Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ନ ଦେଇ ଖାଲି ଆଇନ ପ୍ରଣୟନର କିଛି ମୂଲ୍ୟ ନାହିଁ
ବିଶେଷ ଖବର

ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ନ ଦେଇ ଖାଲି ଆଇନ ପ୍ରଣୟନର କିଛି ମୂଲ୍ୟ ନାହିଁ

April 26, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର  

ଯୁଦ୍ଧ କରିବାକୁ ଗଲାବେଳେ ଖୋଦ ସେନାପତି ଯଦି ଅସୁରକ୍ଷିତ, ତା ହେଲେ କାହା ଭରସାରେ ଆମେ ଯୁଦ୍ଧ ଲଢିବା? କୋଭିଡ-୧୯ ବା କରୋନା ଭୂତାଣୁ ବିରୋଧୀ ସଂଗ୍ରାମରେ ଯେଉଁମାନେ ଆମର ଆଗୁଆ ଯୋଦ୍ଧା ସେମାନେ କେତେ ଦୂର ସୁରକ୍ଷିତ? କେହି କେହି କହିପାରନ୍ତି, ସରକାର ତ ଏହି ସଂଗ୍ରାମର ମୁଖ୍ୟ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କେତେ କଣ ସୁବିଧା ଯୋଗାଇଛନ୍ତି। ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆମେ ଗତ ମାର୍ଚ୍ଚ ୨୨ ତାରିଖ ଦିନ ୫ ଟା ସମୟରେ ୫ ମିନିଟ ତାଳି ଓ ଥାଳି ବଜେଇ, କୀର୍ତ୍ତନ କରି କୃତଜ୍ଞତା ଜଣାଇଛୁ। ପୁଣି ଏପ୍ରିଲ ୫ ତାରିଖରେ ୯ ଟାରେ ୯ ମିନିଟ ଯାଏ ଦୀପ ଜଳାଇ ଓ ବାଣ ଫୁଟେଇ ସମ୍ବର୍ଦ୍ଧନା ଦେଇଛୁ। ତାପରେ ଭାରତ ସରକାର ଏକ ଅଧ୍ୟାଦେଶ ଆଣି ଯେଉଁମାନେ ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବେ ସେମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ମରଣୋପରାନ୍ତ ୫୦ ଲକ୍ଷର ବୀମା ଓ ଶହୀଦ ହେବାର ମାନ୍ୟତା ଦିଆ ଯାଇଛି।  ୟା ପରେ ବି ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଅସୁରକ୍ଷିତ ବୋଲି କହିବାର କାରଣ କଣ?

ସତ କଥା ହେଉଛି, କରୋନା ଭୂତାଣୁ ସହ ଲଢୁଥିବା ଆମର ସ୍ଵାସ୍ଥ୍ୟକର୍ମୀମାନେ ଏବେ ଚାରି ଦିଗରୁ ଆକ୍ରମଣର ଶିକାର ହେଉଛନ୍ତି। ଡାକ୍ତରଖାନାରେ ସେମାନଙ୍କ ଲାଗି ପର୍ୟାପ୍ତ ପରିମାଣରେ ସୁରକ୍ଷା ସୁଟ ବା ପିପିଇ ନାହିଁ। ସେମାନଙ୍କୁ ଯେତେ ପରିମାଣରେ ଏନ-୯୫ ମୁଖା ଦରକାର ସେତକ ଯୋଗାଇଦେବାରେ ଆମେ ବିଫଳ ହୋଇଛୁ। ଏହାର ପ୍ରଥମ କାରଣ ହେଉଛି, ଏ ସବୁ ଉପକରଣ ଆମେ ଭାରତରେ ତିଆରି କରି ପାରୁନାହୁଁ। ଚୀନ ଓ ଦକ୍ଷିଣ କୋରିଆରୁ ଏହାକୁ ଆମଦାନୀ କଲାବେଳେ ସେସବୁ ପହଞ୍ଚିବାରେ ବିଳମ୍ବ ହେଉଛି। ଯଦିବା ଏହା ପହଞ୍ଚୁଛି, ସେଥିରୁ ଅନେକ ରଦ୍ଦି ଓ ନିମ୍ନ ମାନର ବୋଲି ଜଣା ପଡୁଛି। କରୋନା କଥା ଉଠିଲା ବେଳେ ଏ ସବୁ ସରଞ୍ଜାମ ଆଗରୁ ଯୋଗାଡ କରି ରଖିବାର ଦାୟିତ୍ଵବୋଧ ଆମର ନଥିଲା କି?

ଆବଶ୍ୟକୀୟ ସୁରକ୍ଷା ଉପକରଣ ନଥିବାରୁ ଦେଶରେ ଶତାଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ଭୂତାଣୁ ଆକ୍ରାନ୍ତ ହୋଇପଡିଛନ୍ତି। ସର୍ବ ପ୍ରଥମ ସ୍ୱାସ୍ଥ୍ୟକର୍ମୀ ଭାବରେ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶର  ଇନ୍ଦୋର ସହରର  ଡାକ୍ତର ଶତୃଘ୍ନ ପଞ୍ଜବାଣୀ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ତା ପୂର୍ବରୁ କର୍ଣ୍ଣାଟକରେ କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ଜଣେ ଡାକ୍ତରଙ୍କୁ କରୋନା ଭୁତାଣୁ ଧରିଥିଲା। ଏହା ବଢି ବଢି ଏବେ ଶହେ ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଧରି ସାରିଲାଣି। କରୋନା ସଂକ୍ରମଣ ସମୟରେ କାମ କରୁଥିବା ପୋଲିସ, ସାମ୍ବାଦିକ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହେଉଛନ୍ତି।

ଗୋଟିଏ ପାଖରେ ଡାକ୍ତରଖାନା ଗୁଡିକରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସଂକ୍ରମଣର ଶିକାର ହେଉଥିବା ବେଳେ, ବାହାରେ ସେମାନେ ସାଧାରଣ ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଭଳି ରାଜ୍ୟରେ ଏମିତି ଅନେକ ଘଟନା ଏବେ ଲୋକଲୋଚନକୁ  ଆସିଛି। ଲୋକଙ୍କ ସେବା ଓ ସୁରକ୍ଷା ପାଇଁ ଯାଉଥିବା ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ସାଧାରଣ ଲୋକ ଆକ୍ରମଣ କରିବାର କାରଣ କଣ?

ଏ ସମ୍ପର୍କରେ କହିବାକୁ ଯାଇ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ଗୁଲେରିଆ ଯେଉଁ କାରଣ ଦର୍ଶାଇଛନ୍ତି, ତାହା ଅତ୍ୟନ୍ତ ଉଦ୍ବେଗଜନକ। ଲୋକଙ୍କ ମନରେ କରୋନାକୁ ନେଇ ଭୟ, ଆତଙ୍କ ଓ ଅନ୍ଧ ବିଶ୍ଵାସ ବଢି ବଢି ଚାଲିଛି। କରୋନା ଭୂତାଣୁକୁ ନେଇ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେବାର ପ୍ରମୁଖ କାରଣ ହେଉଛି, ଏହାକୁ ନେଇ ଗଣମାଧ୍ୟମରେ ବଢି ଚାଲିଥିବା ଅପପ୍ରଚାର। ତବଲିଗି ଜମାତ ଘଟନା ପରେ ଏକ ନିର୍ଦ୍ଦିଷ୍ଟ ଧର୍ମର କରୋନା ଆକ୍ରାନ୍ତଙ୍କ ପ୍ରତି ଆମର ଗଣମାଧ୍ୟମ ଏକ ପ୍ରକାର ଆତଙ୍କବାଦୀ ଭଳି ବ୍ୟବହାର ଆରମ୍ଭ କରିଥିଲା। ଯେଉଁମାନେ ଏହି ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ ସେମାନଙ୍କ ମନରେ ବିଶ୍ଵାସ ଓ ଆଶ୍ଵାସନା ଜନ୍ମାଇବା ପରିବର୍ତ୍ତେ ସେମାନଙ୍କୁ ଏକପ୍ରକାର ଆତଙ୍କବାଦୀ ବା ଅପରାଧୀ ଭଳି ଚିତ୍ରଣ କରାଗଲା। ଯାହାର ପରିଣତି ସ୍ୱରୂପ ଆମେ ଦେଖିଲୁ ଲୋକେ ଭୟରେ ରୋଗ ଲୁଚାଇବା ଆରମ୍ଭ କଲେ।

ପୁନଶ୍ଚ କରୋନାକୁ ନେଇ ଅତ୍ୟଧିକ ଗୁଜବ ଓ ଅନ୍ଧବିଶ୍ଵାସ ମଧ୍ୟ ବଢି ଚାଲିଛି। ଏହା ଅତ୍ୟଧିକ ସଂକ୍ରାମକ ଏକ ରୋଗ, ହେଲେ ଏଥିରେ ମୃତ୍ୟୁ ସଂଖ୍ୟା ଅତ୍ୟନ୍ତ ସୀମିତ ବୋଲି ବୁଝାଇବାରେ ଆମେ ବିଫଳ ହୋଇଛୁ। ଅର୍ଥାତ କରୋନା ହେଲେ ଯେ ଜଣେ ମରିଯିବ, ତାହା ନିତାନ୍ତ ଭ୍ରାନ୍ତ ଧାରଣା। ଆଉ ଏକ ସମସ୍ୟା ଭାବରେ ଭାରତରେ ୮୦ ଭାଗ କରୋନା ଆକ୍ରାନ୍ତଙ୍କ ଦେହରେ କୌଣସି ଲକ୍ଷଣ ଦେଖା ଯାଉନାହିଁ। ଜ୍ଵର, କାଶ, ସର୍ଦ୍ଦି, ଦେହବିନ୍ଧା ଇତ୍ୟାଦି କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ବଡ ଭାଗ ଆକ୍ରାନ୍ତଙ୍କ ଦେହରେ ଭୂତାଣୁ ଅନୁପ୍ରବେଶ କରୁଛି। ତେଣୁ ଏହା ଲୋକଙ୍କୁ ଅଧିକ ଅସତର୍କ ଓ ସନ୍ଦେହୀ କରୁଛି। ମୋର ତ କୌଣସି ରୋଗର ଲକ୍ଷଣ ନାହିଁ ଭାବି ଆକ୍ରାନ୍ତ ଅଯଥାରେ ହିଂସ୍ର ହେଉଛି। ଧର୍ମ ଭିତ୍ତିରେ ଅସୁରକ୍ଷାର ଭାବନା ମଧ୍ୟ ଲୋକଙ୍କୁ ହିଂସ୍ର କରୁଛି।

ଗଣମାଧ୍ୟମ ଓ ସୋସିଆଲ ମିଡିଆର ଅପପ୍ରଚାରର ଫଳ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଭୋଗୁଛନ୍ତି। ଡାକ୍ତରଖାନାରେ ସେମାନଙ୍କୁ ପର୍ୟାପ୍ତ ସୁରକ୍ଷା ମିଳୁନାହିଁ। ପରିବାରଠୁ ମାସ ମାସ ଧରି ଦୂରେଇ ରହିବା ଫଳରେ ସେମାନଙ୍କ ମାନସିକ ଚାପ ବଢୁଛି। ସବୁଠୁ ଭୟଙ୍କର ଭାବରେ ରୋଗୀ ଚିହ୍ନଟ ବେଳେ ସେମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି। ଯେଉଁମାନେ ଏହି ବିପଦ ସମୟରେ ଆମପାଇଁ ଭଗବାନ ଭଳି କାମ କରୁଛନ୍ତି, ସେମାନଙ୍କ ପ୍ରତି ଆମ ସମାଜରେ ଭୟ ଓ  ହିଂସା ର ବାତାବରଣ ସୃଷ୍ଟି ହେବା, ଅତ୍ୟନ୍ତ ପରିତାପର ବିଷୟ।

କେବଳ ଆଇନ ପ୍ରଣୟନ କରିଦେଲେ, ବା ତାଳି ବା ଥାଳି ବଜାଇଦେଲେ, କିମ୍ବା ସେମାନଙ୍କୁ ମଲାପରେ ଶହୀଦର ମର୍ୟାଦା ଦେଇଦେଲେ, ସେମାନେ ସୁରକ୍ଷିତ ରହିପାରିବେ ନାଇଁ। ସେମାନଙ୍କୁ ଡାକ୍ତରଖାନାରେ ଓ ବାହାରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଆମର ପ୍ରାଥମିକ ଦାୟିତ୍ଵ। ଗଣମାଧ୍ୟମରେ କରୋନାକୁ ନେଇ ଭୟ ଓ ବିଭ୍ରାନ୍ତି ରୋକିବା ମଧ୍ୟ ସରକାରଙ୍କର ସବୁଠୁ ବଡ ଦାୟିତ୍ଵ ହେବା ଉଚିତ। କରୋନା ଆଳରେ ସାମ୍ପ୍ରଦାୟିକ ରାଜନୀତି କିମ୍ବା ବିଭାଜନର ବିଷମଞ୍ଜି ଯେମିତି ବୁଣାଯାଉଛି, ସେଥିରେ ଆମ ସ୍ଵାସ୍ଥ୍ୟକର୍ମୀଙ୍କ ଜୀବନ ଅଧିକରୁ ଅଧିକ ବିପନ୍ନ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.