Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁଳି….ଗୁଳି…..ଗୁଳି…….ଗୋଟେ ଦେଶର ରାଜନୀତି ଏବେ କେବଳ ଗୁଳି ମାରିବାର ଉତ୍ସାହରେ ଆଗକୁ ବଢୁଛି!!
ବିଶେଷ ଖବର

ଗୁଳି….ଗୁଳି…..ଗୁଳି…….ଗୋଟେ ଦେଶର ରାଜନୀତି ଏବେ କେବଳ ଗୁଳି ମାରିବାର ଉତ୍ସାହରେ ଆଗକୁ ବଢୁଛି!!

February 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ଗୋଲି ମାରୋ” ବା “ଚଲାଅ ଗୁଳି” ଏହା ବୋଧେ ନୂଆ ଭାରତର ନୂଆ ରାଜନୈତିକ ସ୍ଲୋଗାନ। ନା, କେବଳ ସ୍ଲୋଗାନ ନୁହେଁ, ଏହା ଭାରତର ନୂଆ ରାଜନୈତିକ କାର୍ୟକ୍ରମ। ଗୁଳି ମାରିଦେବାର ରାଜନୈତିକ ସ୍ଲୋଗାନବାଜିର ପରିଣତିରେ ଆଜି ଦିଲ୍ଲୀ ସହରରେ ଗୁଳି ଫୁଟୁଛି। ଗୁଳି ଚଲାଉଥିବା ଲୋକେ ସନ୍ତ୍ରାସବାଦୀ ବା ଅପରାଧୀ ନୁହନ୍ତି, ସେମାନେ ସିସିଆଲ ମିଡିଆରେ ନୂଆ ରାଜନୀତିର ବାଳଚର ସଦସ୍ୟ। ଏମାନଙ୍କୁ ଘୃଣା ଓ ଅସହିଷ୍ଣୁତାର ପାଠ ପଢାଯାଉଛି। ଏ ପାଠ ପଢାଉଥିବା ଲୋକେ  ଦେଶର ସର୍ବୋଚ୍ଚ କ୍ଷମତାର ଅଧିକାରୀ। ସେମାନଙ୍କ ହାତରେ ଆଇନର ଶାସନ, ଅର୍ଥନୀତିର ନିୟନ୍ତ୍ରଣ ଓ ପୁଲିସର ବାହୁବଳ ରହିଛି। ତଥାପି ସେମାନଙ୍କୁ ଅନ୍ଧ ଭାବରେ ଗୁଳି ଚଲାଉଥିବା ଲୋକ ଦରକାର। ଗତ ସପ୍ତାହେ ଭିତରେ ଭାରତର ଶାସକ ବର୍ଗ ଏମିତି କିଛି ନୂଆ ରାଜନୈତିକ ଚେହେରା ତିଆରି କରିଛନ୍ତି, ଯେଉଁମାନେ ଲୋକଙ୍କ ଉପରକୁ ବିନା ଦ୍ଵିଧାରେ ଗୁଳି ଚଳାଇବାକୁ ପ୍ରସ୍ତୁତ।

ତେବେ ଭାରତରେ ଏ ପ୍ରକାର ହିଂସ୍ର ଆଚରଣ, ତାହା ପୁଣି ଶାସକ ଦଳ ତରଫରୁ –ସଂପୂର୍ଣ୍ଣ ନୂଆ। “ଗୁଲି ମାରୋ” ବୋଲି କହୁଥିବା ଲୋକ କେବଳ ଚାମଚା ବା ମୂର୍ଖକର୍ମୀ ନୁହନ୍ତି। ସେମାନଙ୍କ ଭିତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରି ଦାୟିତ୍ୱବାନ ପଦବୀରେ ଥିବା ଲୋକମାନେ। ଦିଲ୍ଲୀ ନିର୍ବାଚନରେ ପ୍ରଚାର କରିବାକୁ ଆସି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ବାଣୀ ଥିଲା- “ଅଗର ବୋଲି ସେ ନହିଁ ମାନେଙ୍ଗେ ତୋ ଗୋଲି ଚଲାନା ପଡେଗା”। ଅର୍ଥାତ ଗୁଲି ମାରିବା ଜରୁରୀ। କାହାକୁ ଗୁଲି ମାରିବା ଜରୁରୀ? ଶାହିନ ବାଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ସାଧାରଣ ମହିଳା ଓ ଯୁବକଙ୍କ ଉପରେ ଗୁଳି ଚାଲିବା ଜରୁରୀ। ଏହା କୌଣସି ସଭ୍ୟ ବା ଆଇନର ଶାସନ ଥିବା ଦେଶରେ କେହି କହିପାରିବ କି? ଜଣେ ମୁଖ୍ୟମନ୍ତ୍ରୀ, ସେ ପୁଣି ଗେରୁଆ ପିନ୍ଧା ସାଧୁ, ଦେଶସାରା ହିଂସାର ବାର୍ତ୍ତା ପ୍ରଚାର କରି ଚାଲିଛନ୍ତି।

ସେହି ପ୍ରଚାରର ପରିଣତିରେ ଗତ ୭୨ ଘଣ୍ଟାରେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟ ଓ ଶାହିନ ବାଗରେ ଏକାଧିକ ଥର ଗୁଳି ଫୁଟି ସାରିଛି। ଗୁଳି ଫୁଟାଉଥିବା ଲୋକଙ୍କ ସପକ୍ଷରେ ଶାସକ ଦଳର ଉତ୍ସାହ ଏତେ ଅଧିକ ଯେ, ତାକୁ ଦେଖି ସାଧାରଣ ଜନତା ଭୟରେ ଲୁଚିବାକୁ ବାଧ୍ୟ। ବିଜେପି ସରକାର ବୋଧହୁଏ ତାହାହିଁ ଚାହୁଁଛନ୍ତି। ଗଣତନ୍ତ୍ରକୁ ଚପାଇଦେବାକୁ “ଭୟ” ହେଉଛି ଏକ ସାଧାରଣ ଅସ୍ତ୍ର। ଲୋକଙ୍କୁ ଭୟଭୀତ କରାଇ ସରକାର ବିରୋଧୀ ସ୍ଵରକୁ ଚପାଇ ଦେବାର ପ୍ରୟାସ ଚାଲିଛି। ପ୍ରଥମେ ପୁଲିସ ଲଗାଇ ମାଡ ମରାହେଲା, ଏବେ ଗୁଣ୍ଡା ଲଗାଇ ଗୁଳି ଫୁଟା ହେଉଛି। ତଥାପି ଲୋକ ଡରୁ ନାହାନ୍ତି। ଗତ ପଚାଶ ଦିନରୁ ଅଧିକ ସମୟ ହେଲାଣି ଶାହିନ ବାଗ ଭାରତରେ ପ୍ରତିବାଦର ଏକ ନୂଆ ପ୍ରତୀକ ପାଲଟି ଗଲାଣି। ମୋଦୀ ସରକାର ପ୍ରଥମେ ଆନ୍ଦୋଳନକାରୀଙ୍କୁ ଗୁରୁତ୍ଵ ଦେଲେନାହିଁ। ଭାବିଲେ, ଗୁରୁତ୍ଵ ନଦେଲେ ସେମାନେ ଦବିଯିବେ। ସେଥିରେ କିଛି ହେଲାନାହିଁ। ତାପରେ ଆନ୍ଦୋଳନକୁ ବଦନାମ କରାଗଲା। ସରକାରୀ ଗୁଣ୍ଡା ଭାବରେ କାମ କରୁଥିବା ସାମ୍ବାଦିକଙ୍କୁ ସେଠିକି ପଠାହେଲା ଲୋକଙ୍କୁ ବଦନାମ କରିବା ପାଇଁ। ଲୋକେ ସାମ୍ବାଦିକଙ୍କୁ ମୁହାଁମୁହିଁ ଦଲାଲ ବୋଲି କହି ଫେରେଇଦେଲେ।

ତାପରେ ଏବେ ଗୁଳି ଚଳାଇବାକୁ ପ୍ରୋତ୍ସାହିତ କରାଯାଉଛି। ଗୁଳି ଚଲାଉଥିବା ଲୋକଙ୍କୁ ପୁଲିସ ନୀରବରେ ଦେଖୁଛି। ସେମାନଙ୍କୁ ନାୟକ ଭଳି ସମ୍ମାନ ଦେଉଛି। ଅବଶ୍ୟ ଜାମିଆ ଓ ଜେଏନୟୁରେ ଏକଥା ଆଗରୁ ଆରମ୍ଭ ହୋଇ ସାରିଥିଲା। ଜେଏନୟୁରେ ମୁଖାପିନ୍ଧି ଯେଉଁ ଆତଙ୍କବାଦୀମାନେ ଗୁଣ୍ଡାରାଜ ଚଳାଇଥିଲେ ସେମାନଙ୍କ ଭିତରୁ ମାଛିଟିଏ ବି ପୋଲିସ ହାତରେ ଧରା ପଡିନାହାନ୍ତି। ଅସହାୟ ନାଗରିକଙ୍କୁ ଗୋଡାଇ ଗୋଡାଇ ପିଟୁଥିବା ଦିଲ୍ଲୀ ପୁଲିସ ମୁଖାପିନ୍ଧା ସନ୍ତ୍ରାସବାଦୀ ଓ ଗୁଳି ଚଲାଉଥିବା ଆତତାୟୀଙ୍କୁ ଧରିବାରେ ବିଫଳ। ଏହା ପୁଲିସର ବିଫଳତା ନା ଅସହାୟତା, ତାହା ଅବଶ୍ୟ ଏକ ଭିନ୍ନ ପ୍ରଶ୍ନ।

ଗୋଟେ ପକ୍ଷରେ ନିରନ୍ତର ଗୁଳି ଚାଲିଛି ଓ ଅପର ପକ୍ଷରେ ଗୁଳି ଚଳାଅ ବୋଲି ସରକାରୀ ଦଳର ବଡ ନେତାମାନେ ଭାଷଣ ଦେଇ ଚାଲିଛନ୍ତି। ଅର୍ଥନୀତିର ପତନ ସମୟରେ ସାମାଜିକ ଜୀବନକୁ ହିଂସ୍ର କରିଦେବାର ଏହି ଅପପ୍ରୟାସର ବହୁ ମୂଲ୍ୟ ଆମକୁ ଦେବାକୁ ପଡିବ। ବନ୍ଧୁକର ଗୋଟେ ଭୟଙ୍କର ଦୁର୍ଗୁଣ ହେଉଛି ଏହା କେବଳ ଗୋଟିଏ ଦିଗକୁ ଦେଖି ଫୁଟେ ନାହିଁ। ଏହା କେତେବେଳେ କୌଣସି ପରିସ୍ଥିତିରେ ନିଜର ଦିଗ ବଦଳାଇବ, ସେକଥା କହି ହେବନାହିଁ। ରାଜନୀତିରେ ଭୋଟ ପାଇବାକୁ ଗୁଳିର ବ୍ୟବହାର, ବିଜେପି ପାଇଁ ଆଜି ହୁଏତ ଏକ ସହଜ ବ୍ୟାପାର ମାନେ ହେଉଛି। ହେଲେ ଏହାର ଫଳ ଦୀର୍ଘସ୍ଥାୟୀ ଭାବରେ ଆମର ସମାଜ ଜୀବନକୁ ଋଗ୍ନ କରିଦେଇପାରେ!!

Share. Facebook Twitter LinkedIn Email WhatsApp Copy Link

Related Posts

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026
Latest News

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.