Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚାଣକ୍ୟଙ୍କ ମାଷ୍ଟରଷ୍ଟ୍ରୋକ, ଗଣତନ୍ତ୍ରର ହତ୍ୟା ଲାଗି ସହଜ ଓ ସରଳ ଉପାୟ ସାରଣୀ 
ବିଶେଷ ଖବର

ଚାଣକ୍ୟଙ୍କ ମାଷ୍ଟରଷ୍ଟ୍ରୋକ, ଗଣତନ୍ତ୍ରର ହତ୍ୟା ଲାଗି ସହଜ ଓ ସରଳ ଉପାୟ ସାରଣୀ 

November 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କାଲି ଯାହା ଚାଣକ୍ୟଙ୍କ ମାଷ୍ଟରଷ୍ତ୍ରୋକ ଥିଲା, ଆଜି ତାହା ବୁମେରାଂ ପାଲଟି ଯାଇଛି। ୨୩ ନଭେମ୍ବର ସକାଳ ୮ ଟାରେ ସରକାର ଗଢିଥିବା ବିଜେପିର ଦେବେନ୍ଦ୍ର ଫଡନବିସ ମାତ୍ର ୮୦ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଇସ୍ତଫା ଦେବା ସମୟରେ ଦେବେନ୍ଦ୍ର ଫଡନବିସ ତାଙ୍କର ପୁରୁଣା କଥାକୁ ଦୋହରାଇଛନ୍ତି। ନିଜ ପାଖରେ ବହୁ ମତ ଅଛି ବୋଲି କହି ତିନିଦିନ ତଳେ ରାତି ଅଧରେ ସରକାର ଗଢିଥିବା ବିଜେପି ଆଜି ସୁପ୍ରିମ କୋର୍ଟଙ୍କ ବହୁମତ ସାବ୍ୟସ୍ତ କରିବାର ଆଦେଶ ପାଇବା ପରେ ତୁରନ୍ତ ପଳାୟନ କରିଛି। ସୁପ୍ରିମ କୋର୍ଟଙ୍କ ଆଦେଶର ପାଞ୍ଚ ଘଣ୍ଟା ଭିତରେ ମହାରାଷ୍ଟ୍ରରେ ସ୍ଥିତି ବଦଳି ଯାଇଛି। ପଛ ଦୁଆର ପଟେ ଆସି ରାତି ଅଧରେ କ୍ଷମତା ଦଖଲ କରିଥିବା ବିଜେପି, ବଡ ଅସହାୟ ଭାବରେ ପରାଜୟ ବରଣ କରିଛି। ଏହାକୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗ ବିଦ୍ରୁପ ଆରମ୍ଭ ହୋଇଛି। ତେବେ ଏହି ବିଦ୍ରୁପ ଭିତରୁ ଗୋଟେ ଧାଡି ବେଶ ମଜାଳିଆ। କେହିଜଣେ ଲେଖିଛନ୍ତି- ଅମିତ ଶାହ ଯାହାକୁ ଘୋଡା ବୋଲି ଭାବି କିଣିଥିଲେ, ସେ ପରିଶେଷରେ ଗଧ ପରି ବ୍ୟବହାର କଲା ଓ ଇସ୍ତଫା ଦେଇ ବିଜେପିକୁ ଅପଦସ୍ତ କଲା। କଥାଟି ଆମ ମତରେ ଆଂଶିକ ସତ। ଘୋଡା ବା ଗଧଙ୍କ ସହ ରାଜନେତାଙ୍କୁ ତୁଳନା କରିବା ଆଦୌ ଠିକ ନୁହେଁ। ଗଧ, ଘୋଡା ଇତ୍ୟାଦି ପ୍ରାଣୀମାନେ ଅତ୍ୟନ୍ତ ନିରୀହ। ସେମାନେ ରାଜନେତାଙ୍କ ପରି ବିଶ୍ଵାସଘାତକ ବା ନୀତିହୀନ ହୋଇ ପାରିବେ ନାହିଁ। ପଶୁ ଜଗତରେ ବିଶ୍ବାସର ଏକ ଭିନ୍ନ ମୂଲ୍ୟ ରହିଛି। ସେକଥା ରାଜନୀତିରେ ଦେଖିବାକୁ ମିଳେନାହିଁ।

ରାଜନୀତି କଥା ଆମେ ସମସ୍ତେ ଜାଣିଛୁ, ହେଲେ ଗଣମାଧ୍ୟମ ବି କଣ ବିଶ୍ଵାସହୀନତାର ଏକ ଅନୁଷ୍ଠାନ। ମହାରାଷ୍ଟ୍ରରେ ସରକାର ଗଢା ହେବା ଓ ଭାଙ୍ଗିବା ଭିତରେ ସବୁଠୁ ବେଶି ଭାଙ୍ଗିଛି ଗଣମାଧ୍ୟମର ବିଶ୍ଵାସନୀୟତା। ମନେପକାନ୍ତୁ, ୨୩ ତାରିଖ ସକାଳେ ଯେତେବେଳେ ମହାରାଷ୍ଟ୍ର ରାଜ୍ୟପାଳ ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ଦିଆଇଲେ, ସେତେବେଳେ ଆମ ଗଣମାଧ୍ୟମର ପ୍ରତିକ୍ରିୟା କଣ ଥିଲା। ସଂଖ୍ୟାଧିକ ଟେଲିଭିଜନ ଚାନେଲର ମୁଖ୍ୟ ଶିରୋନାମା ଥିଲା- ବିଜେପି ଚାଣକ୍ୟଙ୍କ ମାଷ୍ଟର ଷ୍ଟ୍ରୋକ। ଯେତେବେଳେ ଯାହା ବି ଅସାମ୍ବିଧାନିକ ବା ଅନୈତିକ ଘଟଣା ଘଟୁଛି, ତାକୁ ରାଜନୈତିକ ମାଷ୍ଟର ଷ୍ଟ୍ରୋକ ବୋଲି ପାଟି କରୁଥିବା ଗଣମାଧ୍ୟମ, ନିଜକୁ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ ଭାବରେ ଖଟାଇ ଚାଲିଛି। ଏହା ସବୁଠୁ ବଡ ସଙ୍କଟ। ମହାରାଷ୍ଟ୍ରରେ ଏକ ସାମ୍ବିଧାନିକ ସରକାର ନଥିଲା, ଏହା ଚୋରୀର ସରକାର ଥିଲା। କୌଣସି ପ୍ରକାର ସଂଖ୍ୟାମତ ନଥାଇ, ଅସାଧୁ ଉପାୟରେ ସରକାର ଗଢିବାକୁ ସମ୍ବିଧାନର ଅବମାନନା ବୋଲି କୁହାଯାଏ। ଏହି ପ୍ରକ୍ରିୟା ସହିତ ଦେଶର ସବୁଠୁ ବଡ ସାମ୍ବିଧାନିକ ପଦବୀର ମର୍ୟାଦା ଓ ସ୍ଵଚ୍ଛତା ମଧ୍ୟ ଜଡିତ। ସେକଥା ବିଚାରକୁ ନନେଇ, ଚାଣକ୍ୟ ବନ୍ଦନା, ଆମ ଗଣମାଧ୍ୟମର ଚରିତ୍ରକୁ କଳଙ୍କିତ କରିଛି।

କୌଣସି ବି ସମ୍ବିଧାନ ସଚେତନ ସାମ୍ବାଦିକ ଏହି ଘଟଣାରେ ପ୍ରଶ୍ନ ପଚାରିବ ଯେ ଅଜିତ ପାୱାରଙ୍କୁ ବିଶ୍ବାସକୁ ନେବା ପୂର୍ବରୁ, ରାଜ୍ୟପାଳ ଏନସିପିର ବିଧାୟକମାନଙ୍କୁ ଭେଟିଥିଲେ କି? ପାହାନ୍ତିଆ ୫.୫୭ରେ ମାନ୍ୟବର ରାଷ୍ଟ୍ରପତି ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବା ଲାଗି ଦସ୍ତଖତ କରିବା ପୂର୍ବରୁ ଏ ସମ୍ପର୍କରେ ସବିଶେଷ ବିଚାର ଆଲୋଚନା କରିଥିଲେ କି? ମନେ ରଖନ୍ତୁ, ସମ୍ବିଧାନକୁ ବନ୍ଦୀ କରିବା ଲାଗି ଏମିତି ଏକ ମଧ୍ୟ ରାତ୍ରିରେ ପୂର୍ବତନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲି ଅହମ୍ମଦ ଜରୁରୀ କାଳୀନ ପରିସ୍ଥିତର ଆଦେଶନାମାରେ ଦସ୍ତଖତ କରିଥିଲେ। ସେମିତି ସରକାରଙ୍କ ସବୁ ପ୍ରସ୍ତାବକୁ ବିନା ବିଚାର ଆଲୋଚନାରେ ମାନ୍ୟବର ରାଷ୍ଟ୍ରପତି ମାନିନେବା କୁ ନେଇ କୌଣସି ପ୍ରଶ୍ନ ନ ଉଠାଇବା, ଆଶ୍ଚର୍ୟଜନକ। ରାଜ୍ୟ ଗୁଡିକରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଧାରା ୩୫୬ ରାଷ୍ଟ୍ରପତିଙ୍କ ସଂପୂର୍ଣ୍ଣ ଅଧିକାର ପରିସରଭୁକ୍ତ ନୁହେଁ ଓ ଏହି ଅଧିକାର ସହିତ ଅନେକ ସର୍ତ୍ତ ଜଡିତ ରହିଛି ବୋଲି ସୁପ୍ରିମ କୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ଏସଆର ବୋମ୍ମାଇ ବନାମ ଭାରତ ସରକାର ମାମଲାରେ ସ୍ପଷ୍ଟ କହିଛନ୍ତି। ତା ସତ୍ତ୍ୱେ ମଧ୍ୟ ରାଷ୍ଟ୍ରପତି କ୍ୟାବିନେଟ ପ୍ରତିଟି ସୁପାରିଶକୁ ଆଖି ବୁଜି ଦସ୍ତଖତ କରୁଛନ୍ତି। ମହାରାଷ୍ଟ୍ର ରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ଲାଗି କ୍ୟାବିନେଟ ନିଷ୍ପତ୍ତି ମଧ୍ୟ ହୋଇନଥିଲା। ପ୍ରଧାନମନ୍ତ୍ରୀ ନିଜସ୍ଵ କ୍ଷମତା ବଳରେ ଏହାକୁ ହଟାଇବା ଲାଗି ସୁପାରିଶ କରିଥିଲେ। ଏ ସମ୍ପର୍କରେ କଣ ଜରୁରୀ ଆବଶ୍ୟକତା ଥିଲା, ସେ ସମ୍ପର୍କରେ ମାନ୍ୟବର ରାଷ୍ଟ୍ରପତି କୌଣସି ସ୍ପଷ୍ଟୀକରଣ ମଧ୍ୟ ମାଗିଲେ ନାହିଁ।

ରାଜ୍ୟ ରେ ସରକାର ଗଠନ ଓ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନେଇ ସୁପ୍ରିମ କୋର୍ଟ ଗତ ପାଞ୍ଚ ବର୍ଷ ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅରୁଣାଚଳ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଘଟଣାରେ ସୁପ୍ରିମ କୋର୍ଟଙ୍କ ରାୟ ବେଶୀ ପୁରୁଣା ନୁହେଁ। ତା ପୂର୍ବରୁ ଜଗଦମ୍ବିକା ପାଲ ମାମଲା, ରବି ନାଏକ ମାମଲା ଓ ବୋମ୍ମାଇ ମାମଲାରେ ସୁପ୍ରିମ କୋର୍ଟ ଅତ୍ୟନ୍ତ ସ୍ପଷ୍ଟ ମତ ରଖିଛନ୍ତି। ଏ ସବୁ ଆଲୋଚନାକୁ ଗଣମାଧ୍ୟମରେ ଆମେ ଦେଖିବାକୁ ପାଇନାହୁଁ। କେବଳ ଚାଣକ୍ୟ ଚାଣକ୍ୟ ବୋଲି କହି କୀର୍ତ୍ତନ କରିବା ଓ ହାରିଗଲା ପରେ ମୁହଁ ଲୁଚାଇବାର ନିର୍ଲ୍ଲଜ ପ୍ରକ୍ରିୟାକୁ ଆମେ ଆଜିର ସାମ୍ବାଦିକତା ବୋଲି କହୁଛୁ।

ଆଜି ଚାଣକ୍ୟଙ୍କ ମାଷ୍ଟର ଷ୍ଟ୍ରୋକ ବିଫଳ ହେଲା ପରେ ଗଣମାଧ୍ୟମରେ ଥିବା ଚାଣକ୍ୟଙ୍କ କୀର୍ତ୍ତନିଆମାନେ କଣ କହିବେ କେଜାଣି!!

 

amitsaha maharastaelection
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 14, 2026

ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 14, 2026

ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ଶ୍ଲୋକ ଲେଖିଲେ ପ୍ରଧାନମନ୍ତ୍ରୀ

January 14, 2026

ବାୟୁସେନାର ବଢିବ ଶକ୍ତି: ଭାରତରେ ନିର୍ମିତ ହେବ ୧୧୪ଟି ରାଫେଲ ଯୁଦ୍ଧ ବିମାନ

January 14, 2026
Latest News

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

January 14, 2026

ପବିତ୍ର ଉତ୍ତରାୟଣ ଅବସରରେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅମିତ ଶାହ

January 14, 2026

ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ରରେ ଦଶମ ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଦିବସ ପାଳନ

January 14, 2026

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14, 2026

ଜାନୁଆରୀ ୧୬ରେ ଇଗ୍ନୋ ବିଦ୍ୟାର୍ଥୀମାନଙ୍କ ପାଇଁ ଅନଲାଇନ୍ ପରିଚୟ ଅଧିବେଶନ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.