ସମୀକ୍ଷା ବ୍ୟୁରୋ
ଗତକାଲି ଏକ ଦୁଃଖଦ ଘଟଣା ଘଟିଗଲା । ତାମିଲନାଡୁର ତିରୁଚିରପଲ୍ଲୀରେ ଏକ ଦୁଇ ବର୍ଷର ଶିଶୁ ଅବ୍ୟବହୃତ ଖୋଲା ବୋରଓ୍ବେଲ୍ ଭିତରକୁ ଅସାବଧନତା ବଶତଃ ଗଳି ପଡିଥିଲା । ପ୍ରଥମେ ସେ ମାଟି ତଳୁ ୨୬ ଫୁଟରେ ଯାଇ ଲାଖିଥିଲା । ପରେ ସ୍ଥାନୀୟ ଅଧିକାରୀ ଏବଂ ଏନ ଡିଆରଏଫଙ୍କ ବହୁ ଉଦ୍ୟମ ସତ୍ତ୍ୱେ ଉଦ୍ଧାର ହେବ ବିଳମ୍ବ ହେଉଥିଲା । ଇତି ମଧ୍ୟରେ ଉଦ୍ଧାର କାର୍ଯ୍ୟ କୁ ୪୮ ଘଣ୍ଟା ବିତି ସାରିଥିଲା । ସମାନ୍ତରାଳ ଭାବେ ଅନ୍ୟ ଏକ ଗାଢ ଖୋଲା ଯାଉଥିଲା ତାକୁ ଉଦ୍ଧାର ପାଇଁ । ଏହି ସବୁ ଭିତରେ ଉକ୍ତ ଶିଶୁଟି ୨୬ ଫୁଟ ରୁ ଖସି ଯାଇ ପ୍ରାୟ ୪୮ ଫୁଟ ଯାଏଁ ଖସି ଯାଇଥିଲା । ସମସ୍ତେ ତଥାପି ଆଶା ରଖିଥିଲେ ଯେ ସେ ଜୀବିତ ଥିବ କିନ୍ତୁ ଉଦ୍ଧାର କାର୍ଯ୍ୟ ବେଳେ ପଚା ଦୁର୍ଗନ୍ଧ ଆସିବାରୁ କିଛି ସମୟ ଏହାକୁ ସ୍ଥଗିତ ରଖା ଯାଇଥିଲା ଏବଂ ପରେ ତାର ମୃତଦେହକୁ ଉଦ୍ଧାର କରାଗଲା । ପାଖରେ ତାର ଗରିବ ପିତାମାତା ବସି ତାକୁ ଡାକ ପକାଉଥିବାର ଦୃଶ୍ୟ ଅତି କରୁଣ ଥିଲା ।
ପ୍ରାୟ ସମୟରେ ଏପରି ପ୍ରାୟ ସମାନ ଘଟଣାବଳୀ ଭାରତ ବର୍ଷରେ ଦେଖାଯାଉଛି । କେତେବେଳେ ସେମାନଙ୍କୁ ଉଦ୍ଧାର କରାଯାଉଥିବାବେଳେ ଆଉ କେତେ ନିରହ କୋମଳମତି ଶିଶୁଙ୍କ ପ୍ରାଣ ଚାଲିଯାଉଛି । ଏଇ ବର୍ଷ ପଞ୍ଜାବରେ ମଧ୍ୟ ଜଣେ ଶିଶୁଙ୍କୁ ଉଦ୍ଧାର କରା ଯାଇ ପାରିନ ଥିଲା । କୁରୁକ୍ଷେତ୍ରରେ ୧୩ ବର୍ଷ ପୂର୍ବେ ସେହିଭଳି ଏକ ସମାନ ଘଟଣାରେ ଖସିପଡିଥିବା ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେଥିପାଇଁ ଏବେ ମଧ୍ୟ ଉଦ୍ଧାରକାରୀ ଦଳ ଶିଶୁକୁ ଉଦ୍ଧାର କରିବାକୁ ନେଇ ସୁନିଶ୍ଚିତ ରହିଥିଲେ । କିନ୍ତୁ ଏଥର ତାହା ସମ୍ଭବ ହେଲା ନାହିଁ ।
ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ। ଏହିଭଳି ଘଟଣା ଗ୍ରାମାଞ୍ଚଳରେ ବେଶୀ ଦେଖିବାକୁ ମିଳୁଛି , ଯେଉଁଠାରେ ଲୋକଙ୍କ ଆୟ ଏବଂ ସାଧନ ସୀମିତ ରହିଛି ।
ପୂର୍ବରୁ ଏପରି ଅନେକ ଘଟଣା ଘଟିଲା ପରେ ସେଠାକାର ସରକାର ଅନେକ ପଦକ୍ଷେପ ନେବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଶୀତଳ ଭଣ୍ଡାରରେ ରହି ଯାଇଛି । ଫଳସ୍ଵରୂପ ଭାରତରେ ପ୍ରତିବର୍ଷ ଏହିଭଳି ଘଟଣା ଦେଖିବାକୁ ମିଳୁଛି । ପାଣି ପାଇଁ ସମସ୍ତେ ବୋରୱେଲ ଖୋଳି ଦେଉଛନ୍ତି । ଏହା ବିଶେଷ ଭାବେର ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି । ପାଣି ନ ବାହାରିଲେ ତାକୁ ସେମିତି ଖୋଲା ଛାଡି ଦିଆଯାଉଛି । ଆଉ ଶିଶୁଟି ଖେଳୁ ଖେଳୁ ସେଠାରେ ଖସି ପଡୁଛି । ଆଉ ତା ପରେ ସମସ୍ତେ ନାଚାର । ପ୍ରଶାସନ ଓ ଭଗବାନ ଭରସା ।
ଏହିଭଳି ଘଟଣା ପ୍ରାୟତଃ ଘଟୁଥିଲେ ମଧ୍ୟ ଏ ଯାଏଁ କେନ୍ଦ୍ର କି ରାଜ୍ୟ ସରକାର କୌଣସି ବଳିଷ୍ଠ ଆଇନ ପ୍ରଣୟନ କିମ୍ବା ଏହାକୁ ରୋକିବାକୁ କୌଣସି ପଦକ୍ଷେପ ନେବାର ଦେଖା ଯାଇ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାମିଲନାଡୁ ସରକାର ରେଗୁଲେଶନ ଅଫ ସିଙ୍କିଙ୍ଗ ୱେଲ୍ସ ଏଣ୍ଡ ସେଫଟି ମେଜର ରୁଲ୍ସ ୨୦୧୫ ପ୍ରଣୟନ କରିଥିଲା ଯେଉଥିରେ ଅବ୍ୟବହୃତ ବୋର ୱେଲ ଗୁଡିକୁ ମାଟି ,ବାଲି ଓ ପଥର ସାହାଯ୍ୟରେ ବନ୍ଦ କରିଦେବାର ପ୍ରବଧାନ ରହିଥିଲା ।
ଏହି ସବୁ ନିୟମକୁ କଡାକଡି ପାଳନ କରିବାକୁ ହେଲେ ସମସ୍ତ ପଞ୍ଚାଯତ ସ୍ତରରେ ଉଦ୍ୟମ ହେବା ଜରୁରୀ। ସମସ୍ତ ଅବ୍ୟବହୃତ ବୋରୱେଲ ଗୁଡିକୁ ବନ୍ଦ କରିବା ଦାୟିତ୍ଵ ସ୍ଥାନୀୟ ପ୍ରଶାସନ ଉପରେ ନ୍ୟସ୍ତ ହେବା ଉଚିତ । ସେହିପରି ସହରରେ ଭୂତଳ ଜଳ ଉପରେ ନିର୍ଭର କରୁଥିବା ଅଧିବାସୀ ମାନଙ୍କର ସୁରକ୍ଷା ଦାୟିତ୍ଵ ପୌରପାଳିକା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଉପରେ ରହିବା ଜରୁରୀ । ଏ ନେଇ କଡା ଆଇନ ପ୍ରଣୟନ ମଧ୍ୟ ଜରୁରୀ । ଏପରି ହେଲେ ହୁଏ ତ ଆଉ ଜଣେ କୋମଳମତି ଶିଶୁ ଅନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇ ପାରିବ ଏବଂ କାହାର ସଂସାର ଉଜୁଡି ଯିବା ଆଗରୁ ସବୁ କିଛି ଠିକ ହେଇଯିବ ।