କେଦାର ମିଶ୍ର
ଏ ସମୀକ୍ଷା ଲେଖା ହେଲା ବେଳକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପୂରା ଘୋଷିତ ହୋଇନାହିଁ। ତେବେ ଦୁଇଟି ଯାକ ରାଜ୍ୟରୁ ଯେଉଁ ପ୍ରକାର ସଙ୍କେତ ମିଳୁଛି, ସେଥିରେ ହୁଏତ ବିଜେପି ପାଇଁ ବିଶେଷ ଉତ୍ସବ ମନାଇବାର କୌଣସି କାରଣ ନାହିଁ। ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରବଳ ପ୍ରଚାର ସତ୍ତ୍ୱେ ସେଠି ବିଜେପିର ଆସନ ଶହେ ପାଖାପାଖି ରହୁଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏବେ ବିଜେପି ସରକାର ଗଢିବା ଲାଗି ପୂରା ମାତ୍ରାରେ ଶିବସେନା ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ। ୨୦୧୪ ନିର୍ବାଚନ ତୁଳନାରେ ବିଜେପିକୁ ୨୨-୨୫ ଟି ଆସନ କମ ମିଳିବା ଫଳରେ ଶିବସେନାର ଶକ୍ତି ବୃଦ୍ଧି ଘଟିଛି। ଗତଥର ବିଜେପିକୁ ସମର୍ଥନ କରିବା ପାଇଁ ଶିବସେନାକୁ ଅପମାନଜନକ ଭାବରେ ରାଜି ହେବାକୁ ପଡିଥିଲା। ଏଥର ସ୍ଥିତି ପୂରା ଓଲଟା। ଶିବସେନାର ସମର୍ଥନ ଆଧାରରେ ବିଜେପିକୁ ବଞ୍ଚିବାକୁ ପଡିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ବିଜେପି ନିଜକୁ ମେଣ୍ଟର ବଡଭାଇ ବୋଲି ଯାହା କହୁଥିଲେ ଏବେ ତାହା ଆଉ କାମ କରିବ ନାହିଁ।
ଏହି ନିର୍ବାଚନରେ କଂଗ୍ରେସ ଧୂଳିସାତ ହୋଇଯିବ ବୋଲି କୁହା ଯାଉଥିଲା। ହେଲେ ସବୁ ଆକଳନ କୁ ଭୁଲ ପ୍ରମାଣିତ କରି କଂଗ୍ରେସ ୪୫ ଆସନରେ ଆଗୁଆ ରହିଛି, ଏହା ଗତ ନିର୍ବାଚନ ତୁଳନାରେ ଢେର ଭଲ ପ୍ରଦର୍ଶନ। ମାତ୍ର ପାଞ୍ଚମାସ ତଳେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ୪୫ ରୁ ୪୧ ଆସନ ଜିତିଥିଲେ, ଅଥଚ ବିଧାନସଭା ନିର୍ବାଚନରେ ସେମାନଙ୍କ ସ୍ଥିତି ସେତେ ଉନ୍ନତ ହୋଇନାହିଁ। ବର୍ତ୍ତମାନର ସ୍ଥିତି ଅନୁଯାୟୀ (ବିଜେପି-୧୦୧+ଶିବସେନା-୫୮=୧୫୯) ମେଣ୍ଟ ସରକାର ହେବା ସହଜ। ତେବେ ସେନାକୁ ପ୍ରଲୋଭିତ କରିବା ପାଇଁ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାଖରେ ଏକ ମ୍ୟାଜିକ ସଂଖ୍ୟା (କଂଗ୍ରେସ-୪୫+ଏନସିପି-୫୩=୯୮ + ଶିବସେନା- ୫୮=୧୫୬) ରହିଛି, ଯାହାକି ବିଜେପିକୁ ସବୁବେଳେ ଅସୁରକ୍ଷିତ କରି ରଖିବ। ଗତ ନିର୍ବାଚନ ପରେ କଂଗ୍ରେସ ଓ ଏନସିପି ରୁ ବିଜେପି ପ୍ରବଳ ବିଧାୟକ ଓ ନେତାଙ୍କୁ କିଣିବାର ଚେଷ୍ଟା କରିଥିଲା, ହେଲେ ବିରୋଧୀ ରାଜନୀତି ଯେ ସବୁ ପ୍ରକାର ଚାପ ସତ୍ତ୍ୱେ ବଞ୍ଚିପାରେ, ଏହା ପୁଣିଥରେ ମହାରାଷ୍ଟ୍ରରେ ପ୍ରମାଣିତ ହୋଇଛି।
ସବୁ ନିର୍ବାଚନୀ ଆକଳନ ଓ ଗଣିତକୁ ଭୁଲ ପ୍ରମାଣିତ କରି ହରିଆଣା ବିଧାନସଭାର ଫଳାଫଳ ଝୁଲା ଅବସ୍ଥାକୁ ଆସିଛି। ବିଜେପି ୪୦ ଓ କଂଗ୍ରେସ ୩୧ ଆସନ ଜିତିଥିବା ବେଳେ ଏଠାରେ ସ୍ଵାଧୀନ ବିଧାୟକମାନଙ୍କ ହାତରେ ସରକାର ଗଢିବାର ଚାବିକାଠି ରହିବ। ବିଜେପିର ନିର୍ବାଚନୀ ଦାବି ଓ ଏହାର ଫଳାଫଳରେ ଏବେ ଢେର ଅନ୍ତର ଦେଖିବାକୁ ମିଳିଛି। କାଶ୍ମୀର ପ୍ରସଙ୍ଗରେ ଏହି ଦୁଇ ରାଜ୍ୟର ନିର୍ବାଚନ ଲଢିବାକୁ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ଖୋଲାଖୋଲି ଘୋଷଣା କରିଥିଲେ। ଫଳ ବାହାରିବା ପରେ ଦେଶବାସୀ ଜଣାଇ ଦେଇଛନ୍ତି ଯେ, ମୋଦୀ-ଶାହା ଯାହା କରୁଛନ୍ତି, ତାହା ପଛରେ ଲୋକଙ୍କ ପୂର୍ଣ୍ଣ ସମର୍ଥନ ଅଛି ବୋଲି ଭାବିବା ନିତାନ୍ତ ନିର୍ବୋଧତା ହେବ।