Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯଶସ୍ବୀମାନଙ୍କ ପାଇଁ ବିଧାନସଭାର ସମ୍ମାନ ନାହିଁ ?
ବିଶେଷ ଖବର

ଯଶସ୍ବୀମାନଙ୍କ ପାଇଁ ବିଧାନସଭାର ସମ୍ମାନ ନାହିଁ ?

February 29, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଭୁକଲ୍ୟାଣ ମହାପାତ୍ର

ନିକଟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଏହି ଅପ୍ରତିଦ୍ବନ୍ଦ୍ବୀ କଣ୍ଠଶିଳ୍ପୀଙ୍କ ବିୟୋଗରେ ସମଗ୍ର ଓଡ଼ିଆରେ ଗଭୀର ଶୋକର ଉଚ୍ଛ୍ବାସ ପ୍ରକାଶ ପାଇଲା। ଏହାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଦିନ ରାଜ୍ୟବ୍ୟାପୀ ଶୋକ ଦିବସ ଘୋଷଣା କରିବା ସହିତ ପ୍ରତି ବର୍ଷ ସରକାର ଗୁରୁ କେଳୁଚରଣ  ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସୁନନ୍ଦା ପଟ୍ଟନାୟକ ଜୟନ୍ତୀ ପାଳନର ଉଦ୍‌ଘୋଷଣ କରିଥିଲେ। କେବଳ ସେତିକି ନୁହେଁ, ସୁନନ୍ଦାଙ୍କ ସ୍ମୃତିରେ ଓଡ଼ିଶା ସଂସ୍କୃତି ବିଶ୍ବବିଦ୍ୟାଳୟରେ ଏକ ଚେୟାର ପ୍ରତିଷ୍ଠା ସହିତ ପ୍ରତିବର୍ଷ ଜଣେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ ବୋଲି ମଧ୍ୟ ଜଣାଇଥିଲେ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସୁନନ୍ଦାଙ୍କ ପାଇଁ ରାଜ୍ୟବ୍ୟାପୀ ଶୋକଚ୍ଛ୍ବାସ ସତ୍ତ୍ବେ ତାଙ୍କ ପାଇଁ ଓଡ଼ିଶା ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇ ପାରିଲା ନାହିଁ। କାରଣ ଯଶସ୍ବୀ ବ୍ୟକ୍ତିମାନଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ ବ୍ୟବସ୍ଥାକୁ ଓଡ଼ିଶା ବିଧାନସଭାର କିଛି ବର୍ଷ ପୂର୍ବରୁ ଉଚ୍ଛେଦ କରି ଦେଇଛି ।

ମାତ୍ର ଅତୀତରେ ଓଡ଼ିଶା ବିଧାନସଭା ସମାଜର ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ରଖୁଥିବା ଯଶସ୍ବୀ ବ୍ୟକ୍ତିବିଶେଷଙ୍କ ତିରୋଧାନରେ ଗଭୀର ଶୋକ ପ୍ରକଟ କରୁଥିଲା। ସେଥିଯୋଗୁଁ ବିଶିଷ୍ଟ ନାରୀନେତ୍ରୀ କୁନ୍ତଳା କୁମାରୀ ଦେବୀଙ୍କ ଦେହାନ୍ତରେ ଗୃହ ଶୋକ ପ୍ରକାଶ କରିଥିବାବେଳେ ପ୍ରଥିତଯଶା ସାହିତ୍ୟିକ ତଥା ରାଜ୍ୟ ସଂଗୀତ ’ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିୟୋଗର ସପ୍ତାହେ ମଧ୍ୟରେ ବିଧାନସଭା ଶୋକ ବ୍ୟକ୍ତ କରିଥିଲା। ସେହିପରି ମହାନ ଦେଶପ୍ରେମୀ ତଥା ଜାତୀୟବାଦୀ ନେତା ଗୋପବନ୍ଧୁ ଚୌଧୁରୀ, ରମା ଦେବୀ, ସ୍ବନାମଧନ୍ୟ ସର୍ବୋଦୟ ନେତା ଆଚାର୍ଯ୍ୟ ହରିହର, ବିଶିଷ୍ଟ କବି ଶଶୀଭୂଷଣ ରାୟ, ରେଭେନ୍ସା କଲେଜର ପ୍ରଫେସର ଆଚାର୍ଯ୍ୟ ଯୋଗେଶ ଚନ୍ଦ୍ର ରାୟଙ୍କ ନିଧନରେ ମଧ୍ୟ ଆମ ବିଧାନସଭା ଶୋକପ୍ରସ୍ତାବ ପାରିତ କରିଛି। ଉଲ୍ଲେଖଯୋଗ୍ୟ, ଏହି ସବୁ ଯଶସ୍ବୀ ବ୍ୟକ୍ତିମାନେ ରାଜ୍ୟ ବିଧାନସଭା କିମ୍ବା ପାର୍ଲାମେଣ୍ଟର ଆଦୌ ସଭ୍ୟ ନଥିଲେ ।

କେବଳ ସେତିକି ନୁହେଁ, ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରିଥିବା ଦେଶର ଯଶସ୍ବୀ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଓଡ଼ିଶା ବିଧାନସଭା ପୂର୍ବରୁ ଶୋକ ପ୍ରସ୍ତାବ ଆଗତ କରୁଥିଲା। ସେଥିପାଇଁ ଜାତିର ପିତା ମହାତ୍ମା ଗାନ୍ଧିଙ୍କଠାରୁ ଆରମ୍ଭ କରି ଦେଶପ୍ରେମୀ କସ୍ତୁରବା ଗାନ୍ଧି, ମହାନ ବ୍ୟକ୍ତିତ୍ବ ସ୍ବରୂପା ରାଣୀ ନେହେରୁ, ସରୋଜିନୀ ନାଇଡୁ, ପ୍ରଥିତଯଶା କବି ରବୀନ୍ଦ୍ର ନାଥ ଠାକୁର୍‌, ବିଶିଷ୍ଟ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ, ମହାନ ଦେଶପ୍ରେମୀ ମୌଲାନ ସୌକତ ଅଲ୍ଲୀ, ଲୋକନାୟକ ଜୟପ୍ରକାଶ ନାରାୟଣ, ମହାନ ବିପ୍ଳବୀ ଅରବିନ୍ଦ ଘୋଷ, ଏଟୋମିକ୍‌ ଏନର୍ଜି କମିଶନ ଅଧ୍ୟକ୍ଷ ଡ. ହୋମି ଭାବା, ଜାତୀୟବାଦୀ ନେତା ପଟ୍ଟାଭି ସୀତାରାମାୟା, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଯମୁନା ଲାଲ ବଜାଜ, ପ୍ରଖ୍ୟାତ ସମାଜସେବୀ ସତ୍ୟମୂର୍ତ୍ତି, ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ’ହରିଜନ’ ପତ୍ରିକାର ସମ୍ପାଦକ କିଶୋରୀ ଲାଲ ମଶ୍ରୁଓ୍ବାଲା, ପ୍ରଖ୍ୟାତ ସାମାଜିକ କର୍ମୀ ବିନାୟକ ଚୌଧୁରୀ, ବିଶିଷ୍ଟ ଆଇନଜୀବୀ ଭଲାଭାଇ ଦେଶାଇଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିତ୍ବଙ୍କ ପରଲୋକେର ଆମ ବିଧାନସଭା ଗଭୀର ଶ୍ରଦ୍ଧାଞ୍ଜଳି ନିବେଦନ କରିଛି । ପ୍ରଣିଧାନ ଯୋଗ୍ୟ ଯେ, ଏ ସମସ୍ତ ଯଶସ୍ବୀ ବ୍ୟକ୍ତି କୌଣସି ଜନ ପ୍ରତିନିଧି (ପାର୍ଲାମେଣ୍ଟ ବା ବିଧାନସଭାର ସଦସ୍ୟ)ନଥିଲେ।

ଅତୀତରେ ଜନସେବାକୁ ଜୀବନର ବ୍ରତ ମଣୁଥିବା ବ୍ୟକ୍ତିମାନେ ରାଜନୀତିକୁ ଆପଣାଉଥିଲେ। ଅପରପକ୍ଷେ ରାଜନୀତି ମଧ୍ୟ ନୀତି ଭିତରେ ଶ୍ରେଷ୍ଠତ୍ବ ହାସଲ କରିଥିଲା। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଏବେ ରାଜନୀତି ଉତ୍ତମ ବ୍ୟବସାୟରେ ପରିଣତ ହୋଇଥିବାବେଳେ ରାଜନେତାମାନେ ଜନସେବା ବଦଳରେ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏଭଳି ପରିସ୍ଥିତିରେ ସମାଜର ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତିବିଶେଷଙ୍କ ନିଧନରେ ବିଧାନସଭା ଶୋକ ପ୍ରକଟ ନ କରିବା ଦ୍ବାରା ଗଣତନ୍ତ୍ରର ଏହି ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ପୀଠ ନିଜକୁ ସମାଜର ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ କରିଦେଉଥିବା ମନେ ହେଉଛି।

ବର୍ତ୍ତମାନ ବିଧାନସଭାରେ କେବଳ ଆସୀନ ଓ ପୂର୍ବତନ ବିଧାୟକମାନଙ୍କ ସହିତ ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେଉଛି। ବିଜୁବାବୁ ନବେ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ବୀରଗତିପ୍ରାପ୍ତ ବା ଶହୀଦ୍‌ ହେଉଥିବା ପୋଲିସ୍‌ ଏବଂ ସାମରିକ କର୍ମଚାରୀଙ୍କ ଦେହାନ୍ତରେ ମଧ୍ୟ ବିଧାନସଭାରେ ଶୋକବ୍ୟକ୍ତ କରାଯାଉଛି । ଏଥିଯୋଗୁଁ ମର୍ଯ୍ୟାଦାଜନକ ଜାତୀୟ ସାରସ୍ବତ ସମ୍ମାନ ‘’ଜ୍ଞାନପୀଠ ପୁରସ୍କାର’ ବିଜେତା ଗୋପୀନାଥ ମହାନ୍ତି, ସଚ୍ଚି ରାଉତରାୟଙ୍କଠାରୁ ଆରମ୍ଭ କରି ଜୀବନବ୍ୟାପୀ ସାଧନା ବଳରେ ଓଡ଼ିଶୀ ନୃତ୍ୟକୁ ପୃଥିବୀର କୋଣ ଅନୁକୋଣରେ ପହଞ୍ଚାଇ ପାରିଥିବା ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ସ୍ବନାମଧନ୍ୟ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ କୃତୀ ସନ୍ତାନ ସନ୍ତତିଙ୍କ ପାଇଁ ଆମ ବିଧାନସଭା ଶୋକ ବ୍ୟକ୍ତ ଶ୍ରଦ୍ଧାଞ୍ଜଳି ନିବେଦନ କରିପାରୁନାହିଁ।

ଅନ୍ୟାନ୍ୟ ରାଜ୍ୟର ବିଧାନସଭା ମାନଙ୍କରେ ବରପୁତ୍ରମାନଙ୍କୁ ସମ୍ମାନ ଜଣେଇବା ଉଦ୍ଦେଶ୍ୟରେ ଏପରିକି ଯଶସ୍ବୀ ବ୍ୟକ୍ତିମାନଙ୍କ ଫଟୋଚିତ୍ର ଗୃହରେ ସ୍ଥାନ ପାଇଛି। କିନ୍ତୁ ଓଡ଼ିଆ ବିଧାନସଭା ଅଦ୍ୟାବଧି ସେ ଦିଗରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ।

ସମୟର ଗତି ସହିତ ତାଳ ମିଳାଇ ଆମ ବିଧାନସଭା ତା’ର ନୀତି ନିୟମରେ କେତେକ ପରିବର୍ତ୍ତନ ଘଟାଇଛି। ସେଥିମଧ୍ୟରୁ କେତେକ ପରିବର୍ତ୍ତନ ବା ସଂଶୋଧନ ଯୁଗପଯୋଗୀ ହୋଇଥିବା ଯୋଗୁଁ ରାଜ୍ୟବାସୀ ତା’ର ଦେଶ ପ୍ରଶଂସା କରିଛନ୍ତି। ମାତ୍ର ଅନ୍ୟ କେତେକ ପରିବର୍ତ୍ତନ ଅପ୍ରାସଙ୍ଗିକ ମନେ ହେଉଥିବାରୁ ଲୋକମାନେ ତାକୁ ନାପସନ୍ଦ କରୁଛନ୍ତି । ମୁଲତବୀ ପ୍ରସ୍ତାବ ନୋଟିସ୍‌ ସହିତ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ଉପରେ ଏକକାଳୀନ ଆଲୋଚନା ଚଳାଇବା ହେଉଛି ଆମ ବିଧାନସଭାର ଏକ ଯୁଗପୋଯୋଗୀ ପଦକ୍ଷେପ। ପ୍ରସନ୍ନ କୁମାର ଦାଶ ବାଚସ୍ପତି ଥିବାବେଳେ ନିୟମର ସଂଶୋଧନ ଜରିଆରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ତଦ୍ବାରା ଉଭୟ ଶାସକ ଓ ବିରୋଧୀ ଦଳ ସଭ୍ୟମାନେ ବିତର୍କରେ ଭାଗ ନେଇପାରୁଥିବାରୁ ସନ୍ତୁଳିତ ଆଲୋଚନା ସମ୍ଭବ ହୋଇପାରୁଛି । ପାର୍ଲାମେଣ୍ଟରେ କିନ୍ତୁ ମୁଲତବୀ ପ୍ରସ୍ତାବ ଆଲୋଚନାରେ କେବଳ ବିରୋଧୀ ସଦସ୍ୟମାନେ ଅଂଶଗ୍ରହଣ କରୁଛନ୍ତି । ଆମ ବିଧାନସଭାର ଏଭଳି ସଂଶୋଧନକୁ ରାଜ୍ୟବାସୀ ବେଶ୍‌ ପ୍ରଶଂସା କରୁଛନ୍ତି।

କିନ୍ତୁ ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ଆଗତ ଶୋକ ପ୍ରସ୍ତାବର ଉଚ୍ଛେଦ ଭଳି ବିଧାନସଭା ନିୟମର ପରିବର୍ତ୍ତନକୁ ରାଜ୍ୟବାସୀ ଆଦୌ ପସନ୍ଦ କରୁନାହାଁନ୍ତି । ତେଣୁ ବିଧାନସଭାକୁ ସମାଜର ମୁଖ୍ୟସ୍ରୋତରେ ଯୋଡ଼ିବା ଲାଗି ପ୍ରୟାସ ସ୍ବରୂପ ଯଶସ୍ବୀ ବ୍ୟକ୍ତିମାନଙ୍କ ସ୍ମୃତିରେ ଗୃହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପର୍ବର ପୁନଃପ୍ରଚଳନ ଏକାନ୍ତ ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026
Latest News

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.