Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଭାରତ ଇତିହାସ ଏହି ସବୁ କାରଣରୁ ଶହ ଶହ ବର୍ଷ ଧରି ମନେ ରଖିବ
ବିଶେଷ ଖବର

ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଭାରତ ଇତିହାସ ଏହି ସବୁ କାରଣରୁ ଶହ ଶହ ବର୍ଷ ଧରି ମନେ ରଖିବ

November 14, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଭାରତ ଇତିହାସ ଏହି ସବୁ କାରଣରୁ ଶହ ଶହ ବର୍ଷ ଧରି ମନେରଖିବ

କେଦାର ମିଶ୍ର

ଆଧୁନିକ ଭାରତୀୟ ରାଜନୀତିରେ ନିୟାମକ ଓ ନିର୍ଣ୍ଣାୟକ ଭାବରେ ନିର୍ବିାବାଦରେ ତିନୋଟି ନାଁ ନିଆ ଯାଇପାରେ – ଗାନ୍ଧି, ଆମ୍ବେଦକର ଓ ନେହେରୁ। ଗାନ୍ଧିଜୀ ଆଧୁନିକ ଭାରତୀୟ ରାଜନୀତିକୁ ଏକ ବୃହତ୍ତର ମାନବୀୟ ମୂଲ୍ୟବୋଧ ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆମ୍ବେଦକର
ସାମାଜିକ ଆନ୍ଦୋଳନ ଓ ସାମାଜିକ ନ୍ୟାୟକୁ ରାଜନୀତିର କେନ୍ଦ୍ରଭୂମିରେ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉପସ୍ଥାପନ କରିଛନ୍ତି। ସେହିପରି ପଣ୍ଡିତ ନେହେରୁ ରାଷ୍ଟ୍ର ନିର୍ମାଣରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପ୍ରୟୋଗ ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଭାରତୀୟ ଜୀବନରେ ଚିରସ୍ଥାୟୀ ପ୍ରତିଷ୍ଠା ଦେଇଛନ୍ତି। ଗାନ୍ଧି ଏବଂ
ଆମ୍ବେଦକରଙ୍କ ପ୍ରସଙ୍ଗକୁ ବାଦ୍ ଦେଇ ଆଜି କେବଳ ନେହେରୁଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଉ। ଆଜିର ତାରିଖରେ ନେହେରୁଙ୍କର ରାଜନୀତି, ଅର୍ଥନୀତି, ବିଦେଶ ନୀତି ଓ ତାଙ୍କର ଦୃଷ୍ଟିଭଙ୍ଗୀକୁ ନେଇ ସମାଲୋଚନା ଖୁବ୍ ତୀବ୍ର। ନେହେରୁଙ୍କ ଜୀବନକାଳ ଭିତରେ ଯେଉଁମାନେ ତାଙ୍କର ପ୍ରଚଣ୍ଡ ବିରୋଧୀ ଥିଲେ ଆଜି ସେମାନଙ୍କର ଶିଷ୍ୟ ପ୍ରଶିଷ୍ୟମାନେ ଭାରତର ସର୍ବୋଚ୍ଚ କ୍ଷମତା ଦଖଲ କରିଛନ୍ତି। ସ୍ୱାଭାବିକ ଭାବରେ ସେମାନେ ନେହେରୁଙ୍କ ନିନ୍ଦିତ କରୁଛନ୍ତି ଓ କରିବେ। ନେହେରୁଙ୍କୁ ସମାଲୋଚନା କରିବା ପାଇଁ ତାଙ୍କ ସମୟରେ ତାଙ୍କର ବିରୋଧୀମାନେ ରହିଥିଲେ, ଆଜି ମଧ୍ୟ ଅଛନ୍ତି। ନେହେରୁଙ୍କ ବ୍ୟକ୍ତିତ୍ୱର ଆକଳନ ପାଇଁ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକାକୁ କେବଳ ଏକ ପୃଷ୍ଠଭୂମି ଭାବରେ ନିଆଯାଇପାରେ। ସ୍ୱାଧୀନତା ଆନ୍ଦୋଳନରେ ସେ ଥିଲେ ଗାନ୍ଧିଙ୍କର ଶ୍ରେଷ୍ଠତମ ରାଜନୈତିକ ସହଯୋଗୀ। ଆଦର୍ଶଗତ ଓ ଦାର୍ଶନିକ ଦୃଷ୍ଟିରେ ଯଦିଓ ସେ ଥିଲେ ଗାନ୍ଧିଙ୍କର ବିପରୀତ, ତେବେ ଗାନ୍ଧିଙ୍କର ରାଜନୈତିକ ମାନସ ସନ୍ତାନ ବୋଲି ତାଙ୍କୁ କୁହାଯାଇ ପାରେ। ଭାରତୀୟ ରାଜନୀତି ପାଇଁ ନେହେରୁଙ୍କ ଅବଦାନକୁ କ୍ରମାନ୍ୱୟରେ ଆମେ ନିମ୍ନମତେ ଉଲ୍ଲେଖ କରିପାରିବା। ଏହି ସବୁ କାରଣ ଲାଗି ପଣ୍ଡିତ ନେହେରୁ ଶହ ଶହ ବର୍ଷ ଧରି ଆମର ମନେ ରହିବେ-

୧- ଏକ ବିଶାଳ ଗରିବ ଦେଶର ନେତୃତ୍ୱ ନେଇ ଗଣତନ୍ତ୍ରକୁ ରାଜନୀତିର ଶକ୍ତି ଭାବରେ ପ୍ରତିଷ୍ଠା ଦେବା। ଆଜି ଆମର ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ନିରନ୍ତର ଓ ନିରବଚ୍ଛିନ୍ନ ଭାବରେ ଯଦି ବଞ୍ଚି ରହିପାରିଛି ତା’ର ସବୁ ଶ୍ରେୟ ପଣ୍ଡିତ ନେହେରୁଙ୍କର। ଏହି ସମୟରେ ସ୍ୱାଧୀନତା ପାଇଥିବା ଓ ନୂଆ ରାଷ୍ଟ୍ର ଭାବରେ ଗଠିତ ହୋଇଥିବା ଅନେକ ଦେଶ ସାମରିକ ଶାସନର ବଶବର୍ତ୍ତୀ ହୋଇଥିବାବେଳେ ପଣ୍ଡିତ ନେହେରୁଙ୍କ ନେତୃତ୍ୱ ଯୋଗୁଁ ଆମେ ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ଆଧାର ପାଇଛୁ।

୨- ପ୍ରବଳ ଜନମତର ସମର୍ଥନ ସତ୍ତ୍ୱେ ବିରୋଧୀ ରାଜନୀତିକୁ ସମ୍ମାନ ଦେବା। ପଣ୍ଡିତ ନେହେରୁ ତାଙ୍କ ସମୟର ଅପ୍ରତିଦ୍ୱନ୍ଦ୍ୱୀ ଜନନେତା। ପଣ୍ଡିତଜୀଙ୍କ ନେତୃତ୍ୱରେ ୧୯୫୨ ନିର୍ବାଚନରେ କଂଗ୍ରେସ ଦଳ ୩୬୪, ୧୯୫୭ ନିର୍ବାଚନରେ ୩୭୧ ଓ ୧୯୬୨ ନିର୍ବାଚନରେ ୩୬୧ଟି ଲୋକସଭା ଆସନ ଜିତିଥିଲା। ତିନୋଟି ଯାକ ନିର୍ବାଚନରେ କଂଗ୍ରେସ ଦଳର ଭୋଟହାର ଥିଲା ଯଥାକ୍ରମେ ୪୫%, ୪୭.୮% ଓ ୪୪.୭% । ଯାହାକି ଭାରତୀୟ ରାଜନୀତିରେ ଏକ ଅନତିକ୍ରମ୍ୟ ରେକର୍ଡ। ମୋଟାମୋଟି ନେହେରୁଙ୍କ ସମୟରେ ବିରୋଧୀ ଦଳର କୌଣସି ସଂସଦୀୟ ଅସ୍ତିତ୍ୱ ନଥିଲା। ତଥାପି ପଣ୍ଡିତ ନେହେରୁ ସଂସଦରେ ଓ ସଂସଦ ବାହାରେ ବିରୋଧୀ ସ୍ୱରକୁ ଶୁଣିବା ପାଇଁ ପ୍ରସ୍ତୁତ ଥିଲେ। ତାଙ୍କର ସବୁଠାରୁ ବଡ଼ ସମାଲୋଚକ ସାମ୍ୟବାଦୀ ଓ ସମାଜବାଦୀମାନେ ବ୍ୟକ୍ତିଗତ ଭାବରେ ତାଙ୍କୁ କମ୍ ପ୍ରଶଂସା କରି ନାହାନ୍ତି। ପଣ୍ଡିତ ନେହେରୁ ହେଉଛନ୍ତି ଭାରତର ଏକମାତ୍ର ରାଜନେତା ଯିଏ ତାଙ୍କର ତୀବ୍ରତମ ବିରୋଧୀ ଦକ୍ଷିଣପନ୍ଥୀ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ।

୩- ଆଧୁନିକ ଭାରତର ନବନିର୍ମାଣ। ପଣ୍ଡିତଜୀଙ୍କ ନେତୃତ୍ୱରେ କମ୍ ହାରରେ ଅଭିବୃଦ୍ଧି ହାସଲ କରୁଥିବା ଗୋଟିଏ ଦେଶର ଅଭିବୃଦ୍ଧିକୁ ୬୦ ଦଶକରେ ତିନି ପ୍ରତିଶତରୁ ଅଧିକ ବଢାଯାଇଥିଲା। କୃଷି, ଶିଳ୍ପ, ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ପଣ୍ଡିତ ନେହେରୁଙ୍କର ନୀତି ଆଜି ମଧ୍ୟ ଆମ ବିକାଶର ଆଧାର ହୋଇ ରହିଛି। ଯୋଜନା ଓ ତା’ର ରୂପାୟନ ପାଇଁ ପଣ୍ଡିତଜୀଙ୍କର ଦୃଷ୍ଟିଭଙ୍ଗୀ ପ୍ରାୟ ୬୦ ବର୍ଷ ଧଣି ଆମର ମାର୍ଗଦର୍ଶନ କରିଛି। ପଞ୍ଜାବ ଏବଂ ହରିୟାଣାର କୃଷି ବିପ୍ଳବ, ବୃହତ୍ତର ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପ, ରାଜପଥର ବିକାଶ, ନୂତନ ଶିଳ୍ପାଞ୍ଚଳ ଓ ଶିଳ୍ପ ନଗରୀର ନିର୍ମାଣ, ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ପ୍ରଚେଷ୍ଟା, ସ୍ୱାୟତ୍ତ ଶାସନ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ତାଙ୍କୁ ଭାରତ ସବୁଦିନ ମନେ ରଖିବ।

୪- ବୈଜ୍ଞାନିକ ଗବେଷଣା ଓ ଭିତ୍ତିଭୂମି ନିର୍ମାଣରେ ସର୍ବଶ୍ରେଷ୍ଠ ନେତୃତ୍ୱ। ନୂଆ କରି ଜନ୍ମ ନେଇଥିବା ଗୋଟିଏ ଦେଶର ନେତୃତ୍ୱ ନେଲାବେଳେ ପଣ୍ଡିତ ନେହେରୁ ଜାଣିଥିଲେ ଯେ ଜ୍ଞାନ ଓ ବିଜ୍ଞାନର ଶକ୍ତି ବିନା ବିକାଶ ଅସମ୍ଭବ। ତେଣୁ ଆଜି ଦେଶରେ ଯେତେସବୁ ବୈଜ୍ଞାନିକ ଅନୁଷ୍ଠାନ, ଗବେଷଣାଗାର ଓ
ପ୍ରୟୋଗଶାଳା ଆମେ ଦେଖୁଛୁ ସେ ସବୁ ପଣ୍ଡିତ ନେହେରୁଙ୍କ ଅମଳରେ ହିଁ ପ୍ରତିଷ୍ଠା କରାଯାଇଥିଲା। ଆଣବିକ ଗବେଷଣା, ମହାକାଶ ଗବେଷଣା, ପଦାର୍ଥ ବିଜ୍ଞାନ ଓ ଭୂତତ୍ତ୍ୱ ବିଜ୍ଞାନରେ ଉଚ୍ଚତର ଗବେଷଣା ପାଇଁ ସାରା ଦେଶରେ ବହୁ ଅନୁଷ୍ଠାନ ସେତେବେଳେ ପ୍ରତିଷ୍ଠା କରାଯାଇଥିଲା । ଯାହାର ସୁଫଳ ଆମେ
ଆଜି ପାଉଛୁ । ପ୍ରଗତିର ନୂଆ ମନ୍ତ୍ର ପଢୁଥିବା ନୂଆ ଭାରତର ରାଜନେତାମାନେ ଆଜି ମଧ୍ୟ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ଭଳି ଏକ ସଂସ୍ଥା ଗଠନ ପାଇଁ ଚିନ୍ତା ମଧ୍ୟ କରିପାରିବେ ନାହିଁ। ବୈଜ୍ଞାନିକ ଗବେଷଣା ଓ ବୈଜ୍ଞାନିକ ଚିନ୍ତନ କ୍ଷେତ୍ରରେ ପଣ୍ଡିତଜୀଙ୍କ ନେତୃତ୍ୱ ସର୍ବଶ୍ରେଷ୍ଠ।

୫- ଉଚ୍ଚତର ଶିକ୍ଷା ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଇ ଆଇଟି ଓ ଏମ୍ସ ଭଳି ଅନୁଷ୍ଠାନର ପରିକଳ୍ପନା ପଣ୍ଡିତ ନେହେରୁଙ୍କ ସ୍ରଷ୍ଟାପଣକୁ ଦେଖାଇଥାଏ। ସାରା ଦେଶରେ ଆଜି ଗବେଷଣାର ଉତ୍କର୍ଷ ପାଇଁ ପରିଚିତ ପ୍ରାୟ ସବୁ ଅନୁଷ୍ଠାନ ନେହେରୁଙ୍କ ସମୟରେ ହିଁ ପ୍ରତିଷ୍ଠିତ ହୋଇଥିଲା।

୬- ପ୍ରତିରକ୍ଷା ଓ ବିଦେଶ ନୀତିର ଶ୍ରେଷ୍ଠତମ ମାର୍ଗଦର୍ଶକ। ନେହେରୁଙ୍କ ସମୟରେ ଭାରତ ତିନୋଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି। ଚୀନ୍ ଓ ପାକିସ୍ତାନ ସହ ସାମରିକ ସଂଘର୍ଷରେ ଆମର ଅର୍ଥନୀତି କିଛିଟା ପ୍ରଭାବିତ ମଧ୍ୟ ହେଇଛି। ଚୀନ୍ ସହ ଯୁଦ୍ଧରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଜୟ ପରାଜୟର ଏହି ଧାରା ମଧ୍ୟରୁ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାର ପ୍ରେରଣା ମିଳିଥିଲା। ପ୍ରତିରକ୍ଷା ଗବେଷଣା ପାଇଁ ଏକ ସୁଦକ୍ଷ ଭିତ୍ତିଭୂମି ନେହେରୁଙ୍କ ନେତୃତ୍ୱରେ ପ୍ରତିଷ୍ଠା ହୋଇଥିଲା। ସେହିପରି ବିଦେଶ ନୀତି କ୍ଷେତ୍ରରେ ଆଜି ମଧ୍ୟ ନେହେରୁଙ୍କର ମାର୍ଗଦର୍ଶନ ହେଉଛି ପ୍ରତ୍ୟେକ କୂଟନୀତିଜ୍ଞ ପାଇଁ ବାଇବେଲ୍। ଭାରତକୁ ଏକ ଗୋଷ୍ଠୀ ନିରପେକ୍ଷ ଶକ୍ତି ଭାବରେ ଆମେରିକା ତଥା ଋଷର ପ୍ରଭାବରୁ ଅଲଗା ରଖିବାରେ ପଣ୍ଡିତଜୀଙ୍କ ନେତୃତ୍ୱର ପଟ୍ଟାନ୍ତର ନାହିଁ।

୭- ସମାଜବାଦ, ଧର୍ମ ନିରପେକ୍ଷତା ଓ ଗଣତନ୍ତ୍ରର ପ୍ରତିଷ୍ଠା। ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଭାରତ ସମ୍ବିଧାନର ମୌଳିକ ନୀତି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବା ଆରମ୍ଭ କରିଥିଲା। ରାଷ୍ଟ୍ରୀୟ ସମ୍ବଳର ସମବଣ୍ଟନ, ସମାଜର ଉପେକ୍ଷିତ ବର୍ଗଙ୍କୁ ଆର୍ଥିକ ପ୍ରଗତିର ସ୍ରୋତରେ ସାମିଲ୍ କରିବା ଓ ରାଜୀନତିରେ ସବୁମତକୁ ସମ୍ମାନ ଦେବାର ପ୍ରକ୍ରିୟା ତାଙ୍କରି ନେତୃତ୍ୱରେ ଆରମ୍ଭ ହୋଇଥିଲା। ସଂଖ୍ୟାଲଘୁ, ମହିଳା, ଆଦିବାସୀ ଓ ଦଳିତଙ୍କ ସମସ୍ୟାକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଦେଶର ନୀତି ଓ ଅର୍ଥନୀତିକୁ ସଙ୍ଗଠିତ କରାଯାଇଥିଲା।

୮ – ସମ୍ବିଧାନ ଓ ଆଇନର ଶାସନ। ପ୍ରବଳ ଜନମତ ଓ ଜନ ସମର୍ଥନ ସତ୍ତ୍ୱେ ପଣ୍ଡିତ ନେହେରୁ ଗଣତନ୍ତ୍ରରେ ନିଜର ଅହଙ୍କାର ବା ଏକଛତ୍ରବାଦକୁ ପ୍ରତିଷ୍ଠା କରିନଥିଲେ। ଦୁର୍ଭାଗ୍ୟ ହେଉଛି ତାଙ୍କରି ନେତୃତ୍ୱରେ ଦେଶର ଜୀବନ ରେଖା ପାଲଟିଥିବା କଂଗ୍ରେସ ପରବର୍ତ୍ତୀ ସମୟରେ ତାଙ୍କରି ଆଦର୍ଶକୁ ଜଳାଞ୍ଜଳି ଦେଇଥିଲା।

କେଦାର ମିଶ୍ର ଜବହାରଲାଲ ନେହୁର ଶିଶୁଦିବସ ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୱାଲାଲମ୍ପୁର ଠାରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 8, 2026

ବିଜୟ ସହିତ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ: ୨୯ ରନ୍ ରେ ଆମେରିକା ପରାସ୍ତ

February 7, 2026

ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ? 

February 7, 2026

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026
Latest News

ଜାମ୍ମୁ-କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ଆକଳନ ଲାଗି ବୈଠକ

February 8, 2026

କ୍ୱାଲାଲମ୍ପୁର ଠାରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 8, 2026

ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ

February 8, 2026

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

February 8, 2026

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ପୁସ୍ତକକୁ ଲୋକାର୍ପଣ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.