ସାଗରିକା
ଭାରତୀୟ ରାଜନୀତିରେ କ୍ଷମତା ପାଇଁ ବାପ-ପୁଅ, ଭାଇ –ଭାଇ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ। ରାଜତନ୍ତ୍ରଠାରୁ ଆରମ୍ଭକରି ଆଜିର ଗଣତନ୍ତ୍ର ପର୍ଯ୍ୟନ୍ତ ସବୁଠି କ୍ଷମତାର ମାୟାରେ ବାୟା। କ୍ଷମତା ପାଇଁ କେତେ ପରିବାର ଭାଙ୍ଗିଛି, ପୁଣି କେତେ ଶତ୍ରୁ ମିତ୍ର ହୋଇଛନ୍ତି, ତାହା ଆକଳନ କରିବା ଅସମ୍ଭବ। ତେବେ ନିକଟରେ ଚାଲିଥିବା ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ କ୍ଷମତା ପାଇଁ ପରିବାର ଫାଟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେଇ ଏନ୍ସିପି ନେତା ଅଜିତ୍ ପାଓ୍ବାର ନିଜ ପରିବାର ବିରୋଧରେ ଯାଇଛନ୍ତି। ତେବେ ପ୍ରଥମଥର ପାଇଁ ଅଜିତ୍ ପାଓ୍ବାରା କ୍ଷମତା ପାଇଁ ପରିବାର ବିରୋଧରେ ଯାଇନାହାନ୍ତି। ରାଜନୀତିରେ ଏହି ମାହୋଲ୍ରେ ବହୁ ଖ୍ୟାତିସମ୍ପନ୍ନ ପରିବାର ମଧ୍ୟ କ୍ଷମତା ପାଇଁ ଭାଗବଣ୍ଟା ହୋଇଯାଇଛନ୍ତି। ରାଜନୀତିରେ କ୍ଷମତା ପାଇଁ ସମେସ୍ତ ନିଜ ନିଜ ବାଟକୁ ବାଛିନେଇଥା’ନ୍ତି। ଭାରତୀୟ ରାଜନୀତିର ସବୁଠୁ ପ୍ରଭାବଶାଳୀ ତଥା ଚର୍ଚ୍ଚିତ ରାଜନୈତିକ ପରିବାର ହେଉଛି ଗାନ୍ଧି ପରିବାର। କ୍ଷମତା ଯୁଦ୍ଧରୁ ମଧ୍ୟ ଏହି ପରିବାର ମଧ୍ୟ ନିସ୍ତାର ପାଇନାହିଁ। ଗାନ୍ଧି ପରିବାର ଓ କଂଗ୍ରେସଠାରୁ ଅଲଗା ହୋଇଥିଲେ ସଞ୍ଜୟ ଗାନ୍ଧି। ସଞ୍ଜୟଙ୍କ ସ୍ତ୍ରୀ ମାନେକା ଓ ପୁଅ ବରୁଣ ଗାନ୍ଧି ଆଜି ବିଜେପିର ସାଂସଦ ରୂପେ ରହିଛନ୍ତି। ସେହିପରି ସିନ୍ଧିଆ ପରିବାରରେ ମଧ୍ୟ କ୍ଷମତାର ଯୁଦ୍ଧ ହୋଇଥିଲେ। ଗୋଟିଏ ପଟରେ ମାଧବରାଓ ସିନ୍ଧିଆଙ୍କ ଭଉଣୀ ତଥା ବସୁନ୍ଧରା ରାଜେ ବିଜେପିରେ ଥିବାବେଳେ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ରହିଛନ୍ତି। ଏମାନଙ୍କ ପରି ଅନେକ ପରିବାର ରାଜନୀତିର କ୍ଷମତା ଲଢେଇ ଭିତରେ ଭାଗ ଭାଗ ହୋଇଯାଇଛନ୍ତି। ସେହି ଭାଗ ହୋଇଯାଇଥିବା ପରିବାରଙ୍କ ମଧ୍ୟରେ ରହିଛନ୍ତି –
ଦେବୀଲାଲ୍
୧୯୮୯ରେ ହରିୟାଣାର ବରିଷ୍ଠ ନେତା ଦେବୀଲାଲ୍ ବିପିସିଂ ସରକାରରେ ଯେତେବେଳେ ଉପ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ। ସେତେବେଳେ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲେ। ଦେବୀଲାଲ୍ ଉପପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ପରିବାର ଭାଗ ହୋଇଯାଇଥିଲା। ଦେବୀଲାଲ୍ଙ୍କ ପରେ ତାଙ୍କ ରାଜନୈତିକ କମାଣ ଓମ୍ ପ୍ରକାଶ ଚୌତାଲଙ୍କ ହାତରେ ରହିଥିଲା। କିନ୍ତୁ ତାଙ୍କର ଅନ୍ୟ ପୁତ୍ର ରଣଜୀତ ଚୌତାଲା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଥିଲେ। ରଣଜିତ୍ ଓମ୍ପ୍ରକାଶଙ୍କ ମୁଖ୍ୟମନ୍ତ୍ରୀ ହେବା ପରେ ଦଳ ଛାଡ଼ି କଂଗ୍ରେସରେ ସାମିଲ୍ ହୋଇଥିଲେ।ରାଜନୀତି ପାଇଁ ଚୌତାଲା ପରିବାର ଭାଙ୍ଗିବା ଏତିକିରେ ସରିନଥିଲା। ଗତ ବର୍ଷ ଓମ୍ପ୍ରକାଶ ଚୌତାଲ୍ଙ୍କ ଦୁଇ ପୁଅ ମଧ୍ୟ କ୍ଷମତା ପାଇଁ ଅଲଗା ହୋଇଯାଇଛନ୍ତି। ଓମ୍ପ୍ରକାଶ ଅଭୟ ଚୌତାଲାଙ୍କ ହାତରେ ଆଇଏନ୍ଏଲ୍ର କମାଣ ରହିଥିବାବେଳେ ଦୁଷ୍ୟନ୍ତ ଅଲଗା ହୋଇ ଜେଜେପି ଦଳ ଗଠନ କରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ୧୦ଟି ଆସନ ଜିତି ବିଜେପି ସହ ମିଶି ସରକାରରେ ରହିଛନ୍ତି।
ଠାକ୍ରେ ପରିବାର
ମହାରାଷ୍ଟ୍ର ରାଜନୀତିରେ ସବୁଠୁ ପ୍ରଭାବଶାଳୀ ପରିବାର ହେଉଛନ୍ତି ଠାକ୍ରେ ପରିବାର। ବାଲାସାହେବ ଠାକ୍ରେଙ୍କ ‘ଶିବସେନା’ ଭାରତୀୟ ରାଜନୀତିରେ ଦବଦବା ରଖିଆସିଛି। ତେବେ ଏହି ପ୍ରଭାବଶାଳୀ ପରିବାରରେ ମଧ୍ୟ କ୍ଷମତା ଲଢେଇ ରହିଛି। ୧୫ ବର୍ଷ ପୂର୍ବେ ଏହି ପରିବାର କ୍ଷମତା ପାଇଁ ଭାଙ୍ଗିଯାଇଛି। ବାଲାଠାକେର୍ଙ୍କ ପୁତୁରାଙ୍କ ରାଜ୍ ଠାକ୍ରେ ନିଜ ଦାଦାଙ୍କ ପଦାଙ୍କ ଅନୁସରଣ କରିଥିଲେ। ପ୍ରାୟ ସମେସ୍ତ ଜାଣିଥିଲେ ଯେ, ଶିବସେନାର କମାଣ ପୁତୁରା ରାଜ୍ ଠାକ୍ରେଙ୍କ ହାତରେ ହିଁ ରହିବ। କିନ୍ତୁ କ୍ଷମତାର ଏହି ଲଢେଇ ଭିତରେ ବାଜି ମାରିନେଇଥିଲେ ବାଲ୍ ଠାକ୍ରେଙ୍କ ପୁତ୍ର ଉଦ୍ଧବ ଠାକ୍ରେ। ୨୦୦୪ ମସିହାରେ ବାଲ୍ଠାକ୍ରେ ଉଦ୍ଧବ ଠାକ୍ରେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି କରି ନିଜର ଉତ୍ତରାଧିକାରୀ ବାଛିନେଇଥିଲେ। ଏହାପରେ ରାଜ୍ ଠାକ୍ରେ ୨୦୦୫ରେ ଶିବସେନାରୁ ନିଜକୁ ଅଲଗା କରିଦେଇଥିଲେ। ୨୦୦୬ରେ ମହାରାଷ୍ଟ୍ରରେ ନବ ନିର୍ମାଣ ସେନା ନାମରେ ଏକ ନୂତନ ଦଳ ନିର୍ମାଣ କରିଥିଲେ।
ଚନ୍ଦବାବୁ ନାଇଡୁ ଓ ଏନ୍ଟି ରାମା ରାଓ
ଆନ୍ଧ୍ର ରାଜନୀତିରେ କିମ୍ବଦନ୍ତୀ ପୁରୁଷ ହେଉଛନ୍ତି ଏନ୍ଟି ରାମା ରାଓ । କ୍ଷମତାର ଲଢେଇ ଭିତରେ ଏହି ଶକ୍ତିଶାଳୀ ପରିବାର ମଧ୍ୟରେ ଝଡ ସୃଷ୍ଟି ହୋଇଛି । ୧୯୮୨ରେ ଅଭିନେତାରୁ ନେତା ହୋଇଥିବା ଏନ୍ଟି ରାମା ରାଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଜିତିଥିଲେ ।୧୯୯୪ରେ ତାଙ୍କ ଜ୍ବାଇ ଚନ୍ଦ୍ରବାବୁ ନାଇଡୁ ଏନ୍ଟି ରାଓଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ। ୧୯୯୫ରେ ପ୍ରଥମ ଥର ପାଇଁ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ତେବେ ଏହାକୁ ଗ୍ରହଣ କରିନଥିଲେ ଏନ୍ଟି ରାଓଙ୍କ ସ୍ତ୍ରୀ ଲକ୍ଷ୍ମୀ। ଅରାଜି ହୋଇ ନିଜେ ଏକ ଅଲଗା ଦଳ ଗଠନ କରିଥିଲେ। କିନ୍ତୁ ରାଜନୀତିରେ ଏତେ ବେଶି ସଫଳ ହୋଇପାରିନଥିଲେ। ୨୦୧୪ରେ ଲକ୍ଷ୍ମୀ ଜଗମୋହନ ରେଡ୍ଡିଙ୍କ ଦଳ ‘ଓ୍ବାଇଏସଆର୍ କଂଗ୍ରେସ’ରେ ସାମିଲ୍ ହୋଇଛନ୍ତି।
ବାଦଲ ପରିବାର
୨୦୧୦ରେ ପଞ୍ଜାବର ଲୋକପ୍ରିୟ ତଥା ଶକ୍ତିଶାଳୀ ରାଜେନୖତିକ ପରିବାର ବାଦଲ ପରିବାର ମଧ୍ୟରେ ଭଟ୍ଟା ପଡିଥିଲା। ୨୦୧୦ରେ ପ୍ରକାଶ ସିଂ ବାଦଲ୍ଙ୍କ ପୁତୁରା ମନପ୍ରୀତ୍ ବାଦଲ୍ ଶିରୋମଣି ଅକାଳି ଦଳରୁ ଅଲଗା ହୋଇ ପିପିପି ଦଳ ଗଠନ କରିଥିଲେ। ୨୦୦୭ରେ ଅକାଳୀ ଦଳ ସରକାର ଗଢିଥିବାବେଳେ ପ୍ରକାଶ ସିଂ ବାଦଲ୍ ତାଙ୍କ ପୁତ୍ର ସୁଖବୀର୍ ବାଦଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିବାବେଳେ ମନପ୍ରୀତ୍ଙ୍କୁ ଅର୍ଥମନ୍ତ୍ରୀ କରିଥିଲେ। କିନ୍ତୁ ସୁଖବୀର୍ଙ୍କୁ ପ୍ରକାଶ ସିଂ ବାଦଲ୍ ନିଜ ଉତ୍ତରାଧିକାରୀ ଘୋଷଣାକୁ ନେଇ ନାରାଜ ହୋଇ ମନପ୍ରୀତ୍ ୨୦୧୨ରେ ପିପିପି ଦଳ ଗଠନ କରିଥିଲେ। ତେବେ ବିଶେଷ କିଛି ସଫଳତା ନ ପାଇ ୨୦୧୪ରେ କଂଗ୍ରେସରେ ସାମିଲ୍ ହୋଇଥିଲେ ମନପ୍ରୀତ୍। ମନପ୍ରୀତ୍ ୨୦୧୭ରେ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ କ୍ୟାବିନେଟ୍ରେ ମନ୍ତ୍ରୀ ରୂପେ ଅବସ୍ଥାପିତ ରହିଥିବାବେଳେ ସୁଖବୀର୍ ବାଦଲଙ୍କ ହାତରେ ଅକାଳୀ ଦରର କମାଣ ରହିଛି।
କରୁଣାନିଧି ଓ ତାଙ୍କ ପୁତ୍ର
୧୯୬୯ରୁ ୨୦୧୧ ମଧ୍ୟରେ ଏମ୍. କରୁଣନିଧି ପଞ୍ଚମ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାମିଲ୍ନାଡୁର ରାଜନୈତିକ କ୍ଷମତା ଏକପ୍ରକାରର ଏମ୍କେ ଷ୍ଟାଲିନ୍ଙ୍କ ହାତରେ ରହିଥିଲା। କିନ୍ତୁ ଏହା ତାଙ୍କ ଭାଇ ଅଲାଗିରିଙ୍କୁ ପସନ୍ଦ ନଥିଲା। ଅଲାଗିରି ବିଶ୍ବାସଘାତକତା ଦେଖି କରୁଣାନିଧି ତାଙ୍କୁ ଦଳରୁ ବାହା କରିଦେଇଥିଲେ। ଏବଂ ଦଳର ପୂରା କମାଣ ଷ୍ଟାଲିନ୍ଙ୍କ ହାତରେ ଦେଇଥିଲେ।
ମୁଲାୟମ୍ ସିଂ ପରିବାର
୨୦୧୬ରେ ତିନି ତିନି ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିବା ମୁଲାୟମ ସିଂ ଯାଦବଙ୍କ ପରିବାରରେ ମଧ୍ୟ କ୍ଷମତା ଲଢେଇ ଦେଖିବାକୁ ମିଳିଥିଲା। ୨୦୧୬ରେ ମୁଲାୟମ ସିଂ ଯାଦବ ଓ ଅଖିଳେଶଙ୍କ କିଛି ନିଷ୍ପତ୍ତିକୁ ନେଇ ଚାଲିଥିବା ବିବାଦ ବେଶ୍ ଉଲ୍ଲେଖଯୋଗ୍ୟ। ମୁଲାୟମ ସିଂ ଯାଦବ ନିଜ ଭାଇ ଶିବପାଲ୍ ଯାଦବଙ୍କୁ ଯେତେବେଳେ ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ କରିଥିଲା, ଏହାକୁ ଗ୍ରହଣ କରିନଥିଲେ ମୁଲାୟମଙ୍କ ପୁତ୍ର ଅଖିଳେଶ। ସେହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଅଖିଳେଶ ଦଳର ଏକ ବୈଠକ ଡାକି ଦଳର ନୂତନ ଅଧ୍ୟକ୍ଷ ରୂପେ ନିଜେ ଉଭା ହୋଇଥିଲେ। ଏହି ଘଟଣା ଏତେ ବିବାଦମୟ ହୋଇଥିଲା ଯେ, ଏହା ପରିଶେଷରେ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଥିଲା। ଏଠାରେ ଅଖିଳେଶ ବାଜି ମାରି ନେଇଥିଲେ ଓ ଦଳୀୟ ଚିହ୍ନ ମଧ୍ୟ ପ୍ରାପ୍ତ ହୋଇଥିଲା। ଅପରପକ୍ଷେ ୨୦୧୯ରେ ଶିବପାଲ୍ ଯାଦବ ଦଳରୁ ଅଲଗା ହୋଇ ଏକ ନୂତନ ଦଳ ଗଠନ କରି ନିର୍ବାଚନ ଲଢିଥିଲେ।
ଭାରତୀୟ ରାଜନୀତିର କ୍ଷମତାର ଲଢେଇ ଭିତରେ ସମ୍ପର୍କ ପୂରା ଫିକା। ରାଜନୀତିରେ ଆଗରେ ସମ୍ପର୍କ ମୂଲ୍ୟହୀନ। ଏଠି କେହି କାହାର ନୁହନ୍ତି। ଧୋକ୍କା, ବିଶ୍ବାସଘାତକତା ଓ ପ୍ରବଞ୍ଚନାରେ ରାଜନୀତିର ଗୋଟିରେ ପରିବାର ବନାମ କ୍ଷମତା ଭିତରେ ସମ୍ପର୍କ ଏଠି ବିପର୍ଯ୍ୟସ୍ତ।