କରୋନା ଭାଇରସ ନେଇ ଆରମ୍ଭ ହେଲା ଗୁଜବ, ସାତୋଟି ତୁଳସୀ ପତ୍ର ଖାଇବାକୁ ଗୁଜବକାରୀଙ୍କ ପରାମର୍ଶ

Published: Mar 5, 2020, 8:59 pm IST

ଭୁବନେଶ୍ବର, ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଏହା ବିଶ୍ବ ସ୍ବାସ୍ଥ୍ୟ ଜଗତ ପାଇଁ ଏକ ଚ୍ୟାଲେଜ ସୃଷ୍ଟି ହୋଇଛି। ଏହି ରୋଗର ନିରାକରଣ ପାଇଁ କୌଣସି ଔଷଧ ନ ଥିବାରୁ ଲୋକେ ଆହୁରି ଆତଙ୍କିତ ହେବାରେ ଲାଗିଛନ୍ତି। ଏପରି ପରିସ୍ଥିତିରେ ଗୁଜବକାରୀମାନେ ବେଶ୍ ଫାଇଦା ନେବାରେ ଲାଗିଛନ୍ତି।

ବର୍ତ୍ତମାନ କରୋନା ଭାଇରସ ନେଇ ଓଡିଶାର ବିଭିନ୍ନ ସ୍ଥାନରେ ଏକ ବଡ ଗୁଜବ ସୃଷ୍ଟି ହେବାରେ ଲାଗିଛି। ତାହା ହେଲା ଯେ କୌଣସି ସମୟରେ ସାତୋଟି ତୁଳସୀ ପତ୍ର ଜଗନ୍ନାଥଙ୍କୁ ସ୍ମରଣ କରି ଖାଇବାକୁ ପରାମର୍ଶ ଦିଆଯାଇଛି। ଏହା ଦ୍ବାରା କରୋନା ଭାଇରସ ଆଉ ଦେହରେ ପ୍ରବେଶ କରିବ ନାହିଁ ବୋଲି କୁହାଯାଇଛି। ଏହି କଥା ବର୍ତ୍ତମାନ ତୁଣ୍ଡରୁ ତୁଣ୍ଡ ଘୁରିବାରେ ଲାଗିଛି। ଏପରିକି କେତେକ ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ପରାମର୍ଶ ଦିଆଯାଇଛି। ଏହା ଠିକ୍ ନ ଭୁଲ କେହି ତଦାରଖ ନ କରି ତୁଳସୀ ପତ୍ର ଖାଇବାରେ ଲାଗିଛନ୍ତି।

ତେବେ ଗୁଜବକାରୀମାନେ ବେଶ୍ ସତର୍କତାର ସହ ଏହି ଗୁଜବକୁ ପ୍ରସାର କରିଛନ୍ତି। ତାହା ହେଲା ଯେ, ସେ ଏପରି କଥା କହିଛନ୍ତି ଯେପରି ଜଣେ ସାଧାରଣ ଲୋକ ବିଶ୍ବାସ କରିବ। ମୁଖ୍ୟତଃ ତୁଳସୀ ପତ୍ର ଏବଂ ଜଗନ୍ନାଥଙ୍କ ନାମ ଏହି ଗୁଜବରେ ଯୋଡି ଦିଆଯାଇଛି ଫଳରେ ଲୋକେ ବିଶ୍ବାସ କରିନେଉଛନ୍ତି। ଅନ୍ୟପକ୍ଷରେ ଏହି ପତ୍ର ସେବନ କଲେ ଦେହ ପ୍ରତି ବେଶ୍ ହିତକର ବୋଲି ସମସ୍ତେ ଜାଣନ୍ତି। ହେଲେ କରୋନା ଭାଇରସକୁ ପ୍ରତିରୋଧ କରୁ ବା ନାହିଁ, ତୁଳସୀ ପତ୍ର ଖାଇଦେଲେ ଅସୁବିଧା ନାହିଁ ଭାବି ଅନେକ ଏପରି ଭୟରେ କରିବାରେ ଲାଗିଛନ୍ତି।

ତେବେ ଆୟୁର୍ବେଦ ଡାକ୍ତରଙ୍କ ମତରେ କରୋନା ଭାଇରସ ଏକ ନୂଆ ପ୍ରକାରର। ତାହାର ଲକ୍ଷଣ ଏବଂ ଶରୀରରେ କୁପ୍ରଭାବକୁ କିପରି ପ୍ରତିରୋଧ କରାଯିବ ସେ ଉପରେ କୌଣସି ଗବେଷଣା କରାଯାଇ ନାହିଁ। ଏପରି ସ୍ଥଳେ ତୁଳସୀପତ୍ର ଖାଇଲେ ଯେ କରୋନା ଭାଇରସ ଆକ୍ରମଣ କରିବା ନାହିଁ ତାହା କହିବା ଭୁଲ ହେବ।

Related posts