ସମୀକ୍ଷା ବ୍ୟୁରୋ
କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଆଜି ସାରା ଦେଶରେ ପିଆଜ ଦର ବୃଦ୍ଧି ଉପରେ ଉଚ୍ଚ ସ୍ତରୀୟ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ, ଡେରିରେ ମୌସୁମୀ ଆସିବାରୁ ପିଆଜ ଦର ବୃଦ୍ଧି ଘଟିଛି। ବିଶେଷ କରି ମହାରାଷ୍ଟ୍ରରେ ମୌସୁମୀ ବିଳମ୍ବ ହେବା କାରଣରୁ ଠିକ ସମୟରେ ପିଆଜ ବିହନ ଲଗାଇବା ସମ୍ଭବପର ହୋଇ ନ ଥିଲା। ଫଳରେ ମଣ୍ଡିରେ ଉତ୍ପାଦିତ ପିଆଜ ପହଁଚିବାରେ ମଧ୍ୟ ଡେରି ହୋଇଥିଲା। ଏହାଛଡ଼ା ରାଜ୍ୟରେ ଦୁଇଟି ବାତ୍ୟା କାରଣରୁ ହୋଇଥିବା ଅଦିନିଆ ବର୍ଷାର ପ୍ରଭାବ ସାମଗ୍ରିକ ପିଆଜ ଉତ୍ପାଦନ ଉପରେ ପଡ଼ିଥିଲା। ଫଳରେ ପିଆଜ ଉତ୍ପାଦନ ହ୍ରାସ ଘଟିବା ସହ ଦର ବୃଦ୍ଧି ଘଟିଛି।
ବୈଠକ ପରେ ମନ୍ତ୍ରୀ ପାଶ୍ୱାନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପିଆଜ ଦର ବୃଦ୍ଧି ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ୫୬,୭୦୦ ଟନ ପିଆଜ ମହଜୁଦ କରି ରଖାଯାଇଛି । ଏଥିମଧ୍ୟରୁ ୧୫୨୫ ଟନ ନାଫେଡ ନିକଟରେ ରହିଛି। ବଜାରରେ ଯଥେଷ୍ଟ ପରିମାଣରେ ପିଆଜ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପିଆଜ ରପ୍ତାନି ଉପରେ ଅଂକୁଶ ଜାରି କରାଯାଇଛି। ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜ ମହଜୁଦ କରି ରଖିବାର ସୀମା ୧୦ ମେଟ୍ରିକ ଟନ ରଖା ଯାଇଥିବା ବେଳେ ପାଇକାରୀ ବ୍ୟବସାୟୀଙ୍କ ପାଇଁ ଏହି ସୀମା ୫୦ ମେଟ୍ରିକ ଟନ ରଖାଯାଇଛି। ପିଆଜ ଦର ବୃଦ୍ଧିର କାରଣ ସମ୍ପର୍କରେ ସୂଚନା ଦେଇ ପାଶ୍ୱାନ କହିଥିଲେ ଯେ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି, ମାତ୍ର ବର୍ଷା କାରଣରୁ ପିଆଜ ଉତ୍ପାଦନ ୩୦ରୁ ୪୦% ପ୍ରତିଶତହ୍ ରାସ ପାଇଛି । ପିଆଜ ଯୋଗାଣ ମଧ୍ୟ ବାଧା ପ୍ରାପ୍ତ ହୋଇଛି। ଦିଲ୍ଲୀ ମଣ୍ଡିରେ ମଧ୍ୟ ୨୫% ପିଆଜ କମ ପହଁଚିଛି ।
କେନ୍ଦ୍ର ସରକାର ପିଆଜ ଆମଦାନୀ ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେଇଛନ୍ତି। କୃଷି ମନ୍ତ୍ରଣାଳୟ ପକ୍ଷରୁ ରପ୍ତାନି ପାଇଁ ରହିଥିବା ନିୟମ ଓ ସର୍ତାବଳୀକୁ କେତେକ ସର୍ତ ସହିତ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି ।ଏହା ଦ୍ୱାରା ଗୁଣବତା ଓ ନିରାପତା ସହ ସାଲିସ କରା ନ ଯାଇ ପିଆଜର ଶୀଘ୍ର ଆମଦାନୀ ସୁନିଶ୍ଚିତ ହୋଇପାରିବ। ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଏବଂ ଇରାନରୁ ପିଆଜ ଆମଦାନୀ ପାଇଁ ସେଠାରେ ଥିବା ଭାରତୀୟ ମିଶନକୁ କୁହାଯାଇଛି। ମଦର ଡାଏରୀ, ସଫଲ ଷ୍ଟୋର ମାଧ୍ୟମରେ ଖୁଚୁରା ବଜାରରେ ସୁଲଭ ଦରରେ ଯଥେଷ୍ଟ ପରିମାଣରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ନାଫେଡର ଅତିରିକ୍ତ ଏମଡିଙ୍କ ନେତୃତ୍ୱରେ ଏକ ଟିମ ମହାରାଷ୍ଟ୍ର ଗସ୍ତ କରି ପିଆଜ ଯୋଗାଣର ସ୍ଥିତି ଅନୁଧ୍ୟାନ କରିବ। ଖୁବ ଶିଘ୍ର ପିଆଜ ଦର ନିୟନ୍ତ୍ରଣ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।