ଅର୍ଥ ଅଭାବରୁ ଖର୍ଚ୍ଚକାଟ କରୁଛନ୍ତି ସରକାର, ଶିକ୍ଷାରେ ବ୍ୟୟ କମାଇ ଜେଲ୍‌ ତିଆରି କରିବାକୁ କରୁଛନ୍ତି ଯୋଜନା

Published: Dec 14, 2019, 3:39 pm IST

ରଙ୍ଗାଚରଣ ପ୍ରଧାନ

ମୋଟ କଥା ହେଲା ସରକାରଙ୍କ ପାଖରେ ଟଙ୍କା ନାହିଁ। ସେଥିପାଇଁ ସରକାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ଗୋଟିକ ପରେ ଗୋଟିଏ ଖର୍ଚ୍ଚ କାଟିବାରେ ଲାଗିଛନ୍ତି।

ଏକ ଇଂରାଜୀ ଅନ୍-ଲାଇନ୍ ପୋର୍ଟାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ସ୍କୁଲଶିକ୍ଷା ପାଇଁ ବଜେଟରେ ହୋଇଥିବା ଅର୍ଥବରାଦରୁ ୩୦୦୦ କୋଟିଟଙ୍କା କାଟିବାକୁ ଯାଉଛନ୍ତି। ଏହା ଦ୍ବାରା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟଗୁଡିକ ପ୍ରଭାବିତ ହେବେ। ଏପର୍ଯ୍ୟନ୍ତ ସେସବୁ ସ୍କୁଲଗୁଡିକରେ ଅଧିକାଂଶ ଶିକ୍ଷକ ଦରମା ପାଇନାହାନ୍ତି ବୋଲି ମାନବ ସମ୍ବଳ ବିକାଶ ବିଭାଗର ସୂତ୍ରକୁ ଉଦ୍ଧାର କରି ପୋର୍ଟାଲଟି ଲେଖିଛି । ଏହା ଦ୍ବାରା ସରକାରଙ୍କର ‘ସମଗ୍ର ଶିକ୍ଷା ଅଭିଯାନ’ ଯୋଜନାଟି ମଧ୍ୟ ଗୁରୁତରଭାବେ ବାଧାପ୍ରାପ୍ତ ହେବ।

କେନ୍ଦ୍ର ସରକାର ‘ଭାରତୀୟ ଖାଦ୍ୟ ନିଗମ’କୁ ଧାନ କିଣିବା ପାଇଁ ଟଙ୍କା ଦେଉ ନଥିବାରୁ ନିଜ ଦ୍ବାରା ୠଣ ପରିଶୋଧ କରିବାର ସମ୍ଭାବନା ନଥାଇ ମଧ୍ୟ ନିଗମ ଗତ ଦୁଇ ବର୍ଷ ଧରି ‘ନ୍ୟାସନାଲ୍ ସ୍ମଲ୍ ସେଭିଂ ଫଣ୍ଡ’ (ଏନ୍.ଏସ୍.ଏସ୍.ଏଫ୍) ଠାରୁ ୮.୪% ସୁଧ ହାରରେ ୠଣ ଆଣୁଛି। ପରିସ୍ଥିତି ଏପରି ହେଲାଣି ଯେ ପୂର୍ବ ୠଣର କିସ୍ତି ପରିଶୋଧ କରିବା ପାଇଁ ପୁଣି ଥରେ ୠଣ କରାଯାଉଛି । ଗତ ମାର୍ଚ୍ଚ ମାସ ସୁଦ୍ଧା ଏଫ୍.ସି.ଆଇ ଏନ୍.ଏସ୍.ଏସ୍.ଏଫ୍ ଠାରୁ କରିଥିବା ୠଣର ପରିମାଣ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି।

ଇତି ମଧ୍ୟରେ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦେଶର ୧୩ କୋଟି ଲୋକ ପଞ୍ଜିକୄତ ହୋଇଛନ୍ତି । ସେମାନଙ୍କୁ ଆଇନ୍ ଅନୁସାରେ ବର୍ଷକୁ ୧୦୦ ଦିନ କାମ ଦେବା ବଦଳରେ ଯଦି ୫୦ ଦିନ ବି ଦିଆଯାଏ ତେବେ ବର୍ତ୍ତମାନର ଦୈନିକ ୨୧୭ ଟଙ୍କା ମଜୁରୀରେ ବର୍ଷକୁ ୮୧୦୦୦ କୋଟି ଟଙ୍କା ଆବଶ୍ୟକ। ଗତ ବର୍ଷ ଏହି ବାବଦରେ ୬୧୦୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଚଳିତ ବର୍ଷ ତାହାକୁ କମାଇ ୬୦୦୦୦ କୋଟି ଟଙ୍କାରେ ସୀମିତ ରଖାଯାଇଛି, ଯଦିଓ ଗତ ବର୍ଷ ମନରେଗା କାମର ଚାହିଦାରେ ୧୦% ବୄଦ୍ଧି ପାଇଛି।

ପିଏମ୍-କିଷାନ ଯୋଜନାର ଓ୍ବେବସାଇଟରୁ ଜଣାପଡେ ଯେ ଏଥିପାଇଁ ଦେଶର ୮.୩୩ କୋଟି ଚାଷୀ ହିତାଧିକାରି ଥିବାବେଳେ ନିର୍ବାଚନ ପୁର୍ବରୁ ବଣ୍ଟା ଯାଇଥିବା ପ୍ରଥମ କିସ୍ତିରେ ୭.୬୭ କୋଟି ଚାଷିଙ୍କୁ ଟଙ୍କା ମିଳିଥିଲା। ନିର୍ବାଚନ ସରିଯିବା ପରେ ଦ୍ବିତୀୟ କିସ୍ତିରେ ୭.୦୧ କୋଟି, ତୄତୀୟ କିସ୍ତିରେ ୫.୧୪ କୋଟି ଓ ଚତୁର୍ଥ କିସ୍ତିରେ ଏପର୍ଯ୍ୟନ୍ତ ୧.୪୬ କୋଟି ଚାଷିଙ୍କୁ ଟଙ୍କା ମିଳିଛି। ଗତ ମଇ ମାସରେ ଏକ ନୋଟିସ୍ ଜାରିକରି ସରକାର ଘୋଷଣା କରିଥିଲେ ଯେ କେବଳ ୨ ଏକର ଜମିର ମାଲିକ ନୂହେଁ, ଏଣିକି ସମସ୍ତ ଚାଷିଙ୍କୁ ଏହି ରାଶି ମିଳିବ ଓ ଏଥିପାଇଁ ୮୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ମାତ୍ର ଏହାପରେ ଜୁଲାଇ ମାସରେ ଯେତେବେଳେ ନୂଆ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କଲେ ଦେଖାଗଲା ଯେ ଏଥିପାଇଁ ମାତ୍ର ୭୫ ହଜାର କୋଟି ଟଙ୍କା ବରାଦ ହୋଇଛି।

ସରକାରଙ୍କ ଟିକସ ଆଦାୟକୁ ଦେଖିବାକୁ ଗଲେ ପରୋକ୍ଷ କର ମଧ୍ୟରୁ ଜିଏସଟି ଆଦାୟ ହିଁ ମୁଖ୍ୟତଃ ସବୁକିଛି। ସରକାର ଲକ୍ଷ୍ୟ ରଖିଥିଲେ ଯେ ପ୍ରତିମାସରେ ୧ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ କରିବେ। ମାତ୍ର କ୍ବଚିତ୍ ତାହା ସମ୍ଭବ ହୋଇପାରୁଛି। ଅକ୍ଟୋବର ଏକ ପୂଜା ମାସ ହୋଇଥିବାରୁ ଲଗାତର ତିନିମାସ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ କମ୍ ରହିବା ପରେ ନଭେମ୍ବର ମାସରେ ତାହା ଉପରକୁ ଉଠିଛି । ଜିଏସଟି ଆଇନ୍ ଅନୁସାରେ ଯେଉଁ ରାଜ୍ୟ ତାହାର ଟିକସ ଆଦାୟରେ ୧୪% ବୄଦ୍ଧି କରି ନ ପାରିବ କେନ୍ଦ୍ର ସରକାର ତାହାର କ୍ଷତିପୂରଣ କରିବେ ଏବଂ କେନ୍ଦ୍ର ସରକାର ସେଥିପାଇଁ ଏକ କ୍ଷତିପୂରଣ ସେସ୍ ମଧ୍ୟ ଆଦାୟ କରୁଛନ୍ତି। ମାତ୍ର କିଛି ଦିନ ପୁର୍ବେ ୭ଟି ରାଜ୍ୟର ଅର୍ଥମନ୍ତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ସେହି ରାଶି ସମ୍ପୂର୍ଣ ଭାବେ ମିଳୁନାହିଁ ଏବ ଗତ ୪ ମାସ ଧରି ସେମାନଙ୍କର କେନ୍ଦ୍ର ସରକାରଙ୍କ ଉପରେ ୫୦ ହଜାର କୋଟି ଟଙ୍କା ବକେୟା ଅଛି। ଖୁବ୍ ଶୀଘ୍ର ତାହା ନ ମିଳିଲେ ସେମାନେ ସୁପ୍ରିମ୍ କୋର୍ଟକୁ ଯିବେ ବୋଲି ଧମକ ଦେଇଛନ୍ତି। ଇତି ମଧ୍ୟରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୂଯାୟୀ ସରକାର ଜିଏସଟି ଦର ପୁଣିଥରେ ବୄଦ୍ଧି କରିବେ ବୋଲି ଚିନ୍ତା କରୁଛନ୍ତି।

ସରକାର ଚଳିତ ଆର୍ଥିକ ବର୍ଷରେ ୧୩.୩୫ ଲକ୍ଷ ଟଙ୍କାର ପ୍ରତ୍ୟକ୍ଷ କର ସଂଗ୍ରହ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମାତ୍ର ଗତ ନଭେମ୍ବର ଶେଷ ସୁଦ୍ଧା ୫.୫ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଏଥି ମଧ୍ୟରୁ କରପୋରେଟ୍ ଟିକସ ଓ ବ୍ୟକ୍ତିଗତ ଆୟକର ଆଦାୟ ଗତ ବର୍ଷର ଏହି ଅବଧିଠାରୁ ଯଥାକ୍ରମେ ୧% ଓ ୧.୫% ବୄଦ୍ଧି ହୋଇଛି। ତେଣୁ ବର୍ଷ ଶେଷ ସୁଦ୍ଧା ସରକାର ତାଙ୍କ ପ୍ରତ୍ୟକ୍ଷ କର ଆଦାୟର ଲକ୍ଷ୍ୟ ହାସଲ କରିବାକୁ ହେଲେ ଟିକସ ଆଦାୟରେ ବାକୀ ୪ ମାସରେ ୩୧% ବୄଦ୍ଧି ପାଇବା ଆବଶ୍ୟକ। ଏହା ଅସମ୍ଭବ ମନେ ହୁଏ । ଏଠାରେ ମନେ ରଖିବାକୁ ହେବ ଯେ ଗତ ସେପ୍ଟେମ୍ବର ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କମ୍ପାନୀମାନଙ୍କ ପାଇଁ ୧.୪୫ ଲକ୍ଷ କୋଟି ଟଙ୍କାର ଯେଉଁ ଟିକସ ହ୍ରାସ ଘୋଷଣା କରିଥିଲେ ତାହାର ପ୍ରଭାବ ଏ ପର୍ଯ୍ୟନ୍ତ ଟିକସ ସଂଗ୍ରହରେ ପଡିନାହିଁ । ତେଣୁ ଆସନ୍ତା ୪ ମାସରେ ତାହାର ପ୍ରଭାବ ପଡିବା ଆରମ୍ଭ ହେବା ପରେ ଟିକସ ଆଦାୟ ଆହୁରି କମିଯିବାର ଆଶଙ୍କା ଅଛି।

କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ବଜେଟରେ ଲକ୍ଷ ଧାର୍ଯ୍ୟ କରିଥିଲେ ଯେ ଖର୍ଚ୍ଚ ଆଦାୟ ଠାରୁ ୭.୦୩ ଲକ୍ଷ କୋଟି ଟଙ୍କା ଅଧିକ ରହିବ। ଅର୍ଥାତ ଏହି ବିତ୍ତୀୟ ନିଅଣ୍ଟ ସକଳ ଘରୋଇ ଉତ୍ପାଦର ବା ଜିଡିପିର ୩.୩% ମଧ୍ୟରେ ସୀମିତ ରହିବ। କିନ୍ତୁ ଖବର ଆସିଲାଣି ଯେ ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ନିଅଣ୍ଟ ୭.୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ବା ପୂରା ବର୍ଷର ଲକ୍ଷ୍ୟର ୧୦୨.୪% ହୋଇ ସାରିଲାଣି । ଦେଶରେ ଚାହିଦା ବୄଦ୍ଧି କରି ଅର୍ଥନୀତିକୁ ଉପରକୁ ଠେଲିବା ପାଇଁ ସରକାର ବ୍ୟକ୍ତିଗତ ଆୟକର ଦର କମାଇବା ପାଇଁ ଦାବୀ ହେଉଛି। ତାହା ହୁଏତ ଚାହିଦା ବଢାଇପାରେ ଏବଂ ଏହା ମଧ୍ୟ ସମୟର ଆବଶ୍ୟକତା ହୋଇପାରେ କିନ୍ତୁ ଏହା ହେଲେ ସରକାରଙ୍କ ରାଜସ୍ବ ଆଦାୟ ଆହୁରି କମିଯିବ । ଏଣେ ସେପ୍ଟେମ୍ବରରେ ସରିଥିବା ତ୍ରୈମାସିକରେ ଜିଡିପି ବୄଦ୍ଧିଦର ନୈରାଶ୍ୟଜନକ ୪.୫%କୁ ଖସି ଆସିଥିବାରୁ ଜିଡିପି ପରିମାଣ ଲକ୍ଷ୍ୟଠାରୁ ଅନେକ କମ୍ ରହିବ ଓ ସେଥିଯୋଗୁଁ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ୩.୩%ରୁ ଅନେକ ଅଧିକ ହେବ ଯାହା ଅର୍ଥନୀତିର ଏକ ଦୁର୍ଭାଗ୍ୟଜନକ ଚିତ୍ର ପ୍ରଦାନ କରିବ।

ତେଣୁ ସରକାର ଯଦି ବିଭିନ୍ନ ଲୋକାଭିମୁଖୀ କାମ ପାଇଁ ବ୍ୟୟ କମାଇ ଚାଲିବେ ତେବେ ଲୋକଙ୍କ ପକେଟକୁ ଟଙ୍କା ଆସିବ ନାହିଁ ଏବଂ ଏବେର ଚାହିଦା ଅଭାବ ଜନିତ ଆର୍ଥିକ ମାନ୍ଦାବସ୍ଥାକୁ ଏହା ଆହୁରି ଉତ୍କଟ କରିବ। ଅନ୍ୟ ପକ୍ଷରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ସରକାରଙ୍କର ଟିକସ ସଂଗ୍ରହ କମିବାରେ ଲାଗିବ । ସରକାର ଯଦି ନିଅଣ୍ଟ ଅବସ୍ଥାକୁ ମୁକାବିଲା କରିବା ପାଇଁ ଟଙ୍କା ଛାପନ୍ତି ତେବେ ଏହା ମୂଦ୍ରାସ୍ଫିତି ବଢାଇବ । ତେଣୁ ମୋଟ ଆର୍ଥିକ ପରିସ୍ଥିତିକୁ ଦେଖିଲେ ଜଣାଯିବ ଯେ ସରକାର ଏକ ହରଡଘଣାରେ ପଡିଛନ୍ତି।

କେନ୍ଦ୍ର ସରକାର ଶିକ୍ଷା ପାଇଁ ବ୍ୟୟରେ ୩୦୦୦ କୋଟି ଟଙ୍କା କାଟ୍ କରିବାକୁ ଯାଉଥିବା ଖବର ପ୍ରକାଶିତ ହେବା ପରେ ଦିଲ୍ଲୀର ଅର୍ଥମନ୍ତ୍ରୀ ନିଜର ପ୍ରତିକ୍ରୀୟା ଦେଇ କହିଛନ୍ତି ଯେ ଶିକ୍ଷାରେ ବ୍ୟୟ କମାଇଲେ ଜେଲ୍ ତିଆରିରେ ଅଧିକ ଖର୍ଚ୍ଚ କରିବାକୁ ହେବ।

Related posts