Categories
ବଜେଟ ୨୦୨୪ ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବଜେଟରେ ଚାଷୀ, ମହିଳା ଏବଂ ଯୁବକ ନିରାଶ ବୋଲି କହିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷର କାମଚଳା ବଜେଟକୁ ରାଜ୍ୟ ସରକାର ବିଧାନସଭାରେ ଆଗତ କରିଛନ୍ତି। ଏହି ବଜେଟ୍ ଚିରାଚରିତ ଢଙ୍ଗରେ ଆଶା ସୃଷ୍ଟିକାରୀ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ କହିଛନ୍ତି।

କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଥିଲେ ଯେ ରାଜ୍ୟ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୁନର୍ବାର ଏକ ପ୍ରତିଶ୍ରୁତି ଓ ପ୍ରତାରଣାର ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ କୃଷକ, ଯୁବକ ଓ ମହିଳା ସଂପୂର୍ଣ୍ଣଭାବେ ଉପେକ୍ଷିତ।

ସେ କହିଥିଲେ ଯେ, ପୂର୍ବରୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ଯଥା ଅତିକମ୍‌ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବା, ରାଜ୍ୟର ସମସ୍ତ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବା, ବର୍ଷକୁ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଓ ଚାଷୀର ରୋଜଗାର ବୃଦ୍ଧି କରିବା ଭଳି ଦେଇଥିବା ଅନେକ ପ୍ରତିଶ୍ରୁତି ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ।

ଚଳିତ ବଜେଟ୍‌ରେ ସରକାରଙ୍କ ସ୍ୱୀକାରୋକ୍ତି ଅନୁସାରେ ଖାଲି ପଡ଼ିଥିବା ସରକାରୀ ପଦବୀ ସଂଖ୍ୟା ୯୮ ହଜାର ୩୩୪ ହୋଇଥିବା ବେଳେ କେବଳ ସ୍ୱାସ୍ଥ୍ୟବିଭାଗରେ ୨୬ହଜାର ୮୧୫ ପଦବୀ ଖାଲି ଅଛି। ସେହିପରି ଗଣଶିକ୍ଷା ବିଭାଗର ୨୧ହଜାର ୮୪୪ ଏବଂ ୧୬ଟି ବିଶ୍ୱବିଦ୍ୟାଳୟର ମଂଜୁରିପ୍ରାପ୍ତ ୧୮୦୧ ପଦବୀ ମଧ୍ୟରୁ ୧୦୯୦ ପଦବୀ ଖାଲି ପଡ଼ିଛି। କୃଷି ବିଭାଗରେ ମଧ୍ୟ ୨୮୨୧ ପଦବୀ ଖାଲି ପଡ଼ିଛି।

ଏଥିରୁ ସହଜରେ ବୁଝାପଡ଼ୁଛି ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ତତ୍ପରତା କେତେ ରହିଛି ? ରାଜ୍ୟର ଚାଷୀ ମାଗଣା ବିଦ୍ୟୁତ୍ ସେବା ପାଇବା ପାଇଁ ଦୀର୍ଘ ୨୪ ବର୍ଷ ଧରି ଚାତକ ପରି ଅପେକ୍ଷା ରଖିଥିଲେ ହେଁ ସେ ସଂପର୍କରେ ସରକାର ସଂପୂର୍ଣ୍ଣ ନୀରବ।

ସେହିପରି ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତାଧାରୀମାନଙ୍କୁ ମାସକୁ ୫ଶହ ଟଙ୍କା ଅର୍ଥାତ୍ ଦିନକୁ ୧୬ ଟଙ୍କା ୬୬ପଇସା ଦେଇ ସରକାର ବଡ଼ କାମ କରୁଛନ୍ତି ବୋଲି ଭାବୁଛନ୍ତି। ପଡ଼ୋଶୀ ରାଜ୍ୟମାନଙ୍କରେ ମିଳୁଥିବା ଭତାର ପରିମାଣ ୧୫ଶହରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୫,୪୫୦ କୋଟି ଟଙ୍କା ବଜେଟ୍‌ରେ ପ୍ରାବଧାନ ରହିଛି, ଯାହା ସଂପୂର୍ଣ୍ଣଭାବେ ସିଧାସଳଖ କର୍ପୋରେଟ୍ ହସ୍ପିଟାଲ କର୍ତୃପକ୍ଷଙ୍କ ପକେଟ୍‌କୁ ଯାଉଛି ।

ଏହି କ୍ରମରେ ବିଭିନ୍ନ ଆର୍ଥିକ ବର୍ଷରେ ବ୍ୟୟବରାଦ କରାଯାଇଥିବା ଅର୍ଥରେ ରାଜ୍ୟର ୩୦ଗୋଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମି ବିକାଶ ସହିତ ସରକାର ଦୀର୍ଘମିଆଦି ସୂତ୍ରରେ ମଲ୍ଟି ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ କରିପାରିଥାନ୍ତେ ଓ ସେଥିରେ ଗରିବ ଜନସାଧାରଣ ବିଶେଷ ଉପକୃତ ହୋଇପାରିଥାନ୍ତେ। ପରନ୍ତୁ ସରକାରଙ୍କ ଦୂରଦୃଷ୍ଟି ରହିତ ସ୍ୱାସ୍ଥ୍ୟ ଯୋଜନା ପାଇଁ ବେସରକାରୀ ହସ୍ପିଟାଲର ମାଲିକମାନେ ମାଲେମାଲ ହେଉଛନ୍ତି।

ଅପରପକ୍ଷରେ ସରକାର ରାଜ୍ୟରେ ୧୦ ପ୍ରତିଶତ ଅର୍ଥାତ୍ ୧କୋଟିରୁ ଊର୍ଦ୍ଧ୍ୱ ଲୋକ ଗରିବୀ ସୀମାରେଖା ବାହାରକୁ ଆସିଥିବା ତଥ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଯେତେବେଳେ ୮୩ ପ୍ରତିଶତ ଲୋକଙ୍କୁ ସରକାର ମାଗଣା ଚାଉଳ ଦେଉଥିବା କଥା କହୁଛନ୍ତି, ସେତେବେଳେ ଏତେ ସଂଖ୍ୟକ ଗରିବ ସୀମାରେଖା ଉପରକୁ ଆସିଲେ କେମିତି ବୋଲି ଶ୍ରୀ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ସରକାରୀ ତଥ୍ୟ ଅନୁସାରେ ଓଡ଼ିଶା ଯେତେବେଳେ ରାଜସ୍ୱ ବଳକା ରାଜ୍ୟ ଭାବେ ଉଭା ହୋଇଛି, ସେତେବେଳେ ରାଜ୍ୟର ଋଣଭାର ୧ଲକ୍ଷ ୨୦ହଜାର କୋଟି ଟଙ୍କା କାହିଁକି ବୋଲି କହିିଥିଲେ। ରାଜ୍ୟର ୬୦ ପ୍ରତିଶତ ମହିଳା ଓ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ମହିଳା ପୁଷ୍ଟି ଯୋଜନାରେ ୫୫୪ କୋଟି ଟଙ୍କା ବ୍ୟୟବରାଦ ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ। ସେହିପରି ମିଶନ ଶକ୍ତି ଘର ନିର୍ମାଣ ପାଇଁ ୧୧୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯାହାକି ଦଳୀୟ ଠିକାଦାରଙ୍କୁ ପୋଷିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ।

କଂଗ୍ରେସ ଗଣମାଧ୍ୟମ ବିଭାଗର ସମ୍ପାଦକ ତଥା ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଥିଲେ ଯେ ଏହି କାମଚଳା ବଜେଟ୍‌ରେ ବେକାର ଯୁବବର୍ଗଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟର ୩୦ ଲକ୍ଷ ଯୁବା ପେଟପୋଷିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଓ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି ଓ କେତେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ସରକାର ଏହି ବର୍ଗଙ୍କ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଉଦାସୀନ ରହିବା ସେମାନଙ୍କ ପ୍ରତି ଘୋର ଅନ୍ୟାୟ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ତିନି ରାଜ୍ୟର ବଜେଟଠାରୁ ୪୦୦୧ ବିଧାୟକଙ୍କ ପାଖରେ ରହିଛି ଅଧିକ ସମ୍ପତ୍ତି

ଭୁବନେଶ୍ୱର: ନାଗାଲାଣ୍ଡ, ସିକ୍କିମ୍‍ ଓ ମିଜୋରାମ ରାଜ୍ୟର ବଜେଟଠାରୁ ଦେଶର ୪୦୦୧ଜଣ ବିଧାୟକଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ଏକଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ଓ୍ୱାଚ (ଏନଇଡବ୍ଲ୍ୟୁ) ପ୍ରକାଶ କରାଯାଇଛି। ଏହି ୩ଟି ରାଜ୍ୟର ବାର୍ଷିକ ବଜେଟ ୪୯୧୦୩ କୋଟି। ଦେଶର ମୋଟ ୪୦୩୩ ଜଣ ବିଧାୟକଙ୍କ ମଧ୍ୟରୁ ୪୦୦୧ଜଣ ବିଧାୟକଙ୍କ ପାଖରେ ଏହି ୩ଟି ରାଜ୍ୟର ବଜେଟଠାରୁ ବହୁ ଅଧିକ ସମ୍ପତ୍ତି ରହିଛି। ଏହି ୪୦୦୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪୫୪୫କୋଟି ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ପ୍ରତ୍ୟେକ ବିଧାୟକଙ୍କ ପାଖରେ ହାରାହାରି ୧୩.୬୩ କୋଟି ଟଙ୍କା ରହିଛି।

ଓ୍ୱାଇଏସଆର କଂଗ୍ରେସ ପାର୍ଟି ବିଧାୟକଙ୍କ ପାଖରେ ସର୍ବାଧିକ ସମ୍ପତ୍ତି

ଏହି ଆକଳନ ଅନୁସାରେ ବିଜେପି ବିଧାୟକଙ୍କ ପାଖରେ ହାରାହାରି ୧୧.୯୭ କୋଟି ଟଙ୍କା ସମ୍ପତ୍ତି ରହିଛି। ସେହିପରି କଂଗ୍ରେସ ବିଧାୟକଙ୍କ ପାଖରେ ହାରାହାରି ୨୧.୯୭ କୋଟି ଟଙ୍କା ସମ୍ପତ୍ତି ରହିଛି। ତୃଣମୂଳ କଂଗ୍ରେସର ୨୨୭ଜଣ ବିଧାୟକଙ୍କ ପାଖରେ ହାରାହାରି ୩.୫୧ କଁଟି ଟଙ୍କାର ସମ୍ପତ୍ତି ରହିଛି। ଆମ୍‍ ଆଦମୀ ପାର୍ଟିର ବିଧାୟକମାନେ ସମ୍ପତ୍ତି ମାମଲରେ ପଛରେ ନାହାନ୍ତି। ଆପ୍‍ର ୧୬୧ ବିଧାୟକଙ୍କ ପାଖରେ ହାରାହାରି ୧୦.୨୦କୋଟିର ସମ୍ପତ୍ତି ରହିଛି। ଓ୍ୱାଇଏସଆର କଂଗ୍ରେସ ପାର୍ଟିର ୧୪୬ ବିଧାୟକଙ୍କ ପାଖରେ ହାରାହାରି ୨୩.୧୪ କୋଟିର ସମ୍ପତ୍ତି ରହିଛି।

ଦଳ ଅନୁସାରେ ବିଜେପି ବିଧାୟକଙ୍କ ପାଖରେ ମୋଟ ୧୬.୨୩୪ କୋଟି ସମ୍ପତ୍ତି ଥିବାବେଳେ କଂଗ୍ରେସ ବିଧାୟକଙ୍କ ପାଖରେ ୧୫,୭୯୮ କୋଟି, ଓ୍ୱାଇଏସଆର କଂଗ୍ରେସ ପାର୍ଟିର ବିଧାୟକଙ୍କ ପାଖରେ ୩୩୭୯ କୋଟି, ଡିଏମକେ ବିଧାୟକଙ୍କ ପାଖରେ ମୋଟ ୧୬୪୨ କୋଟି ଟଙ୍କାର ସମ୍ପତ୍ତି ରହିଛି।

ବିଜେଡି ବିଧାୟକଙ୍କ ପାଖରେ ମୋଟ ୫୬୪କୋଟି ଟଙ୍କାର ସମ୍ପତ୍ତି

ଓଡ଼ିଶାର ଶାସକ ବିଜେଡିର ବିଧାୟକଙ୍କ ପାଖରେ ୫୬୪କୋଟି ୭୪ଲକ୍ଷ ୬୩ହଜାର ୭୩୧ଟଙ୍କାର ସମ୍ପତ୍ତି ଥିବା ୨୦୧୯ ନିର୍ବାଚନ ସତ୍ୟପାଠ ବିବରଣୀରୁ ଜଣାପଡ଼ିଛି। ଯାହାକି ବିଜେଡିର ୧୧୪ ଜଣ ବିଧାୟକଙ୍କ ପାଖରେ ହାରାହାରି ୪କୋଟି ୯୧ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।

କର୍ଣ୍ଣାଟକ ବିଧାୟକଙ୍କ ପାଖରେ ଅଧିକ ସମ୍ପତ୍ତି

ଦଳୀୟ ବିଧାୟକଙ୍କ ବ୍ୟତୀତ କର୍ଣ୍ଣାଟକ ରାଜ୍ୟର ବିଧାୟକଙ୍କ ପାଖରେ ସର୍ବାଧିକ ସମ୍ପତ୍ତି ରହିଛି। ୨୧ଟି ରାଜ୍ୟର ବିଧାୟକଙ୍କ ତୁଳନାରେ କର୍ଣ୍ଣାଟକ ରାଜ୍ୟର ବିଧାୟକଙ୍କ ସମ୍ପତ୍ତି ଅଧିକ ରହିଛି। ୨୧ଟି ରାଜ୍ୟର ବିଧାୟକଙ୍କ ମୋଟ ସମ୍ପତ୍ତି ୧୩,୯୭୬ କୋଟି ଥିବାବେଳେ କର୍ଣ୍ଣାଟକର ବିଧାୟକଙ୍କ ପାଖରେ ୧୪, ୩୫୯ କୋଟିର ସମ୍ପତ୍ତି ରହିଥିବା ଜଣାପଡ଼ିଛି।

ମହାରାଷ୍ଟ୍ରର ୨୮୮ ବିଧାୟକଙ୍କ ମଧ୍ୟରୁ ୨୮୪ ବିଧାୟକଙ୍କ ପାଖରେ ୬୬୭୯ କୋଟି ସମ୍ପତ୍ତି ଥିବାବେଳେ ଆନ୍ଦ୍ର ପ୍ରଦେଶର ୧୭୫ ବିଧାୟକଙ୍କ ମଧ୍ୟରୁ ୧୭୪ ବିଧାୟକଙ୍କ ପାଖରେ ୪୯୧୪ କୋଟି, ଉତ୍ତର ପ୍ରଦେଶର ୪୦୩ ବିଧାୟକଙ୍କର ମୋଟ ସମ୍ପତ୍ତି ୩୨୫୫ କୋଟି, ଗୁଜରାଟର ୧୮୨ ବିଧାୟକଙ୍କ ପାଖରେ ୨୯୮୭ କୋଟି. ତାମିଲନାଡ଼ୁର ୨୨୪ ବିଧାୟକଙ୍କ ପାଖରେ ୨୭୬୭ କୋଟି ଓ ମଧ୍ୟ ପ୍ରଦେଶର ୨୩୦ ବିଧାୟକଙ୍କ ପାଖରେ ୨୪୬୭ କୋଟି ଟଙ୍କାର ସମ୍ପତ୍ତି ରହିଛି। ଓଡିଶାର ୧୪୭ ବିଦାୟକଙ୍କ ମଧ୍ୟରୁ ୧୪୬ ବିଧାୟକଙ୍କ ପାଖରେ ୬୪୪ କୋଟି ଟଙ୍କାର ସମ୍ପତ୍ତି ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ମହିଳା ଓ ଶିଶୁ ବିକାଶ ପାଇଁ ଏଥର ୩୬୭୦ କୋଟି ଟଙ୍କା ବଜେଟ, ଲାଗୁ ହେବ ଦୁଇଟି ନୂଆ ଯୋଜନା

ଭୁବନେଶ୍ୱର : ଆଜି ଗୀତ ଗୋବିନ୍ଦ ସଦନଠାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ବଜେଟ ଉପରେ ଆଲୋକପାତ କରିଛନ୍ତି। ସେ କହିଲେ ଯେ ୨୦୨୩-୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ଆକଳନ ୩୬୭୦ କୋଟି ଟଙ୍କା ରହିଛି। ପୂର୍ବ ବର୍ଷ ଏହାର ପରିମାଣ ୩୫୬୬ କୋଟି ଟଙ୍କା ଥିଲା। ଚଳିତ ବର୍ଷ ବଜେଟ୍‌ରେ ଦୁଇଟି ନୂଆ ଯୋଜନା ଯଥା- ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଏବଂ ଆଶୀର୍ବାଦ ଯୋଜନା ଉପରେ ଗୁରୁତ୍ୱ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାରେ ୧୫ରୁ ୧୯ ବର୍ଷର କିଶୋରୀ, ଗର୍ଭବତୀ ମହିଳା ଏବଂ ୬ ବର୍ଷରୁ କମ ଅତିଶୟ ପୁଷ୍ଟିହୀନ SAM ଓ MAM ଶିଶୁମାନଙ୍କୁ ପୁଷ୍ଟିକର ପୋଷଣ ଯୋଗାଇ ଦିଆଯିବ ଏବଂ ସେଥିପାଇଁ ୫ ବର୍ଷରେ ୨୬୭୩ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଯୋଜନା ହୋଇଥିବା ସ୍ଥଳେ ଏ ବର୍ଷ ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

କୋଭିଡ୍‌ ସମୟରେ ଯେଉଁ ଶିଶୁମାନେ ସେମାନଙ୍କର ବାପା, ମା’ଙ୍କୁ ହରାଇଛନ୍ତି, ସେମାନେ ସମ୍ମାନର ସହ ଚଳିବା ପାଇଁ ଏବଂ ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହେବା ପାଇଁ ଆଶୀର୍ବାଦ ଯୋଜନା ମାଧ୍ୟମରେ ଆର୍ଥିକ ସାହାଯ୍ୟ ଓ ସହାୟତା ଯୋଗାଇ ଦିଆଯାଉଛି। ସେଥିରେ ୪୬୭୦୪ ଶିଶୁ ଉପକୃତ ହେଉଛନ୍ତି ଏବଂ ସେଥିପାଇଁ ୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବିଭାଗର ଲୋକପ୍ରିୟ ଯୋଜନା ‘ମମତା’ ମାଧ୍ୟମରେ ୨୬୭୬.୪୨ କୋଟି ଟଙ୍କା ବିନିଯୋଗ କରି ୫୫.୮୪ ଲକ୍ଷ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ପୁଷ୍ଟିକର ତଥା ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣି ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାର କମାଇବାରେ ଆମେ ସଫଳ ହୋଇପାରିଛୁ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଥିଲେ।

ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା କହିଲେ ଯେ ୧୫ରୁ ୧୯ ବର୍ଷ ବୟସର କିଶୋରୀ-ବାଳିକା, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମାଆ ଏବଂ ଅତ୍ୟଧିକ କମ ଓଜନର ଶିଶୁମାନଙ୍କର ପୁଷ୍ଟିହୀନତାକୁ ଦୂର କରିବା ଏହି ବିଭାଗର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏଥି ନିମନ୍ତେ ରାଜ୍ୟରେ ୬ ବର୍ଷରୁ କମ୍‌ ସାମ୍‌ (SAM) ଏବଂ ମାମ୍‌ (MAM) ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା (ଏମ୍‌ଏସ୍‌ପିୱାଇ) ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ୨୦୨୩ରୁ ୨୦୨୭-୨୮ ମଧ୍ୟରେ ୩ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି।

ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ୯୧.୧୩ କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି। ଏହି ଯୋଜନାରେ ପ୍ରାକ୍‌ ବିଦ୍ୟାଳୟ ପିଲାମାନଙ୍କୁ ଏକ ୟୁନିଫର୍ମ ଲୁକ୍‌ ପ୍ରଦାନ କରିବା ଏବଂ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗଦେବାକୁ ଉତ୍ସାହିତ କରିବା ପାଇଁ ଦୁଇଟି ୟୁନିଫର୍ମ, ଗୋଟିଏ ଯୋଡ଼ା ଜୋତା, ଗୋଟିଏ ଯୋଡ଼ା ମୋଜା ଏବଂ ଗୋଟିଏ ସେ୍ୱଟର ପିଲାମାନଙ୍କୁ ଦିଆଯାଉଛି।

୨୦୨୩-୨୪ ଆର୍ଥିକ ବର୍ଷରେ ଏମ୍‌ଏସ୍‌ପିୱାଇ ଯୋଜନାରେ ୨୫୦ କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି। ସେହିପରି ସରକାର ବାଲ୍ୟବିବାହ ରୋକିବା ପାଇଁ ଏବଂ କିଶୋରୀମାନଙ୍କ ସଶକ୍ତିକରଣ ପାଇଁ ‘ଅଦ୍ୱିକା’ ଯୋଜନା ପ୍ରଣୟନ କରିଛନ୍ତି। ଏଥି ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି।

ଏତଦ୍‌ବ୍ୟତୀତ ଅସହାୟ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ‘ସ୍ୱଧାର ଗୃହ’ ଓ ‘ଉଜ୍ଜ୍ୱଳା’ ଯୋଜନା କାର୍ଯ୍ୟରତ ରହିଛି। ଏହି ଯୋଜନା ମାଧ୍ୟମରେ ଅସହାୟ ଏବଂ ପୀଡ଼ିତା ମହିଳାମାନଙ୍କୁ ଉଦ୍ଧାର ତଥା ପୁନଃଥଇଥାନ କରାଯାଇ ସାମାଜିକ ସଂଯୋଗୀକରଣ ପାଇଁ ବ୍ୟବସ୍ଥା କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩୭.୭୭ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖାଯାଇଛି। ଏହା ବ୍ୟତୀତ ‘ୱାନ୍‌ ଷ୍ଟପ୍‌ ସେଣ୍ଟର’ ଏବଂ ୨୪ ଘଣ୍ଟିଆ ମହିଳା ହେଲ୍ପ ଲାଇନ୍‌ ନମ୍ବର ସହାୟତା କେନ୍ଦ୍ର ଯୋଜନା କାର୍ଯ୍ୟକାରୀ ହେଉଛି।

ଏଥିରେ ହିଂସା ଦ୍ୱାରା ପ୍ରଭାବିତ ମହିଳାମାନଙ୍କୁ ସାହାଯ୍ୟ ଏବଂ ସେବା ଯୋଗାଇ ଦିଆଯାଉଛି ଏବଂ ୨୪ ଘଣ୍ଟିଆ ଟୋଲ୍‌ ଫି୍ର ସେବାର ବ୍ୟବସ୍ଥା ରହିଛି। ପୁଷ୍ଟିହୀନତାକୁ ଦୂର କରିବା ପାଇଁ ଓଡ଼ିଶା ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି ଏବଂ ଏଥି ପାଇଁ ସପ୍ଲିମେଣ୍ଟାରୀ ନୁ୍ୟଟି୍ରସନ୍‌ ପ୍ରୋଗ୍ରାମ (ଏସ୍‌ଏନ୍‌ପି) ଯୋଜନା ଏବଂ ପୋଷଣ ୨.୦ ଯୋଜନା କାର୍ଯ୍ୟକାରୀ ହେଉଛି।

ଏହି ଦୁଇଟି ଯୋଜନା ମାଧ୍ୟମରେ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପୁଷ୍ଟିହୀନତା ଦୂର କରାଯାଇପାରୁଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏସ୍‌ଏନ୍‌ପି ଯୋଜନାରେ ୧୦୪୩ କୋଟି ଟଙ୍କା ଏବଂ ପୋଷଣ-୨.୦ ଯୋଜନାରେ ୧୭୫ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଯନି ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ‘ମିଶନ ବାତ୍ସଲ୍ୟ’ ଯୋଜନା ଅଧିନରେ ୮୫ କୋଟି ଟଙ୍କାର ବ୍ୟୟବରାଦ ରହିଛି।

ମହିଳା ଏବଂ ଶିଶୁ ବିକାଶ ବିଭାଗ ହେଉଛି ରାଜ୍ୟର ଏକ ପ୍ରମୁଖ ସ୍ତମ୍ଭ ଯାହା ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସ୍ଥିତିର ଉନ୍ନତି ତଥା ସେମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ୨୦୨୩-୨୪ ବର୍ଷରେ ଏହି ବିଭାଗ ସର୍ବମୋଟ ୩୬୭୦ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖିଛି, ଯେଉଁଥିରେ କି ୩୬୪୧ କୋଟି ଟଙ୍କା ଯୋଜନା ବ୍ୟୟ ଏବଂ ୨୯ କୋଟି ଟଙ୍କା ପ୍ରଶାସନିକ ବ୍ୟୟ ପ୍ରସ୍ତାବ ବୋଲି ଶ୍ରୀମତୀ ଶର୍ମା ପ୍ରକାଶ କରିଛନ୍ତି।

ଏହି ସାମ୍ମାଦିକ ସମ୍ମିଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ପରିଚାଳନା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ

ଚଳିତ ବର୍ଷ ଏସସି/ଏସଟି ଉନ୍ନୟନ ବିଭାଗକୁ ମିଳିଲା ୪୬୫୧ କୋଟି ଟଙ୍କା, ଏଥିରେ କଣ ହେବ ?

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଶିକ୍ଷା ହିଁ ଏହି ଉପେକ୍ଷିତ ଲୋକମାନଙ୍କର ସଶକ୍ତିକରଣ ପାଇଁ ବଳିଷ୍ଠ ଅସ୍ତ୍ର। ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗ ମେଧାବୀ ଛାତ୍ରଛାତ୍ରୀ ବୃତ୍ତି, ଆବାସିକ ଛାତ୍ରାବାସ ନିର୍ମାଣ, ପଢ଼ିବା ଲେଖିବା ଶିକ୍ଷା ସାମଗ୍ରୀ, ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା, ଜୀବିକାର୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧି ନିମନ୍ତେ ଟ୍ରେନିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୩-୨୪ ବିଭାଗୀୟ ବଜେଟ ସମ୍ବନ୍ଧରେ ସୂଚନା ଦେଇ ଏହା ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮ ଶହ ୧୧ କୋଟି ଟଙ୍କା ବ୍ୟୟ କରାଯିବ। ୨୩ ଲକ୍ଷ (୬୦ ପ୍ରତିଶତ ଛାତ୍ରୀ ଓ ୪୦ ପ୍ରତିଶତ ଛାତ୍ର) ମେଧାବୀ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇବେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ୨ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କର ପୋଷଣ ବୃଦ୍ଧି କରାଯିବ।

ପ୍ରାକ୍‌ ମାଟ୍ରିକ ସ୍କଲାରସିପ୍‌ ଯୋଜନାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୬ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଦିବାଧ୍ୟାୟୀମାନଙ୍କ ଛାତ୍ରବୃତ୍ତି ବୃଦ୍ଧି କରାଯିବ। ବର୍ଷକୁ ୫୦୦ ଟଙ୍କା ଛାତ୍ରବୃତ୍ତି ମିଳିବ। ମାଟି୍ରକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ରକ୍ଷଣାବେକ୍ଷଣ ଭତ୍ତା ପ୍ରୋତ୍ସାହନ ବାର୍ଷିକ ଅତିରିକ୍ତ ଏକ ହଜାର ଟଙ୍କା ଅନ୍ତେବାସୀମାନଙ୍କ ପାଇଁ ଓ ୫୦୦ ଟଙ୍କା ଦିବାଧ୍ୟାୟୀମାନଙ୍କ ପାଇଁ ଖର୍ଚ୍ଚ ହେବ। ଅନେ୍ୱଷା କାର୍ଯ୍ୟକ୍ରମ ଅଧୀନରେ ୧୦୬ଟି ଅନେ୍ୱଷା ବିଦ୍ୟାଳୟ ଓ ୮୦ଟି ଛାତ୍ରାବାସ ମାଧ୍ୟମରେ ଛାତ୍ରାବାସ ଓ ଟୁ୍ୟସନ୍‌ ଫି ପ୍ରଦାନ କରାଯାଉଛି।

ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ଏଥିରେ ୧୨୪ କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟର ସହରାଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ପଢ଼ୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ‘ଆକାଂକ୍ଷା’ ଯୋଜନାରେ ୪ଟି ଛାତ୍ରାବାସ ନିର୍ମାଣ ବାବଦରେ ୪ କୋଟି ଟଙ୍କା ବ୍ୟୟ କରାଯିବ । ୪୨୨ଟି ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟରରେ ଉନ୍ନୀତ କରାଯାଇ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଲୋକାର୍ପଣ କରାଯିବ। ୧୦୦ ଶଯ୍ୟାବିଶିଷ୍ଟ ୧୦୦ଟି ଓବିସି ହଷ୍ଟେଲ (ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରାବାସ) ମଧ୍ୟରୁ ୬୬ଟି ଛାତ୍ରାବାସ ସଂପୂର୍ଣ୍ଣ ହୋଇସାରିଛି । ୩୪ଟି ହଷ୍ଟେଲ ନିର୍ମାଣାଧିନ ଅଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ସାମ୍ବାଦିକ ସମ୍ମିଳନୀରେ ସୂଚନା
ଦେଇଥିଲେ ।

ବିଭାଗୀୟ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ପାୱାର ପଏଣ୍ଟ ଜରିଆରେ ସାମ୍ବାଦିକମାନଙ୍କୁ ବିଭାଗର ଚଳିତ ବର୍ଷର ରୋଡ୍‌ମ୍ୟାପ୍‌ ସମ୍ବନ୍ଧରେ ସୂଚନା ଦେଇଥିଲେ। ଚଳିତ ଆର୍ଥିକ ବର୍ଷଠାରୁ ଜନଜାତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ନାମରେ ଅନନ୍ୟ ଜୀବିକା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପର୍ଯ୍ୟାୟ କ୍ରମେ ଏହି ମିଶନରେ ସାଢ଼େ ୧୪ ଲକ୍ଷ ପରିବାର ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ କ୍ଲଷ୍ଟର ମାଧ୍ୟମରେ ୫୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଦେଢ଼ଲକ୍ଷ ପରିବାରଙ୍କ ଜୀବିକା ବିକାଶ କାର୍ଯ୍ୟ ସମାହିତ ହେବ। ଏଥିରେ ଭିତ୍ତିଭୂମି ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦୦ ଶଯ୍ୟାବିଶିଷ୍ଟ ୨୩ଟି ହଷ୍ଟେଲ ନିର୍ମାଣ କରାଯାଉଛି। ୧୦୦ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ସ୍ଥାପନ କରାଯାଇ ସେମାନଙ୍କର ସ୍ୱତନ୍ତ୍ର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ କରାଯିବ। ଏହାଛଡ଼ା ଅଗ୍ରାଧିକାର ଭିତ୍ତିରେ ୧୦୦ଟି ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ବିକଶିତ କରାଯାଇ ଅତ୍ୟାଧୁନିକ ଶିକ୍ଷାଦାନର ବ୍ୟବସ୍ଥା କରାଯିବ। ଆଦିବାସୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ଓ ପ୍ରତ୍ୟେକ ଜନଜାତିର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ନିମନ୍ତେ ସ୍ୱତନ୍ତ୍ର ବିକାଶ ପରିଷଦ ୨୦୧୭-୧୮ ମସିହାରେ ୯ଟି ଜନଜାତି ବହୁଳ ଜିଲ୍ଲାରେ ଗଠନ କରାଯାଇଥିଲା।

ଆଦିବାସୀମାନଙ୍କ ପୂଜାସ୍ଥଳୀ, କ୍ଲବ୍‌ ଘର, ସାପ୍ତାହିକ ହାଟ, ବାଦ୍ୟଯନ୍ତ୍ର ଓ ନୃତ୍ୟ, ବେଶଭୂଷା ନିମନ୍ତେ ୨୮୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏଥି ନିମନ୍ତେ ୧୭୬ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି ବୋଲି ସଚିବ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ। ପ୍ରକାଶଯୋଗ୍ୟ ଯେ ୨୦୨୨-୨୩ ଶିକ୍ଷାବର୍ଷରେ ୯୯ ପ୍ରତିଶତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ସମଗ୍ର ରାଜ୍ୟ ଓ ବିଭାଗ ପାଇଁ ଗର୍ବ ଓ ଗୌରବର ବିଷୟ। ୨୦୨୩-୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ବ୍ୟୟ ୪୬୫୧.୨୭ କୋଟି ଟଙ୍କା ରହିଛି।

ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ପରିଚାଳନା କରିଥିବାବେଳେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବଜେଟ ଉପସ୍ଥାପନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାୟନ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି। ତେବେ ତା ପୂର୍ବରୁ ସେ ଏବଂ ଅର୍ଥ ସଚିବ ବିଶାଳ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ବିଧାନସଭାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଉଭୟ ବଜେଟ କପି ପ୍ରଦାନ କରିଛନ୍ତି।

ଏହାପରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ ୨୦୨୩-୨୪ ଉପସ୍ଥାପନା କରିଛନ୍ତି। ଏଥର ମୋଟ ୨୪,୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିଭଳି କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି ଟଙ୍କା, ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ଆବର୍ତ୍ତି ପାଣ୍ଠି ବ୍ୟବସ୍ଥା କରାଯାଇଛି।

ଏହାସହିତ ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଛତୁ ମିସନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚାଷୀ ପ୍ରସଂଗ ନେଇ ବିରୋଧୀଙ୍କ ହାଙ୍ଗାମା, ଅପରାହ୍ନରେ ବଜେଟ

ଭୁବନେଶ୍ବର: ଆଜି ମଧ୍ୟ ସୁରୁଖୁରୁରେ ଚାଲିପାରିଲା ନାହିଁ ବିଧାନସଭା। ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ ବାଚସ୍ପତି ମୁଲତବି ରଖିଥିଲେ। ଆଜି ପ୍ରଶ୍ନ କାଳରେ ବିରୋଧୀ କଂଗ୍ରେସ ସଦସ୍ୟ ଚାଷୀ ଆତ୍ମହତ୍ୟା ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେହିପରି ବିଜେପି ସଦସ୍ୟମାନେ ମଧ୍ୟ ଗୃହ ଭିତରକୁ ଆସି ନାରାବାଜି କରିଥିଲେ।

ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବଜେଟ 2023-2024 ଆଗତ କରିବେ। ଏହା ହେଉଛି ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ। ଆସନ୍ତା ବର୍ଷ ନିର୍ବାଚନ ଥିବାରୁ କାମଚଳା ବଜେଟ ପାରିତ ହେବ। ଏଥର ବଜେଟ ଆକାର ପ୍ରାୟ 2 ଲକ୍ଷ 30 ହଜାର କୋଟି ହେବ ବୋଲି ଅନୁମାନ କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ବଜେଟ ଅଧିବେସନ: ଆଜି ହେଲେ ଛକାଛକି, କାଲି ହେବେ ମୁହାଁମୁହିଁ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବସୁଛି ଓଡିଶା ବିଧାନସଭାର ବଜେଟ ଅଧିବେସନ। ତେବେ ଏହି ଅଧିବେସନରୁ ବଜେଟ ସଂପର୍କରେ ଜାଣିବା ପାଇଁ ଲୋକେ ଆଗ୍ରହୀ ନୁହଁନ୍ତି। ବରଂ ଶାସକ ବିରୋଧୀ କିପରି ହେବେ ମୁହାଁମୁହିଁ ସେ ନେଇ ସମସ୍ତେ ଅନେଇ ରହିଛନ୍ତି। କାରଣ ହେଲା ଏଥର ବଜେଟ ଅଧିବେସନ ପୂର୍ବରୁ ବିରୋଧୀ ଓ ଶାସକ ଦଳ ପାଖରେ ରହିଛି ସ୍ପର୍ଶକାତର ପ୍ରସଂଗ।

ଏଥର ବିଧାନସଭାରେ ପ୍ରମୁଖ ପ୍ରସଂଗ ମଧ୍ୟରେ ରହିଛି ନବ ଦାସ ହତ୍ୟାକାଣ୍ଡ। କାରଣ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ତେବେ ଏହି ହତ୍ୟାକାଣ୍ଡରେ ଖୋଦ ପୋଲିସ ସଂପୃକ୍ତ। ଫଳରେ ବିରୋଧୀଙ୍କ ପାଇଁ ହାଙ୍ଗାମା କରିବା ପାଇଁ ଏହା ପ୍ରମୁଖ ପ୍ରସଂଗ ହୋଇ ରହିଛି। ଉଭୟ ବିଜେପି ଓ କଂଗ୍ରେସ ଏହାକୁ ନେଇ ଗୃହରେ ତୁମ୍ବିତୋଫାନ କରିବେ।

ସେହିପରି ଶାସକ ବିଜେଡି ମଧ୍ୟ ପଛରେ ପଡିଯିବ ନାହିଁ। କାରଣ ବିଜେଡି ପାଖରେ ମଧ୍ୟ ବିରୋଧୀ ବିଜେପିକୁ ଘେରିବା ପାଇଁ ରହିଛି ମାଳମାଳ ପ୍ରସଂଗ। ଚାଉଳ କାଟିବା ହେଉ କିମ୍ବା କେନ୍ଦ୍ରମନ୍ତ୍ରୀମାନଙ୍କର ପ୍ରତିଶୃତି ପୁରଣ ନ ହେବା ପ୍ରଭୃତି ପ୍ରଂସଗ ରହିଛି। ସେହିପରି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ନେଇ ମଧ୍ୟ ବିଜେଡି ହୋହାଲ୍ଲା କରିବାର ସମ୍ଭାବନା ରହିଛି।

ତେବେ ବିଜେଡି ପାଖରେ ଯେଉଁ ବଡ ହତିୟାର ରହିଛି ତାହା ହେଲା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ମହିଳା ପୋଲିସଙ୍କୁ ଆକ୍ରମଣ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିବା ବେଳେ ବିଜେଡି ଏହାକୁ ପ୍ରମୁଖ ପ୍ରସଂଗ କରିବ। ଜଣେ ସାମ୍ବିଧାନିକ ପଦପଦବୀରେ ଥିବା ନେତା ପୋଲିସକୁ ଧକ୍କା ମାରିବା ଘଟଣାକୁ କେହି ବି ସହଜରେ ଗ୍ରହଣ କରି ନାହାଁନ୍ତି। ଫଳରେ ବିଜେଡି ଏହାକୁ ନେଇ ବିଜେପିକୁ ଆକ୍ରମଣ କରିବ।

ଏଥର ବିଧାନସଭାରେ ନବ ଦାସ ଏବଂ ଜୟନାରାୟଣ ମିଶ୍ର ଦୁଇଟି ବଡ ପ୍ରସଂଗ ବ୍ୟତିତ ଅନ୍ୟ କେତେକ ପ୍ରଂସଗ ରହିଛି। ସେଗୁଡିକ ମଧ୍ୟରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ଏବଂ ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ଘେରିବ। ସେହିପରି ବିଜେଡି ମଧ୍ୟ କେନ୍ଦ୍ର ସରକାର ଚାଉଳ କାଟିବା, କେନ୍ଦ୍ରମନ୍ତ୍ରୀମାନେ ପଦମପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶୃତି ପୁରଣ ନ କରିବା ପ୍ରଭୃତି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଅପରାହ୍ନରେ ବସିବ ବୋଲି ନିଷ୍ପତି ହୋଇଛି।

ଏହି ବୈଠକରେ ପ୍ରଥମେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏଥିରେ ପ୍ରାୟ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ। ସେହିପରି ଏହି ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ପ୍ରଦାନ କରାଯିବ। ଏହାପରେ ମନ୍ତ୍ରୀ ପରିଷଦ ବୈଠକରେ ମଧ୍ୟ ବଜେଟକୁ ଅନୁମୋଦନବ କରାଯିବର ସମ୍ଭାବନା ରହିଛି।

ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ। ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ।

ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ବିଶେଷ ଖବର ରାଜ୍ୟ ଖବର

ସୋମବାରରେ ବସିବ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଅପରାହ୍ନରେ ବସିବ ବୋଲି ନିଷ୍ପତି ହୋଇଛି।

ଏହି ବୈଠକରେ ପ୍ରଥମେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏଥିରେ ପ୍ରାୟ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ। ସେହିପରି ଏହି ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ପ୍ରଦାନ କରାଯିବ। ଏହାପରେ ମନ୍ତ୍ରୀ ପରିଷଦ ବୈଠକରେ ମଧ୍ୟ ବଜେଟକୁ ଅନୁମୋଦନବ କରାଯିବ।

ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ।

ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଟେଲି କମ୍ୟୁନିକେସନ ବଜେଟରେ ଓଡିଶା ପାଇଁ ୫,୧୮୩ କୋଟି ଟଙ୍କା ବ୍ୟୟ ବରାଦ

ନୂଆଦିଲ୍ଲୀ: ଓଡିଶାର ଟେଲି କମ୍ୟୁନିକେସନ ବିକାଶ ପାଇଁ ମୋଟ ୫,୧୮୩ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି। ଗତକାଲି ଏ ନେଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ଏଥିପାଇଁ ଯେଉଁ ଯୋଜନା କରାଯାଇଛି ତାହା ହେଲା

ମାଓ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସଂଯୋଗ ( LWE-I) : ଯୋଜନା କରାଯାଇଥିବା ୨୬୧ ମୋବାଇଲ ଟାୱାର ମଧ୍ୟରୁ ୨୫୬ ବିକିରଣ କରୁଛି। ସମସ୍ତ ବିକିରଣ ସାଇଟଗୁଡିକ ୪ଜି କୁ ଅପଗ୍ରେଡ କରାଯାଉଛି।

ମାଓ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସଂଯୋଗ (LWE-II) : ଯୋଜନା ହୋଇଥିବା ୪୮୩ ଟି ମୋବାଇଲ ଟାୱାର ମଧ୍ୟରୁ ୫୧ ଟି ଟାୱାରକୁ ୫୧ ଟି ସୁରକ୍ଷା ସାଇଟ ଅନ୍ତର୍ଭୁକ୍ତ କରାଯାଇଅଛି ।

ପାଞ୍ଚଟି ଆକାଂକ୍ଷା ରାଜ୍ୟରେ ଜିଲ୍ଲାଗୁଡିକରେ ଅନ୍ତର୍ଭୁକ୍ତ ହୋଇନଥିବା ଗ୍ରାମ ଗୁଡିକ – ଏହି ପ୍ରକଳ୍ପ ମଧ୍ୟରେ ୨୩୭୯ ମୋବାଇଲ ଟାୱାର ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଅଛି ଯାହା ଦ୍ଵାରା ୩୯୩୩ ଗ୍ରାମ ଉପକୃତ ହେବ।

୪ଜି ମୋବାଇଲ ସେବା ପରିତୃପ୍ତ – ୨,୮୧୩ ଗ୍ରାମରେ କାର୍ଯ୍ୟ ଚାଲିଛି

ଭାରତନେଟ ପ୍ରକଳ୍ପ- ୬,୭୯୨ ଗ୍ରାମ ପଞ୍ଚାଯତ ମଧ୍ୟରୁ ୬,୭୩୮ ସମ୍ପୂର୍ଣ ହୋଇଛି।

ଆହୁରି ମଧ୍ୟ, ଭାରତନେଟ ବର୍ତମାନ ଦେଶର ସମସ୍ତ ଗ୍ରାମ ପଞ୍ଚାଯତ / ଗ୍ରାମକୁ ସଂଯୋଗ କରିବ, ଓଡିଶାର ପ୍ରାୟ ୧୩ ଟି ଗ୍ରାମ (ଜିପି ବ୍ୟତୀତ) ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା

ଭୁବନେଶ୍ୱର : ଆସନ୍ତା କାଲି କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଓଡିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ମୁଣ୍ଡା ଆସନ୍ତା କାଲି ମଧ୍ୟାହ୍ନ ୧୨.୦୫ ରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ।

ଅପରାହ୍ନ ୪ଟାରେ ଭୁବନେଶ୍ୱରସ୍ଥିତ ହୋଟେଲ ନିୟୁ ମାରିୟନଠାରେ ଆୟୋଜିତ ହେବାକୁ ଥିବା “ବଜେଟ୍ ଆଲୋଚନା ଚକ୍ର” କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅର୍ଥନୀତିଜ୍ଞ, ସାମ୍ବାଦିକ, ସମାଜିକ କର୍ମୀ, ବ୍ୟବସାୟୀ ପ୍ରତିନିଧି ଏବଂ ସମାଜର ପ୍ରବୁଦ୍ଧ ବର୍ଗର ବୁଦ୍ଧିଜୀବୀମାନେ ଉପସ୍ଥିତ ରହିବେ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Budget 2023: ନିର୍ମଳା ସୀତାରମଣଙ୍କ ବଜେଟରେ କଣ ରହିଛି ମୁଖ୍ୟାଂଶ

ନୂଆଦିଲ୍ଳୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ରେ ‘ଅମୃତକାଳ’ର ଲକ୍ଷ୍ୟ ସ୍ଥାନିତ ହୋଇଛି ଯାହା ଏକ ସଶକ୍ତ ଓ ସମାବେଶୀ ଅର୍ଥନୀତିକୁ ପ୍ରତିଫଳିତ କରିବ । ସେ କହିଛନ୍ତି “ଆମେ ଏକ ସମୃଦ୍ଧ ଓ ସମାବେଶୀ ଭାରତ ଗଠନର ଲକ୍ଷ୍ୟ ରଖିଛୁ ଯେଉଁଠି ବିକାଶର ଲାଭ ସବୁ ନାଗରିକଙ୍କ ପାଖରେ ଓ ସବୁ ଅଞ୍ଚଳରେ ପହଞ୍ଚି ପାରିବ ।

ବିଶେଷକରି ଆମ ଯୁବ ସମାଜ, ମହିଳା, ଚାଷୀ, ଓବିସି, ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଲୋକେ ଏହି ବିକାଶର ଲାଭ ଯେପରି ଉଠାଇପାରିବେ ସେଥିପାଇଁ ଆମେ ବିଶେଷ ଗୁରୁତ୍ୱ ଦେଉଛୁ ।”

ଅମୃତକାଳର ଲକ୍ଷ୍ୟ-ଏକ ସଶକ୍ତ ଓ ସମାବେଶୀ ଅର୍ଥନୀତି

କେନ୍ଦ୍ର ଅର୍ଥମନ୍ତ୍ରୀ ସରକାରଙ୍କ ଅମୃତକାଳର ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି ଯେ “ ଆମର ଅମୃତକାଳର ଲକ୍ଷ୍ୟ ମଧ୍ୟରେ ରହିଛି ଟେକ୍ନୋଲୋଜି ପରିଚାଳିତ ଓ ଜ୍ଞାନଭିତ୍ତିକ ଅର୍ଥନୀତି ଏବଂ ଶକ୍ତିଶାଳୀ ସାର୍ବଜନିକ ବିତ୍ତ ତଥା ଏକ ସୁଦୃଢ ଆର୍ଥିକ କ୍ଷେତ୍ର ।” ଏହାକୁ ହାସଲ କରିବା ପାଇଁ ସବ୍କା ସାଥ୍, ସବ୍କା ବିକାଶ ନୀତି ମାଧ୍ୟମରେ ଜନଭାଗିଦାରୀର ଆବଶ୍ୟକତା ରହିଛି ।

ସେ ଆହୁରି କହିଛନ୍ତି ଯେ ଏହି ଲକ୍ଷ୍ୟପୂରଣ ପାଇଁ ଉଦ୍ଦିଷ୍ଟ ଅର୍ଥନୀତିକ କାର‌୍ୟ୍ୟସୂଚୀ ତିନିଟି ଅଗ୍ରାଧିକାର କ୍ଷେତ୍ର ଉପରେ କେନ୍ଦ୍ରିତ ହେବ । ସେଗୁଡିକ ହେଲା

୧) ଯୁବବର୍ଗଙ୍କ ସମେତ ନାଗରିକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ପର‌୍ୟ୍ୟାପ୍ତ ସୁଯୋଗ ସୁବିଧା ସୃଷ୍ଟି କରିବା

୨) ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ନିଯୁକ୍ତି ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ

୩) ସ୍ଥୂଳ ଅର୍ଥନୀତିକ ସ୍ଥିରତାକୁ ସୁଦୃଢ କରିବା। ଏହି ଅଗ୍ରାଧିକାର କ୍ଷେତ୍ରଗୁଡିକୁ ରୂପାୟିତ କରିବା ପାଇଁ ବଜେଟ୍ରେ ଚାରିଟି ପରିବର୍ତ୍ତନଶୀଳ ସୁଯୋଗ ସୃଷ୍ଟି କରାଯାଇଛି । ତାହାରି ମଧ୍ୟମରେ ଭାରତ ସ୍ୱାଧୀନତାର ୧୦୦ବର୍ଷ ପୂର୍ତ୍ତି ଯାତ୍ରା (ଇଣ୍ଡିଆ ଅ୧୦୦)ଆଗକୁ ବଢିବ। ସେହି ସୁଯୋଗଗୁଡିକ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି ।

୧) ଏସଏଚଜି ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ: ଗ୍ରାମାଞ୍ଚଳରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଗ୍ରାମୀଣ ଜୀବିକା ମିଶନ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଉଲ୍ଲେଖ କରି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନ କହିଛନ୍ତି ଯେ ଏହା ମାଧ୍ୟମରେ ଗ୍ରାମାଞ୍ଚଳ ମହିଳାମାନଙ୍କୁ ଏକଜୁଟ କରାଯାଇ ୮୧ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏସ୍ଜି) ଗଠନ କରାଯାଇଛି । ଏବେ ଏହି ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣର ପରବର୍ତ୍ତୀ ପର‌୍ୟ୍ୟାୟରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ।

ସମ୍ପୃକ୍ତ ଗୋଷ୍ଠୀମାନଙ୍କୁ ବୃହତ୍ତର ଉତ୍ପାଦକ ବା ଉଦ୍ୟୋଗୀ ଗୋଷ୍ଠୀ/ସମୁଦାୟରେ ପରିଣତ କରାଯିବ । ଏଥିରେ ସହସ୍ରାଧିକ ମହିଳାଙ୍କୁ ସଦସ୍ୟଭାବେ ରଖାଯିବ ଏବଂ ଏହି ଉତ୍ପାଦକ ଗୋଷ୍ଠୀକୁ ପେସାଦାରୀ ଢଙ୍ଗରେ ପରିଚାଳିତ କରାଯିବ । ସେମାନଙ୍କୁ କଞ୍ଚାମାଲ ସମେତ ଭଲ ଡିଜାଇନ, ମାନକ ସହାୟକ ଉପକରଣ, ବ୍ରାଣ୍ଡିଂ ଓ ବିପଣନ ସୁବିଧା ସରକାର ଯୋଗାଇଦେବେ ।

ସରକାରୀ ସହାୟତା ନୀତି ଦ୍ୱାରା ସେମାନେ ନିଜର ଉତ୍ପାଦନ ବଢାଇ ଅଧିକରୁ ଅଧିକ ଖାଉଟିଙ୍କ ଚାହିଦା ପୂରଣ କରିବେ । ଷ୍ଟାର୍ଟ ଅପ୍ମାନ ମିଳିତ ହୋଇ ଯେପରି ୟୁନିକର୍ଣ୍ଣ ପ୍ରତିଷ୍ଠା କରୁଛନ୍ତି ଏହା ସେହି ଢଙ୍ଗରେ ବୃହତ୍ତର ଗୋଷ୍ଠୀରେ ପରିଣତ ହେବ ।

୨) ପିଏମ୍ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍ ବିକାଶ): ଏହି ନୂଆ ଯୋଜନା ବିଷୟରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶର ପାରମ୍ପରିକ କାରିଗରମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ । ସେମାନେ ନିଜର କର୍ମ କୁଶଳତା ପାଇଁ ସାଧାରଣତଃ କାରିଗର ବା ବିଶ୍ୱକର୍ମାଭାବେ ପରିଚିତ । ସେମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଓ କଳାକୃତି ଆତ୍ମନିର୍ଭର ଭାରତର ଯଥାର୍ଥ ଚେତନା ପ୍ରକାଶ କରେ । ପ୍ରଥମ ଥର ପାଇଁ ଏହି କାରିଗରମାନଙ୍କ ନିମନ୍ତେ ସହାୟତା ପ୍ୟାକେଜ ପ୍ରଦାନ କରିବା କଥା ଚିନ୍ତା କରାଯାଇଛି ।

(କ) ଏହି ନୂଆ ଯୋଜନା ଦ୍ୱାରା ସମ୍ପୃକ୍ତ କାରିଗର ନିଜର ଉତ୍ପାଦିତ ସାମଗ୍ରୀର ମାନ ଓ ପରିମାଣ ବଢାଇ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିବେ । ସେମାନେ ମଧ୍ୟ ନିଜର ଉତ୍ପାଦନ ବଢାଇ ଏମ୍ଏସ୍ଏମ୍ଇ ଯୋଗାଣ ଶୃଙ୍ଖଳା ସହିତ ସାମିଲ ହେବାର ସୁଯୋଗ ପାଇବେ ।

(ଖ) ଏହି ଯୋଜନାରେ ସମ୍ପୃକ୍ତ କାରିଗରଙ୍କୁ ଆର୍ଥିକ ସହାୟତା ସହିତ ଉନ୍ନତ ଦକ୍ଷତା ବିକାଶ ତାଲିମ, ଆଧୁନିକ ଡିଜିଟାଲ ଟେକ୍ନୋଲୋଜି ଜ୍ଞାନ, ଦକ୍ଷ ଗ୍ରୀନ ଟେକ୍ନୋଲୋଜି, ବ୍ରାଣ୍ଡ ପ୍ରମୋସନ, ସ୍ଥାନୀୟ ଓ ବିଶ୍ୱବଜାର ସହିତ ସଂଯୁକ୍ତ ହେବାର ସୁଯୋଗ, ଡିଜିଟାଲ ପେମେଣ୍ଟ ଓ ସାମାଜିକ ସୁରକ୍ଷା ସୁବିଧା ମଧ୍ୟ ଦିଆଯିବ ।

ଗ) ଏହି ଯୋଜନା ଦ୍ୱାରା ତଫସିଲଭୁକ୍ତ ଜାତି, ଉପଜାତି, ଓବିସି, ମହିଳା ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ଅଧିକ ଉପକୃତ ହେବେ ।

୩) ମିଶନ ମୋଡରେ ପର୍ଯ୍ୟଟନ ପ୍ରୋତ୍ସାହନ:- ଦେଶରେ ପର୍ଯ୍ୟଟନର ଯେଉଁ ଅପାର ସମ୍ଭାବନା ରହିଛି ତାହାର ଲାଭ ଉଠାଇ ଅଧିକରୁ ଅଧିକ ଘରୋଇ ଏବଂ ଆନ୍ତର୍ଜାତିକ ପର‌୍ୟ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବଜେଟ୍ରେ ଏକ ନୂଆ କାର‌୍ୟ୍ୟକ୍ରମ ରହିଛି । ଏହି କ୍ଷେତ୍ରରେ କର୍ମନିଯୁକ୍ତି ଓ ରୋଜଗାରର ପ୍ରଚୁର ସମ୍ଭାବନା ଥିବାରୁ ପର‌୍ୟ୍ୟଟନର ପ୍ରୋତ୍ସାହନ ମିଶନ ମୋଡରେ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏଥିରେ ରାଜ୍ୟମାନଙ୍କର ସକ୍ରିୟ ସହଯୋଗ ରହିବ । ସରକାରୀ କାର‌୍ୟ୍ୟକ୍ରମଗୁଡିକର ସମ୍ମିଶ୍ରଣ କରାଯିବା ସହିତ ସରକାରୀ ଘରୋଇ ଭାଗିଦାରୀରେ ଏହି କ୍ଷେତ୍ରରେ କାମ ହେବ ।

୪) ଗ୍ରୀନଗ୍ରୋଥ ବା ସବୁଜ ଅଭିବୃଦ୍ଧି:- କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଗ୍ରୀନ ଗ୍ରୋଥ ଉପରେ ଅଗ୍ରାଧିକାର ଦେଉଛନ୍ତି । ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା ଅଙ୍ଗାରକାମ୍ଳ ନିର୍ଗମନକୁ ଯଥାସମ୍ଭବ ହ୍ରାସ କରି ପରିବେଶକୁ ଅଙ୍ଗାରମୁକ୍ତ ଏବଂ ନିର୍ମଳ ରଖିବା ତଥା ଏକ ଅଙ୍ଗାରମୁକ୍ତ ଅର୍ଥନୀତି ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ।

ଏହା ଫଳରେ ଅନେକ ଗ୍ରୀନଜବ (ଅଙ୍ଗାରମୁକ୍ତ ନିଯୁକ୍ତି) ସୁଯୋଗ ସୃଷ୍ଟି ହେବ । ସରକାର ସବୁଜ ଇନ୍ଧନ, ସବୁଜ ଊର୍ଜା, ପ୍ରଦୂଷଣ ମୁକ୍ତ ଚାଷ, ପ୍ରଦୂଷଣ ମୁକ୍ତ ଗମନାଗମନ, ସବୁଜ ବିଲ୍ଡିଂ, ସବୁଜ ଉପକରଣ ଭଳି ବିଭିନ୍ନ କାର‌୍ୟ୍ୟକ୍ରମ କାର‌୍ୟ୍ୟକାରୀ କରୁଛନ୍ତି । ଏହାଛଡା ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଦକ୍ଷ ଏବଂ ପ୍ରଦୂଷଣମୁକ୍ତ ଊର୍ଜାକୁ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି । ଅର୍ଥନୀତିକ ଅଭିବୃଦ୍ଧିରେ ପ୍ରଦୂଷଣର ପ୍ରଭାବ ଯେପରି ନ ରହେ ସେଥିପାଇଁ ସରକାର ଉଦ୍ୟମଶୀଳ ।

ବଜେଟ୍ ୨୦୨୩-୨୪ର ସପ୍ତଋଷି ବା ସାତଟି ଦିଗ୍ଦର୍ଶନକାରୀ ଅଗ୍ରାଧିକାର: ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅମୃତକାଳର ପ୍ରଥମ ବଜେଟ୍ ସାତଟି ଅଗ୍ରାଧିକାର ଭିତ୍ତିରେ କାର‌୍ୟ୍ୟକାରୀ ହେବ ଏବଂ ଏହା ସପ୍ତଋଷି ସଦୃଶ ।

ସେଗୁଡିକ ହେଲା-୧) ସମାବେଶୀ ବିକାଶ, ୨) ଶେଷ ଲକ୍ଷ୍ୟସ୍ଥଳରେ ପହଞ୍ଚବା, ୩) ଭିତ୍ତିଭୂମି ଏବଂ ପୁଞ୍ଜିନିବେଶ, ୪) ସାମର୍ଥ୍ୟର ଉପଯୋଗ, ୫) ସବୁଜ ଅଭିବୃଦ୍ଧି, ୬) ଯୁବଶକ୍ତି ଓ ୭)ଆର୍ଥିକ କ୍ଷେତ୍ର ।

ସବକା ସାଥ୍ ସବକା ବିକାଶ: ୨୦୨୩-୨୪ କେନ୍ଦ୍ର ବଜେଟର ମୁଖ୍ୟ ବିଷୟବସ୍ତୁ ହେଲା ସମାବେଶୀ ବିକାଶ ଉପରେ ଦୃଷ୍ଟି କେନ୍ଦ୍ରୀତ କରିବା । ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରାମଣ କହିଛନ୍ତି , “ସରକାରଙ୍କ ସବ୍କା ସାଥ୍, ସବ୍କା ବିକାଶ ଦର୍ଶନ ହିଁ ସମାବେଶୀ ବିକାଶର ପଥ ଉନ୍ମୁକ୍ତ କରିଛି । ଏଥିରେ ନିର୍ଦ୍ଦିଷ୍ଟଭାବେ ଚାଷୀ, ମହିଳା, ଯୁବବର୍ଗ, ଓବିସି, ତଫସିଲଭୁକ୍ତ ଜାତି ଓ ଉପଜାତି, ଦିବ୍ୟାଙ୍ଗଜନ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ବର୍ଗର ଲୋକଙ୍କ ବିକାଶ ଅଗ୍ରାଧିକାର ପାଇଛି । ଏହା ହିଁ ବଂଚିତଙ୍କୁ ଅଗ୍ରାଧିକାର ବା ବରିଷ୍ଠତା ପ୍ରଦାନ ।”

ଏହାଛଡା ଜମ୍ମୁ ଓ କାଶ୍ମୀର, ଲଦାଖ ଓ ଉତ୍ତର-ପୂର୍ବାଞ୍ଚଳର ବିକାଶ ଉପରେ ଅଗ୍ରାଧିକାର ବଳବତ୍ତର ରହିଛି । ଏହି ବଜେଟ୍ ଏହି ସବୁ ଉଦ୍ୟମରେ ପ୍ରସ୍ତୁତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

Budget Breaking: ବଢିଲା ଇନକମ୍ ଟ୍ୟାକ୍ସ ସ୍ଲାବ, ଘୋଷଣା କଲେ ଅର୍ଥମନ୍ତ୍ରୀ

Budget Breaking: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବର୍ଗର ଇନକମ ଟ୍ୟାକ୍ସ ସ୍ଲାବକୁ ବୃଦ୍ଧି କରିଛନ୍ତି। ଯାହାକୁ ସମସ୍ତଙ୍କର ଅପେକ୍ଷା ରହିଥିଲା। ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଚଳିତ ବଜେଟରେ ଆୟକର ସ୍ଲାବ ସୀମା ୫ ଲକ୍ଷ ଟଙ୍କାରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି। ଅର୍ଥାତ ଏଣିକି ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟରେ କୌଣସି ଆୟକର ଦେବାକୁ ପଡିବ ନାହିଁ।

ଅର୍ଥମନ୍ତ୍ରୀ ନୂଆ ଆୟକର ସ୍ଲାବ ପ୍ଲାନକୁ ମଧ୍ୟ ଘୋଷଣା କରିଛନ୍ତି । ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ । ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫ ପ୍ରତିଶତ । ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦ ପ୍ରତିଶତ । ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫ ପ୍ରତିଶତ । ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ ଘୋଷଣା କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Budget 2023: କଣ ରହିଛି ନିର୍ମଳା ସୀତାରମଣଙ୍କ ବଜେଟ, ଜାଣନ୍ତୁ ଏହି ୧୦ ଟି ତଥ୍ୟ

Budget 2023: ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ସଂସଦରେ ବଜେଟ 2023 ଉପସ୍ଥାପନ କରୁଛନ୍ତି। ଏହି ବଜେଟ ଉପସ୍ଥାପନା ବର୍ତ୍ତମାନ ସୁଦ୍ଧା ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଯାହା ଆସିଛି ସେଗୁଡି ହେଲା..

ପୁଞ୍ଜି ବିନିଯୋଗ ୩୩% ବୃଦ୍ଧି ହୋଇ ୧୦ ଲକ୍ଷ କୋଟିରେ ପହଞ୍ଚିଛି। ଏହା ହେଉଛି ଜିଡିପିର ୩.୩% ପ୍ରତିଶତ

କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୩୮,୮୦୦ ଶିକ୍ଷକ ନିଯୁକ୍ତି ଦେବେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ୬୬% ବୃଦ୍ଧି କରିଗଲା ଯାହା ୭୯,୦୦୦ କୋଟିରୁ ଅଧିକ ବ୍ୟୟ ଅଟକଳ ରଖାଯାଇଛି।

ପ୍ରତି ପଞ୍ଚାୟତରେ ଶିଶୁ, କିଶୋରମାନଙ୍କ ପାଇଁ ଜାତୀୟ ଡିଜିଟାଲ୍ ଲାଇବ୍ରେରୀ ସ୍ଥାପନ

ଆର ଆଣ୍ଡି ଡି ଫାର୍ମା ନୂଆ ଯୋଜନାର ଶୁଭାରମ୍ଭ ହେବ।

ବଜେଟରେ ଚାକିରୀ ସୃଷ୍ଟି, ଯୁବକମାନଙ୍କର ଉନ୍ନତି ଉପରେ ଧ୍ୟାନ ଦେଇଥାଏ। ଏକ ଦୀର୍ଘସ୍ଥାୟୀ ଲକ୍ଷ୍ୟରେ ଆମେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛୁ। ଦେଶରେ ପ୍ରଧାନମନ୍ତ୍ରୀ ସୁରକ୍ଷ ବୀମା ଯୋଜନା, ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଏବଂ ଜନ ଧନ ଆକାଉଣ୍ଟରେ ମଧ୍ୟ ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି ବୋଲି ଏଫଏମ କହିଛନ୍ତି।

୨୦୧୪ ଠାରୁ ସରକାରୀ ଉଦ୍ୟମ ଦେଶର ନାଗରିକଙ୍କ ପାଇଁ ଉନ୍ନତ ମାନର ଜୀବନଯାପନ ପାଇଁ ସୁନିଶ୍ଚିତ କରିଛି।

‘ଭାରତୀୟ ଚାଷକୁ ଆଧୁନିକ ଜ୍ଞାନକୈଶଳ ଆଣିବା ପାଇଁ ଗ୍ରାମାଞ୍ଚଳରେ କୃଷି-ବୈଷୟିକ ଷ୍ଟାର୍ଟଅପ୍ ମାନଙ୍କୁ ସହାୟତା କରିବା ପାଇଁ ଏକ କୃଷି ତ୍ୱରାନ୍ୱିତ ପାଣ୍ଠି ଗଠନ କରାଯିବ। ଏହା ଭାରତୀୟ ଚାଷଜମିରେ ଆଧୁନିକ ଜ୍ଞାନକୌଶଳ ଆଣିବା ପାଇଁ ଉଦ୍ଦିଷ୍ଟ।

ଦେଶରେ ସ୍ବଚ୍ଛ ଭାରତ ଅଭିଜାନରେ ୧୧:୦୮ କୋଟି ପାଇଖେନା ନିର୍ମାଣ କରାଯିବ

ଦେଶରେ 9.6 କୋଟିଙ୍କୁ ଉଜ୍ଜଳା ଭାରତ ଯୋଜନାରେ ସାମିଲ କରାଯିବ

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

Budget2023: ଅର୍ଥମନ୍ତ୍ରୀଙ୍କ ମେରୁନ ରଂଗର ଶାଢୀ ଏଥରର ଆକର୍ଷଣ

Budget2023: ଆଜି ସଂସଦ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2023 ବର୍ଷର ବଜେଟ ଉପସ୍ଥାପନା କରିବେ। ଏଥିପାଇଁ ସେ ଏକ ନାଲି ଶାଢୀ ପିନ୍ଧି ଆସିଛନ୍ତି। ଏହି ଶାଢୀଟିରେ ମନ୍ଦିର ଚୁଡା ଥିବା ହାଲକା କଳା ବଡର ସହିତ ଶାଢୀ ଦେହରେ ତାରକା ଚିହ୍ନ ରହିଛି। ସବୁବେଳେ ଭାରତୀୟ ହସ୍ତକଳା ଶାଢୀ ପିନ୍ଧିବାକୁ ଭଲ ପାଉଥିବା ନିର୍ମାଳା ଏଥର ସେହିପରି ଭାରତୀୟ କଳା ଥିବା ଶାଢି ପିନ୍ଧି ଆସିଛନ୍ତି।

ହିନ୍ଦୁ ଧର୍ମ ଅନୁସାରେ ମନ୍ଦିର ଚୁଡା ଥିବା ଶାଢୀ ସାଧାରଣତଃ ବିଶେଷ ଦିନରେ ପିନ୍ଧାଯାଇଥାଏ। ସେଥିପାଇଁ ଆଜି ନିର୍ମଳା ସୀତାରମଣଙ୍କ ପାଇଁ ଏକ ବିଶେଷ ଦିନ ହୋଇଥିବାରୁ ସେ ଏହି ପରି ଶାଢୀ ପିନ୍ଧି ଆସିଛନ୍ତି। ସେହିପରି ଏହି ଶାଢୀ ଦେହରେ ଷ୍ଟାର ବା ତାରକା ଚିହ୍ନ ରହିଥିବାରୁ ଏହା ଏକ ଶକ୍ତିଶାଳୀ ସମୟକୁ ଉପସ୍ଥାପିତ କରୁଛି। ଏହି ଶାଢୀ ବର୍ତ୍ତମାନ ସୀତାରମଣଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ, ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଆଜି ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ୪ମାସିଆ କାମଚଳା ବଜେଟକୁ ଗତ ମାର୍ଚ୍ଚ ମାସରେ ଗୃହରେ ଅନୁମୋଦନ କରାଯାଇଥିଲା।

ଆଜି ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଚଳିତବର୍ଷର ବଜେଟ ପରିମାଣ ପ୍ରଥମ ଥର ପାଇଁ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଆଉ ଦୁଇଦିନ ପରେ ବିଧାନସଭା, ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆଉ ଦୁଇଦିନ ପରେ ବସିବ ବିଧାନସଭା। ଏଥର ଅଧିବେସନରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥିପିତ ହେବ। ଏଥର ବିଧାନସଭାକୁ ପରିଚାଳନା କରିବେ ନୂଆ ବାଚସ୍ପତି ବିକ୍ରମ ଆରୁଖ। ଗୃହରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ଚଳିତ ଅଧିବେସନ ସଂପର୍କରେ ଆଲୋଚନା କରାଯିବ।

ଏଥର ଅଧିବେସନ ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ୟ୍ୟନ୍ତ ଚାଲିବ ଏଥିରେ ୨୪ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ୍। ସେହିପରି ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ ।

ସେହିପରି ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ। ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯିବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବଜେଟରେ କୃଷକ, ଯୁବକ ଏବଂ ମଧ୍ୟବିତ୍ତଙ୍କୁ ଏକ ବଡ ଉପହାର, ଜାଣନ୍ତୁ କାହାକୁ କ’ଣ ମିଳିଲା?

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଅନେକ ବିଶେଷ ଘୋଷଣା କରାଯାଇଛି, କିନ୍ତୁ ସାଧାରଣ ଜନତା କ’ଣ ବିଶେଷ ପାଇଛନ୍ତି? କୃଷକ, ମଧ୍ୟବିତ୍ତ, ଗରିବ ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଅନେକ ବିଶେଷ ଘୋଷଣା କରିଛନ୍ତି। ଚଳିତ ବର୍ଷର ବଜେଟରେ ସରକାର କୃଷି, ଯୁବକ ଏବଂ ପ୍ରଧାନମନ୍ତ୍ରୀ ଆବସ ଯୋଜନା ସହ ଜଡିତ ଅନେକ ବଡ ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଜନତାଙ୍କ ପାଇଁ କ’ଣ ବିଶେଷ ମିଳିଛି ଆସନ୍ତୁ ଜାଣିବା….

କୃଷକମାନଙ୍କ ପାଇଁ କ’ଣ ବିଶେଷ ରହିଛି?:

ଏହି ବଜେଟରେ ସରକାର ଚାଷୀଙ୍କ ପାଇଁ ଅନେକ ବିଶେଷ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ୨୦୨୩ ବର୍ଷକୁ ବଡ ଶସ୍ୟ ବର୍ଷ ଭାବରେ ଘୋଷଣା କରାଯାଇଥିଲା। ରବି ୨୦୨୧-୨୨ ରେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଏବଂ ଧାନ କ୍ରୟ କରାଯିବ। ଚାଷୀଙ୍କୁ ଡିଜିଟାଲ ଏବଂ ହାଇ-ଟେକ୍ ସେବା ଯୋଗାଇବା ପାଇଁ ପିପିପି ମଡେଲରେ ଏହି ଯୋଜନା ଆରମ୍ଭ ହେବ। ଏହି ବଜେଟରେ ଏମଏସପି ମାଧ୍ୟମରେ ଚାଷୀଙ୍କୁ ୨.୩ ଲକ୍ଷ କୋଟି ଟଙ୍କା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ କୃଷକମାନଙ୍କୁ ଡିଜିଟାଲ ସେବା ଦିଆଯିବ ଏବଂ ଭାରତରେ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ ଜୋରଦାର କାର୍ଯ୍ୟ କରାଯିବ।

୬୦ ଲକ୍ଷ ଯୁବକଙ୍କୁ ଚାକିରି:

ଏହି ବଜେଟରେ ଦେଶର ଯୁବକମାନଙ୍କ ପାଇଁ ଅର୍ଥମନ୍ତ୍ରୀ ଅନେକ ବିଶେଷ ଘୋଷଣା କରିଛନ୍ତି। ଗତିଶକ୍ତି ଯୋଜନା ଅଧୀନରେ ୬୦ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୀତାରାମଣ କହିଛନ୍ତି, ଯାହା ଦେଶର ଯୁବକମାନଙ୍କୁ ସିଧାସଳଖ ଉପକୃତ ମିଳିବ।

ଘର କ୍ରେତାମାନଙ୍କୁ ଲାଭ:

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ପ୍ରକଳ୍ପ ପାଇଁ ୪୮ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି ବୋଲି ସୀତାରମଣ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୮୦ ଲକ୍ଷ ଘରର ନିର୍ମାଣ କାର୍ଯ୍ୟ ଶେଷ ହେବ। ସରକାର ୨୦୨୨-୨୩ ମସିହାରେ ଗ୍ରାମାଞ୍ଚଳ ଏବଂ ସାହାରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିସ୍ତାର କରିବେ। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ୬୦ ହଜାର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଭାବରେ ଚିହ୍ନଟ ହେବ। ୨୦୨୨-୨୩ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ୮୦ ଲକ୍ଷ ଘର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହା ବ୍ୟତୀତ ୩.୨୨ କୋଟି ଘର ୨୦୨୨-୨୩ ମସିହାରେ “ହର ଘର ନଲ ସେ ଜଲ” ଯୋଜନା ସହିତ ସଂଯୁକ୍ତ ହେବ। ଏଥିପାଇଁ ୬୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।

ସରକାରୀ କର୍ମଚାରୀମାନଙ୍କ ପାଇଁ ବଡ଼ ଆଶ୍ଵସ୍ତି:

ଏହି ବଜେଟରେ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାର ବଡ଼ ଆଶ୍ଵସ୍ତି ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏନପିଏସରେ କେନ୍ଦ୍ର ଏବଂ ରାଜ୍ୟର ଅବଦାନ ବର୍ତ୍ତମାନ ୧୦ ପ୍ରତିଶତ ପରିବର୍ତ୍ତେ ୧୪ ପ୍ରତିଶତ ହେବ। PFRDA ଅଧିନିୟମ ୨୦୧୩ ଅନୁଯାୟୀ ପ୍ରତିଷ୍ଠିତ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଦ୍ୱାରା NPS ପରିଚାଳିତ ଏବଂ ନିୟନ୍ତ୍ରିତ କରାଯାଉଛି। NPS Tier-I ପ୍ରତି ନିଯୁକ୍ତିଦାତାର ଅବଦାନ ଆୟକର ଅଧିନିୟମର ୮୦ ସିସିଡି (୨) ଅନୁଯାୟୀ ଟିକସ ରିହାତି ପାଇଁ ଯୋଗ୍ୟ ଅଟେ। ଏହି ଟିକସ ସୁବିଧା ଧାରା ୮୦ ସି ଅନୁଯାୟୀ ଧାର୍ଯ୍ୟ ସୀମାଠାରୁ ଅଧିକ।

କ୍ରିପ୍ଟୋକରେନ୍ସିରୁ ଆୟ ଉପରେ ଟିକସ:

କ୍ରିପ୍ଟୋକରେନ୍ସି କାରବାର କରୁଥିବା ଲୋକଙ୍କ ପାଇଁ ଖରାପ ଖବର। ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ଭର୍ଚୁଆଲ୍ ଆସେଟ୍ ଉପରେ ଟିକସ ଯୋଜନା ଘୋଷଣା କରିଛନ୍ତି। ଭର୍ଚୁଆଲ୍ ମୁଦ୍ରା ଠାରୁ ଆୟ ଉପରେ ସରକାର ଟିକସ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କୌଣସି ପ୍ରକାରର ଭର୍ଚୁଆଲ ମୁଦ୍ରା ଠାରୁ ଆୟ ଉପରେ ୩୦ ପ୍ରତିଶତ ଟିକସ ଆଦାୟ କରାଯିବ। ଏହା ବ୍ୟତୀତ, କାରବାର ଉପରେ TDS ମଧ୍ୟ ୧ ପ୍ରତିଶତ ହାରରେ କଟାଯିବ।

ଟ୍ୟାକ୍ସରେ କେତେ ଆଶ୍ଵସ୍ତି?:

ଯଦି ଆମେ ଆୟକର ବିଷୟରେ ଆଲୋଚନା କରୁ, ତେବେ ଟିକସ ସାମ୍ନାରେ ସାଧାରଣ ଜନତାଙ୍କୁ ସରକାର କୌଣସି ଆଶ୍ଵସ୍ତି ଦେଇନାହାଁନ୍ତି। ଏଥର ଆୟକରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ବ୍ୟତୀତ, ମାନକ ରିହାତିର ସୀମା ମଧ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅବଶ୍ୟ, ଟିକସଦାତାଙ୍କ ପାଇଁ ଏକ ବଡ ଆଶ୍ଵସ୍ତି ଭାବରେ ୨ ବର୍ଷ ମଧ୍ୟରେ ସେମାନଙ୍କର ରିଟର୍ଣ୍ଣ ଅପଡେଟ୍ କରିବାକୁ ଅନୁମତି ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବଜେଟ ଉପରେ ଆସିଲା ପ୍ରଥମ ପ୍ରତିକ୍ରିୟା, କଂଗ୍ରେସ ନେତା ଶଶି ଥରୁର କହିଲେ ଏଭଳି କଥା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ ଅନେକ ଘୋଷଣା କରିଛନ୍ତି। କିନ୍ତୁ ବଜେଟରେ ଆୟକରରେ ସାଧାରଣ ଲୋକଙ୍କୁ କୌଣସି ଆଶ୍ଵସ୍ତି ଦେଇନାହାଁନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଏବେ କେନ୍ଦ୍ର ସରକାରକୁ ଆକ୍ରମଣ କରୁଛନ୍ତି। ଏନେଇ କଂଗ୍ରେସ ନେତା ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଶଶି ଥରୁର କହିଛନ୍ତି ଯେ, ମୁଁ ବହୁତ ଅସନ୍ତୋଷ। ଏହା ଏକ ତରଳାଯାଇଥିବା ବାଣ ପରି। ଦେଢ ଘଣ୍ଟା ଭାଷଣରେ କିଛି ନଥିଲା। ପ୍ରତିରକ୍ଷା କ୍ଷେତ୍ରରେ କିଛି କହି ନାହାଁନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରିତ ନୁହେଁ। ସାଧାରଣ ଜନତାଙ୍କ ପାଇଁ ଟ୍ୟାକ୍ସ ସ୍ଲାବରେ କୌଣସି ଆଶ୍ଵସ୍ତି ନାହିଁ। ଏତେ ବଡ ଭାଷଣରେ ସାଧାରଣ ଜନତାଙ୍କ ପାଇଁ କିଛି ନଥିଲା।

ଅନ୍ୟପକ୍ଷରେ, ବିଜେପି ୨୦୨୨-୨୩ ବଜେଟକୁ ଐତିହାସିକ ବୋଲି କହିଛି। ବିଜେପି କହିଛି ଯେ, ସରକାରଙ୍କ ବିରୋଧରେ କହିବାକୁ ବିରୋଧୀଙ୍କର କୌଣସି ପ୍ରସଙ୍ଗ ବାକି ନାହିଁ।

ବଡ ବଜେଟ୍ ଘୋଷଣା:

– ଆସନ୍ତା ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ୍ ଚାଲିବ।
– ମେକ୍ ଇନ୍ ଇଣ୍ଡିଆରେ ୬୦ ଲକ୍ଷ ଚାକିରି ସୁଯୋଗ।
– କୃଷକମାନଙ୍କୁ ଏମଏସପି ପାଇଁ ୨.୭ ଲକ୍ଷ କୋଟି ଟଙ୍କା ଦେବ।
– FY୨୩ ରେ ୨୫ ହଜାର କିମି ଜାତୀୟ ରାଜପଥ ପ୍ରସ୍ତୁତ କରିବ।
– ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଯୋଜନା କରିଛନ୍ତି।
– ୨ ଲକ୍ଷ ଅଙ୍ଗନୱାଡି ବିକଶିତ ହେବ।
– ପିଏମ ଆବାସ ଯୋଜନା ଅଧୀନରେ ୮୦ଲକ୍ଷ ଘର ନିର୍ମାଣ ହେବ।
– ସମସ୍ତ ଡାକଘରଗୁଡିକ ବ୍ୟାଙ୍କିଂ ସିଷ୍ଟମ ସହିତ ସଂଯୁକ୍ତ ହେବ।
– ୭୫ ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ୟୁନିଟ୍ ଖୋଲିବାକୁ ଯାଉଛି।
– ୨୦୨୨ ରେ ୫ଜି ସ୍ପେକ୍ଟ୍ରମ୍ ନିଲାମ ହେବ।
– ଚଳିତ ବର୍ଷ ଡିଜିଟାଲ ମୁଦ୍ରା ଲଞ୍ଚ ହେବ।
– କ୍ରିପ୍ଟୋ ରୋଜଗାର ୩୦% ରେ ଟ୍ୟାକ୍ସ ହେବ।
– ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଷ୍ଟାର୍ଟ ଅପ୍ ପାଇଁ ଟିକସ ଛାଡ।
– LTCG ରେ ସରଚାର୍ଜ ୧୫% ରେ ସୀମିତ ରହିବ।
– ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ।