Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ରାଜନୀତି ଓ ଶାସନରେ ନବୀନ ପଟ୍ଟନାୟକଙ୍କ “ଶକ୍ ଥେରାପି” , ଏକ ସଫଳ ତଥା ସାର୍ଥକ ପ୍ରୟୋଗ
ବିଶେଷ ଖବର

ଓଡିଶା ରାଜନୀତି ଓ ଶାସନରେ ନବୀନ ପଟ୍ଟନାୟକଙ୍କ “ଶକ୍ ଥେରାପି” , ଏକ ସଫଳ ତଥା ସାର୍ଥକ ପ୍ରୟୋଗ

November 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ରାଜନୀତି ଓ ଶାସନରେ ନବୀନ ପଟ୍ଟନାୟକଙ୍କ “ଶକ ଥେରାପି” , ଏକ ସଫଳ ତଥା ସାର୍ଥକ ପ୍ରୟୋଗ

କେଦାର ମିଶ୍ର

କେତେବେଳେ ବଜ୍ରପାତ ହେବ, ସେକଥା ହୁଏତ ଆକଳନ କରିହେବ, କିନ୍ତୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା କହି ହେବନାହିଁ। ନବୀନଙ୍କ କାମ କରିବାର ତରିକା ସବୁ ପାରମ୍ପରିକ ଚିନ୍ତା ଓ ଆକଳନର ବାହାରେ। ଓଡିଶା ରାଜନୀତି ବିଷୟରେ ଯେଉଁମାନେ ଖବର ରଖନ୍ତି, ସେମାନଙ୍କ ପାଖରେ ଏଇ ମୁହୂର୍ତ୍ତ ପରେ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ କଣ ହେବ, ସେକଥା ଭାବିବା ମଧ୍ୟ ଅସମ୍ଭବ । ଦୁଇ ଦିନ ତଳେ ହଠାତ ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ବିଜୟ କୁମାର ଶର୍ମାଙ୍କୁ ତାଙ୍କ ପଦରୁ ଅପସାରଣ କରାଗଲା। କେବଳ ତାଙ୍କୁ ଅପସାରଣ କରାଗଲା ନାହିଁ, ତାଙ୍କ ବିରୋଧରେ ତଦନ୍ତ କରିବା ଲାଗି ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ କରାଗଲା। ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ, ଏକଥାର ଟେର କେହି ପାଇନଥିଲେ। ନା ଗଣମାଧ୍ୟମ ନା ରାଜନୀତିର ଅର୍ଗଳି, କେଉଁଠି ହେଲେ ଏ ବିଷୟରେ ଟୁପଟାପ କଥା ବି ଶୁଣା ଯାଉନଥିଲା।

ଗତ ପାଞ୍ଚ ବର୍ଷରେ ଚାରି ଜଣ ପୋଲିସ ମୁଖିଆଙ୍କୁ ଏମିତି ଢଙ୍ଗରେ ବିଦା କରା ହୋଇଛି। ସଂଜୀବ ମାରିକ, ପ୍ରକାଶ ମିଶ୍ର, କେ.ବି.ସିଂ ଓ ବିଜୟ କୁମାର ଶର୍ମା। ମଝିରେ କେବଳ ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ଵେଚ୍ଛାରେ ଅବସର ନେଇ ଲୋକାଯୁକ୍ତ ଭାବରେ ନିଯୁକ୍ତି ପାଇଥିଲେ। ଉଚ୍ଚ ପଦ ପଦବୀରେ ଥିବା ଅଧିକାରୀ ଓ ରାଜନେତାଙ୍କୁ ଚକିତ କରିଦେଲା ଭଳି କାର୍ୟାନୁଷ୍ଠାନ ନେବାରେ ନବୀନ ପଟ୍ଟନାୟକଙ୍କର ଅନୁଭୂତି ବହୁ ପୁରୁଣା। ନିଜ ଶାସନକାଳର ପ୍ରଥମ ସୋପାନରେ ବିଜୟ ମହାପାତ୍ରଙ୍କୁ ବିଜେଡ଼ିରୁ ବିଦା କରିବାର ପ୍ରକ୍ରିୟା ହେଉ ବା ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କର ଅପସାରଣ, ସବୁବେଳେ ନବୀନ ନିଜର “ଶକ ଥେରାପି” କୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରିଛନ୍ତି। ଯେ କୌଣସି ରାଜନୈତିକ ବା ପ୍ରଶାସନିକ ନିଷ୍ପତ୍ତି ନେବାବେଳେ, ଅଚାନକ ଓ ଆଶ୍ଚର୍ୟ କରିଦେଲା ଭଳି ପ୍ରୟୋଗ ନବୀନଙ୍କୁ ରାଜନୀତିରେ ବଡ ସଫଳତା ଆଣି ଦେଇଛି। ସେ ପାରମ୍ପରିକ ରାଜନେତାଙ୍କ ଭଳି ନିଷ୍ପତ୍ତି ନିଅନ୍ତି ନାହିଁ କିମ୍ବା ମୁହଁ ଦେଖି ପ୍ରଶାସନିକ ନିଷ୍ପତ୍ତି ବଦଳାଇ ପକାନ୍ତି ନାହିଁ। କାର୍ୟାନୁଷ୍ଠାନ ନେବା ବେଳେ ସେ ଅତ୍ୟନ୍ତ କଠୋର ଓ ସେତେବେଳେ କୌଣସି ମାନବୀୟ ଦୁର୍ବଳତା ତାଙ୍କର ନଥାଏ ବୋଲି ଅନେକ ପ୍ରଶାସକ କହିଛନ୍ତି।

ଚାରି ବର୍ଷ ତଳେ ଏମିତି ଏକ ସନ୍ଧ୍ୟାରେ ସେ ତତ୍କାଳୀନ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଡାକି କହିଥିଲେ- “ୟୁ ଆର ରିଲିଭ୍ଡ , ଥ୍ୟାଙ୍କ ୟୁ ଭେରି ମଚ”। କାର୍ୟାନୁଷ୍ଠାନ ନେବାବେଳେ ଆଉ କିଛି ଶୁଣିବା ନବୀନଙ୍କ ଜାତକରେ ନାହିଁ। ତେବେ ଏ ପ୍ରକାର ନିଷ୍ପତ୍ତି ଗଣତାନ୍ତ୍ରିକ ନୁହେଁ ବୋଲି ଯୁକ୍ତି କରାଯାଇପାରେ। ପ୍ରଶାସନ ଓ ରାଜନୀତିରେ ଗଣତାନ୍ତ୍ରିକ ହେବାର ଅର୍ଥ ହେଉଛି କ୍ଷମତାର ହୁଗୁଳା ଅବସ୍ଥା ବୋଲି ଏବେ ଧରି ନିଆଯାଉଛି। ତେଣୁ  ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯାଏ ସମସ୍ତେ ନିଷ୍ପତ୍ତି ନେବାବେଳେ ନିଜର ଇଚ୍ଛାକୁ ହିଁ ଜାହିର କରୁଛନ୍ତି। ରାଜନୀତିରେ ଏହାକୁ ଏକ ଗୁଣ ବୋଲି ସାଧାରଣ ଲୋକେ ଗ୍ରହଣ ମଧ୍ୟ କରୁଛନ୍ତି।

ନବୀନଙ୍କ ନିଷ୍ପତ୍ତି ନେବାର ତରିକା, ତାଙ୍କ ଲୋକପ୍ରିୟତାର ଏକ ବିଶେଷ କାରଣ। ତାଙ୍କ ନିଷ୍ପତ୍ତିକୁ ନେଇ ଏବେ ବିରୋଧୀ ନେତାଏ ଓ ଗଣମାଧ୍ୟମ ଘାଣ୍ଟି ହେବେ। ବିଜୟ କୁମାର ଶର୍ମାଙ୍କୁ କାହିଁକି ବିଦା କରାହେଲା, ତାର ଗୁଡାଏ ଉଦ୍ଭଟ ଓ କାଳ୍ପନିକ କାରଣ ବିଷୟରେ ଏବେ ଗପ ଲେଖାହେବା। ବିରୋଧୀ ଦଳ ବାକି ପ୍ରସଙ୍ଗ ଛାଡି ୟା ପଛରେ ମାତିବେ। ଆଉ ତାରି ଭିତରେ ନବୀନଙ୍କ ଭାବମୂର୍ତ୍ତି ଆହୁରି ଉଜ୍ଜଳ ହୋଇଉଠିବ। ନବୀନଙ୍କ ଏହି ରାଜନୈତିକ ଓ ପ୍ରଶାସନିକ ପ୍ରୟୋଗ ସବୁବେଳେ ଏମିତି ସଫଳ ହୋଇ ଆସିଛି।

କୌଣସି ମନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ କିମ୍ବା ସେମାନଙ୍କ କାମ ଉପରେ ସାମାନ୍ୟ ସନ୍ଦେହ ହେଲେ, ତୁରନ୍ତ ତାଙ୍କୁ କ୍ଷମତାହୀନ କରିଦେବାର ନିଷ୍ଠୁର ନିଷ୍ପତ୍ତି ନବୀନ ନେଇପାରନ୍ତି। ସେ ଅଧିକାରୀ ତାଙ୍କର ଯେତେ ବିଶ୍ଵସ୍ତ ହୋଇଥାନ୍ତୁ ବା ତାଙ୍କର ଟ୍ରାକ ରେକର୍ଡ ଯେତେ ଭଲ ହୋଇଥାଉ, ଚୂଡାନ୍ତ ନିଷ୍ପତ୍ତି ନେଲାବେଳେ ଶେଷତମ ଅଭିଯୋଗ ହିଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ସେଥିଲାଗି ରାଜନୀତିର ଅନ୍ଦର ମହଲରେ ଗୋଟେ କଥା ପ୍ରଚଳିତ ଅଛି- ନବୀନ ପଟ୍ଟନାୟକ କାହାର ନୁହନ୍ତି।

କାହାର ନହେବା ପ୍ରଶାସନିକ କ୍ଷେତ୍ରରେ ଏକ ବଡ ଶକ୍ତି ଓ ଏହାହିଁ ନବୀନ ପଟ୍ଟନାୟକ ଓ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବର ସବୁଠୁ ବଡ ପାର୍ଥକ୍ୟ। ବିଜୁ ବାବୁ ସବୁବେଳେ ସମସ୍ତଙ୍କୁ ବିଶ୍ବାସକୁ ନେଇ ସାରା ଜୀବନ ପରାଜୟର ସାମ୍ନା କରିଥିଲେ। ନବୀନଙ୍କ ଲାଗି ତାହା ହିଁ ବଡ ଶିକ୍ଷା। କ୍ଷମତା ଓ ଶାସନରେ କେହି ବି ଅପରିହାର୍ୟ ନୁହନ୍ତି ଓ “ଲୋକଙ୍କ” ପାଇଁ ଯେତେବେଳେ ଆବଶ୍ୟକ, ଯେତେ ବଡ ଅଧିକାରୀ ବା ରାଜନେତା ହେଲେ ମଧ୍ୟ ତାଙ୍କୁ ବିଦା କରା ଯାଇପାରେ- ଏହାହିଁ ନବୀନଙ୍କ ସଫଳ ଓ ସାର୍ଥକ ”ଶକ ଥେରାପି”।

 

କେଦାର ମିଶ୍ର ନବୀନ ପଟ୍ଟନାୟକ ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.