ମହାରାଷ୍ଟ୍ର ରାଜନୀତିରେ ଅଜିତ ପାୱାରଙ୍କ ପାଇଁ ବିଜେପିର ସ୍ଵତନ୍ତ୍ର ମଇଳା ଧୁଆ ପାଉଡର; ଦାଗ ଅଚ୍ଛେ ହୈ

Published: Nov 24, 2019, 9:33 am IST

କେଦାର ମିଶ୍ର

ଚାର୍ଲ୍ସ ମୋରିସ ତେଲେରାଁ ବୋଲି ଜଣେ ପ୍ରସିଦ୍ଧ ଫରାସୀ ରାଜନେତା ଥିଲେ। ରାଜନୀତିର ଭାଷାକୁ ନେଇ ତାଙ୍କର ଏକ ପ୍ରସିଦ୍ଧ ଆପ୍ତବାକ୍ୟ ହେଉଛି- “ଯଦି ଜଣେ ରାଜନେତା “ହଁ” କହେ, ତାର ଅର୍ଥ ହେଉଛି “ହୋଇପାରେ”। ଯଦି “ହୋଇପାରେ” ବୋଲି କହେ, ତା ଅର୍ଥ ହେଉଛି “ହେବନି”। ହେଲେ “ହେବନି” ବୋଲି ଯେଉଁ ନେତା କହେ, ସେ ରାଜନେତା ହେବାକୁ ଅଯୋଗ୍ୟ।“। ତେଲେରାଁଙ୍କର ଏହି ପ୍ରସିଦ୍ଧ ଉକ୍ତି କିନ୍ତୁ ଜଣକ ପାଖରେ ବିଫଳ ହୋଇଛି, ସେ ହେଉଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ୨୬ ସେପ୍ଟେମ୍ବର, ୨୦୧୪ରେ ଫଡନବିସ ଲେଖିଥିଲେ, “ଏନସିପି ସହ ସମ୍ପର୍କ କେବେ ନୁହେଁ, କେବେ ନୁହେଁ, କେବେ ନୁହେଁ। କାରଣ ଏନସିପି ଏକ ଭ୍ରଷ୍ଟାଚାରୀ ଦଳ ଓ ତାଙ୍କ ବିରୋଧରେ ଆମେ ଜୀବନ ତମାମ ଲଢି ଆସିଛୁ।“ ଆଜି ରାତାରାତି ଏନସିପିକୁ ଭାଙ୍ଗି ଅଜିତ ପାୱାରଙ୍କ ସହ ସରକାର ଗଢିଲା ବେଳେ ବିଜେପି ବା ଫଡନବିସ, ଅବଶ୍ୟ ଏହାର ଉତ୍ତର ଦେବେ ନାହିଁ।

ମହାରାଷ୍ଟ୍ରରେ ସରକାର ଗଢିବା ଏକ ରାଜନୈତିକ ବାଧ୍ୟବାଧକତା ଥିଲା, ତେଣୁ ସେଠାରେ ନୀତି ନୈତିକତାର ମୂଲ୍ୟ କିଛି ନାହିଁ ବୋଲି ବିଜେପିର ଯୁକ୍ତିରେ ଅବଶ୍ୟ ଦମ ଅଛି। କାରଣ ସେଠି ବିଜେପି-ଶିବସେନା ମେଣ୍ଟ ବ୍ୟତୀତ  ଯିଏ ବି ସରକାର ଗଢିଥାନ୍ତା, ତାହା ଏକ ଅସାଧୁ ମେଣ୍ଟ ହିଁ ହୋଇଥାନ୍ତା। ବିଜେପି ଟିକେ ଅଧିକ ଚାଲାକ ହୋଇ ନିଜର ଅସାଧୁତାକୁ ପ୍ରମାଣିତ କଲା! ଅବଶ୍ୟ ବିଜେପି ଏ ପ୍ରକାର ଅସାଧୁ ରାଜନୀତିରେ ଦକ୍ଷତା ହାସଲ କରି ସାରିଛି। ଯେ କୌଣସି ଉପାୟରେ ସରକାର ଗଢିବାର କୌଶଳ ଏବେ ବିଜେପିର ସବୁଠୁ ବଡ ତାକତ ବୋଲି କୁହା ଯାଉଛି। ସେଥିପାଇଁ ବିଜେପି ନେତା ରାମ ମାଧବ କହିଥିଲେ ଯେ – “ ଆମେ ନିର୍ବାଚନ ନ ଜିତି ମଧ୍ୟ ଆଜି ସରକାର ଗଢି ପାରୁଛୁ, କାରଣ ଆମ ପାଖରେ ଅମିତ ଶାହ ଅଛନ୍ତି।“

ଆଜି ସରକାର ଗଢା ସରିଛି। ବିଧାନସଭାରେ କିଏ ଜିତିବ ହାରିବ ତାକୁ ନେଇ ଏବେ କଲ୍ପନା ଜଳ୍ପନା ଲାଗିବ। ମହାରାଷ୍ଟ୍ର ଏବେ ଏକ ଖୋଲା ଘୋଡା ବଜାର ଓ ବିଧାୟକମାନେ ଘୋଡା ହୋଇ  ନିଜର ବିଷୟରେ ମୂଲଚାଲ କରିବାର ପର୍ୟାପ୍ତ ସୁଯୋଗ ପାଇବେ। ବିକାକିଣାର ବଜାର ବଢିଆ ଜମିବ। ହେଲେ ତା ଭିତରେ ଗୋଟେ ପ୍ରଶ୍ନ ବାରମ୍ବାର ଉଠିବ- ଏବେ ଅଜିତ ପାୱାରଙ୍କ ପାପ ଧୋଇ ହୋଇଗଲା କି? ମହାରାଷ୍ଟ୍ର ରାଜନୀତିରେ ବିଜେପିର ଏକ ନିତିଦିନିଆଁ ସ୍ଲୋଗାନ ଥିଲା- ଅଜିତ ପାୱାରଙ୍କୁ ଆମେ ଜେଲରେ ପୂରେଇବୁ।

ଜେଲ ପରିବର୍ତ୍ତେ ଏବେ ଅଜିତ ପାୱାର ବିଜେପି ସରକାର ଗଢିବାରେ ବିଭୀଷଣ ଭୂମିକା ନେଇଛନ୍ତି। ତେଣୁ ୟା ପରେ ତାଙ୍କୁ ନେଇ ଜଳସେଚନ ବିଭାଗର ବ୍ୟାପକ ଘୋଟାଲା,  ସମବାୟ ବ୍ୟାଙ୍କ ଘୋଟାଲା ଇତ୍ୟାଦିର କଣ ହେବ? ମୋଦୀ ଏକଦା ନରେନ୍ଦ୍ର ମୋଦୀ ଏନସିପିର ପୂରା ଅର୍ଥ କରିଥିଲେ-ନେସନାଲିଷ୍ଟ କରପ୍ଟ ପାର୍ଟି। ଆଜି ସେ “କରପ୍ଟ ପାର୍ଟି”ର ସର୍ଦ୍ଦାର ତାଙ୍କ ଦଳର ସହଯୋଗୀ। ଅଜିତ ପାୱାରଙ୍କ ପଛରେ ଅମିତ ଶାହଙ୍କ ଇଡି, ସିବିଆଇ ଲାଗି ପଡିଥିଲେ। ଏବେ ସେମାନେ ଶାନ୍ତିରେ ରହିବେ।

ତେବେ ଆମର ଅନୁଭବ କହୁଛି, ବିଜେପି ପାଖରେ ଏକ ସ୍ଵତନ୍ତ୍ର ମଇଳା ଧୁଆ ପାଉଡର ରହିଛି। ଯିଏ ଯେଉଁଠି ଥାଇ ଯେତେ ଦୁର୍ନୀତି କଲେ ମଧ୍ୟ, ସେ ଯଦି ବିଜେପିକୁ ଆସିଲା, ତାର ସବୁ ପାପ, କଳଙ୍କ ଓ ମଇଳା ଧୋଇ ହୋଇଯିବ। ଆସାମରେ ହେମନ୍ତ ବିଶ୍ଵା ଶର୍ମା, ପଶ୍ଚିମ ବଙ୍ଗରେ ମୁକୁଲ ରାୟ, ହରିଆଣାରେ ଗୋପାଳ କାଣ୍ଡା ଓ ଦୁଷ୍ୟନ୍ତ ଚୌତାଲା ପ୍ରମୁଖ ଏହାର ଜ୍ଵଳନ୍ତ ଉଦାହରଣ। ଏମାନେ ଅନ୍ୟ ଦଳରେ ଥିବା ଯାଏ ଦୁର୍ନୀତିଖୋର ଥିଲେ, ବିଜେପିରେ ମିଶିଲା ପରେ ଏବେ ସେମାନଙ୍କ କଳଙ୍କ ଧୋଇ ହୋଇ ଯାଇଛି।

ଏଇଟା ହୁଏତ ଶୁଣାକଥା ହୋଇପାରେ, ହେଲେ ଟୁଇଟରରେ ଜଣେ ବନ୍ଧୁ ଲେଖିଛନ୍ତି- ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ପୂର୍ବରୁ ଅମିତ ଶାହ ପଠାଇଥିବା ଏକ ସ୍ଵତନ୍ତ୍ର ମଇଳାଧୂଆ ପାଉଡର ଘଷି ତାଙ୍କୁ ସଫା କରାଯାଇଛି। ଆଜିଠୁ ଅଜିତଙ୍କର ସବୁ ଦୁର୍ନୀତିର ଅର୍ଥ ହେଉଛି- “ଦାଗ  ଅଚ୍ଛେ ହୈ”। ଯଦି ଅଜିତ ପାୱାର ଶିବସେନା ସାଙ୍ଗେ ଉପ ମୁଖ୍ୟମନ୍ତ୍ରୀ ରହିଥାନ୍ତେ, ତାହେଲେ ବିଜେପି ତାଙ୍କ ପଛରେ ଇଡି, ସିବିଆଇକୁ ଲଗାଇ ତାଙ୍କୁ ରକ୍ତାକ୍ତ କରିଥାନ୍ତା। ଆଜି ସେ ବି ଖୁସି, ବିଜେପି ମଧ୍ୟ ଖୁସି।

ବାକି ମଝିରେ ରହିଲେ ବିଜେପିର ଟ୍ରୋଲ ଓ ଭକ୍ତ ମାନେ। ଏମାନେ ଆଜିଠୁ ଉଦ୍ଧବ ଥାକରେଙ୍କ ଚଉଦ ପୁରୁଷ ଙ୍କ ଶ୍ରାଦ୍ଧ କରିବା ସହିତ ଅଜିତ ପାୱାର ସହସ୍ରନାମ ଲେଖିବା ଆରମ୍ଭ କରିବେ!!

Related posts