ଛୋଟ ଷ୍ଟେସନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିଯୁକ୍ତ କରିବ ପୂର୍ବତଟ ରେଳପଥ

Published: Mar 11, 2020, 7:38 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଛୋଟ ଷ୍ଟେସନ ମାନଙ୍କରେ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ । ଛୋଟ ଷ୍ଟେସନ ମାନଙ୍କରେ ସହାୟକ ଷ୍ଟେସନ ମାଷ୍ଟର ଉଭୟ ଟିକେଟ ବୁକିଂ କାର୍ଯ୍ୟ ତୁଲାଇବା ସହିତ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସଂରକ୍ଷା କାର୍ଯ୍ୟ ସହିତ ଯାତ୍ରୀ ଓ ଟ୍ରେନ ଗୁଡିକର ସଂରକ୍ଷା ପ୍ରତି ଧ୍ୟାନ ଦେଇଥାନ୍ତି । ସହାୟକ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟକୁ ସୂଚାରୁ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ସ୍ଥାନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ମାନଙ୍କରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ସ୍ଥିର କରିଛି I  ଏହି ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ ସେମାନଙ୍କଦ୍ୱାରା ବିକ୍ରି କରାଯାଇଥିବା ଟିକେଟ ଉପରେ କମିଶନ ପାଇବେ । ସ୍ଥିରୀକୃତ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା ଷ୍ଟେସନ ମାନଙ୍କରେ ଟିକେଟ ବିକ୍ରି କରିବେ ।

ରେଳବାଇର ବାଣିଜ୍ୟିକ, ଟ୍ରେନ ପରିଚାଳନା ଓ ଆକାଉଣ୍ଟସ ବିଭାଗର ଅଧିକାରୀଙ୍କ ସହିତ ରେଳ ବିଭାଗର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇ କେଉଁ ଷ୍ଟେସନରେ କେତେ କାଉଣ୍ଟର ଖୋଲାଯିବ ତା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସ୍ଥାନୀୟ ବ୍ଲକ କିମ୍ବା ତହସିଲ ପରିସୀମା ଅନ୍ତର୍ଗତ ଷ୍ଟେସନ ଗୁଡିକରେ ପୂର୍ବତଟ ରେଳପଥ ସ୍ଥାନୀୟ ବାସିନ୍ଦା ଥିବା ଯୁବକ ମାନଙ୍କୁ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ଭାବେ ନିୟୋଜିତ କରିବ ।

ରେଳବାଇ ଦ୍ୱାରା କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ସହିତ ଏହାର ମେଣ୍ଟେନାନ୍ସ, ଇଲେକ୍ଟ୍ରି ସଂଯୋଗ, ଦୂରସଂଚାର ଚ୍ୟାନେଲ ଓ ଏହାପ୍ରତି ଉପଯୁକ୍ତ ସ୍ଥାନ ଯୋଗାଇ ଦିଆଯିବ । ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା କେବଳ ରିହାତି ନଥିବା ଅଣସଂରକ୍ଷିତ ଟିକେଟ, ସିଜିନ ଟିକେଟ ଓ ପ୍ଳାଟଫର୍ମ ଟିକେଟ ବିକ୍ରି କରିପାରିବେ ।  ସିଜିନ ଟିକେଟ ଗୁଡିକର ରିନୁଆଲ ଏବଂ ବରିଷ୍ଠ ନାଗରିକ ରିହାତି ଟିକେଟ ଗୁଡିକ ମଧ୍ୟ ଏହି କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କଦ୍ୱାରା ବିକ୍ରୟ କରାଯାଇପାରିବ ।

ଅନ୍ୟ ରିହାତି ଥିବା ଟିକେଟ ଗୁଡିକ ମଧ୍ୟ ଏହି କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କଦ୍ୱାରା ସହାୟକ ଷ୍ଟେସନ ମାଷ୍ଟର (ଏଏସଏମ) ମାନଙ୍କ ଦସ୍ତାବିଜ କାଗଜ ପତ୍ର ଯାଞ୍ଚ ପରେ ବିକ୍ରୟ କରାଯାଇପାରିବ ।  ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ଅନ୍ତର୍ଭୁକ୍ତ ଷ୍ଟେସନ ଗୁଡିକ ସାଧାରଣତଃ ଛୋଟ ଷ୍ଟେସନ ।  ପୂର୍ବତଟ ରେଳପଥ  ପରିସୀମା ମଧ୍ୟରେ ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ଅନ୍ତର୍ଭୁକ୍ତ ଷ୍ଟେସନ ପ୍ରାୟ ୨୩୩ ଟି ମଧ୍ୟରୁ ୧୩୨ ଟି ଷ୍ଟେସନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଅଛି । ଅନ୍ୟ ଷ୍ଟେସନ ଗୁଡିକରେ ମଧ୍ୟ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇପାରେ ।  ଏଥିପାଇଁ ଖବର କାଗଜ ମାନଙ୍କରେ ନୋଟିସ ଅଥବା ବିଜ୍ଞାପନ ଦ୍ୱାରା ସୂଚିତ କରାଯିବ ।  ଆଶାୟୀ ପ୍ରାର୍ଥୀ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ଆବଶ୍ୟକ ଏବଂ ଏଥିପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ଶ୍ରେଣୀ ପାସ ହୋଇଥିବା ଆବଶ୍ୟକ ।

ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯିବା ପରେ ସହାୟକ ଷ୍ଟେସନ ମାଷ୍ଟର (ଏଏସଏମ) ମାନେ ଟିକେଟ ବିକ୍ରୟ କାର୍ଯ୍ୟରୁ ନିବୃତ ରହିବେ ଏବଂ ସେମାନେ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସଂରକ୍ଷା କାର୍ଯ୍ୟ ସହିତ ଯାତ୍ରୀ ଓ ଟ୍ରେନ ଗୁଡିକର ସଂରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ । ଏହି ଛୋଟ ଛୋଟ ଷ୍ଟେସନ ମାନଙ୍କରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ କେବଳ ଟିକେଟ ବିକ୍ରି ପାଇଁ ନିୟୋଜିତ କରାଯାଉଥିବାରୁ ଯାତ୍ରୀମାନଙ୍କୁ ମଧ୍ୟ ଏଣିକି ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ ।

Related posts