Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉଖାଡ କେ ଫେକ ଦୋ, କେଉଁ ସଭ୍ୟ ସମାଜର ରାଜନୈତିକ ଭାଷା ଇଏ ?
ବିଶେଷ ଖବର

ଉଖାଡ କେ ଫେକ ଦୋ, କେଉଁ ସଭ୍ୟ ସମାଜର ରାଜନୈତିକ ଭାଷା ଇଏ ?

February 4, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତୀୟ ଜନତା ପାର୍ଟିର ଭାଷା ଓ ଭାଷଣରେ ଗୋଟେ ନାଟକୀୟତା ସବୁବେଳେ ରହି ଆସିଛି। ଏପରିକି ବିଜେପିର ତୁଙ୍ଗତମ ଜନନେତା ଅଟଳ ବିହାରୀ ବାଜପାୟୀଙ୍କ ଭାଷଣରେ ବି ନାଟକୀୟତାର ଆଭାସ ରହିଥିଲା। ହେଲେ ବାଜପାୟୀ ନେହେରୁ ସମୟର ରାଜନୀତିରୁ ଶାଳୀନତା ଓ ଭଦ୍ରତାର ଭାଷା ଶିଖିଥିଲେ। ତେଣୁ ତାଙ୍କର କଠୋର ସମାଲୋଚକ ମଧ୍ୟ ବାଜପାୟୀଙ୍କୁ ଶ୍ରଦ୍ଧାର ସହ ଶୁଣୁଥିଲେ। ତେବେ ୨୦୧୪ ପରଠୁ ବିଜେପିର ଯେଉଁ ନୂଆ ଚେହେରା ଉଦୟ ହୋଇଛି, ସେ ଚେହେରାରେ ଶିଷ୍ଟାଚାର ଓ ଶାଳୀନତାର କୌଣସି ଆଭାସ ନାହିଁ। କ୍ଷମତାର ଅହଂକାର ଓ ଏକଛତ୍ରବାଦୀ ମାନସିକତାର ଏ ଭାଷା ଏବେ କେବଳ ଭାରତୀୟ ରାଜନୀତି ନୁହେଁ, ବରଂ ଆମର ପୂରା ସାମାଜିକ ଜୀବନକୁ ଧ୍ଵସ୍ତ ବିଧ୍ଵସ୍ତ କରିବା ଆରମ୍ଭ କଲାଣି। ଏହି କ୍ରମରେ ବିଜେପିର ଜାତୀୟ ସଭାପତି ଅମିତ ଶାହା ଓଡିଶା ଆସି ଯେଉଁ ଭାଷଣ ସବୁ ଦେଉଛନ୍ତି, ତାକୁ ଶୁଣିଲେ ମାନେ ହେଉଛି, ଆମେ ବୋଧ ହୁଏ ଏବେବି ସାମନ୍ତବାଦୀ ମଧ୍ୟଯୁଗରେ ବସବାସ କରୁଛୁ। ଯେମିତି ପୁରୁଣା ସାମନ୍ତବାଦୀ ରାଜାମାନେ ନିଜର ପ୍ରତିଦ୍ଵନ୍ଦ୍ଵୀ ରାଜାକୁ ଓପାଡି ଫୋପାଡି ଦେବାର ସଂକଳ୍ପ ନେଉଥିଲେ, ଏକ ଗାଣତାନ୍ତ୍ରିକ ଦେଶର ଶାସକ ଦଳର ମୁଖିଆ ଠିକ ସେଇ ଭାଷାରେ କଥାବାର୍ତ୍ତା କରୁଛନ୍ତି।

ଅମିତ ଶାହାଙ୍କ ପ୍ରିୟ ବାକ୍ୟ ହେଉଛି- ଉଡିଶା ସରକାରକୋ ଉଖାଡ କେ ଫେକ ଦୋ। ଶାହାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ବିଜେପିର ଚୁଇଁ ଚୁଇଁ ନେତା ବି କହୁଛନ୍ତି- ଏ ସରକାରକୁ ଓପାଡି ବଂଗୋପ ସାଗରରେ ଫୋପାଡିଦେବୁ। ବୋଧ ହୁଏ ଭାରତୀୟ ରାଜନୀତିରେ ଏତେ ନିମ୍ନ ସ୍ତରର ରାଜନୈତିକ ଭାଷା ଆମେ ପ୍ରଥମ ଥର ଲାଗି ଶୁଣୁଛୁ। ରାଜନୀତିରେ ବିରୋଧୀ ଦଳ ରହିବେ ଓ  ସେମାନେ ଶାସକ ଦଳକୁ ବିରୋଧ ମଧ୍ୟ କରିବେ। ତେବେ ଓପାଡି କେହି କାହାକୁ ଫୋପାଡିବାର ମାଲିକ ଏଠି କେହି ନୁହନ୍ତି। ଏ ଦେଶର ଜନତା କାହାକୁ ଓପାଡିବେ, କାହାକୁ ଫୋପାଡିବେ ଓ କାହା ମୁଣ୍ଡରେ ସୁନା କଳସ ଢାଳିବେ, ସେକଥା ସେମାନେ ଭୋଟ ମାଧ୍ୟମରେ ନିର୍ଣ୍ଣୟ କରନ୍ତି। ରାଜନୈତିକ ଦଳମାନେ ଏକଥା ମଧ୍ୟ ମନେ ରଖିବା ଉଚିତ ଯେ ବହୁମତ ପାଇ ଶାସନର ଅଧିକାର ମିଳିଲେ ମଧ୍ୟ ଗଣତନ୍ତ୍ରରେ ଅଳ୍ପମତକୁ ଓପାଡି ଫୋପାଡି ଦେବାର ଅଧିକାର ମିଳିନାହିଁ। କେବଳ ଫାଶିବାଦୀ ମାନସିକତାରେ ବଞ୍ଚୁଥିବା ଲୋକ ଏପ୍ରକାର ଭାଷା ବ୍ୟବହାର କରିବାକୁ ପସନ୍ଦ କରିବ।

ନିର୍ବାଚନ ଏବେ ଆଉ ମାସେ ବାକି। ନିର୍ବାଚନରେ କିଏ ଜିତିବ ହାରିବ ସେକଥା ଲୋକେ ବିଚାର କରିବେ। ହେଲେ ଲୋକମତ ଆଗରେ ନିଜର ଅହଂକାର କୁ ଖୁବ ବଡ କରି ଥୋଇବାର ଭୟଙ୍କର ପରିଣତି ଆମ ସମାଜ ଇ ଭୋଗିବ। ଆମେ ନିର୍ବାଚନକୁ ଏକ ନିୟମିତ ଗଣତାନ୍ତ୍ରିକ ପ୍ରକ୍ରିୟା ବୋଲି ନଭାବୀ, ଏହାକୁ ଯୁଦ୍ଧ ଭାବରେ ବିବେଚନା କରିବୁ। ଏହାର ଅନ୍ତିମ ପରିଣତି ହେବ ଆମର କଷ୍ଟ ଅର୍ଜିତ ସ୍ଵାଧୀନତା ଓ ଗଣତନ୍ତ୍ରର ବିପର୍ୟୟ। ଅମିତ ଶାହା ହୁଏତ ନବୀନ ପଟ୍ଟନାୟକଙ୍କୁ ଉଖାଡି ଫୋପାଡି ଦେବାର ବାହାସ୍ଫୋଟ ମାରୁ ମାରୁ ନିଜେ କଚାଡି ହୋଇ ପଡି ଯାଇପାରନ୍ତି, ଏଇ ସମ୍ଭାବନାକୁ କିଏ ଅସ୍ଵୀକାର କରିବା!!

କ୍ଷମତା ଏମିତି କିଛି ନୁହଁ ଯେ ଆପଣ କାହାକୁ ଓପାଡି ଫୋପାଡି ଦେଇ ପାରିବେ। ଓଡିଶାରେ ନବୀନ ପଟ୍ଟନାୟକ ୧୯ ବର୍ଷ ଶାସନ କଲେଣି, ସେ କଣ କଂଗ୍ରେସ ବା ବିଜେପି କୁ ଓପାଡି ଫୋପାଡି ଦେଇ ପାରିଲେ କି ? ୭୦ ବର୍ଷର ସ୍ଵାଧୀନତା ପରେ ୫୦ ବର୍ଷ ଧରି ନିରଙ୍କୁଶ କ୍ଷମତା ଭୋଗ କରିଥିବା କଂଗ୍ରେସ ଦଳ ଆରଏସଏସ/ଜନସଙ୍ଘ/ବିଜେପିକୁ ଓପାଡି ଫୋପାଡି ପାରିଥିଲା କି? ପଶ୍ଚିମବଙ୍ଗ ଓ କେରଳରେ ଦୀର୍ଘ ବର୍ଷର ବାମପନ୍ଥୀ ଶାସନ ଦକ୍ଷିଣପନ୍ଥୀଙ୍କୁ ଓପାଡି ଫୋପାଡି ପାରିଛି କି? ଗଣତନ୍ତ୍ରର ମୂଳ ଭିତ୍ତି ହେଉଛି, ସବୁ ପ୍ରକାର ବିରୋଧ ସତ୍ତ୍ୱେ ସବୁ ପ୍ରକାର ବିଚାର ଏ ଦେଶରେ ରହିବ।

ପୁରୀରେ ଅମିତ ଶାହାଙ୍କ ଓପାଡି ଫୋପାଡି ଦେବାର ବାହାସ୍ଫୋଟ କୁ ନେଇ କ୍ରୋଧ ତୁଳନାରେ ଦୟା କରିବା ଅଧିକ ଯୁକ୍ତିଯୁକ୍ତ ହେବ । ପାଞ୍ଚ ବର୍ଷ ଧରି ବିଜେଡି ଠାରୁ ସଂସଦ ଭିତରେ ବିଜେଡି ଠାରୁ ସମର୍ଥନ ପ୍ରାର୍ଥନା କରିଥିବା ବିଜେପି ଏବେ ବିଜେଡି କୁ କଂଗ୍ରେସର ବି ଟିମ ବୋଲି କହୁଛି। ଏକଥା କହିଲା ବେଳେ ଅମିତ ଶାହା ଭୁଲି ଯାଉଛନ୍ତି ଯେ ୨୦୦୦-୨୦୦୯, ନଅ ବର୍ଷ ଧରି ବିଜେପି ନବୀନଙ୍କ ଶାସନ ର ଅଂଶୀଦାର ଥିଲା। ସେତେବେଳେ ନବୀନ ବାବୁ ଓଡିଆ କହିପାରନ୍ତି ନାହିଁ ବୋଲି ବିଜେପି ନେତାଏ ଜାଣି ନଥିଲେ କି? ଶାସନରେ ୯ ବର୍ଷ ଓ ଏନଡିଏର ଅଂଶୀଦାର ଭାବରେ ୧୩ ବର୍ଷ କାଳ ନବୀନ ବାବୁ ବିଜେପିକୁ ସହଯୋଗ ଦେଇ ଆସିଛନ୍ତି। ସେକଥା କଣ ଇତିହାସବହିରୁ ଲିଭି ଯାଇଛି?

ନିର୍ବାଚନ ଆସିବ ଓ ଯିବ, ହେଲେ ନିର୍ବାଚନ ଜିତିବା ଲାଗି କି ପ୍ରକାର ଆଚରଣ ରାଜନୈତିକ ଦଳ ଗୁଡିକ କରୁଛନ୍ତି, ତାରି ଉପରେ ଆମର ସାମାଜିକ ଭବିଷ୍ୟତ ନିର୍ମାଣ ହେବ। ରାସ୍ତା ଘାଟର ଟପୋରି କିମ୍ବା ଚାରଣିଆ ଗୁଣ୍ଡା ଭଳି ଭାଷା ବ୍ୟବହାର ଗୋଟେ ଜାତୀୟ ଦଳର ସଭାପତିଙ୍କ ମୁହଁ ରେ ଅତି କଦର୍ୟ ଶୁଭୁଛି, ଏକଥା ଅମିତ ଶାହାଙ୍କୁ କେହି ବୁଝାଇ କହିବା ଉଚିତ ନୁହଁ କି? ଆଶା କରାଯାଉ, ଭାରତର ଜଣ ସାଧାରଣ ତାଙ୍କୁ ଏକଥା ଆଉ ଅଳ୍ପ ଦିନ ଭିତରେ ବୁଝାଇ ଦେବେ।

amitshah bjpodisha kedarmishra
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.