ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଅଢେଇ ହଜାର ଫୁଟ ଉଚ୍ଚତାର ଥ୍ରୀ’ଡି ବାଲୁକା ଶାନ୍ତାକ୍ଲଜ,ବିଶ୍ବରେ ପ୍ରଥମ

Published: Dec 25, 2019, 12:01 am IST
ସମୀକ୍ଷା ବ୍ୟୁରୋ

ପୁରୀ-ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁଣି ଥରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ତାହା ହେଉଛି ସୁଦର୍ଶନ ପ୍ରତିବର୍ଷ ପରି ଏଥର ମଧ୍ୟ ନିର୍ମାଣ କରିଛନ୍ତି ଏକ ଭିନ୍ନ ବାଲୁକା ଶାନ୍ତାକ୍ଲଜ୍। ପ୍ରତି ବର୍ଷ ସେ ପୁରୀବେଳା ଭୂମିରେ ଯେଉଁ ଶାନ୍ତାକ୍ଲଜ ନିର୍ମାଣ କରନ୍ତି ତାହା ଶୋଇକରି ଥାଏ। ହେଲେ ଏଥର ସେ ନୂଆ ରେକର୍ଡ କରିଛନ୍ତି। ତାହା ହେଉଛି ସୁଦର୍ଶନ ଏଥର ନିର୍ମାଣ କରିଛନ୍ତି ପୁରା ବାଲି ମୂର୍ତ୍ତି। ଯାହାକୁ କୁହାଯିବ ଥ୍ରୀ ଡି ବାଲୁକା ଶାନ୍ତାକ୍ଲଜ୍।

ତେବେ ଆଶ୍ଚର୍ଯ୍ୟର କଥା ତାହା ଶହେ ଫୁଟ କିମ୍ବା ହଜାରେ ଫୁଟ ଉଚ୍ଚତାର ନୁହେଁ, ପୁରା ଅଢେଇ ହଜାର ଫୁଟ ଉଚ୍ଚତାର ବାଲୁକା ଶାନ୍ତାକ୍ଲଜ ସେ ନିର୍ମାଣ କରିଛନ୍ତି। ଯେ କେହି ଦେଖିଲେ ସେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇପଡିବ। କାରଣ ମାଟିରେ ମୂର୍ତ୍ତି ନିର୍ମାଣ କରି ହେବ। ହେଲେ ବାଲିରେ ଛିଡା ହେବା ମୂର୍ତ୍ତି ନିର୍ମାଣ କରିବା କଷ୍ଟ ସାଧ୍ୟ। ହେଲେ ସେପରି କଷ୍ଟସାଧ୍ୟ କାମକୁ କରି ଦେଖାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହା ବିଶ୍ବର ପ୍ରଥମ ବଡ ବାଲୁକା କଳା ବୋଲି ଜଣାପଡିଛି। କାରଣ ଏହା ପୂର୍ବରୁ ଥ୍ରୀ’ଡି ର ବାଲୁକା କଳା କେହି କେବେ ନିର୍ମାଣ କରି ନାହାଁନ୍ତି।

ମୁଖ୍ୟତଃ ବଡଦିନ ଉପଲକ୍ଷେ ପୁରୀ ବେଳାଭୂମି ଭିଡ ଥିବାରୁ ଏହି ଥ୍ରଡି ବାଲୁକା କଳା ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି। ତେବେ ଏହି କଳା ନିର୍ମାଣ ସହିତ ସୁଦର୍ଶନ ଏକ ବାର୍ତ୍ତା ମଧ୍ୟ ପ୍ରେରଣ କରିଛନ୍ତି। ତାହା ହେଉଛି ଗୋ ଗ୍ରୀନ। ସାରା ବିଶ୍ବକୁ ସେ ପରିବେଷ ସୁରକ୍ଷାର ବାର୍ତ୍ତା ମଧ୍ୟ ତାଙ୍କ କଳା ମାଧ୍ୟମରେ ଦେଇଛନ୍ତି। ତେବେ ଏହି ବାଲୁକା କଳା ଖୁବ୍ ଶିଘ୍ର ଏକ ବିଶ୍ବ ରେକର୍ଡର ଅଧିକାରୀ ହେବ ବୋଲି ଜଣାପଡିଛି।

ପୂର୍ବରୁ ସୁଦର୍ଶନ ଏହି ବଡଦିନ ଉପଲକ୍ଷେ ବିଭିନ୍ନ ପ୍ରକାରର ଶାନ୍ତାକ୍ଲଜ ନିର୍ମାଣ କରି ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବାଲିରେ ଏକାଥରେ ଏକଶହଟି ଶାନ୍ତାକ୍ଲଜ ନିର୍ମାଣ କରି ନୂଆ ରେକର୍ଡ କରିଥିଲେ। ସେହିପରି ଏକ ବିରାଟ ଶାନ୍ତାକ୍ଲଜ ନିର୍ମାଣ କରି ସେ ଆଉ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ସୁଦର୍ଶନ ପ୍ରତି ବର୍ଷ ବଡଦିନ ଅର୍ଥାତ ଡିସେମ୍ବର 25 ତାରିଖରେ କିଛି ନ କିଛି ନୂଆ କଳା ନିର୍ମାଣ କରି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଏଥର ଶାନ୍ତାକ୍ଲଜ କିନ୍ତୁ ସେଗୁଡିକ ମଧ୍ୟରୁ ନିଶ୍ଚିତ ଭିନ୍ନତା ପ୍ରତିପାଦନ କରିଛି।

Related posts