Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜା ଚାଲିଗଲେ : ରାଜା ରହିବେ ଚିରକାଳ- ବିଜୟ ମିଶ୍ରଙ୍କ ସ୍ମୃତିରେ
ବିଶେଷ ଖବର

ରାଜା ଚାଲିଗଲେ : ରାଜା ରହିବେ ଚିରକାଳ- ବିଜୟ ମିଶ୍ରଙ୍କ ସ୍ମୃତିରେ

April 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଅସିତ ମହାନ୍ତି

ଆମ ନାଟ୍ୟ ଜଗତରେ ‘ଜଣେ ରାଜା ଥିଲେ’। ସେ ରାଜା ଜଣକ ବିଜୟ ମିଶ୍ର। ଆଜି ସେ ଆମଠୁ ଶେଷ ବିଦାୟ ନେଇ ଚାଲିଗଲେ। କିନ୍ତୁ ସେ ରାଜାଙ୍କର ସ୍ମୃତି ଆମ ମନରେ ତାଜା ରହିବ ଚିରକାଳ। ଏଣୁ ତାଙ୍କର ଆଜିର ବିଦାୟ, ବିଦାୟ ନୁହେଁ; ତାଙ୍କ ସ୍ମୃତିର ଗୋଟିଏ ତେଜିୟାନ୍ ତାରିଖ ମାତ୍ର।

ଖୁବ୍ ସଂକ୍ଷେପରେ କୁହାଯାଇପାରେ ଯେ ‘ଜନନୀ’ ରୁ ‘ବାନପ୍ରସ୍ଥ’ ହେଉଛି ବିଜୟ ମିଶ୍ରଙ୍କ ଜୀବନ-ମଞ୍ଚ। ଯଦି ଚଳଚ୍ଚିତ୍ର ଓ ଟେଲିଭିଜନକୁ ଦେଖିବା, ତେବେ କହିପାରିବା ଯେ ‘ଜନନୀ’ ରୁ ‘ଶ୍ରୀଜଗନ୍ନାଥ’ ହେଉଛି ତାଙ୍କ ଜୀବନର ପରଦା-ପ୍ରସ୍ଥ। କାରଣ ‘ଜନନୀ’ ତାଙ୍କର ପ୍ରଥମ ନାଟକ, ‘ବାନପ୍ରସ୍ଥ’ ଶେଷ ସାହିତ୍ୟ ପୁରସ୍କାରପ୍ରାପ୍ତ ନାଟକ ଏବଂ ‘ଶ୍ରୀଜଗନ୍ନାଥ’ ଶେଷ ସଫଳ ମେଗା ଧାରାବାହିକ।

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ‘ଜନନୀ”ର ରଚନା କାଳ ୧୯୬୦, ଆଉ ‘ବାନପ୍ରସ୍ଥ’ ପାଇଁ ସେ ପାଇଥିଲେ ୨୦୧୩ ମସିହାର ସାହିତ୍ୟ ଅକାଦେମି ପୁରସ୍କାର। ଏହାର ମଝିରେ ଅଛି ‘ଯାଦୁକର’, ଯେଉଁଥିପାଇଁ ସେ ପାଇଛନ୍ତି ୧୯୭୭ର ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର।

କିନ୍ତୁ ପ୍ରକୃତରେ କହିଲେ, ସାହିତ୍ୟର ସ୍ବୀକୃତି କେବେ ତାଙ୍କର ଲକ୍ଷ୍ୟ ନଥିଲା। ‘ବାନପ୍ରସ୍ଥ’ ପାଇଁ ଅକାଦେମି ପୁରସ୍କାର ୨୦୧୩ ଡ଼ିସେମ୍ବରରେ ଘୋଷିତ ହେବା ପରେ, ‘ଚଂଦନ’ ପତ୍ରିକାର ୨୦୧୪ ପ୍ରଥମ ସଂଖ୍ୟାରେ ତାଙ୍କର ଯେଉଁ ସାକ୍ଷାତକାର ମୁଁ କରିଥିଲି, ସେଥିରେ ସେ କହିଥିଲେ, “ଏକାଡେମୀ ପୁରସ୍କାରକୁ ଅପେକ୍ଷା କରେନାହିଁ ନାଟକ। ଆମେ ନାଟ୍ୟକାରମାନେ ସାହିତ୍ୟରେ ନିଜର ସ୍ଥାନ ନିରୂପଣ କରିବା ଠାରୁ ଦର୍ଶକର ମନରେ ସ୍ଥାନ ପାଇବାକୁ ବେଶୀ ବ୍ୟଗ୍ର ଥାଉଁ। ନାଟକ ଦୃଶ୍ୟକାବ୍ୟ। ତେଣୁ ପୁରସ୍କାର ପଛରେ ଦୈାଡ଼ିବାର ସ୍ପୃହା ନଥାଏ।”

ତେଣୁ ତମାମ୍ ଜୀବନକାଳରେ ସେ ପୁରସ୍କାର ପଛରେ ଦଉଡ଼ି ନାହାନ୍ତି ସିନା, ପୁରସ୍କାର କିନ୍ତୁ ତାଙ୍କ ପଛରେ ଦୈାଡିଛି।

ତେଣୁ ମନକୁ ପ୍ରଶ୍ନଟିଏ ଆସିବା ସ୍ବାଭାବିକ ଯେ ସେଦିନ ସେହି ସାହିତ୍ୟ ଅକାଦେମି ପୁରସ୍କାରକୁ ସେ କିପରି ଭାବରେ ଗ୍ରହଣ କରିଥିଲେ ? ତାହାର ଉତ୍ତର ଅଛି ଉପର ସୂଚିତ ସେହି ସାକ୍ଷାତକାରରେ। ମୋର ପ୍ରଶ୍ନର ଉତ୍ତରରେ ସେ କହିଥିଲେ, “ବାକି ଜୀବନ ବଞ୍ଚିବା ପାଇଁ ସ୍ମୃତିଟିଏ ହୋଇ ରହିଲା ଏ ପୁରସ୍କାର। ତେବେ ‘ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟା’ ପରି ଏ ପୁରସ୍କାର ଅସ୍ବସ୍ତିକର ଲାଗିବାର ଆଶଙ୍କା ବି ରହିଚି।”

ଏ ପ୍ରସଙ୍ଗରେ ବର୍ଣ୍ଣାଡ ଶ’ ଙ୍କର ଗୋଟିଏ ଉକ୍ତି ମନେପଡ଼େ। ଥରେ ସେ କହିଥିଲେ, “ପରିଣତ ବୟସରେ କୈାଣସି ଲେଖକକୁ ବଡ଼ ପୁରସ୍କାର ଦେବା ଯାହା, ପହଁରି ପହଁରି କୂଳରେ ପହଞ୍ଚି ସାରିଥିବା ଜଣେ ଲୋକ ଆଡ଼କୁ ଦଉଡି଼ ଫିଙ୍ଗିବା ତାହା।” ସେ କଥା ତାଙ୍କୁ ମନେ ପକାଇଦେବା ପରେ, ସେ ସେଦିନ ଏହା ବି କହିଥିଲେ, “ନିର୍ବାଣ ଦୀପେ କିମୁ ତୈଳଦାନମ୍ !”

ସେଦିନ ତାଙ୍କର ବୟସ ହୋଇଥିଲା ୭୭ ବର୍ଷ । କିନ୍ତୁ ସେଇ ‘ବାନପ୍ରସ୍ଥ’ର ବୟସରେ ବି ସେ ମହାପ୍ରୟାଣ ବା ନିର୍ବାଣ ପାଇଁ ପ୍ରସ୍ତୁତ ନଥିଲେ। ସେଥିପାଇଁ ‘ବାନପ୍ରସ୍ଥ’ର ଶେଷ ଗୁରୁତ୍ବପୂର୍ଣ୍ଣ ସଂଳାପରେ ସେ କହିଛନ୍ତି, “ନା, ଏବେ ମୁଁ ମରୁନି, ମରିପାରିବିନି। ହୁଏତ ଏ ଦେହଟା ଚାଲିଯିବ- କିନ୍ତୁ ମୋର ଆତ୍ମା, ମୋ ପ୍ରାଣ, ରୁଦ୍ର (ନୂଆ ପିଢି) ଭିତରେ ବଞ୍ଚି ରହିବ। … ସମସ୍ତେ କହନ୍ତି, ଆମେ ଶେଷ ପାହାଚର ମଣିଷ; ହେଲା ତ କ’ଣ ହୋଇଗଲା ! ମୁଁ ତ ଦେଖି ପାରୁଚି, ଅନ୍ୟ ପାହାଚ ମାନଙ୍କରେ ଠିଆ ହୋଇଚନ୍ତି କେତେ ବାଳକୃଷ୍ଣ ଦାସ, କେତେ ଭୁବନେଶ୍ୱର ମିଶ୍ର, କେତେ ଗୁଲାମ ଅଲ୍ଲି- ସେମାନେ ସବୁ ପାହାଚ ଚଢୁଛନ୍ତି। କିନ୍ତୁ ଶେଷ ପାହାଚ ବୋଲି କିଛି ନାହିଁ।ସବୁବେଳେ ଶେଷ ପାହାଚ ପ୍ରଥମ ପାହାଚର ଆରମ୍ଭ।”

ସେଇଥିପାଇଁ ସେ ‘ବିଜୟ ଏକ ଉଚ୍ଛ୍ବାସ’ ଗଢିଥିଲେ। ତାହା ମାଧ୍ୟମରେ ନୂଆ ନୂଆ ନାଟକ ଲେଖି ତାହାକୁ ମଞ୍ଚସ୍ଥ କରୁଥିଲେ। ଏମିତି ଏକ ନାଟକ ଥିଲା ୨୦୧୩ ଜୁଲାଇ ୧୬ ତାରିଖ ଦିନ ମଞ୍ଚସ୍ଥ ହୋଇଥିବା ‘ଭଙ୍ଗା ଆଇନା’। ତାହା ଥିଲା ‘ଲିଭ୍-ଇନ୍’ ସଂପର୍କକୁ ନେଇ। ତେଣୁ ‘ବାନପ୍ରସ୍ଥ’ ବାବଦରେ ମୋର ଗୋଟିଏ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, “ମୁଁ ଏଯାବତ୍ ଅସ୍ତ୍ରତ୍ୟାଗ କରିନାହିଁ। ‘ମୁଁ ବଞ୍ଚିଚି ବୋଲି ଲେଖୁଚି ଆଉ ଲେଖୁଛି ବୋଲି ବଞ୍ଚିଚି।’ ଏଇ ପରିପ୍ରେକ୍ଷୀରେ ମୁଁ କେମିତି କହିବି ଯେ ଏ ସମର ମୋ’ର ଶ୍ରେଷ୍ଠ ସମର ବା ଶେଷ ସମର ?”

ସେଦିନ ସେ ଆଉ ଯେଉଁ ଗୁରୁତ୍ବପୂର୍ଣ୍ଣ କଥାଟି କହିଥିଲେ, ତାହା ହେଉଛି, “ମୁଁ ସମସାମୟିକ ମୂଲ୍ୟାୟନରେ ବିଶ୍ବାସ କରେନାହିଁ। ମୋ ଅନ୍ତେ, ଏ ନାଟକ ସବୁ ଯଦି କାଳୋତ୍ତୀର୍ଣ୍ଣ ହୋଇପାରିଲା, ତା’ ହେଲେ ହିଁ ମୋର ଶ୍ରମ ସାର୍ଥକ ହେବ।”

ସବୁ ହୁଏତ ନ ହୋଇପାରେ, କିନ୍ତୁ ବିଜୟ ମିଶ୍ରଙ୍କର ବେଶ୍ କେତୋଟି ନାଟକ ନିଶ୍ଚେ କାଳୋତ୍ତୀର୍ଣ୍ଣ ହୋଇ ରହିବ। ତେଣୁ ଆଜି ଆମ ନାଟ୍ୟ ଜଗତର ଏଇ ରାଜା ଜଣକ ଆମଠୁ ଶେଷବିଦାୟ ନେଇ ଚାଲି ଯାଇଥିଲେ ବି ସେ ରାଜା ଆମର ମନେ ରହିବେ ଚିରଦିନ। ଆମେ କେବେ ଭୁଲିପାରିବା ନାହିଁ ଯେ ‘ଜଣେ ରାଜା ଥିଲେ’, ଆଉ ସେ ରାଜା ଜଣକ ହେଉଛନ୍ତି ବିଜୟ ମିଶ୍ର।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026
Latest News

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.