ୍ୟର କୋଠରି ପାଇଁ ୧୮% ଜିଏସଟି ଧାର୍ୟ ହୋଇଛି। ତେବେ କଫି ମଗା ଉପରେ ସରକାର ପ୍ରବଳ ମାଡ କରିଛନ୍ତି। କଫି ଜାତୀୟ ଖାଦ୍ୟ ଓ ପାନୀୟ ଉପରେ ୪୦% ଟିକସ ବଢାଇ ଦିଆ ଯାଇଛି। ୨୮%+୧୨% ସେସ = ୪୦%। ଏହା ଦେଶର କଫି ଓ ଚା ବ୍ୟବସାୟ ଉପରେ ଭୟଙ୍କର ପ୍ରଭାବ ପକାଇବ।
ଏତେ ଟଙ୍କାର ଟିକସ ରିହାତି ରୁ ଅର୍ଥନୀତିର ଶିଥିଳତା ହ୍ରାସ ପାଇବ କି? ଅର୍ଥମନ୍ତ୍ରୀ ଏ କଥା ଘୋଷଣା କରିବା ପରେ ବଜାରରେ ଖୁସିର ବାତାବରଣ ଦେଖା ଦେଇଛି। ତେବେ କର୍ପୋରେଟ ଟିକସ କମିବା ଫଳରେ ଯେଉଁ ବଳକା ପୁଞ୍ଜି ରହିବ ସେଥିରେ ନୂଆ ବିନିଯୋଗ ହେବ ଓ ନୂଆ ଚାକିରି ସୃଷ୍ଟି ହେବ ବୋଲି ଯାହା କୁହାଯାଉଛି, ତାହା ବିଶ୍ୱାସଯୋଗ୍ୟ ନୁହେଁ। ଆଜି ଅର୍ଥନୀତିର ମୂଳ ସମସ୍ୟା ଉତ୍ପାଦନ ବା ବିତରଣ ନୁହେଁ, ବରଂ ବଜାରରେ କୌଣସି ଉତ୍ପାଦନର ଚାହିଦା ନାହିଁ। ଡିମାଣ୍ଡ ବା ଚାହିଦା ନ ବଢିଲେ ବଜାରର ଅଭିବୃଦ୍ଧି ହେବନାହିଁ। ବିସ୍କୁଟ, ଅନ୍ତର୍ବସ୍ତ୍ର ଠୁ ଆରମ୍ଭ କରି କାର ପର୍ୟନ୍ତ ଉତ୍ପାଦିତ ବଜାର ମାଲର ଚାହିଦା ନାଇଁ। ଏହାର ଚାହିଦା ବଢାଇବାକୁ ହେଲେ ଲୋକଙ୍କ ହାତକୁ ପଇସା ଆସିବା ଜରୁରୀ। ଲୋକଙ୍କ ପାଖକୁ ପଇସା ନଦେଇ କେବଳ କର୍ପୋରେଟ ହାତରେ ପଇସା ରହିଲେ, ପରିସ୍ଥିତିରେ ବିଶେଷ ସୁଧାର ଆସିବ ନାହିଁ।
ନିୟମିତ ବ୍ୟବଧାନରେ ଭାରତ ସରକାର କର୍ପୋରେଟ ଓ ବ୍ୟାଙ୍କ ଗୁଡିକୁ ଟିକସ ରିହାତି ଓ ଅର୍ଥନୈତିକ ସହଯୋଗ ଦେଇଛନ୍ତି। ଯେତେବେଳେ ବି କର୍ପୋରେଟକୁ ରିହାତି ଘୋଷଣା କରାଯାଏ ସରକାରଙ୍କ ଜୟଜୟକାର ଶୁଭେ। ଅସଲ ବେଳକୁ ଅର୍ଥନୀତିର ମୌଳିକ ସଙ୍କଟ ରେ କିଛି ବି ସୁଧାର ହୁଏ ନାହିଁ। କଫି ପାଇଁ ୪୦% ଟିକସ ଓ ହୀରା କାମ ଲାଗି ୧.୫% ଟିକସ ବସାଇ ଆମେ ଅର୍ଥନୀତିର ଗୋଟେ ଅଦ୍ଭୁତ ଚିତ୍ର ତିଆରି କରୁଛୁ।
ବ୍ୟକ୍ତିଗତ ଟିକସ ପ୍ରକ୍ରିୟାରେ ଲୋକଙ୍କୁ ଏକ ପ୍ରକାର ଶୋଷଣ କରାଯାଉଥିବା ବେଳେ କର୍ପୋରେଟ ରିହାତି ଲୋକଙ୍କ ମନରେ ଅସନ୍ତୋଷ ର ଭାବନା ସୃଷ୍ଟି କରିବା ସ୍ଵାଭାବିକ। କେନ୍ଦ୍ର ସରକାର ବ୍ୟକ୍ତିଗତ ସଞ୍ଚୟ ଓ ଛୋଟ ଛୋଟ ସଞ୍ଚୟ ଯୋଜନା ଉପରେ ଜିଏସଟି ଆଦାୟ କରୁଛନ୍ତି। ହଜାରେ ଟଙ୍କାର ବୀମା ଲାଗି ୪.୫ % ଜିଏସଟି ଲାଗୁ କରି ଆମର ବଜାର ଚାହିଦା ବଢିବ ନାହିଁ।
ଅର୍ଥନୀତିକୁ ସୁଧାରିବାକୁ ହେଲେ ସାଧାରଣ ଲୋକଙ୍କ ହାତକୁ ଟଙ୍କା ଆସିବା ଦରକାର ଓ ସାଧାରଣ ଲୋକର ଛୋଟ ଛୋଟ ଜମା ପୁଞ୍ଜି ସୁରକ୍ଷିତ ରହିବା ଦରକାର।