Categories
ବିଶେଷ ଖବର

କଫି ମଗରେ ମାଡ ଓ କର୍ପୋରେଟ ପାଣ୍ଠିରେ ଲକ୍ଷେ ପଇଁଚାଳିଶ ହଜାର କୋଟି ଟଙ୍କାର ମହାଦାନ

କେଦାର ମିଶ୍ର

ଗତକାଲି ଭାରତର ଶିଥିଳ ଅର୍ଥବ୍ୟବସ୍ଥା ଲାଗି ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଆଜିଯାଏ ଅର୍ଥନୀତିର ଶିଥିଳ ଅବସ୍ଥାକୁ ଅସ୍ଵୀକାର କରି ଆସୁଥିବା କେନ୍ଦ୍ର ସରକାର ପ୍ରଥମଥର ଲାଗି ଶିଥିଳତାକୁ ସ୍ଵୀକାର କରିବା ସହିତ ଏଥିରୁ ମୁକୁଳିବା ଲାଗି କେତୋଟି ବାଟ ବାହାର କରିଛନ୍ତି। ତେବେ ଏ ବାଟ ଅର୍ଥନୈତିକ ଅଭିବୃଦ୍ଧିରେ କେତେ ଦୂର ସହାୟକ ହେବ, ତାକୁ ନେଇ ସନ୍ଦେହ ଆଜି ମଧ୍ୟ ରହିଛି। ଗତକାଲି କର୍ପୋରେଟ ଟିକସକୁ ୩୫% ରୁ ୨୫% କୁ ଖସାଇ ଦିଆଯାଇଛି। ପ୍ରାୟ ୧୦% କର୍ପୋରେଟ ଟିକସ କମିବା ଫଳରେ ସରକାରଙ୍କ ରାଜକୋଷ କୁ ପ୍ରାୟ ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର ବିତ୍ତୀୟ ଘାଟା ସହିବାକୁ ପଡିବ। ଏକଥା କହିଲା ବେଳେ ଆମେ ଭୁଲିଯିବା ଉଚିତ ନୁହଁ ଯେ ଆନ୍ତର୍ଜାତିକ ବଜାରରେ ତେଲର ମୂଲ୍ୟବୃଦ୍ଧି ଓ ଆରବ ବଜାରରେ ତେଲ ଯୋଗାଣର ସଙ୍କଟ ଯୋଗୁଁ ମଧ୍ୟ ବିତ୍ତୀୟ ଘାଟା ପ୍ରଭାବିତ ହେଉଛି। କର୍ପୋରେଟ ଟିକସ ଛାଡ ବାବଦକୁ ହେବାକୁ ଥିବା କ୍ଷତି ସହିତ ତୈଳ ସଙ୍କଟ ଜନିତ ଚାପକୁ ମିଶେଇ ଦେଖିଲେ, ଅର୍ଥନୀତିର ଭବିଷ୍ୟତ ଆଜି ବି ଅନ୍ଧାରରେ ରହିଛି।

କର୍ପୋରେଟ ଟିକସ କମାଇବା ବ୍ୟତୀତ ଗତକାଲି ଜିଏସଟି ପରିଷଦ ବୈଠକରେ କେତେକ ଦ୍ରବ୍ୟ ଉପରୁ ଜିଏସଟି ହ୍ରାସ ବୃଦ୍ଧି ଘୋଷଣା କରାଯାଇଛି। ସେବା କ୍ଷେତ୍ରରେ ବ୍ୟବସାୟ ବଢାଇବାକୁ ହୋଟେଲରେ କୋଠରି ଭଡା ବାବଡକୁ ରହିଥିବା ଜିଏସଟି ହ୍ରାସ ହୋଇଛି। ହଜାରେ ଟଙ୍କାରୁ କମ ମୂଲ୍ୟର କୋଠରି ଲାଗି ୦%, ୧୦୦୦ ରୁ ୭୫୦୦ ଟଙ୍କାରା କୋଠରି ଲାଗି ୧୨% ଓ ତାଠୁ ଅଧିକ ମୂଲ୍ୟର କୋଠରି ପାଇଁ ୧୮% ଜିଏସଟି ଧାର୍ୟ ହୋଇଛି। ତେବେ କଫି ମଗା ଉପରେ ସରକାର ପ୍ରବଳ ମାଡ କରିଛନ୍ତି। କଫି ଜାତୀୟ ଖାଦ୍ୟ ଓ ପାନୀୟ ଉପରେ ୪୦% ଟିକସ ବଢାଇ ଦିଆ ଯାଇଛି। ୨୮%+୧୨% ସେସ = ୪୦%। ଏହା ଦେଶର କଫି ଓ ଚା ବ୍ୟବସାୟ ଉପରେ ଭୟଙ୍କର ପ୍ରଭାବ ପକାଇବ।

ଏତେ ଟଙ୍କାର ଟିକସ ରିହାତି ରୁ ଅର୍ଥନୀତିର ଶିଥିଳତା ହ୍ରାସ ପାଇବ କି? ଅର୍ଥମନ୍ତ୍ରୀ ଏ କଥା ଘୋଷଣା କରିବା ପରେ ବଜାରରେ ଖୁସିର ବାତାବରଣ ଦେଖା ଦେଇଛି। ତେବେ କର୍ପୋରେଟ ଟିକସ କମିବା ଫଳରେ ଯେଉଁ ବଳକା ପୁଞ୍ଜି ରହିବ ସେଥିରେ ନୂଆ ବିନିଯୋଗ ହେବ ଓ ନୂଆ ଚାକିରି ସୃଷ୍ଟି ହେବ ବୋଲି ଯାହା କୁହାଯାଉଛି, ତାହା ବିଶ୍ୱାସଯୋଗ୍ୟ ନୁହେଁ। ଆଜି ଅର୍ଥନୀତିର ମୂଳ ସମସ୍ୟା ଉତ୍ପାଦନ ବା ବିତରଣ ନୁହେଁ, ବରଂ ବଜାରରେ କୌଣସି ଉତ୍ପାଦନର ଚାହିଦା ନାହିଁ। ଡିମାଣ୍ଡ ବା ଚାହିଦା ନ ବଢିଲେ ବଜାରର ଅଭିବୃଦ୍ଧି ହେବନାହିଁ। ବିସ୍କୁଟ, ଅନ୍ତର୍ବସ୍ତ୍ର ଠୁ ଆରମ୍ଭ କରି କାର ପର୍ୟନ୍ତ ଉତ୍ପାଦିତ ବଜାର ମାଲର ଚାହିଦା ନାଇଁ। ଏହାର ଚାହିଦା ବଢାଇବାକୁ ହେଲେ ଲୋକଙ୍କ ହାତକୁ ପଇସା ଆସିବା ଜରୁରୀ। ଲୋକଙ୍କ ପାଖକୁ ପଇସା ନଦେଇ କେବଳ କର୍ପୋରେଟ ହାତରେ ପଇସା ରହିଲେ, ପରିସ୍ଥିତିରେ ବିଶେଷ ସୁଧାର ଆସିବ ନାହିଁ।

ନିୟମିତ ବ୍ୟବଧାନରେ ଭାରତ ସରକାର କର୍ପୋରେଟ ଓ ବ୍ୟାଙ୍କ ଗୁଡିକୁ ଟିକସ ରିହାତି ଓ ଅର୍ଥନୈତିକ ସହଯୋଗ ଦେଇଛନ୍ତି। ଯେତେବେଳେ ବି କର୍ପୋରେଟକୁ ରିହାତି ଘୋଷଣା କରାଯାଏ ସରକାରଙ୍କ ଜୟଜୟକାର ଶୁଭେ। ଅସଲ ବେଳକୁ ଅର୍ଥନୀତିର ମୌଳିକ ସଙ୍କଟ ରେ କିଛି ବି ସୁଧାର ହୁଏ ନାହିଁ। କଫି ପାଇଁ ୪୦% ଟିକସ ଓ ହୀରା କାମ ଲାଗି ୧.୫% ଟିକସ ବସାଇ ଆମେ ଅର୍ଥନୀତିର ଗୋଟେ ଅଦ୍ଭୁତ ଚିତ୍ର ତିଆରି କରୁଛୁ।

ବ୍ୟକ୍ତିଗତ ଟିକସ ପ୍ରକ୍ରିୟାରେ ଲୋକଙ୍କୁ ଏକ ପ୍ରକାର ଶୋଷଣ କରାଯାଉଥିବା ବେଳେ କର୍ପୋରେଟ ରିହାତି ଲୋକଙ୍କ ମନରେ ଅସନ୍ତୋଷ ର ଭାବନା ସୃଷ୍ଟି କରିବା ସ୍ଵାଭାବିକ। କେନ୍ଦ୍ର ସରକାର ବ୍ୟକ୍ତିଗତ ସଞ୍ଚୟ ଓ ଛୋଟ ଛୋଟ ସଞ୍ଚୟ ଯୋଜନା ଉପରେ ଜିଏସଟି ଆଦାୟ କରୁଛନ୍ତି। ହଜାରେ ଟଙ୍କାର ବୀମା ଲାଗି ୪.୫ % ଜିଏସଟି ଲାଗୁ କରି ଆମର ବଜାର ଚାହିଦା ବଢିବ ନାହିଁ।

ଅର୍ଥନୀତିକୁ ସୁଧାରିବାକୁ ହେଲେ ସାଧାରଣ ଲୋକଙ୍କ ହାତକୁ ଟଙ୍କା ଆସିବା ଦରକାର ଓ ସାଧାରଣ ଲୋକର ଛୋଟ ଛୋଟ ଜମା ପୁଞ୍ଜି ସୁରକ୍ଷିତ ରହିବା ଦରକାର।

Categories
ବିଶେଷ ଖବର ବ୍ୟବସାୟ

ଆୟ ନାହିଁ, ବ୍ୟୟ ପ୍ରବଳ; ମୋଦୀ ସରକାର ର ବଜେଟ ବହିଖାତାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରହସ୍ୟମୟ ହିସାବ

କେଦାର ମିଶ୍ର 

 ନରେନ୍ଦ୍ର ମୋଦୀ କହିସାରିଛନ୍ତି ତାଙ୍କ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟକୁ ସମାଲୋଚନା ଲୋକେ ନକାରାତ୍ମକ ଚରିତ୍ର ବିଶେଷ। ହେଲେ ଆମେ ବିଶ୍ଵାସ କରୁ ଯେ ସରକାରକୁ ଓ ସରକାରୀ ଅନୁଷ୍ଠାନକୁ ସମାଲୋଚନା କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଅପରିହାର୍ୟ ଅଙ୍ଗ। ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଯେଉଁ ବଜେଟ ଉପସ୍ଥାପନ କାଲେ ତାକୁ ଗାଁ, ଗରୀବ ଓ କୃଷକଙ୍କ ବଜେଟ ବୋଲି କୁହାଗଲା। ତେବେ ଭାରତ ଇତିହାସରେ ଏହା ବୋଧହୁଏ ପ୍ରଥମ ବଜେଟ ଥିଲା ଯହିଁରେ ସବୁ କିଛି ଅସ୍ପଷ୍ଟ ଓ ରହସ୍ୟମୟ। ଏପରିକି କେଉଁ ବିଭାଗର ବ୍ୟୟ ଅଟକଳ କେତେ ତାକୁ ଜାଣିବା ମଧ୍ୟ ଏଯାଏ ସମ୍ଭବପର ହୋଇନାହିଁ।

ବଜେଟ ଯେହେତୁ ସରକାରୀ ହିସାବ କିତାବର ବାର୍ଷିକ ଚିଠା, ତେଣୁ ଏହାରି ଆଧାରରେ ଦେଶର ଅର୍ଥନୈତିକ ବିଶ୍ଳେଷଣ ପ୍ରସ୍ତୁତ କରାଯାଏ।ଯଦି ବଜେଟରେ ବାସ୍ତବ ତଥ୍ୟ ରହୁନାହିଁ, ତାହେଲେ ସରକାର ଅର୍ଥନୀତିର କିଛି ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ମାନିବାକୁ ପଡିବ। ବଜେଟରେ ଅନେକ ସ୍ଵପ୍ନ ରହିଛି, ହେଲେ ତଥ୍ୟ ସବୁ ରହସ୍ୟମୟ। ସେଥିରୁ ଗୋଟିଏ ରହସ୍ୟମୟ ତଥ୍ୟକୁ ଏବେ ଲୋକଲୋଚନକୁ ଆଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଥିକ ପରାମର୍ଶଦାତା ରହିଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ରଥିନ ରାୟ। ଅର୍ଥନୀତି ଓ ବଜାର ଭିତ୍ତିକ ସଂବାଦପତ୍ର “ଦି ବିଜିନେସ ଷ୍ଟାଣ୍ଡାର୍ଡ” ରେ ନିଜ ନିୟମିତ ସ୍ତମ୍ଭରେ  ରଥିନ ରାୟ କହିଛନ୍ତି ଯେ ବଜେଟରେ ଦେଶର ଆୟ ସମ୍ପର୍କରେ ଯାହା କୁହାଯାଇଛି ତାହା ବାସ୍ତବ ଆୟଠାରୁ 1 ଲକ୍ଷ 70 ହଜାର କୋଟି ଟଙ୍କା ଅଧିକ। ଅର୍ଥାତ ଆୟ ନଥାଇ ଆୟ ବୋଲି ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇବାର ପ୍ରୟାସ କରାଯାଇଛି। ଏକଥା ଅନ୍ୟ କେହି କହିଥିଲେ, ହୁଏତ ବିରୋଧୀଙ୍କ ଚାଲ ବୋଲି କହି କଥାଟାକୁ ଉଡାଇ ଦିଆଯାଇଥାନ୍ତା। ଯେହେତୁ ଏହା ମୋଦୀ ସରକାରର ଜନୈକ ଉପଦେଷ୍ଟାଙ୍କ ମତ, ଏହାକୁ ନେଇ ଏବେ ସରକାର ପୂରା ନୀରବ। ଅର୍ଥମନ୍ତ୍ରୀ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଓ ସ୍ଵାଭାବିକ ଭାବରେ ସରକାରଙ୍କ ଏକାନ୍ତ ଆଜ୍ଞାବହ ଆମର ଗଣମାଧ୍ୟମ ଏ ପ୍ରସଙ୍ଗରେ ଚୁପ ରହିଛି।

ପ୍ରଥମଥର ଲାଗି ଅର୍ଥନୈତିକ ସର୍ବେକ୍ଷଣରେ ସରକାରୀ ଆୟର ପରିମାଣ ଯାହା ଦେଖା ଯାଇଛି, ବଜେଟରେ ତାଠୁ ଢେର ଅଧିକ ଆୟ ଦେଖା ଯାଇଛି। ଏହାର କାରଣ କଣ? ଦେଶରେ ଏକ ଆର୍ଥିକ ସଙ୍କଟର ସ୍ଥିତି ରହିଛି ଓ ତାକୁ ଲୁଚାଇବାକୁ ଏ ପ୍ରକାର ଉଦ୍ୟମ ହେଉଛି କି? ଅବଶ୍ୟ ସରକାରୀଦଳର ସମର୍ଥକମାନେ ଏସବୁ କିଛି ବୁଝନ୍ତି ନାହିଁ। ସେମାନେ ଗୋଟେ କଥା ଜାଣନ୍ତି ଯେ ଦେଶ ଭଲ ଚାଲିଛି ଓ ଅର୍ଥନୈତିକ ସଙ୍କଟ ବୋଲି ସେମିତି କିଛି ନାହିଁ। ଆମର ଟଙ୍କାଏ ଆୟରୁ ୨୦ ପଇସା ଯେ କେବଳ ଋଣ ରୁ ଆସୁଛି ସେ କଥା ଆମେ ଭାବିବାକୁ ନାରାଜ। ତେବେ ଅର୍ଥନୈତିକ ସର୍ଭେରେ ଆମକୁ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଆମର ଆୟ ୧୫.୬ ଲକ୍ଷ କୋଟି ଟଙ୍କା ହେବ। ହେଲେ ଏହାକୁ ସଂଶୋଧିତ କରି ବଜେଟରେ ଆୟ ପରିମାଣକୁ ୧୭.୩ ଲକ୍ଷ କୋଟି ଟଙ୍କାକୁ ବଢାଇ ଦିଆଯାଇଛି। ସିଧାସଳଖ ୧.୭ଲକ୍ଷ କୋଟି ଟଙ୍କାର ଆୟ କେଉଁଠୁ ଏବଂ କିପରି ବଢିବ ତାହାର କୌଣସି ସ୍ପଷ୍ଟ ଚିତ୍ର ନାହିଁ। ଏହି ସରକାରର ବାଁ ହାତ କଣ କରୁଛି ଡାହାଣ ହାତ ଜାଣୁନାହିଁ। ଅର୍ଥନୈତିକ ସର୍ବେକ୍ଷଣ ବଜେଟର ଆଧାର ହୋଇଥିବା ବେଳେ ଚଳିତ ବର୍ଷ ଏହା ପରଷ୍ପର ବିରୋଧୀ ମନେ ହେଉଛନ୍ତି।

ଏ ଦେଶର ଅର୍ଥନୀତି ଚାଲୁଛି କି ସ୍ଥିର ଅଛି କି ପଛକୁ ପଛକୁ ଯାଉଛି, ସେ କଥା ଆମେ ଭାବିବୁ କାହିଁକି? ଆମ ପାଖରେ ଜଣେ ସର୍ବ ଶକ୍ତିମାନ ନେତା ଅଛନ୍ତି। ସେ ଥିଲେ ସବୁକିଛି ସମ୍ଭବ-ମୋଦୀ ହୈ ତୋ ମୁମକିନ ହୈ। ଆଉ କିଛି ଦରକାର ନାଇଁ। କଂଗ୍ରେସ ଦଳକୁ ଗାଳି କର ଓ ପ୍ରଧାନମନ୍ତ୍ରୀଙ୍କ କୀର୍ତ୍ତନ କର, ସେତିକିରେ ଦେଶ ବିଶ୍ଵଗୁରୁ ହେବା ଥୟ। ଜିଡିପି କମୁଛି ତ କମୁ। କୃଷି କ୍ଷେତ୍ରର ଅଭିବୃଦ୍ଧି ନକାରାତ୍ମକ ହେଉଛି ତ ହେଉ। ୪୫ ବର୍ଷରେ ଦେଶରେ ସର୍ବାଧିକ ବେକାରି ଆସିଛି, ଆସୁ। ବିମୂଦ୍ରାକରଣ ଦେଶରେ ଲକ୍ଷାଧିକ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ବୁଡିଗଲେ, ଯାଆନ୍ତୁ। ବିଏସଏନଏଲ ନିଜ କର୍ମଚାରୀଙ୍କୁ ଦରମା ଦେଇପାରୁନି, ନ ଦେଉ। ଅର୍ଥନୀତିରୁ ଆମକୁ କିଛି ମିଳିବାର ନାହିଁ। ଆମର ସମସ୍ୟା ହେଉଛନ୍ତି କଂଗ୍ରେସ ପାର୍ଟି ଓ ରାହୁଲ ଗାନ୍ଧୀ, ଯାହାଙ୍କୁ ଆମେ ଭୋଟ ଦେଇନାହୁଁ। ଆମେ ଯାହାକୁ ଭୋଟ ଦେଇଛୁ, ତାକୁ ପ୍ରଶ୍ନ ପଚାରିବୁ ନାହିଁ। କାରଣ ସେ ଭଗବାନ, ସେ ଭାରତର ଭାଗ୍ୟ ବିଧାତା।ଯାହାକୁ ଭୋଟ ଦେଇନ, ଯାହା ପାଖରେ କ୍ଷମତା ନାଇଁ ତାକୁ ଗାଳି କର। କାରଣ ତମର ଭଗବାନ କହୁଛନ୍ତି ସେଇ କ୍ଷମତାହୀନ ଲୋକ ଟି ହିଁ ସଇତାନ। ଗାଳି ଓ ତାଳିର ରାଜନୀତି ଭିତରେ ଅର୍ଥନୀତି କଥାକୁ ପଚାରେ କିଏ?

ସେଇ ପୃଷ୍ଠଭୂମିରେ ସରକାର ଯଦି ଅର୍ଥନୈତିକ ତଥ୍ୟ ର ହେରାଫେରି କରୁଛନ୍ତି, ସେଥିରେ କାହାର ବା କଣ କହିବାର ଅଛି!!