ଷଷ୍ଠ ଆକ୍ରାନ୍ତ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିଲେ- ସୁବ୍ରୋତ ବାଗ୍‌ଚୀ

Published: Apr 3, 2020, 5:46 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ କଟକର ବୋଲି ଜଣାପଡିଛି। ସେ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବାର ଜଣାଇଛନ୍ତି କୋଭିଡ – 19ର ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ। କଟକର ଅଶ୍ବିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସ କରାଯାଉଛି ବୋଲି କହିଛନ୍ତି ବାଗ୍‌ଚୀ। ଏଯାବତ୍‌ 27 ଜଣ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଆସିଛନ୍ତି ବୋଲି ସୂଚନା ରହିଛି। ଏହି 27 ଜଣଙ୍କ ମଧ୍ୟରେ 7 ଜଣ ବିଦେଶୀ ମଧ୍ୟ ରହିଛନ୍ତି। 27ଜଣଙ୍କ କରୋନା ପରୀକ୍ଷାରୁ 21ଟି ନେଗେଟିଭ୍‌ ଆସିଥିବାବେଳେ ଜଣକର ପଜିଟିଭି ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ କଟକର ବୋଲି ଜଣାପଡିଛି। ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ ଆଇସୋଲେସନରେ ରଖାଯାଇଛି ବୋଲି କହିଛନ୍ତି ବାଗ୍‌ଚୀ। ନିଜାମୁଦ୍ଦିନ ଯାଇଥିବା ଆଉ 40 ଜଣ ବାହାରେ ରହିଛନ୍ତି ବୋଲି ସୂଚନା ରହିଛି। ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରରେ ଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି କୋଭିଡ୍‌ ମୁଖପାତ୍ର। କିଛି ଦିନ ତଳେ ପଶ୍ଚିମବଙ୍ଗରୁ 10 ଜଣ ଆସି ତାଳଚେର ବୁଲି ଯାଇଛନ୍ତି। ସେ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରି ନମୁନା ପରୀକ୍ଷା ପାଇଁ ପଠାଯାଉଛି ବୋଲି କହିଛନ୍ତି ବାଗ୍‌ଚୀ।

ଏତଦ୍‌ବ୍ୟତୀତ ଓଡ଼ିଶାରେ କରୋନା ଅପଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି ବାଗ୍‌ଚୀ। ଏଯାବତ୍‌ 113ଟି ସାମ୍ପଲ୍‌ ଟେଷ୍ଟ ହୋଇଥିବାବେଳେ ସେଥିରୁ 6ଟି ପଜିଟିଭି ଆସିଛି। ପ୍ରଥମ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତୃତୀୟ ଏବଂ ଚତୁର୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି 124 ଜଣ। ସେହିପରି ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା 30 ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି ବାଗ୍‌ଚୀ। ଷଷ୍ଠ ଜଣକ ସମ୍ପର୍କରେ କେତେଜଣ ଆସିଛନ୍ତି, ତାହାର ଅନୁସନ୍ଧାନ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି କୋଭିଡ -19ର ମୁଖପାତ୍ର।

ପଞ୍ଚମ ଜଣକଙ୍କର କୌଣସି ଗସ୍ତ ସୂଚନା ରହିନଥିବାବେଳେ ତାଙ୍କୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି। ଏଥିପାଇଁ ରାଜ୍ୟ ସରକାର 48 ଘଣ୍ଟିଆ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ର ଘୋଷଣା କରିଛନ୍ତି ବୋଲି କହିଛନ୍ତି ସୁବ୍ରୋତ ବାଗ୍‌ଚୀ।

Related posts