Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ଆଜାଦୀ” ଶବ୍ଦକୁ ନେଇ ଆଦିତ୍ୟନାଥ ଓ ରାମଦେବ ଏତେ ଭୟାତୁର କାହିଁକି?
ବିଶେଷ ଖବର

“ଆଜାଦୀ” ଶବ୍ଦକୁ ନେଇ ଆଦିତ୍ୟନାଥ ଓ ରାମଦେବ ଏତେ ଭୟାତୁର କାହିଁକି?

January 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ହଠାତ ଏକ ସ୍ଵାଧୀନ ଦେଶରେ “ସ୍ଵାଧୀନତା” ଶବ୍ଦକୁ ନେଇ କିଛି ଲୋକ ବଡ ଚିନ୍ତିତ ଜଣାପଡ଼ୁଛନ୍ତି। କେବଳ ଚିନ୍ତିତ ନୁହନ୍ତି, ସ୍ଵାଧୀନତା ବା ଆଜାଦୀ ଶବ୍ଦକୁ ନେଇ ସେମାନେ ଭୟାତୁର ହୋଇ ପଡୁଥିବାର ଆମେ ଦେଖୁଛୁ। ଏହି ଚିନ୍ତିତ ଓ ଭୟାତୁର ଲୋକଙ୍କ ଭିତରେ ଦୁଇଜଣ ବାବାଜୀ ସର୍ବାଗ୍ରେ ରହିଛନ୍ତି। ଜଣେ ହେଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ଆର ଜଣକ କର୍ପୋରେଟ ସନ୍ୟାସୀ ବାବା ରାମଦେବ। ଭାରତୀୟ ଆଶ୍ରମ ବ୍ୟବସ୍ଥାରେ ସନ୍ୟାସକୁ ଚରମ ମୁକ୍ତିର ସୋପାନ ବୋଲି କୁହା ଯାଇଥାଏ। ଏ ଦୁଇ ସନ୍ୟାସୀ ମୁକ୍ତି, ସ୍ଵାଧୀନତା ଓ ଆଜାଦୀ ଶବ୍ଦକୁ ନେଇ ଏତେ ଡରୁଛନ୍ତି କାହିଁକି? ବର୍ତ୍ତମାନ ଦେଶରେ ମାସେରୁ ଅଧିକ କାଳ ଚାଲିଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନକୁ ସାମ୍ନା କରିବାରେ ଅକ୍ଷମ ଓ ଲୋକଙ୍କୁ ଏହି ଆଇନର ସାମ୍ବିଧାନିକତା ବୁଝାଇବାରେ ବିଫଳ ହେବା ପରେ, ଏହାର ବିରୋଧୀଙ୍କୁ “ଦେଶଦ୍ରୋହୀ” ବୋଲି ଦେଖାଇବାର ପ୍ରୟାସ ବିଜେପି ଆରମ୍ଭ କରିଛି। ଏହି ଦୁଇ ବାବାଜୀ ସେହି ପ୍ରୟାସର ପ୍ରୟୋଗ କରୁଛନ୍ତି।

ସେମାନଙ୍କ ପାଇଁ ଆନ୍ଦୋଳନକାରୀ ଓ ପ୍ରତିବାଦକାରୀମାନେ ଯେଉଁ ସ୍ଲୋଗାନ ଦେଉଛନ୍ତି, ତାହା ଦେଶଦ୍ରୋହ ବୋଲି କହିବାର ହାସ୍ୟାସ୍ପଦ ଉଦ୍ୟମ ଚାଲିଛି। ବିଭିନ୍ନ ପ୍ରତିବାଦ ସଭାରେ ଏ ଦେଶର ସଚେତନ ନାଗରିକ ଓ ଛାତ୍ରଛାତ୍ରୀମାନେ “ଆଜାଦୀ” ସ୍ଲୋଗାନ ଦେଉଛନ୍ତି। ସ୍ଲୋଗାନର ମୋଟାମୋଟି ମର୍ମ ହେଲା- ଆମକୁ ଭେଦଭାବ, ମନୁ ବାଦ, ଅବିଚାର, ବୈଷମ୍ୟ, ଶୋଷଣ ଓ ଦାରିଦ୍ର୍ୟରୁ ମୁକ୍ତି ଦରକାର। ଗୋଟେ ସଭ୍ୟ ସମାଜ ସବୁବେଳେ ଏହି ମୁକ୍ତିର କାମନା କରିଥାଏ। ହେଲେ ଆଜିର ଶାସକ ଦଳ ଭାବୁଛି, ସ୍ଵାଧୀନତା ର ସ୍ଲୋଗାନ ଦେବା ଦେଶଦ୍ରୋହ। ହେଲେ କାହିଁକି? ବିଜେପି ସ୍ବାଧିନତାକୁ ନେଇ ଏତେ ଚିନ୍ତିତ ହେବାର କାରଣ କଣ? ବିଜେପିର ସମର୍ଥକମାନେ ବଡ ନିରୀହ ଭାବରେ ଯୁକ୍ତି କରୁଛନ୍ତି, ଆମେ ତ ୧୫, ଅଗଷ୍ଟ, ୧୯୪୭ରେ ସ୍ଵାଧୀନତା ପାଇ ସାରିଛୁ। ପୁଣି କାହାଠୁ ସ୍ଵାଧୀନତା ପାଇବାକୁ ଏ ସ୍ଲୋଗାନ? ଏ ପ୍ରଶ୍ନର ଉତ୍ତର ଆଉ କେଉଁଠି ନୁହଁ ଆମ ସମ୍ବିଧାନର ମୁଖବନ୍ଧରେ ରହିଛି। ହେଲେ ସମ୍ବିଧାନର ଶପଥ ନେଇଥିବା ଆଦିତ୍ୟନାଥ ଏକଥା ପଢିବା ବା ବୁଝିବା ଅବସ୍ଥାରେ ନାହାନ୍ତି।

ସ୍ଵାଧୀନତା ହାସଲ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସ୍ବାଧିନତାକୁ ବଞ୍ଚାଇ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ସେଥିଲାଗି ଆମ ସମ୍ବିଧାନରେ ଆମେ ଚାରୋଟି ଗ୍ୟାରେଣ୍ଟି ଆମ ନିଜକୁ ଦେଇଛୁ-  “ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ବିଚାର,ଅଭିବ୍ୟକ୍ତି, ଆସ୍ଥା ଓ ଧାର୍ମିକ ଉପଚାରର ସ୍ଵାଧୀନତା, ମର୍ୟାଦା ଓ ସୁଯୋଗର ସମାନତା ତଥା ସାମାଜିକ ସଦଭାବନା”। ଲିବର୍ଟି ବା ସ୍ଵାଧୀନତା ସମ୍ବିଧାନ ପ୍ରଦତ୍ତ ଏକ ଅଧିକାର। ଏହା କାହାର ଦୟା ବା ଦାନ ନୁହେଁ। ତେଣୁ କେହି ଯଦି ସ୍ବାଧିନତାର ସ୍ଲୋଗାନ ଦେଉଛି, ସେ ସମ୍ବିଧାନ ଦେଇଥିବା ଅଧିକାରର କଥା ହିଁ କହୁଛି। କୌଣସି ଛାତ୍ରଛାତ୍ରୀ, ଆନ୍ଦୋଳନକାରୀ ବା ପ୍ରତିବାଦକାରୀ ଦେଶରୁ ସ୍ଵାଧୀନ ହେବାର କଥା ତ କହୁନାହାନ୍ତି, ସେମାନେ ଦେଶରେ ସ୍ଵାଧୀନ ଭାବରେ ବଞ୍ଚିବାର ସଂଘର୍ଷ କରୁଛନ୍ତି। ସେଥିରେ ଆଦିତ୍ୟନାଥ ବା ରାମଦେବଙ୍କୁ ଏତେ ଭୟ କରିବାର କାରଣ କଣ? ଭେଦଭାବ, ମନୁ ବାଦ, ଅବିଚାର, ବୈଷମ୍ୟ, ଶୋଷଣ ଓ ଦାରିଦ୍ର୍ୟରୁ ମୁକ୍ତି କଣ ଦେଶଦ୍ରୋହ? ଏହି ସବୁ କୁବ୍ୟବସ୍ଥାକୁ ବିଜେପିକୁ ସମର୍ଥନ କରୁଛି କି? ଏଥିରୁ ମୁକ୍ତି ବା ଆଜାଦୀ ନ ମିଳୁ ବୋଲି କିଏ ବା ଚାହୁଁଛି କାହିଁକି?

ଗୋଟେ ପକ୍ଷରେ ଆଜାଦୀ ବିରୋଧରେ ଆଦିତ୍ୟନାଥ ପ୍ରବଳ କ୍ରୋଧରେ ଥିବା ବେଳେ, ନିଜେ ନିଜର ଭାଷଣରେ ଘୃଣା ଓ ପ୍ରତିଶୋଧର ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବା ସହିତ ସରକାରୀ ବିଚାରକୁ ବିରୋଧ କରୁଥିବା ଲୋକଙ୍କୁ ସ୍ପଷ୍ଟ ଧମକ ଦେଉଛନ୍ତି। କୌଣସି ଗଣତାନ୍ତ୍ରିକ ଦେଶରେ ସମ୍ବିଧାନର ଶପଥ ନେଇଥିବା ପଦାଧିକାରୀ ସ୍ଵାଧୀନତା ବିରୋଧରେ ଏ ପ୍ରକାର ମନ୍ତବ୍ୟ ଦେବା ଇତିହାସ ଦୃଷ୍ଟିରୁ ପ୍ରଥମ। ଯେଉଁମାନେ ଆଜାଦୀର ସ୍ଲୋଗାନ ଦେଉଛନ୍ତି ସେମାନଙ୍କ ବିରୋଧରେ “ଦେଶଦ୍ରୋହ” ମାମଲା କରାଯିବ ବୋଲି ଆଦିତ୍ୟନାଥ ଧମକ ଦେବା ପଛରେ ମଧ୍ୟ ସ୍ପଷ୍ଟ ସମ୍ବିଧାନ ବିରୋଧୀ ଧାରଣା ରହିଛି। ଦେଶଦ୍ରୋହ ଆଇନ ବା ଭାରତୀୟ ପିଙ୍ଗଳ କୋଡର ର ଧାରା ୧୨୪ଏ କୌଣସି ସରକାର ହାତରେ ଖେଳଣା ନୁହେଁ। ଏହାକୁ ଅତି ଜରୁରୀ ପରିସ୍ଥିତିରେ ହିଁ ପ୍ରୟୋଗ କରାଯାଇପାରିବ ବୋଲି ସୁପ୍ରିମ କୋର୍ଟ ବାରମ୍ବାର କହିଛନ୍ତି। ବିଭିନ୍ନ ସମୟରେ ଏହି ଆଇନକୁ ଲାଗୁ କରିବା ସମୟରେ ସରକାରକୁ ସତର୍କ ରହିବାକୁ ସୁପ୍ରିମ କୋର୍ଟ କହିଛନ୍ତି। ତା ସତ୍ତ୍ୱେ ଜଣେ ମୁଖ୍ୟମନ୍ତ୍ରୀ ଏହି ଆଇନର ଧମକ ଦେଉଛନ୍ତି କାହିଁକି?

ଗୋଟେ କଥା ମାନେ ରଖିବାକୁ ପଡିବ, ପୃଥିବୀର ଅନ୍ୟତମ ପୁରୁଣା ଗଣତନ୍ତ୍ର ଭାବରେ ଆମେରିକା “ଷ୍ଟାଚ୍ୟୁ ଅଫ ଲିବର୍ଟି” ମାଧ୍ୟମରେ ସ୍ବାଧିନତାକୁ ସଭ୍ୟ ସମାଜର ସର୍ବୋଚ୍ଚ ପ୍ରାଥମିକତା ଭାବରେ ଗ୍ରହଣ କରିଛି। ଆମର ସମ୍ବିଧାନ ମଧ୍ୟ ସ୍ଵାଧୀନତା ବା ଲିବର୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି। ସେଥିରେ କୌଣସି ବ୍ୟକ୍ତି, ଦଳ ବା ସରକାର ଯଦି ଆଜାଦୀ ଶବ୍ଦକୁ ନେଇ ଆତଙ୍କିତ ହୁଅନ୍ତି, ତାହଲେ ସେମାନେ ସମ୍ବିଧାନ ବିରୋଧୀ ବୋଲି ନିଜେ ନିଜକୁ ପ୍ରମାଣିତ କରୁଛନ୍ତି।

freedom yogiadityanath
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026
Latest News

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.