Categories
ବିଶେଷ ଖବର

ଚାଣକ୍ୟଙ୍କ ମାଷ୍ଟରଷ୍ଟ୍ରୋକ, ଗଣତନ୍ତ୍ରର ହତ୍ୟା ଲାଗି ସହଜ ଓ ସରଳ ଉପାୟ ସାରଣୀ 

କେଦାର ମିଶ୍ର

କାଲି ଯାହା ଚାଣକ୍ୟଙ୍କ ମାଷ୍ଟରଷ୍ତ୍ରୋକ ଥିଲା, ଆଜି ତାହା ବୁମେରାଂ ପାଲଟି ଯାଇଛି। ୨୩ ନଭେମ୍ବର ସକାଳ ୮ ଟାରେ ସରକାର ଗଢିଥିବା ବିଜେପିର ଦେବେନ୍ଦ୍ର ଫଡନବିସ ମାତ୍ର ୮୦ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଇସ୍ତଫା ଦେବା ସମୟରେ ଦେବେନ୍ଦ୍ର ଫଡନବିସ ତାଙ୍କର ପୁରୁଣା କଥାକୁ ଦୋହରାଇଛନ୍ତି। ନିଜ ପାଖରେ ବହୁ ମତ ଅଛି ବୋଲି କହି ତିନିଦିନ ତଳେ ରାତି ଅଧରେ ସରକାର ଗଢିଥିବା ବିଜେପି ଆଜି ସୁପ୍ରିମ କୋର୍ଟଙ୍କ ବହୁମତ ସାବ୍ୟସ୍ତ କରିବାର ଆଦେଶ ପାଇବା ପରେ ତୁରନ୍ତ ପଳାୟନ କରିଛି। ସୁପ୍ରିମ କୋର୍ଟଙ୍କ ଆଦେଶର ପାଞ୍ଚ ଘଣ୍ଟା ଭିତରେ ମହାରାଷ୍ଟ୍ରରେ ସ୍ଥିତି ବଦଳି ଯାଇଛି। ପଛ ଦୁଆର ପଟେ ଆସି ରାତି ଅଧରେ କ୍ଷମତା ଦଖଲ କରିଥିବା ବିଜେପି, ବଡ ଅସହାୟ ଭାବରେ ପରାଜୟ ବରଣ କରିଛି। ଏହାକୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗ ବିଦ୍ରୁପ ଆରମ୍ଭ ହୋଇଛି। ତେବେ ଏହି ବିଦ୍ରୁପ ଭିତରୁ ଗୋଟେ ଧାଡି ବେଶ ମଜାଳିଆ। କେହିଜଣେ ଲେଖିଛନ୍ତି- ଅମିତ ଶାହ ଯାହାକୁ ଘୋଡା ବୋଲି ଭାବି କିଣିଥିଲେ, ସେ ପରିଶେଷରେ ଗଧ ପରି ବ୍ୟବହାର କଲା ଓ ଇସ୍ତଫା ଦେଇ ବିଜେପିକୁ ଅପଦସ୍ତ କଲା। କଥାଟି ଆମ ମତରେ ଆଂଶିକ ସତ। ଘୋଡା ବା ଗଧଙ୍କ ସହ ରାଜନେତାଙ୍କୁ ତୁଳନା କରିବା ଆଦୌ ଠିକ ନୁହେଁ। ଗଧ, ଘୋଡା ଇତ୍ୟାଦି ପ୍ରାଣୀମାନେ ଅତ୍ୟନ୍ତ ନିରୀହ। ସେମାନେ ରାଜନେତାଙ୍କ ପରି ବିଶ୍ଵାସଘାତକ ବା ନୀତିହୀନ ହୋଇ ପାରିବେ ନାହିଁ। ପଶୁ ଜଗତରେ ବିଶ୍ବାସର ଏକ ଭିନ୍ନ ମୂଲ୍ୟ ରହିଛି। ସେକଥା ରାଜନୀତିରେ ଦେଖିବାକୁ ମିଳେନାହିଁ।

ରାଜନୀତି କଥା ଆମେ ସମସ୍ତେ ଜାଣିଛୁ, ହେଲେ ଗଣମାଧ୍ୟମ ବି କଣ ବିଶ୍ଵାସହୀନତାର ଏକ ଅନୁଷ୍ଠାନ। ମହାରାଷ୍ଟ୍ରରେ ସରକାର ଗଢା ହେବା ଓ ଭାଙ୍ଗିବା ଭିତରେ ସବୁଠୁ ବେଶି ଭାଙ୍ଗିଛି ଗଣମାଧ୍ୟମର ବିଶ୍ଵାସନୀୟତା। ମନେପକାନ୍ତୁ, ୨୩ ତାରିଖ ସକାଳେ ଯେତେବେଳେ ମହାରାଷ୍ଟ୍ର ରାଜ୍ୟପାଳ ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ଦିଆଇଲେ, ସେତେବେଳେ ଆମ ଗଣମାଧ୍ୟମର ପ୍ରତିକ୍ରିୟା କଣ ଥିଲା। ସଂଖ୍ୟାଧିକ ଟେଲିଭିଜନ ଚାନେଲର ମୁଖ୍ୟ ଶିରୋନାମା ଥିଲା- ବିଜେପି ଚାଣକ୍ୟଙ୍କ ମାଷ୍ଟର ଷ୍ଟ୍ରୋକ। ଯେତେବେଳେ ଯାହା ବି ଅସାମ୍ବିଧାନିକ ବା ଅନୈତିକ ଘଟଣା ଘଟୁଛି, ତାକୁ ରାଜନୈତିକ ମାଷ୍ଟର ଷ୍ଟ୍ରୋକ ବୋଲି ପାଟି କରୁଥିବା ଗଣମାଧ୍ୟମ, ନିଜକୁ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ ଭାବରେ ଖଟାଇ ଚାଲିଛି। ଏହା ସବୁଠୁ ବଡ ସଙ୍କଟ। ମହାରାଷ୍ଟ୍ରରେ ଏକ ସାମ୍ବିଧାନିକ ସରକାର ନଥିଲା, ଏହା ଚୋରୀର ସରକାର ଥିଲା। କୌଣସି ପ୍ରକାର ସଂଖ୍ୟାମତ ନଥାଇ, ଅସାଧୁ ଉପାୟରେ ସରକାର ଗଢିବାକୁ ସମ୍ବିଧାନର ଅବମାନନା ବୋଲି କୁହାଯାଏ। ଏହି ପ୍ରକ୍ରିୟା ସହିତ ଦେଶର ସବୁଠୁ ବଡ ସାମ୍ବିଧାନିକ ପଦବୀର ମର୍ୟାଦା ଓ ସ୍ଵଚ୍ଛତା ମଧ୍ୟ ଜଡିତ। ସେକଥା ବିଚାରକୁ ନନେଇ, ଚାଣକ୍ୟ ବନ୍ଦନା, ଆମ ଗଣମାଧ୍ୟମର ଚରିତ୍ରକୁ କଳଙ୍କିତ କରିଛି।

କୌଣସି ବି ସମ୍ବିଧାନ ସଚେତନ ସାମ୍ବାଦିକ ଏହି ଘଟଣାରେ ପ୍ରଶ୍ନ ପଚାରିବ ଯେ ଅଜିତ ପାୱାରଙ୍କୁ ବିଶ୍ବାସକୁ ନେବା ପୂର୍ବରୁ, ରାଜ୍ୟପାଳ ଏନସିପିର ବିଧାୟକମାନଙ୍କୁ ଭେଟିଥିଲେ କି? ପାହାନ୍ତିଆ ୫.୫୭ରେ ମାନ୍ୟବର ରାଷ୍ଟ୍ରପତି ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବା ଲାଗି ଦସ୍ତଖତ କରିବା ପୂର୍ବରୁ ଏ ସମ୍ପର୍କରେ ସବିଶେଷ ବିଚାର ଆଲୋଚନା କରିଥିଲେ କି? ମନେ ରଖନ୍ତୁ, ସମ୍ବିଧାନକୁ ବନ୍ଦୀ କରିବା ଲାଗି ଏମିତି ଏକ ମଧ୍ୟ ରାତ୍ରିରେ ପୂର୍ବତନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲି ଅହମ୍ମଦ ଜରୁରୀ କାଳୀନ ପରିସ୍ଥିତର ଆଦେଶନାମାରେ ଦସ୍ତଖତ କରିଥିଲେ। ସେମିତି ସରକାରଙ୍କ ସବୁ ପ୍ରସ୍ତାବକୁ ବିନା ବିଚାର ଆଲୋଚନାରେ ମାନ୍ୟବର ରାଷ୍ଟ୍ରପତି ମାନିନେବା କୁ ନେଇ କୌଣସି ପ୍ରଶ୍ନ ନ ଉଠାଇବା, ଆଶ୍ଚର୍ୟଜନକ। ରାଜ୍ୟ ଗୁଡିକରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଧାରା ୩୫୬ ରାଷ୍ଟ୍ରପତିଙ୍କ ସଂପୂର୍ଣ୍ଣ ଅଧିକାର ପରିସରଭୁକ୍ତ ନୁହେଁ ଓ ଏହି ଅଧିକାର ସହିତ ଅନେକ ସର୍ତ୍ତ ଜଡିତ ରହିଛି ବୋଲି ସୁପ୍ରିମ କୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ଏସଆର ବୋମ୍ମାଇ ବନାମ ଭାରତ ସରକାର ମାମଲାରେ ସ୍ପଷ୍ଟ କହିଛନ୍ତି। ତା ସତ୍ତ୍ୱେ ମଧ୍ୟ ରାଷ୍ଟ୍ରପତି କ୍ୟାବିନେଟ ପ୍ରତିଟି ସୁପାରିଶକୁ ଆଖି ବୁଜି ଦସ୍ତଖତ କରୁଛନ୍ତି। ମହାରାଷ୍ଟ୍ର ରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ଲାଗି କ୍ୟାବିନେଟ ନିଷ୍ପତ୍ତି ମଧ୍ୟ ହୋଇନଥିଲା। ପ୍ରଧାନମନ୍ତ୍ରୀ ନିଜସ୍ଵ କ୍ଷମତା ବଳରେ ଏହାକୁ ହଟାଇବା ଲାଗି ସୁପାରିଶ କରିଥିଲେ। ଏ ସମ୍ପର୍କରେ କଣ ଜରୁରୀ ଆବଶ୍ୟକତା ଥିଲା, ସେ ସମ୍ପର୍କରେ ମାନ୍ୟବର ରାଷ୍ଟ୍ରପତି କୌଣସି ସ୍ପଷ୍ଟୀକରଣ ମଧ୍ୟ ମାଗିଲେ ନାହିଁ।

ରାଜ୍ୟ ରେ ସରକାର ଗଠନ ଓ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନେଇ ସୁପ୍ରିମ କୋର୍ଟ ଗତ ପାଞ୍ଚ ବର୍ଷ ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅରୁଣାଚଳ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଘଟଣାରେ ସୁପ୍ରିମ କୋର୍ଟଙ୍କ ରାୟ ବେଶୀ ପୁରୁଣା ନୁହେଁ। ତା ପୂର୍ବରୁ ଜଗଦମ୍ବିକା ପାଲ ମାମଲା, ରବି ନାଏକ ମାମଲା ଓ ବୋମ୍ମାଇ ମାମଲାରେ ସୁପ୍ରିମ କୋର୍ଟ ଅତ୍ୟନ୍ତ ସ୍ପଷ୍ଟ ମତ ରଖିଛନ୍ତି। ଏ ସବୁ ଆଲୋଚନାକୁ ଗଣମାଧ୍ୟମରେ ଆମେ ଦେଖିବାକୁ ପାଇନାହୁଁ। କେବଳ ଚାଣକ୍ୟ ଚାଣକ୍ୟ ବୋଲି କହି କୀର୍ତ୍ତନ କରିବା ଓ ହାରିଗଲା ପରେ ମୁହଁ ଲୁଚାଇବାର ନିର୍ଲ୍ଲଜ ପ୍ରକ୍ରିୟାକୁ ଆମେ ଆଜିର ସାମ୍ବାଦିକତା ବୋଲି କହୁଛୁ।

ଆଜି ଚାଣକ୍ୟଙ୍କ ମାଷ୍ଟର ଷ୍ଟ୍ରୋକ ବିଫଳ ହେଲା ପରେ ଗଣମାଧ୍ୟମରେ ଥିବା ଚାଣକ୍ୟଙ୍କ କୀର୍ତ୍ତନିଆମାନେ କଣ କହିବେ କେଜାଣି!!

 

Categories
ବିଶେଷ ଖବର

କଣ ହେବ ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ; ଆଶଙ୍କା ଓ ସମ୍ଭାବନା

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଯଦିଓ ପାଓ୍ବାର ଆଜି କୃଷକଙ୍କ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା କହିଛନ୍ତି, ହେଲେ  ରାଜନୈତିକ ମହଲରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଦେଖାଦେଇଛି । ଦୁହେଁ ପାଖାପାଖି ଅଧଘଣ୍ଟାଏ ପାଖାପାଖି ସାକ୍ଷାତ କରିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ପରେ ଶରଦ ପାଓ୍ବାର କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ଏବଂ ଆସନ୍ତା ବର୍ଷ ଅର୍ଥାତ୍‌ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ଦୁଇ ତାରିଖ ମଧ୍ୟରେ ହେବାକୁ ଥିବା ବସନ୍ତ ଦାଦା ସୁଗାର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରୋଗ୍ରାମ୍‌ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ମୋଦିଙ୍କୁ ସାକ୍ଷାତ କରିବା ପୂର୍ବରୁ କୃଷକଙ୍କ ସମସ୍ୟା ସମ୍ବଳିତ ଏକ ପତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ଏନ୍‌ସିପି ମୁଖ୍ୟ । ଏହି ପତ୍ରରେ ଦୁଇ ଜିଲ୍ଲାରେ ହୋଇଥିବା ଫସଲ ନଷ୍ଟ ସମ୍ପର୍କରେ ସୂଚନା ରହିଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ରାଜ୍ୟସଭାରେ ଏନସିପିର ପ୍ରଶଂସା କରିଥିବାବେଳେ ଏନ୍‌ସିପି ମୁଖ୍ୟ ମୋଦିଙ୍କ ଭେଟିବାକୁ ନେଇ ରାଜନୈତିକ ମହଲରେ ଏକ ଭିନ୍ନ ସମୀକରଣର ଆଭାସକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ । ଅପରପକ୍ଷେ ଶିବସେନା ପାୱାର ଓ  ମୋଦିଙ୍କ ସାକ୍ଷାତକୁ ସୌଜନ୍ୟମୂଳକ ତଥା ସାମାନ୍ୟ କହି ଏହି ସମୀକରଣ ର ସମ୍ଭାବନାକୁ  ଖଣ୍ଡନ କରିଛି । ଶିବସେନାର ବରିଷ୍ଠ ସାଂସଦ ସଞ୍ଜୟ ରାୱତ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଯଦି କୌଣସି ନେତା ସାକ୍ଷାତ କରେ ତେବେ କ’ଣ କିଛି ଖେଳ ହୋଇଥାଏ କି ? ସଂସଦ ଭିତରେ ହେଉ ଅଥବା ବାହାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିହେବ । ଶରଦ ପାଓ୍ବାରଙ୍କୁ ରାଜ୍ୟର ସ୍ଥିତି ବିଷୟରେ ଜଣା ଅଛି । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ଦିନ ପୂର୍ବର ହିଁ ଏନସିପି ଏବଂ ବିଜେଡିକୁ ରାଜ୍ୟସଭାରେ ପ୍ରଶଂସା କରିଥିଲେ ।

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେବି ଅସ୍ଥିରତା ଲାଗି ରହିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋଟିଏ ପଟେ ଜିଦ୍‌ ଧରି ରହିଥିବାବେଳେ ଏନ୍‌ସିପି ଓ କଂଗ୍ରେସ ଶିବସେନା ସହ ମେଣ୍ଟ ବିଳମ୍ବିତ ହେବାରେ ଲାଗିଛି । ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାବେଳେ ସରକାର ଗଠନ କରିବା ନେଇ ଏନ୍‌ସିପି ଓ କଂଗ୍ରେସ ଆଭିମୁଖ୍ୟ ଅସ୍ପଷ୍ଟ ରହୁଛି । ଗୋଟିଏ ପଟେ ଏନ୍‌ସିପି ମୁଖ୍ୟ ସୋନିଆ ଗାନ୍ଧିଙ୍କ ସାକ୍ଷାତ କରି ସରକାର ଗଠନ ବିଷୟରେ ଆଲୋଚନା କରୁଥିବାବେଳେ ଅନ୍ୟପଟେ ଆଉ କିଛି ସମୟ ଲାଗିବ ବୋଲି କହୁଛନ୍ତି । ମହାରାଷ୍ଟ୍ରରେ ଶିବସେନା ସହିତ ଏନ୍‌ସିପି ଓ କଂଗ୍ରେସ ମେଣ୍ଟ କରିବା ନେଇ ଏକପ୍ରକାର ଅନିଶ୍ଚିତତା ଦେଖାଯାଉଛି । ନିକଟରେ କର୍ଣ୍ଣାଟକରେ ମେଣ୍ଟ ସରକାରର ବିଫଳତା ପରେ ପୁଣି ଥରେ ସେହି ମେଣ୍ଟକୁ ନେଇ ଆଶଙ୍କା ପ୍ରକଟ କରୁଛି କଂଗ୍ରେସ । ଅପରପକ୍ଷେ ଏନ୍‌ସିପି ଶିବସେନା ଓ କଂଗ୍ରେସର ତାଳମେଳକୁ ଭଲ ଭାବେ ତଉଲିବାରେ ଲାଗିପଡିଛି । ପୁଣି ଶିବସେନା ନିଜ ପାଖରେ ସରକାର ଗଢିବାକୁ ପର୍ଯ୍ୟାପ୍ତ ବିଧାୟକ ରହିଛନ୍ତି ବୋଲି ଦମ୍ଭୋକ୍ତି ଦେଖାଉଥିବାବେଳେ ସରକାର ଗଠନରେ ଉଭୟ କଂଗ୍ରେସ ଓ ଏନ୍‌ସିପିଙ୍କ ସହଚର୍ଯ୍ୟ ପାଇଁ ଅପେକ୍ଷାରତ ରହିଛି । ମହାରାଷ୍ଟ୍ରରେ ପ୍ରତି ମୁହୂର୍ତ୍ତରେ ରାଜନୀତିର ସମୀକରଣ ବଦଳିବାରେ ଲାଗିଛି । ନିର୍ବାଚନ ହେବାର ମାସେ ପରେ ବି ମହାରାଷ୍ଟ୍ର ରାଜନୀତି ସେମିତି ଧୂଆଁଳିଆ ପରିସ୍ଥିତିରେ ଗତି କରୁଛି । ରାଜ୍ୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ନୂଆ ନାଟକ ଦେଖିବାକୁ ମିଳୁଛି । ତେବେ ମହାରାଷ୍ଟ୍ରବାସୀଙ୍କ ସମେତ ସମସ୍ତ ରାଜନୈତିକ ସମୀକ୍ଷକ ରାଜ୍ୟରେ ଖୁବ ଶୀଘ୍ର ସରକାରର ଚିତ୍ର ସ୍ପଷ୍ଟ ହେବା ଅର୍ଥାତ୍‌ ଜନାଦେଶର ମର୍ଯ୍ୟାଦା ରହିବା ନେଇ ଆଶାବାଦୀ ରହିଛନ୍ତି ।