Categories
ବିଶେଷ ଖବର ବ୍ୟବସାୟ

ଆସିଲା ‘ବଜେଟ’ ଚିନ୍ତା, ଅନୁଷ୍ଠିତ ହେଲା ପ୍ରି-ବଜେଟ ପରାମର୍ଶ ବୈଠକ

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷ ପରି ସମାଜର ବିଭିନ୍ନ ବର୍ଗ ଯଥା ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି ଏବଂ କୃଷକମାନଙ୍କ ସହିତ ପ୍ରାକ୍‌ ବଜେଟ୍‌ ପରାମର୍ଶ କରିଛନ୍ତି। ସକାଳ ୧୧ଟାରୁ ୧ ଘଟିକା ପର୍ଯ୍ୟନ୍ତ ତଥା ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହା ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ସମେତ ପୂର୍ବତନ ଅର୍ଥ ସଚିବ ଓ ସଚିବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ।

ସେହିପରି ଦ୍ୱିତୀୟ ଅଧିବେଶନରେ କ୍ଷେତ୍ର ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି, କୃଷି ବିଶେଷଜ୍ଞ, ଶ୍ରମ ସଂଘ ପ୍ରତିନିଧି, ପରିବେଶବିତ, ହସ୍ତ ଓ ବୟନ ଶିଳ୍ପୀ, ସ୍ତମ୍ଭକାର ତଥା ସେ୍ୱଚ୍ଛାସେବା ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ।

ଏହି ପ୍ରାକ୍‌-ବଜେଟ ଆଲୋଚନାରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନେ Centre of
Excellence in Fiscal Policy and Taxation ବିଶେଷଜ୍ଞମାନେ ସମସ୍ତ ଉପସ୍ଥିତ ଅତିଥିଙ୍କ ମତାମତକୁ ଗୁରୁତର ସହ ଗ୍ରହଣ କରାଯାଇଥିଲା।

ଏହି ସମସ୍ତ ମତାମତକୁ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଶୀଘ୍ର ହସ୍ତାନ୍ତର କରିଦିଆଯିବ। ଆଗାମୀ ବର୍ଷ ୨୦୨୩-୨୪ ବଜେଟ୍‌ ପ୍ରସ୍ତୁତିରେ ଏହି ପରାମର୍ଶଗୁଡିକୁ ନିଶ୍ଚୟ ବିଚାର କରାଯିବ।

Categories
Budget2022 ଜାତୀୟ ଖବର ବିଶେଷ ଖବର

ବଜେଟ ଉପସ୍ଥାପନା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସାଂସଦଙ୍କୁ କଲେ ଏପରି ନିବେଦନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ବଜେଟ ଅଧିବେସନ। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିବେ। ତା ପୂର୍ବରୁ ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ନିବେଦନ କରିଛନ୍ତି। ଏକ ବିବୃତି ଜାରୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି ତାହା ହେଲା..

“ଆଜି ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଏହି ବଜେଟ୍ ଅଧିବେଶନରେ ମୁଁ ଆପଣ ସମସ୍ତଙ୍କୁ ଏବଂ ଦେଶର ସମସ୍ତ ମାନ୍ୟବର ସାଂସଦମାନଙ୍କୁ ସ୍ୱାଗତ କରୁଛି। ଆଜିର ବିଶ୍ୱ ପରିସ୍ଥିତିରେ ଭାରତ ପାଇଁ ଅନେକ ସୁଯୋଗ ଅଛି। ଏହି ବଜେଟ୍ ଅଧିବେଶନରେ କେବଳ ଭାରତର ଆର୍ଥିକ ପ୍ରଗତି, ଭାରତରେ ଟୀକାକରଣ ଅଭିଯାନ, ଭାରତର ନିଜସ୍ୱ ଆବିଷ୍କୃତ ଟିକା ସମଗ୍ର ବିଶ୍ୱରେ ଏକ ଆତ୍ମବିଶ୍ୱାସ ସୃଷ୍ଟି କରୁଛି।

ଏହି ବଜେଟ୍ ଅଧିବେଶନରେ ମଧ୍ୟ ଆମର ସଂସଦୀୟ ଦଳର ଆଲୋଚନା ଏବଂ ଖୋଲା ମନୋଭାବ ବିଶ୍ବରେ ପ୍ରଭାବ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିପାରିବ। ମୁଁ ଆଶା କରୁଛି ଯେ ସମସ୍ତ ମାନ୍ୟବର ସାଂସଦ, ସମସ୍ତ ରାଜନୈତିକ ଦଳ ନିଶ୍ଚିତ ଭାବରେ ଦେଶକୁ ପ୍ରଗତି ପଥରେ ଆଣିବାରେ ସାହାଯ୍ୟ କରିବେ ଏବଂ ଖୋଲା ମନରେ ଭଲ ଆଲୋଚନା କରି ଏହାକୁ ତ୍ୱରାନ୍ୱିତ କରିବେ।

ଏହା ସତ୍ୟ ଯେ ବାରମ୍ବାର ନିର୍ବାଚନ ହେତୁ ଅଧିବେଶନ ମଧ୍ୟ ପ୍ରଭାବିତ ହୁଏ, ଆଲୋଚନା ମଧ୍ୟ ପ୍ରଭାବିତ ହୁଏ । କିନ୍ତୁ ମୁଁ ସମସ୍ତ ସାଂସଦମାନଙ୍କୁ ପ୍ରାର୍ଥନା କରିବି ଯେ ନିର୍ବାଚନ ତାହା ସ୍ଥାନରେ ଅଛି, ତାହା ଜାରି ରହିବ, କିନ୍ତୁ ଆମେ ଗୃହରେ ଏହି ବଜେଟ୍ ଅଧିବେଶନ ସାରା ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା। ସେଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଯେତିକି ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଏହି ବଜେଟ୍ ଅଧିବେଶନକୁ ଅଧିକ ଫଳପ୍ରଦ କରିବା, ଆଗାମୀ ବର୍ଷ ମଧ୍ୟ ଏହାକୁ ନୂତନ ଆର୍ଥିକ ଉଚ୍ଚତାକୁ ନେବା ପାଇଁ ଏକ ଉତ୍ତମ ସୁଯୋଗ ସୃଷ୍ଟି କରିବ।

ଏଥର ସଂସଦରେ ଏକ ଖୋଲା ଆଲୋଚନା, ଏକ ସୁଚିନ୍ତିତ ଆଲୋଚନା, ମାନବୀୟ ସମ୍ବେଦନଶୀଳତା ପରିପୂର୍ଣ୍ଣ ଆଲୋଚନା, ଏକ ଉତ୍ତମ ଉଦ୍ଦେଶ୍ୟ ସହିତ ଆଲୋଚନା କରିବା ଆଶା ସହିତ, ସମସ୍ତଙ୍କୁ ଅନେକ ଧନ୍ୟବାଦ।”

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା କାଲିଠୁ ବଜେଟ ଅଧିବେଶନ : କେନ୍ଦ୍ରୀୟ ଅନୁଦାନ କମିବା ନେଇ ଆଲୋଚନା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆସନ୍ତାକାଲି ଠାରୁ ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଇଛି । ଶୁକ୍ରବାର ଠାରୁ ଏହି ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ 18 ତାରିଖରେ ବଜେଟ ଉପସ୍ଥାପନ କରାଯିବ । ଚଳିତ ବିଧାନସଭାରେ 31ଟି କାର୍ଯ୍ୟଦିବସ ରହିଥିବା ବେଳେ 2ଟି ପର୍ଯ୍ୟାୟରେ ଏହି ଅଧିବେଶନ ସମାପ୍ତ ହେବ । ବଜେଟ୍‌ ଉପରେ 14 ଦିନ ଆଲୋଚନା କରାଯିବ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆସନ୍ତା କାଲିର ଅଧିବେଶନ ଆରମ୍ଭ ହେବ । ଅଧିବେଶନରେ କେନ୍ଦ୍ରୀୟ ଅନୁଦାନ କମିବା, ଜନଗଣନାରେ ପଛୁଆବର୍ଗକୁ ସାମିଲ ପାଇଁ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌କୁ ନିରାଶାଜନକ କହିଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍‌କୁ ନିରାଶାଜନକ ବୋଲି ଅଭିହିତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଶନିବାର ଉପସ୍ଥାପିତ ହୋଇଥିବା ବଜେଟ୍‌କୁ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବଢିଆ ରେଟିଂ ଦିଆଯାଇଥିବା ବେଳେ ଚିଦାମ୍ବରମ୍‌ ଏହାକୁ ସମାଲୋଚନା କରିଛନ୍ତି । ସରକାରଙ୍କ ପକ୍ଷରୁ ଆଗତ ବଜେଟ୍‌ ବିତର୍କର ବିଷୟ ବୋଲି ଚିଦାମ୍ବରମ୍‌ କହିଛନ୍ତି । ସେହିପରି ସାମ୍ବାଦିକଙ୍କ ପକ୍ଷରୁ ବଜେଟ୍‌କୁ କିପରି ରେଟ୍‌ କରାଯିବ ବୋଲି ପ୍ରଶ୍ନର ଉତ୍ତର ରଖିଥିଲେ ଚିଦାମ୍ବରମ୍‌ । ମୋ ନିକଟରେ ଦୁଇଟି ସଂଖ୍ୟା ଅଛି । 0 ଏବଂ 1, ଆପଣଙ୍କ ସୁବିଧା ଅନୁସାରେ ଆପଣ ରେଟ୍‌ କରନ୍ତୁ । ବର୍ତ୍ତମାନ ବଜାରରେ ନିବେଶ ଜରୁରୀ ହୋଇଥିବା ବେଳେ ସରକାର ଏଲ୍‌ଆଇସି ଏବଂ ଆଇଡିବିଆଇ ବିକ୍ରି କରିବାର ନିଷ୍ପତ୍ତି ନେଇଛନ୍ତି । ସେହିପରି ମାନ୍ଦାବସ୍ଥା ସମୟରେ ସରକାରଙ୍କ ପକ୍ଷରୁ 6ରୁ 6.5ର ଅଭିବୃଦ୍ଧି ହାର ହାସ୍ୟାସ୍ପଦ ବୋଲି ଚିଦାମ୍ବରମ୍‌ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ବଜେଟ୍‌କୁ ନେଇ ନବୀନଙ୍କ ମିଶ୍ର ପ୍ରତିକ୍ରିୟା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଶନିବାର ଆଗତ କେନ୍ଦ୍ରୀୟ ବଜେଟ୍‌କୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍‌ରେ ଆଗତ କିଛି ଯୋଜନାକୁ ନବୀନ ପ୍ରଶଂସା କରିଥିବା ବେଳେ କିଛି ଯୋଜନାରେ ସୁଧାରର ପ୍ରସ୍ତା ଦେଇଛନ୍ତି । ଶୀତଳ ଭଣ୍ଡାର ସମ୍ବନ୍ଧୀୟ କୃଷି ରେଲ ଏବଂ କୃଷି ଉଡାନ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । ପିଏମ୍‌ କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ ପାଇଁ ଓଡିଶା ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏହାକୁ ହ୍ରାସ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ୟାଙ୍କ ବୀମା ରାଶି ପରିମାଣ 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଏବଂ ନୂତନ ଶିକ୍ଷାନୀତି ଓ ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି ।

କେନ୍ଦ୍ରୀୟ ବଜେଟ୍‌ର ସମସ୍ତ ଯୋଜନାକୁ ସ୍ଥିର ବୋଲି କହିଥିବା ବେଳେ କିଛି ଯୋଜନାରେ ଓଡିଶା ଅଧିକ ଆଶା ରଖିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଆୟକର 59 ହଜାର କୋଟି କମ୍‌ ରହିଛି ଏହା ଫଳରେ ଓଡିଶାକୁ 3 ହଜାର କୋଟିର ଫରକ ପଡିବ । ଓଡିଶାର କୌଣସି ଐତିହ୍ୟସ୍ଥଳ ଏହି ବଜେଟ୍‌ ମଧ୍ୟରେ ରହିନଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ଓଡିଶାରେ ମଧ୍ୟ ଏକ ଆଦିବାସୀ ସଂଗ୍ରହାଳୟର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ପାନୀୟ ଜଳ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରସ୍ତାବିତ ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ସମଗ୍ର ଦେଶରେ ପାନୀୟ ଜଳ ପାଇଁ 3.6 ଲକ୍ଷ କୋଟି ଟଙ୍କାର ଦାବି ରହିଥିବା ବେଳେ ସରକାର ମାତ୍ର 11500 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପାନୀୟ ଜଳ କ୍ଷେତ୍ରରେ ଓଡିଶା ଏକାକୀ ବାର୍ଷିକ 3600 କୋଟି ଖର୍ଚ୍ଚ କରୁଛି । ଆଗତ ସମୟରେ ସେନ୍‌ସେକ୍ସରେ 1000 ପଏଣ୍ଟ ହ୍ରାସ ଘଟିଥିଲା । ସରକାର ନିବେଶକଙ୍କ ଭରସା ଜିତିବାରେ ସଫଳ ହୋଇନାହାନ୍ତି ଏବଂ ଏହା ଉପରେ କାମ କରିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ରେ ଦିଲ୍ଲୀକୁ ଗୁରୁତ୍ବ ଦିଆଯାଇନାହିଁ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍‌ରେ ଦିଲ୍ଲୀକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀକୁ ବିଜେପି ପକ୍ଷରୁ ଗୁରୁତ୍ବ ଦିଆଯାଇନାହିଁ । ଦିଲ୍ଲୀ ବାସୀ ବଜେଟ୍‌ରୁ ଅନେକ କିଛି ଆଶା ରଖିଥିବା ବେଳେ ସରକାର ଦିଲ୍ଲୀ ବାସୀଙ୍କ ଆଶା ମୁତାବକ କିଛି ବି ବଜେଟ୍‌ରେ ଆଣିନାହାନ୍ତି । ଦିଲ୍ଲୀ ବିଜେପି ନେତାଙ୍କ ପାଇଁ ଗୁରୁତ୍ବ ବହନ କରୁନଥିବାରୁ ଦିଲ୍ଲୀ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି । ଦିଲ୍ଲୀ ପୌରପାଳିକା ନିଗମ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଧିକ ଅର୍ଥ ଦାବି କରାଯାଇଥିବା ବେଳେ କେନ୍ଦ୍ର ସରକାର ନିରାଶ କରିଛନ୍ତି ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି ।

Categories
ବିଶେଷ ଖବର

ଅର୍ଥ ଅଭାବରୁ ଖର୍ଚ୍ଚକାଟ କରୁଛନ୍ତି ସରକାର, ଶିକ୍ଷାରେ ବ୍ୟୟ କମାଇ ଜେଲ୍‌ ତିଆରି କରିବାକୁ କରୁଛନ୍ତି ଯୋଜନା

ରଙ୍ଗାଚରଣ ପ୍ରଧାନ

ମୋଟ କଥା ହେଲା ସରକାରଙ୍କ ପାଖରେ ଟଙ୍କା ନାହିଁ। ସେଥିପାଇଁ ସରକାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ଗୋଟିକ ପରେ ଗୋଟିଏ ଖର୍ଚ୍ଚ କାଟିବାରେ ଲାଗିଛନ୍ତି।

ଏକ ଇଂରାଜୀ ଅନ୍-ଲାଇନ୍ ପୋର୍ଟାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ସ୍କୁଲଶିକ୍ଷା ପାଇଁ ବଜେଟରେ ହୋଇଥିବା ଅର୍ଥବରାଦରୁ ୩୦୦୦ କୋଟିଟଙ୍କା କାଟିବାକୁ ଯାଉଛନ୍ତି। ଏହା ଦ୍ବାରା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟଗୁଡିକ ପ୍ରଭାବିତ ହେବେ। ଏପର୍ଯ୍ୟନ୍ତ ସେସବୁ ସ୍କୁଲଗୁଡିକରେ ଅଧିକାଂଶ ଶିକ୍ଷକ ଦରମା ପାଇନାହାନ୍ତି ବୋଲି ମାନବ ସମ୍ବଳ ବିକାଶ ବିଭାଗର ସୂତ୍ରକୁ ଉଦ୍ଧାର କରି ପୋର୍ଟାଲଟି ଲେଖିଛି । ଏହା ଦ୍ବାରା ସରକାରଙ୍କର ‘ସମଗ୍ର ଶିକ୍ଷା ଅଭିଯାନ’ ଯୋଜନାଟି ମଧ୍ୟ ଗୁରୁତରଭାବେ ବାଧାପ୍ରାପ୍ତ ହେବ।

କେନ୍ଦ୍ର ସରକାର ‘ଭାରତୀୟ ଖାଦ୍ୟ ନିଗମ’କୁ ଧାନ କିଣିବା ପାଇଁ ଟଙ୍କା ଦେଉ ନଥିବାରୁ ନିଜ ଦ୍ବାରା ୠଣ ପରିଶୋଧ କରିବାର ସମ୍ଭାବନା ନଥାଇ ମଧ୍ୟ ନିଗମ ଗତ ଦୁଇ ବର୍ଷ ଧରି ‘ନ୍ୟାସନାଲ୍ ସ୍ମଲ୍ ସେଭିଂ ଫଣ୍ଡ’ (ଏନ୍.ଏସ୍.ଏସ୍.ଏଫ୍) ଠାରୁ ୮.୪% ସୁଧ ହାରରେ ୠଣ ଆଣୁଛି। ପରିସ୍ଥିତି ଏପରି ହେଲାଣି ଯେ ପୂର୍ବ ୠଣର କିସ୍ତି ପରିଶୋଧ କରିବା ପାଇଁ ପୁଣି ଥରେ ୠଣ କରାଯାଉଛି । ଗତ ମାର୍ଚ୍ଚ ମାସ ସୁଦ୍ଧା ଏଫ୍.ସି.ଆଇ ଏନ୍.ଏସ୍.ଏସ୍.ଏଫ୍ ଠାରୁ କରିଥିବା ୠଣର ପରିମାଣ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି।

ଇତି ମଧ୍ୟରେ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦେଶର ୧୩ କୋଟି ଲୋକ ପଞ୍ଜିକୄତ ହୋଇଛନ୍ତି । ସେମାନଙ୍କୁ ଆଇନ୍ ଅନୁସାରେ ବର୍ଷକୁ ୧୦୦ ଦିନ କାମ ଦେବା ବଦଳରେ ଯଦି ୫୦ ଦିନ ବି ଦିଆଯାଏ ତେବେ ବର୍ତ୍ତମାନର ଦୈନିକ ୨୧୭ ଟଙ୍କା ମଜୁରୀରେ ବର୍ଷକୁ ୮୧୦୦୦ କୋଟି ଟଙ୍କା ଆବଶ୍ୟକ। ଗତ ବର୍ଷ ଏହି ବାବଦରେ ୬୧୦୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଚଳିତ ବର୍ଷ ତାହାକୁ କମାଇ ୬୦୦୦୦ କୋଟି ଟଙ୍କାରେ ସୀମିତ ରଖାଯାଇଛି, ଯଦିଓ ଗତ ବର୍ଷ ମନରେଗା କାମର ଚାହିଦାରେ ୧୦% ବୄଦ୍ଧି ପାଇଛି।

ପିଏମ୍-କିଷାନ ଯୋଜନାର ଓ୍ବେବସାଇଟରୁ ଜଣାପଡେ ଯେ ଏଥିପାଇଁ ଦେଶର ୮.୩୩ କୋଟି ଚାଷୀ ହିତାଧିକାରି ଥିବାବେଳେ ନିର୍ବାଚନ ପୁର୍ବରୁ ବଣ୍ଟା ଯାଇଥିବା ପ୍ରଥମ କିସ୍ତିରେ ୭.୬୭ କୋଟି ଚାଷିଙ୍କୁ ଟଙ୍କା ମିଳିଥିଲା। ନିର୍ବାଚନ ସରିଯିବା ପରେ ଦ୍ବିତୀୟ କିସ୍ତିରେ ୭.୦୧ କୋଟି, ତୄତୀୟ କିସ୍ତିରେ ୫.୧୪ କୋଟି ଓ ଚତୁର୍ଥ କିସ୍ତିରେ ଏପର୍ଯ୍ୟନ୍ତ ୧.୪୬ କୋଟି ଚାଷିଙ୍କୁ ଟଙ୍କା ମିଳିଛି। ଗତ ମଇ ମାସରେ ଏକ ନୋଟିସ୍ ଜାରିକରି ସରକାର ଘୋଷଣା କରିଥିଲେ ଯେ କେବଳ ୨ ଏକର ଜମିର ମାଲିକ ନୂହେଁ, ଏଣିକି ସମସ୍ତ ଚାଷିଙ୍କୁ ଏହି ରାଶି ମିଳିବ ଓ ଏଥିପାଇଁ ୮୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ମାତ୍ର ଏହାପରେ ଜୁଲାଇ ମାସରେ ଯେତେବେଳେ ନୂଆ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କଲେ ଦେଖାଗଲା ଯେ ଏଥିପାଇଁ ମାତ୍ର ୭୫ ହଜାର କୋଟି ଟଙ୍କା ବରାଦ ହୋଇଛି।

ସରକାରଙ୍କ ଟିକସ ଆଦାୟକୁ ଦେଖିବାକୁ ଗଲେ ପରୋକ୍ଷ କର ମଧ୍ୟରୁ ଜିଏସଟି ଆଦାୟ ହିଁ ମୁଖ୍ୟତଃ ସବୁକିଛି। ସରକାର ଲକ୍ଷ୍ୟ ରଖିଥିଲେ ଯେ ପ୍ରତିମାସରେ ୧ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ କରିବେ। ମାତ୍ର କ୍ବଚିତ୍ ତାହା ସମ୍ଭବ ହୋଇପାରୁଛି। ଅକ୍ଟୋବର ଏକ ପୂଜା ମାସ ହୋଇଥିବାରୁ ଲଗାତର ତିନିମାସ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ କମ୍ ରହିବା ପରେ ନଭେମ୍ବର ମାସରେ ତାହା ଉପରକୁ ଉଠିଛି । ଜିଏସଟି ଆଇନ୍ ଅନୁସାରେ ଯେଉଁ ରାଜ୍ୟ ତାହାର ଟିକସ ଆଦାୟରେ ୧୪% ବୄଦ୍ଧି କରି ନ ପାରିବ କେନ୍ଦ୍ର ସରକାର ତାହାର କ୍ଷତିପୂରଣ କରିବେ ଏବଂ କେନ୍ଦ୍ର ସରକାର ସେଥିପାଇଁ ଏକ କ୍ଷତିପୂରଣ ସେସ୍ ମଧ୍ୟ ଆଦାୟ କରୁଛନ୍ତି। ମାତ୍ର କିଛି ଦିନ ପୁର୍ବେ ୭ଟି ରାଜ୍ୟର ଅର୍ଥମନ୍ତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ସେହି ରାଶି ସମ୍ପୂର୍ଣ ଭାବେ ମିଳୁନାହିଁ ଏବ ଗତ ୪ ମାସ ଧରି ସେମାନଙ୍କର କେନ୍ଦ୍ର ସରକାରଙ୍କ ଉପରେ ୫୦ ହଜାର କୋଟି ଟଙ୍କା ବକେୟା ଅଛି। ଖୁବ୍ ଶୀଘ୍ର ତାହା ନ ମିଳିଲେ ସେମାନେ ସୁପ୍ରିମ୍ କୋର୍ଟକୁ ଯିବେ ବୋଲି ଧମକ ଦେଇଛନ୍ତି। ଇତି ମଧ୍ୟରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୂଯାୟୀ ସରକାର ଜିଏସଟି ଦର ପୁଣିଥରେ ବୄଦ୍ଧି କରିବେ ବୋଲି ଚିନ୍ତା କରୁଛନ୍ତି।

ସରକାର ଚଳିତ ଆର୍ଥିକ ବର୍ଷରେ ୧୩.୩୫ ଲକ୍ଷ ଟଙ୍କାର ପ୍ରତ୍ୟକ୍ଷ କର ସଂଗ୍ରହ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମାତ୍ର ଗତ ନଭେମ୍ବର ଶେଷ ସୁଦ୍ଧା ୫.୫ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଏଥି ମଧ୍ୟରୁ କରପୋରେଟ୍ ଟିକସ ଓ ବ୍ୟକ୍ତିଗତ ଆୟକର ଆଦାୟ ଗତ ବର୍ଷର ଏହି ଅବଧିଠାରୁ ଯଥାକ୍ରମେ ୧% ଓ ୧.୫% ବୄଦ୍ଧି ହୋଇଛି। ତେଣୁ ବର୍ଷ ଶେଷ ସୁଦ୍ଧା ସରକାର ତାଙ୍କ ପ୍ରତ୍ୟକ୍ଷ କର ଆଦାୟର ଲକ୍ଷ୍ୟ ହାସଲ କରିବାକୁ ହେଲେ ଟିକସ ଆଦାୟରେ ବାକୀ ୪ ମାସରେ ୩୧% ବୄଦ୍ଧି ପାଇବା ଆବଶ୍ୟକ। ଏହା ଅସମ୍ଭବ ମନେ ହୁଏ । ଏଠାରେ ମନେ ରଖିବାକୁ ହେବ ଯେ ଗତ ସେପ୍ଟେମ୍ବର ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କମ୍ପାନୀମାନଙ୍କ ପାଇଁ ୧.୪୫ ଲକ୍ଷ କୋଟି ଟଙ୍କାର ଯେଉଁ ଟିକସ ହ୍ରାସ ଘୋଷଣା କରିଥିଲେ ତାହାର ପ୍ରଭାବ ଏ ପର୍ଯ୍ୟନ୍ତ ଟିକସ ସଂଗ୍ରହରେ ପଡିନାହିଁ । ତେଣୁ ଆସନ୍ତା ୪ ମାସରେ ତାହାର ପ୍ରଭାବ ପଡିବା ଆରମ୍ଭ ହେବା ପରେ ଟିକସ ଆଦାୟ ଆହୁରି କମିଯିବାର ଆଶଙ୍କା ଅଛି।

କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ବଜେଟରେ ଲକ୍ଷ ଧାର୍ଯ୍ୟ କରିଥିଲେ ଯେ ଖର୍ଚ୍ଚ ଆଦାୟ ଠାରୁ ୭.୦୩ ଲକ୍ଷ କୋଟି ଟଙ୍କା ଅଧିକ ରହିବ। ଅର୍ଥାତ ଏହି ବିତ୍ତୀୟ ନିଅଣ୍ଟ ସକଳ ଘରୋଇ ଉତ୍ପାଦର ବା ଜିଡିପିର ୩.୩% ମଧ୍ୟରେ ସୀମିତ ରହିବ। କିନ୍ତୁ ଖବର ଆସିଲାଣି ଯେ ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ନିଅଣ୍ଟ ୭.୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ବା ପୂରା ବର୍ଷର ଲକ୍ଷ୍ୟର ୧୦୨.୪% ହୋଇ ସାରିଲାଣି । ଦେଶରେ ଚାହିଦା ବୄଦ୍ଧି କରି ଅର୍ଥନୀତିକୁ ଉପରକୁ ଠେଲିବା ପାଇଁ ସରକାର ବ୍ୟକ୍ତିଗତ ଆୟକର ଦର କମାଇବା ପାଇଁ ଦାବୀ ହେଉଛି। ତାହା ହୁଏତ ଚାହିଦା ବଢାଇପାରେ ଏବଂ ଏହା ମଧ୍ୟ ସମୟର ଆବଶ୍ୟକତା ହୋଇପାରେ କିନ୍ତୁ ଏହା ହେଲେ ସରକାରଙ୍କ ରାଜସ୍ବ ଆଦାୟ ଆହୁରି କମିଯିବ । ଏଣେ ସେପ୍ଟେମ୍ବରରେ ସରିଥିବା ତ୍ରୈମାସିକରେ ଜିଡିପି ବୄଦ୍ଧିଦର ନୈରାଶ୍ୟଜନକ ୪.୫%କୁ ଖସି ଆସିଥିବାରୁ ଜିଡିପି ପରିମାଣ ଲକ୍ଷ୍ୟଠାରୁ ଅନେକ କମ୍ ରହିବ ଓ ସେଥିଯୋଗୁଁ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ୩.୩%ରୁ ଅନେକ ଅଧିକ ହେବ ଯାହା ଅର୍ଥନୀତିର ଏକ ଦୁର୍ଭାଗ୍ୟଜନକ ଚିତ୍ର ପ୍ରଦାନ କରିବ।

ତେଣୁ ସରକାର ଯଦି ବିଭିନ୍ନ ଲୋକାଭିମୁଖୀ କାମ ପାଇଁ ବ୍ୟୟ କମାଇ ଚାଲିବେ ତେବେ ଲୋକଙ୍କ ପକେଟକୁ ଟଙ୍କା ଆସିବ ନାହିଁ ଏବଂ ଏବେର ଚାହିଦା ଅଭାବ ଜନିତ ଆର୍ଥିକ ମାନ୍ଦାବସ୍ଥାକୁ ଏହା ଆହୁରି ଉତ୍କଟ କରିବ। ଅନ୍ୟ ପକ୍ଷରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ସରକାରଙ୍କର ଟିକସ ସଂଗ୍ରହ କମିବାରେ ଲାଗିବ । ସରକାର ଯଦି ନିଅଣ୍ଟ ଅବସ୍ଥାକୁ ମୁକାବିଲା କରିବା ପାଇଁ ଟଙ୍କା ଛାପନ୍ତି ତେବେ ଏହା ମୂଦ୍ରାସ୍ଫିତି ବଢାଇବ । ତେଣୁ ମୋଟ ଆର୍ଥିକ ପରିସ୍ଥିତିକୁ ଦେଖିଲେ ଜଣାଯିବ ଯେ ସରକାର ଏକ ହରଡଘଣାରେ ପଡିଛନ୍ତି।

କେନ୍ଦ୍ର ସରକାର ଶିକ୍ଷା ପାଇଁ ବ୍ୟୟରେ ୩୦୦୦ କୋଟି ଟଙ୍କା କାଟ୍ କରିବାକୁ ଯାଉଥିବା ଖବର ପ୍ରକାଶିତ ହେବା ପରେ ଦିଲ୍ଲୀର ଅର୍ଥମନ୍ତ୍ରୀ ନିଜର ପ୍ରତିକ୍ରୀୟା ଦେଇ କହିଛନ୍ତି ଯେ ଶିକ୍ଷାରେ ବ୍ୟୟ କମାଇଲେ ଜେଲ୍ ତିଆରିରେ ଅଧିକ ଖର୍ଚ୍ଚ କରିବାକୁ ହେବ।

Categories
ବିଶେଷ ଖବର ବ୍ୟବସାୟ

ଆୟ ନାହିଁ, ବ୍ୟୟ ପ୍ରବଳ; ମୋଦୀ ସରକାର ର ବଜେଟ ବହିଖାତାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରହସ୍ୟମୟ ହିସାବ

କେଦାର ମିଶ୍ର 

 ନରେନ୍ଦ୍ର ମୋଦୀ କହିସାରିଛନ୍ତି ତାଙ୍କ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟକୁ ସମାଲୋଚନା ଲୋକେ ନକାରାତ୍ମକ ଚରିତ୍ର ବିଶେଷ। ହେଲେ ଆମେ ବିଶ୍ଵାସ କରୁ ଯେ ସରକାରକୁ ଓ ସରକାରୀ ଅନୁଷ୍ଠାନକୁ ସମାଲୋଚନା କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଅପରିହାର୍ୟ ଅଙ୍ଗ। ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଯେଉଁ ବଜେଟ ଉପସ୍ଥାପନ କାଲେ ତାକୁ ଗାଁ, ଗରୀବ ଓ କୃଷକଙ୍କ ବଜେଟ ବୋଲି କୁହାଗଲା। ତେବେ ଭାରତ ଇତିହାସରେ ଏହା ବୋଧହୁଏ ପ୍ରଥମ ବଜେଟ ଥିଲା ଯହିଁରେ ସବୁ କିଛି ଅସ୍ପଷ୍ଟ ଓ ରହସ୍ୟମୟ। ଏପରିକି କେଉଁ ବିଭାଗର ବ୍ୟୟ ଅଟକଳ କେତେ ତାକୁ ଜାଣିବା ମଧ୍ୟ ଏଯାଏ ସମ୍ଭବପର ହୋଇନାହିଁ।

ବଜେଟ ଯେହେତୁ ସରକାରୀ ହିସାବ କିତାବର ବାର୍ଷିକ ଚିଠା, ତେଣୁ ଏହାରି ଆଧାରରେ ଦେଶର ଅର୍ଥନୈତିକ ବିଶ୍ଳେଷଣ ପ୍ରସ୍ତୁତ କରାଯାଏ।ଯଦି ବଜେଟରେ ବାସ୍ତବ ତଥ୍ୟ ରହୁନାହିଁ, ତାହେଲେ ସରକାର ଅର୍ଥନୀତିର କିଛି ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ମାନିବାକୁ ପଡିବ। ବଜେଟରେ ଅନେକ ସ୍ଵପ୍ନ ରହିଛି, ହେଲେ ତଥ୍ୟ ସବୁ ରହସ୍ୟମୟ। ସେଥିରୁ ଗୋଟିଏ ରହସ୍ୟମୟ ତଥ୍ୟକୁ ଏବେ ଲୋକଲୋଚନକୁ ଆଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଥିକ ପରାମର୍ଶଦାତା ରହିଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ରଥିନ ରାୟ। ଅର୍ଥନୀତି ଓ ବଜାର ଭିତ୍ତିକ ସଂବାଦପତ୍ର “ଦି ବିଜିନେସ ଷ୍ଟାଣ୍ଡାର୍ଡ” ରେ ନିଜ ନିୟମିତ ସ୍ତମ୍ଭରେ  ରଥିନ ରାୟ କହିଛନ୍ତି ଯେ ବଜେଟରେ ଦେଶର ଆୟ ସମ୍ପର୍କରେ ଯାହା କୁହାଯାଇଛି ତାହା ବାସ୍ତବ ଆୟଠାରୁ 1 ଲକ୍ଷ 70 ହଜାର କୋଟି ଟଙ୍କା ଅଧିକ। ଅର୍ଥାତ ଆୟ ନଥାଇ ଆୟ ବୋଲି ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇବାର ପ୍ରୟାସ କରାଯାଇଛି। ଏକଥା ଅନ୍ୟ କେହି କହିଥିଲେ, ହୁଏତ ବିରୋଧୀଙ୍କ ଚାଲ ବୋଲି କହି କଥାଟାକୁ ଉଡାଇ ଦିଆଯାଇଥାନ୍ତା। ଯେହେତୁ ଏହା ମୋଦୀ ସରକାରର ଜନୈକ ଉପଦେଷ୍ଟାଙ୍କ ମତ, ଏହାକୁ ନେଇ ଏବେ ସରକାର ପୂରା ନୀରବ। ଅର୍ଥମନ୍ତ୍ରୀ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଓ ସ୍ଵାଭାବିକ ଭାବରେ ସରକାରଙ୍କ ଏକାନ୍ତ ଆଜ୍ଞାବହ ଆମର ଗଣମାଧ୍ୟମ ଏ ପ୍ରସଙ୍ଗରେ ଚୁପ ରହିଛି।

ପ୍ରଥମଥର ଲାଗି ଅର୍ଥନୈତିକ ସର୍ବେକ୍ଷଣରେ ସରକାରୀ ଆୟର ପରିମାଣ ଯାହା ଦେଖା ଯାଇଛି, ବଜେଟରେ ତାଠୁ ଢେର ଅଧିକ ଆୟ ଦେଖା ଯାଇଛି। ଏହାର କାରଣ କଣ? ଦେଶରେ ଏକ ଆର୍ଥିକ ସଙ୍କଟର ସ୍ଥିତି ରହିଛି ଓ ତାକୁ ଲୁଚାଇବାକୁ ଏ ପ୍ରକାର ଉଦ୍ୟମ ହେଉଛି କି? ଅବଶ୍ୟ ସରକାରୀଦଳର ସମର୍ଥକମାନେ ଏସବୁ କିଛି ବୁଝନ୍ତି ନାହିଁ। ସେମାନେ ଗୋଟେ କଥା ଜାଣନ୍ତି ଯେ ଦେଶ ଭଲ ଚାଲିଛି ଓ ଅର୍ଥନୈତିକ ସଙ୍କଟ ବୋଲି ସେମିତି କିଛି ନାହିଁ। ଆମର ଟଙ୍କାଏ ଆୟରୁ ୨୦ ପଇସା ଯେ କେବଳ ଋଣ ରୁ ଆସୁଛି ସେ କଥା ଆମେ ଭାବିବାକୁ ନାରାଜ। ତେବେ ଅର୍ଥନୈତିକ ସର୍ଭେରେ ଆମକୁ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଆମର ଆୟ ୧୫.୬ ଲକ୍ଷ କୋଟି ଟଙ୍କା ହେବ। ହେଲେ ଏହାକୁ ସଂଶୋଧିତ କରି ବଜେଟରେ ଆୟ ପରିମାଣକୁ ୧୭.୩ ଲକ୍ଷ କୋଟି ଟଙ୍କାକୁ ବଢାଇ ଦିଆଯାଇଛି। ସିଧାସଳଖ ୧.୭ଲକ୍ଷ କୋଟି ଟଙ୍କାର ଆୟ କେଉଁଠୁ ଏବଂ କିପରି ବଢିବ ତାହାର କୌଣସି ସ୍ପଷ୍ଟ ଚିତ୍ର ନାହିଁ। ଏହି ସରକାରର ବାଁ ହାତ କଣ କରୁଛି ଡାହାଣ ହାତ ଜାଣୁନାହିଁ। ଅର୍ଥନୈତିକ ସର୍ବେକ୍ଷଣ ବଜେଟର ଆଧାର ହୋଇଥିବା ବେଳେ ଚଳିତ ବର୍ଷ ଏହା ପରଷ୍ପର ବିରୋଧୀ ମନେ ହେଉଛନ୍ତି।

ଏ ଦେଶର ଅର୍ଥନୀତି ଚାଲୁଛି କି ସ୍ଥିର ଅଛି କି ପଛକୁ ପଛକୁ ଯାଉଛି, ସେ କଥା ଆମେ ଭାବିବୁ କାହିଁକି? ଆମ ପାଖରେ ଜଣେ ସର୍ବ ଶକ୍ତିମାନ ନେତା ଅଛନ୍ତି। ସେ ଥିଲେ ସବୁକିଛି ସମ୍ଭବ-ମୋଦୀ ହୈ ତୋ ମୁମକିନ ହୈ। ଆଉ କିଛି ଦରକାର ନାଇଁ। କଂଗ୍ରେସ ଦଳକୁ ଗାଳି କର ଓ ପ୍ରଧାନମନ୍ତ୍ରୀଙ୍କ କୀର୍ତ୍ତନ କର, ସେତିକିରେ ଦେଶ ବିଶ୍ଵଗୁରୁ ହେବା ଥୟ। ଜିଡିପି କମୁଛି ତ କମୁ। କୃଷି କ୍ଷେତ୍ରର ଅଭିବୃଦ୍ଧି ନକାରାତ୍ମକ ହେଉଛି ତ ହେଉ। ୪୫ ବର୍ଷରେ ଦେଶରେ ସର୍ବାଧିକ ବେକାରି ଆସିଛି, ଆସୁ। ବିମୂଦ୍ରାକରଣ ଦେଶରେ ଲକ୍ଷାଧିକ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ବୁଡିଗଲେ, ଯାଆନ୍ତୁ। ବିଏସଏନଏଲ ନିଜ କର୍ମଚାରୀଙ୍କୁ ଦରମା ଦେଇପାରୁନି, ନ ଦେଉ। ଅର୍ଥନୀତିରୁ ଆମକୁ କିଛି ମିଳିବାର ନାହିଁ। ଆମର ସମସ୍ୟା ହେଉଛନ୍ତି କଂଗ୍ରେସ ପାର୍ଟି ଓ ରାହୁଲ ଗାନ୍ଧୀ, ଯାହାଙ୍କୁ ଆମେ ଭୋଟ ଦେଇନାହୁଁ। ଆମେ ଯାହାକୁ ଭୋଟ ଦେଇଛୁ, ତାକୁ ପ୍ରଶ୍ନ ପଚାରିବୁ ନାହିଁ। କାରଣ ସେ ଭଗବାନ, ସେ ଭାରତର ଭାଗ୍ୟ ବିଧାତା।ଯାହାକୁ ଭୋଟ ଦେଇନ, ଯାହା ପାଖରେ କ୍ଷମତା ନାଇଁ ତାକୁ ଗାଳି କର। କାରଣ ତମର ଭଗବାନ କହୁଛନ୍ତି ସେଇ କ୍ଷମତାହୀନ ଲୋକ ଟି ହିଁ ସଇତାନ। ଗାଳି ଓ ତାଳିର ରାଜନୀତି ଭିତରେ ଅର୍ଥନୀତି କଥାକୁ ପଚାରେ କିଏ?

ସେଇ ପୃଷ୍ଠଭୂମିରେ ସରକାର ଯଦି ଅର୍ଥନୈତିକ ତଥ୍ୟ ର ହେରାଫେରି କରୁଛନ୍ତି, ସେଥିରେ କାହାର ବା କଣ କହିବାର ଅଛି!!