ସରୋଜ ଜେନା
ଚାରିଦିନ ତଳେ ଭାରତୀୟ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ନିର୍ବାଚନ ଏବଂ ଉପ ନିର୍ବାଚନ ନେଇ ଘୋଷଣା କରିଥିଲେ । ଏହା ମଧ୍ୟରେ ହରିୟାଣା ମଧ୍ୟ ସାମିଲ ରହିଛି । ହରିୟାଣାରେ ଆସନ୍ତାକାଲି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୨୧ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲହର ହରିୟାଣା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେପି ୯୦ ଆସନ ବିଶିଷ୍ଟ ହରିୟାଣାରୁ ଏକାକୀ ୪୭ ଆସନ ହାସଲ କରିବା ସହିତ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ସରକାର ଗଠନ କରିଥିଲା । ମାତ୍ର ସେତେବେଳର ଅବସ୍ଥା ଏବଂ ବର୍ତ୍ତମାନର ପରସ୍ଥିତି ପରସ୍ପର ଠାରୁ ବହୁତ ଅଲଗା ରହିଛି । ସେ ସମୟରେ ମୋଦୀଙ୍କୁ ବିପୁଳ ସମର୍ଥନ ଉପରେ ବସି ବିଜେପି ହରିୟାଣାର ନିର୍ବାଚନୀ ଡଙ୍ଗା ପାର ହୋଇଯାଇଥିଲା । ମାତ୍ର ସମ୍ପ୍ରତି ଦେଶରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଓ ମୋଦିଙ୍କ ବିରୋଧାଭାସ ଦେଖିବାକୁ ମିଳୁଥିବା କାରଣରୁ ମୋଦି ମ୍ୟାଜିକ୍ ନିଷ୍ପ୍ରଭ ହୋଇପାରେ । ହରିୟାଣାରେ କେବଳ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ଦଳ ଲଗାତାର ଭାବରେ ଦୁଇଥର ଶାସନ କ୍ଷମତା ହାସଲ କରିବାରେ ସକ୍ଷମ ହୋଇନାହିଁ । ହରିୟାଣାରେ କଂଗ୍ରେସ ୬ ଥର ଶାସନ କ୍ଷମତା ହାସଲ କରିଥିବା ବେଳେ ବିଜେପି ପ୍ରଥମ ଥର ପାଇଁ ୨୦୧୪ରେ କ୍ଷମତା ଡୋରୀ ଧରିଥିଲା ।
୨୦୧୪ରେ ହରିୟାଣାରେ ସମୁଦାୟ ୭୬.୫୪ ପ୍ରତିଶତର ମତଦାନ ହୋଇଥିବା ବେଳେ ବିଜେପିକୁ ୩୩.୨ପ୍ରତିଶତ ଭୋଟ ମିଳିଥିଲା ।୨୦୦୯ରେ ବିଜେପି ମାତ୍ର ଚାରିଟି ଆସନ ହାସଲ କରିଥିବା ବେଳେ ୨୦୧୪ରେ ଏହା ୪୭ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା । ରାଜ୍ୟରେ ଦ୍ବିତୀୟ ବୃହତମ ଦଳ ଭାବରେ ଆଇଏନ୍ଏଲ୍ଡି ୧୨ଟି ଆସନ ହରାଇ ୧୯ଆସନରେ ବିଜୟୀ ହୋଇଥିଲା । ଆଇଏଡ଼୍ଏଲ୍ଡିର ଭୋଟ ପ୍ରତିଶତ ୨୪.୧ ରହିଥିଲା । ୨୦୧୪ନିର୍ବାଚନରେ କଂଗ୍ରେସ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ୨୦୦୯ରେ ୪୦ଆସନ ହାସଲ କରିଥିବା କଂଗ୍ରେସ ୨୦୧୪ରେ ମାତ୍ର ୧୫ଟି ଆସନରେ ବିଜୟୀ ହୋଇଥିଲେ । କଂଗ୍ରେସର ଭୋଟ ପ୍ରତିଶତ ମାତ୍ର ୨୦.୬ ପ୍ରତିଶତ ରହିଥିଲା । ଅନ୍ୟ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ହରିୟାଣା ଜନହିତ କଂଗ୍ରେସ(୨), ବହୁଜନ ସମାଜ ପାର୍ଟି (୧), ଶିରୋମଣୀ ଅକାଳୀ ଦଳ(୧) ମଧ୍ୟ ନିଜ ନିଜର ଆସନ ହରାଇଥିଲେ ।
ବିଧାନସଭା ନିର୍ବାଚନ ପୂର୍ବରୁ ଜନ ନାୟକ ଜନତା ପାର୍ଟି(ଜେଜେପି) ଓ ବହୁଜନ ସମାଜ ପାର୍ଟି(ବିଏସ୍ପି) ମିଳିତ ଭାବେ ବିଧାନସଭା ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ସମୁଦାୟ ୯୦ ଆସନ ମଧ୍ୟରୁ ଜେଜେପି ୫୦ ଏବଂ ବିଏସ୍ପି ୪୦ ଆସନରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି ।
୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ବାଜିମାତ କରିଛି । ସମସ୍ତ ୧୦ ଲୋକସଭା ଆସନରେ ଦଳ ବିଜୟୀ ହୋଇଛି । ଏହାକୁ ଦୃଷ୍ଟିରେ ରଖିଲେ ବିଜେପି ପୁନର୍ବାର କ୍ଷମତା ଦଖଲ କରିପାରେ ମାତ୍ର ଏହି ସମୟରେ କଂଗ୍ରେସର ଭୋଟ ବ୍ୟାଙ୍କରେ ମଧ୍ୟ ୫.୫୨ ପ୍ରତିଶତ ଭୋଟ ବୃଦ୍ଧି ପାଇଛି । ୨୦୧୪ପରଠାରୁ ଦେଶର ରାଜନୀତିରେ ଅନେକ ପରିବର୍ତ୍ତନ ଘଟିଛି । କ୍ଷମତାରେ ଥାଇ ମଧ୍ୟ ବିଜେପି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ପରାଜିତ ହୋଇଛି । ଏହା ଉପରେ ଦେଶରେ ବର୍ତ୍ତମାନ ଜାରି ରହିଥିବା ମାନ୍ଦାବସ୍ଥା ଏବଂ ଘରୋଇ ଅଭିବୃଦ୍ଧି ହାରରେ ହ୍ରାସ ପାଇଁ ଚଳିତ ସରକାର ଅଡୁଆରେ ପଡିପାରନ୍ତି ।