ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟ ନିମନ୍ତେ ବିଧାନସଭାରେ ଘୋଷଣା : ଓଡିଆ ବିଦ୍ୟାର୍ଥୀଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ

Published: Feb 20, 2020, 2:57 pm IST

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ

ଭୁବନେଶ୍ବର: ରାଜ୍ୟର ଉଚ୍ଚଶିକ୍ଷାକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଘୋଷଣା କରାଯାଇଛି। ବୁଧବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରସ୍ତାବ ଦେଇଛନ୍ତି। କଟକ ଜିଲ୍ଲାର ଓମ୍‌ପଡା ତହସିଲର ବାଆଁରା ଗ୍ରାମରେ ଏହି ବିଶ୍ବବିଦ୍ୟାଳୟଟି ରହିବ ବୋଲି କୁହାଯାଇଛି। ଏହି ପ୍ରସ୍ତାବିତ ବିଶ୍ବ ବିଦ୍ୟାଳୟଟଇ ସ୍ବୟଂଚାଳିତ ହେବ ବୋଲି ବୁଧବାର ବିଧାନସଭାରେ ଘୋଷଣା କରାଯାଇଛି।

ଏହି ବିଶ୍ବ ବିଦ୍ୟାଳୟରେ ଉଭୟ ପାରମ୍ପରିକ ଏବଂ ଅଣ ପାରମ୍ପରିକ ଶିକ୍ଷା ପ୍ରଦାନ କରାଯାଇ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ଏବଂ ବ୍ୟକ୍ତିଗତ ଜ୍ଞାନ ବୃଦ୍ଧି କରାଯିବ। ବିଶ୍ବ ବିଦ୍ୟାଳୟରେ ପ୍ରାକୃତିକ ଚିକିତ୍ସା ଓ ଯୋଗ ବିଜ୍ଞାନ, ଶାରିରୀକ ଓ ଜୀବ ବିଜ୍ଞାନ, ମ୍ୟାନେଜମେଣ୍ଟ, ଭାରତୀୟ ସଂସ୍କୃତି ଓ ଚାରୁ କଳା, ଆଧ୍ୟାତ୍ମବାଦ ଓ ଧୀ ଶକ୍ତି ପରିଚାଳନା, କଳା, ସମାଜ ବିଜ୍ଞାନପରି ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏତଦ୍‌ ବ୍ୟତିତ ସମାଜର ମଙ୍ଗଳ ସାଧନ ନିମନ୍ତେ ବୈଦିକ ବିଜ୍ଞାନ, ଯୋଗ ବିଜ୍ଞାନ, ଧୀ ଶକ୍ତି ପରିଚାଳନା, ତୁଳନାତ୍ମକ ଧାର୍ମିକ ଶିକ୍ଷା, ଦୈହିକ-ମାନସିକ – ବୌଦ୍ଧିକ ବିକାଶ ନିମନ୍ତେ ସାମଗ୍ରିକ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯିବ।

ସରକାରଙ୍କ ପକ୍ଷରୁ ଏହି ବିଲ୍‌ ଆଗତ କରାଯାଇଥିବା ବେଳେ ବିରୋଧୀ ଦଳ ଏହାକୁ ବିରୋଧ କରିଛନ୍ତି। ତରବରିଆ ଭାବରେ ଲାଗୁ କରିବା ପରିବର୍ତ୍ତେ ଅଧିକ ତର୍ଜମା ପାଇଁ ଯାଞ୍ଚ କମିଟିକୁ ପଠାଇବା ଉଚିତ୍‌ ବୋଲି ବିରୋଧୀ ଦଳ ସଦସ୍ୟ ନରସିଂହ ମିଶ୍ର ପ୍ରକାଶ କରିଛନ୍ତି। ନରସିଂହଙ୍କ ସମେତ ବିଷ୍ଣୁଚରଣ ସେଠୀ ଏବଂ ମୋହନ ମାଝୀ ତର୍ଜମା ଦାବି କରିଥିଲେ ମଧ୍ୟ ବାଚନିକ ଭୋଟରେ ତାହା କାଟ ଖାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଓଡିଆ ବିଦ୍ୟାର୍ଥୀଙ୍କ ପାଇଁ ଏହି ବିଶ୍ବ ବିଦ୍ୟାଳୟରେ 50 ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବା ନେଇ ମନ୍ତ୍ରୀ ଘୋଷଣା କରିଛନ୍ତି। ପରିଶେଷରେ ବାଚନିକ ଭୋଟରେ ବିଲ୍‌ଟିକୁ ଅନୁମୋଦନ ମିଳିଥିଲା।

Related posts