Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନା ମୁକାବିଲା ବେଳେ ଭାରତର କର୍ପୋରେଟ ଜଗତ ଲାଙ୍ଗୁଡ ଜାକି ଲୁଚିଛନ୍ତି କାହିଁକି?
ଜାତୀୟ ଖବର

କରୋନା ମୁକାବିଲା ବେଳେ ଭାରତର କର୍ପୋରେଟ ଜଗତ ଲାଙ୍ଗୁଡ ଜାକି ଲୁଚିଛନ୍ତି କାହିଁକି?

March 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କଥା କଥାକେ କୁହାଯାଏ, ମୁକେଶ ଅମ୍ବାନୀ ହେଉଛନ୍ତି ଏସିଆର ସବୁଠୁ ଧନୀ ବ୍ୟକ୍ତି। ବଜାରରେ ଯେତେବେଳେ ସେନସେକ୍ସର ଉଠାପକା ଖେଳ ଚାଲେ ସେତେବେଳେ ମୁକେଶଙ୍କ ଲାଭ ଓ କ୍ଷତିକୁ ନେଇ ଆମେ ଚର୍ଚ୍ଚା କରିଥାଉ। ଏସିଆ ମହାଦେଶରେ ଚୀନର ଜ୍ୟାକ ମା ଏବଂ ଭାରତର ମୁକେଶ ଅମ୍ବାନୀ ସବୁବେଳେ ଏକ ନମ୍ବର ଓ ଦୁଇ ନମ୍ବର ଧନୀ ଲୋକ ହିସାବରେ ରହି ଆସିଛନ୍ତି। ଚୀନର କର୍ପୋରେଟ ଟାଇକୁନ ଜ୍ୟାକ ମା ତାଙ୍କ ପ୍ରତିଷ୍ଠିତ ଆଲିବାବା କମ୍ପାନୀରୁ ଇସ୍ତଫା ଦେଇ ଏବେ କେବଳ ଲୋକସେବା ପାଇଁ ନିଜର ସମ୍ବଳ ଓ ସମୟର ବିନିଯୋଗ କରୁଛନ୍ତି। ଚୀନରେ କରୋନା ଭୂତାଣୁର ଭୟଙ୍କର ପ୍ରଭାବରୁ ନିଜ ଲୋକଙ୍କୁ ମୁକୁଳାଇବାରେ ଜ୍ୟାକ ମା ଫାଉଣ୍ଡେସନ ବହୁତ ବଡ ଅବଦାନ ଦେଉଛି। କେବଳ ଚୀନରେ ନୁହେଁ, ଏବେ ବିଶ୍ଵର ବିଭିନ୍ନ ଦେଶକୁ ଏହି ଭୂତାଣୁ ବ୍ୟାପିବା ପରେ ଜ୍ୟାକ ମା ଫାଉଣ୍ଡେସନ ଅନ୍ୟ ଦେଶମାନଙ୍କୁ ମଧ୍ୟ ସାହାଯ୍ୟର ହାତ ବଢାଇଛି।

ପ୍ରଥମେ ଆମେରିକାକୁ ଜ୍ୟାକ ମା ଫାଉଣ୍ଡେସନ ତରଫରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ୫ ଲକ୍ଷ କରୋନା ଭୂତାଣୁ ପରୀକ୍ଷା ଉପକରଣ ଏବଂ ୧୦ ଲକ୍ଷ କୀଟାଣୁ ନିରୋଧକ ମୁଖା ପଠା ଯାଇଥିଲା। ଏହା ପରେ ଏସିଆର ଦଶଟି ଦେଶ- ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ତାନ, କାମବିଡିଆ, ଲାଓସ, ମାଲଦ୍ଵୀପ, ମଙ୍ଗୋଲିଆ, ନେପାଳ ଓ ମିଆଁମାରକୁ ୧୮ ଲକ୍ଷ ମୁଖା, ୨.୧୦ଲକ୍ଷ ପରୀକ୍ଷା ଉପକରଣ, ୩୬ ହଜାର ଡାକ୍ତରଙ୍କ ସୁରକ୍ଷା ସୁଟ, ଭେଣ୍ଟିଲେଟର ଓ ଥର୍ମୋମିଟର ପଠା ଯାଇଛି। ଆଫ୍ରିକାର ଦେଶମାନଙ୍କୁ ମଧ୍ୟ ଜାକ ମା ଫାଉଣ୍ଡେସନ ସାହାଯ୍ୟ କରୁଛି। ବିଶ୍ଵ ସାମ୍ନା କରୁଥିବା ଏହି ଭୟଙ୍କର ସଙ୍କଟ ବେଳରେ ସବୁ ଧନୀ କର୍ପୋରେଟ ଗୁଡିକ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଜ୍ୟାକ ମା ନିବେଦନ କରିଛନ୍ତି।

ଚୀନର ଜଣେ କର୍ପୋରେଟ ଟାଇକୁନ ଯାହା କରୁଛନ୍ତି, ସେଥିରୁ ଆମର ଦେଶୀ କର୍ପୋରେଟମାନେ ଶିଖିବେ କି? ଜ୍ୟାକ ମା ଏତେ କଥା କରୁଥିବା ବେଳେ ମୁକେଶ ଅମ୍ବାନୀ କଣ କରୁଛନ୍ତି ବୋଲି ପଛରନ୍ତୁ ନାହିଁ। ଅବଶ୍ୟ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ମୁକେଶ ଅମ୍ବାନୀ ତାଙ୍କ ଛାତରେ ରହି ଘଣ୍ଟା ବଜେଇଛନ୍ତି!!  ଗତ ମାସେ ହେଲା ଦେଶରେ କରୋନା ଭୂତାଣୁ ର ପ୍ରଭାବ ଆରମ୍ଭ ହୋଇଛି। ଦେଶର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଉଥିବା ଏହି ମହାମାରୀର ପ୍ରକୋପ ସମୟରେ ଭାରତର ଜ୍ୟାକ ମା ମାନେ କେଉଁଠି ଅଛନ୍ତି? ଦେଶର ସର୍ବାଧିକ ଲାଭ ଉଠାଇ ଧନୀ ହୋଇଥିବା ଆମ୍ବାନୀ, ଆଦାନି, ଟାଟା, ବିରଳା, ବେଦାନ୍ତ, ଜିନ୍ଦଲମାନେ ଏବେ କେଉଁଠି? କରୋନା ଭୂତାଣୁର ପ୍ରଭାବ ଆରମ୍ଭ ହେବା ଆଗରୁ ଦେଶର ସବୁ ବଜାରରୁ ସାନିଟାଇଜର ଓ ମୁଖା ଗାଏବ ହୋଇଗଲା। ଆଜି ହାତ ସଫା କରିବାକୁ ଆମେ ଭାରତୀୟମାନେ କଳା ବଜାରରେ ଚଢା ଦାମ ଦେଇ ସାନିଟାଇଜର କିଣୁଛୁ। ଦୁଇ ଟଙ୍କାର ମୁଖାକୁ ୫୦ ଟଙ୍କା ଦେଇ ସର୍ବସ୍ଵାନ୍ତ ହେଉଛୁ। ସେତେବେଳେ ଆମର ବଜାରର ବଡ ନେତାମାନେ ଗାୟବ। ସେମାନେ ଦେଶର ଅସମୟରେ ଛିଡା ହେବାର କୌଣସି ଉଦାହରଣ କେହି ଦେଇ ପାରିବେ ନାହିଁ।

ଲୋକଙ୍କୁ ସର୍ବନିମ୍ନ ସହାୟତା ଦେବାର ଆଗ୍ରହ ବା ନୈତିକତା ଭାରତୀୟ କର୍ପୋରେଟମାନଙ୍କର କେବେ ବି ନଥିଲା। କେବେ କେମିତି ୫/୧୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇ ଫଟୋ ଉଠାଇବାରେ ସେମାନଙ୍କର ଦାୟିତ୍ଵ ସରିଯାଏ। ଅଥଚ ଏମାନେ ଯେତେବେଳେ ସଙ୍କଟରେ ପଡନ୍ତି ସେତେବେଳେ ଲୋକଙ୍କ ଟଙ୍କାରୁ ଏମାନଙ୍କର କ୍ଷତି ଭରଣା କରାଯାଏ। ସେମାନଙ୍କୁ ହଜାର ହଜାର କୋଟି ଟଙ୍କାର ଟିକସ ରିହାତି, ଶାଗ ମାଛ ମୂଲ୍ୟରେ ପ୍ରାକୃତିକ ସମ୍ପଦର ଅଧିକାର ଏବଂ ସବୁ ପ୍ରକାର ଅର୍ଥନୈତିକ ଅପରାଧକୁ ମାଫି ଦେବାରେ ଏ ଦେଶ କେବେ ଅବହେଳା କରିନାହିଁ। “ଲାଭ ହେଲେ ଆମର, କ୍ଷତି ହେଲେ ଦେଶର” ବୋଲି ବିଚାର କରୁଥିବା ଆମର କର୍ପୋରେଟ ମାନେ ଲୋକଙ୍କ ପାଇଁ କରୁଛନ୍ତି କଣ? ବଜାରରେ ସୁଲଭ ଓ ସହଜ ଭାବରେ ଲୋକଙ୍କର ଆବଶ୍ୟକତା ମେଣ୍ଟାଇ ପାରୁନଥିବା ଏହି ବ୍ୟବସାୟୀମାନେ ଜ୍ୟାକ ମା ହେବାର ସ୍ଵପ୍ନ ଦେଖିପାରିବେ ନାହିଁ। ଲୋକଙ୍କ ଭିତରେ ଯେଉଁ ଭୟ ଓ ଉଦବିଗ୍ନତା ରହିଛି, ସେଥିରୁ କେମିତି ଅଧିକ ଫାଇଦା ଉଠାଇହେବ, ଏବେ ସେ ଚିନ୍ତା ସେମାନଙ୍କୁ ଘାରିଥିବ।

ଭାରତରେ ଆଜି କରୋନା ପରୀକ୍ଷଣ ଲାଗି ଅଧିକ ଉପକରଣ ଦରକାର। ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ମୁଖା ଓ ସାନିଟାଇଜର ଦରକାର। ଦେଶରେ ପ୍ରାୟ ୪୦ ହଜାର ଭେଣ୍ଟିଲେଟର ରହିଛି। ଅତି କମରେ ୨ ଲକ୍ଷ ଭେଣ୍ଟିଲେଟର ଆଜି ଆମର ଆବଶ୍ୟକତା। ସେହିପରି ଅସୁରକ୍ଷିତ ଅବସ୍ଥାରେ କାମ କରୁଥିବା ଆମ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କୁ ସୁରକ୍ଷା ସୁଟ ଦରକାର। ଏ ସବୁ ଯୋଗାଇ ଦେବା କଥା ଆମର କର୍ପୋରେଟ ଜଗତ କେବେ ଚିନ୍ତା କରିବ କି? କେବଳ ରାଜନୈତିକ ଦଳକୁ ଚାନ୍ଦା ଦେଇ ନିଜର ଫାଇଦା ଉଠାଉଥିବା ଦେଶର ଧନୀ ବ୍ୟବସାୟୀମାନେ ନିଜର ବିବେକକୁ ଆଜି ପ୍ରଶ୍ନ ପଚାରିବେ କି?

ଦେଶର ଅର୍ଥନୀତିରେ ଉଦାରବାଦୀ ପରମ୍ପରା ଆରମ୍ଭ ହେବା ପରଠୁ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଶର ୧୦୦ ଟି ବଡ କମ୍ପାନୀ ହାତକୁ ଯାଇଛି। ଆଜି ସେ ଲାଭରୁ କିଛି ତ ଦେଶବାସୀଙ୍କର ପାଇବାର ହକ ରହିଛି। ଏ କଥା କହିବାର କୌଣସି ଅର୍ଥ ନାହିଁ, ଆମେ ଜାଣିଛୁ। କରୋନା ମୁକାବିଲା କରିବାକୁ  ଏ ଦେଶର ସାଧାରଣ ଜନତା ନିଜେ ହିଁ ଅଣ୍ଟା ଭିଡି ଠିଆ ହେବ। ଆମ ଭିତରେ କେହି ଜଣେ ଜ୍ୟାକ ମା ବାହାରିବେ ବୋଲି ଅନ୍ତତଃ ଆଜି ଆଶା କରିବା ବୃଥା!!

coronavirus Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026

ପିଏମ୍-ବାଣୀରେ ନୂତନ ସଂସ୍କାର

May 27, 2026

ଜନସାଂଖ୍ୟିକ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି’ ଗଠନ କଲେ ଭାରତ ସରକାର

May 27, 2026

ଜାତୀୟ କ୍ରୀଡା ପ୍ରଶାସନ ବୋର୍ଡ ଅଧିନିୟମ ଏବଂ ଜାତୀୟ କ୍ରୀଡା ଟ୍ରିବ୍ୟୁନାଲ୍ ଅଧିନିୟମ, ୨୦୨୬ ଲାଗି ଅଧିସୂଚନା ଜାରି

May 27, 2026
Latest News

ଆଜି ଢେଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ

May 27, 2026

ରୋଚକ ମୋଡରେ କର୍ଣ୍ଣାଟକ ରାଜନୀତି : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା

May 27, 2026

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026

ରାଜଧାନୀରେ ଏନକାଉଣ୍ଟର

May 27, 2026

ପିଏମ୍-ବାଣୀରେ ନୂତନ ସଂସ୍କାର

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.