କୋଭିଦ ପରି ଅଙ୍ଗାରକାମ୍ଳ ବକ୍ରରେଖା ବୃଦ୍ଧିକୁ ସମତଳ କରିବା ନିତାନ୍ତ ଆବଶ୍ୟକ

Published: May 29, 2020, 12:59 pm IST

ଧନଦା କାନ୍ତ ମିଶ୍ର

କୋଭିଦ ମହାମାରୀ ଆରମ୍ଭ ହେବା ସହିତ ‘ବକ୍ରରେଖା ବୃଦ୍ଧି କୁ ସମତଳ କରିବା’ (ଫ୍ଲାଟେନ ଦି କର୍ଭ) ଉକ୍ତି ଟି ଲୋକପ୍ରିୟ ହୋଇଛି । ଏହା ସଂକ୍ରମଣର ହାରକୁ ମନ୍ଥର କରିବାକୁ ବୁଝାଏ। ହାତ ଧୋଇବା, ମୁହଁ ରେ ମୁଖା ପିନ୍ଧିବା, ବାଧ୍ୟତାମୂଳକ ସଙ୍ଗରୋଧ ଠାରୁ ଆରମ୍ଭ କରି ଗମନାଗମନ ଉପରେ ପ୍ରତିବନ୍ଧକ ଲଗାଇବା ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଏହା କରାଯାଏ । ସାରା  ବିଶ୍ୱରେ ବିଭିନ୍ନ ଦେଶର ସରକାରମାନେ ଏହାଦ୍ବାରା କରୋନା ଭୁତାଣୁ କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଏହି ବିପଦ ଠାରୁ  ଆହୁରି ଏକ ବଡ ବିପଦପୂର୍ଣ୍ଣ ଚକ୍ର ବୃଦ୍ଧି ପ୍ରକ୍ରିୟା ଅଛି ଯାହା ମାନବ ସମାଜ ଏ ପର୍ଯ୍ୟନ୍ତ ସମତଳ କରିବାରେ ଅସମର୍ଥ ଏବଂ ଏହା କରୋନା ଭୁତାଣୁ ଜନିତ  ମହାମାରୀ ର ବହୁ ଦିନ ପର ପର୍ଯ୍ୟନ୍ତ ମାନବ ସମାଜ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରି ଚାଲିବ । ସେହି ବିପଦ ର ଏକ ଛୋଟ ଝଲକ ଥିଲା ଅମଫନ ଘୁର୍ନି  ବାତ୍ୟା ଯାହା ସଦ୍ୟ  ଓଡ଼ିଶା ଓ ପଶ୍ଚିମ  ବଙ୍ଗଳାରେ ତାଣ୍ଡବ କରି ଯାଇଛି । ଏହି ଚକ୍ର ବୃଦ୍ଧି ପ୍ରକ୍ରିୟାଟିର  ନାଁ  ହେଲା – ଅଙ୍ଗାରକାମ୍ଳ ବାଷ୍ପ ବୃଦ୍ଧି ଚକ୍ର ।

ସାର୍ସ – କୋଭ -2 ଭୁତାଣୁ ଯାହା କୋଭିଦ -୧୯ ବିମାରୀ ସୃଷ୍ଟି କରେ, ପୃଥିବୀ ର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ମାନଙ୍କୁ ଆଣ୍ଠେଇ ସାରିଛି ।  ଏହି ବିମାରୀ ରେ ସଂକ୍ରମିତମାନଙ୍କ ମଧ୍ୟରୁ ଅଧିକାଂଶ ଙ୍କ ପାଖରେ କୌଣସି ଲକ୍ଷଣ ଦେଖା ଯାଏ ନାହିଁ କିନ୍ତୁ ଭୁତାଣୁ ବିସ୍ତାରରେ ସେମାନେ ସକ୍ଷମ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ପ୍ରମାଣିତ ହୋଇଛି। ଲେଖିବା ସମୟ ପର୍ଯ୍ୟନ୍ତ ସାରା ବିଶ୍ବରେ ଅନ୍ୟୁନ ୫ ନିୟୁତରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରି ଥିଲେ, ଯେଉଁଥିରୁ ତିନି  ଲକ୍ଷ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରି ଥିଲା। ବିଶେଷଣଜ୍ଞଙ୍କ ମତରେ କରୋନା ଚକ୍ର ବୃଦ୍ଧି ଅନେକ ଦେଶରେ, ଯଥା ହଂକଂ, ଚୀନ, କୋରିଆ, ନିଉଜିଲାଣ୍ଡ, ଜାପାନ ଆଦିରେ ନିୟନ୍ତ୍ରଣରେ ଆସିସରିଛି ଓ ସାରା ବିଶ୍ବରେ ଭବିଷ୍ୟତରେ ଏହାର ଚକ୍ର ବୃଦ୍ଧି ସଂକ୍ରମଣର ହାର ସମତଳ ହୋଇପାରିବ। କିନ୍ତୁ ବିଶ୍ଵ ଉତ୍ତପ୍ତି କରଣ ଓ ଜଳବାୟୁ ପରିବର୍ତନ ପାଇଁ ଦାୟୀ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ବାଷ୍ପର ଚକ୍ର ବୃଦ୍ଧି ହାର କୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଠିନ କିନ୍ତୁ ନିତାନ୍ତ ଆବଶ୍ୟକ।

ବିଶ୍ଵର ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳର ମାତ୍ରା ରେ ବୃଦ୍ଧି ହାର କୁ ଦର୍ଶାଉଥିବା ବକ୍ରରେଖା – କିଲିଙ୍ଗ ରେଖା ଭାବରେ ଜଣାଶୁଣା। ୧୭୬୦  ମସିହାରେ ଶିଳ୍ପ ବିପ୍ଳବର ଆରମ୍ଭ ହେବା ଆଗରୁ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳର ମାତ୍ରା ଥିଲା ଦଶ ଲକ୍ଷ ଭାଗରେ ୨୭୫ ଭାଗ ଯାହାକୁ ୨୭୫ ପିପିଏମ କୁହାଯାଏ । ଆଜି ଏହା ପ୍ରାୟ ୪୧୭ ପିପିଏମ ରେ ପହଞ୍ଚି ସାରିଛି ।  ଯଦି ଆନ୍ତଃ–ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ସମିତି (ଆଇପିସିସି) ଦ୍ବାରା  ନିର୍ଦ୍ଧାରିତ ବିଶ୍ଵର ହାରାହାରି ତାପମାତ୍ରାକୁ ପ୍ରାକ୍-ଶିଳ୍ପ ତାପମାତ୍ରାଠାରୁ ୨ °C ତଳେ ରଖାଯାଏ, ତାହେଲେ  ୨୦୧୭ ମସିହାରୁ – ହିସାବ କଲେ ବାୟୁମଣ୍ଡଳ ୧୧୭୦ ଗିଗାଟନ୍ (ଏକ ଟନ ଅର୍ଥାତ ୧୦୦୦ କିଗ୍ରା ଓ ଗିଗ ଅର୍ଥ ୧୦୦ କୋଟି) ରୁ ଅଧିକ ଅଙ୍ଗାରକାମ୍ଳ ଗ୍ରହଣ କରିପାରିବ ନାହିଁ  । ଯେହେତୁ ବିଶ୍ଵ ସ୍ତରରେ ପ୍ରତିବର୍ଷ ୪୨ ଗିଗାଟନ୍ ଅଙ୍ଗାରକାମ୍ଳ ନିର୍ଗତ ହେଉଛି, ପ୍ରାୟ ୨୬  ବର୍ଷ ମଧ୍ୟରେ ଏହି ଅଙ୍ଗାରକାମ୍ଳ ବଜେଟ୍ ଶେଷ ହୋଇଯିବ । ଯଦି ହାରାହାରି ତାପମାତ୍ରା ବୃଦ୍ଧି କୁ ୧.୫ °C ରେ ସୀମିତ ରକ୍ଷା ଯାଏ ଯାହା ଦ୍ଵାରା ଜଳବାୟୁ ସଙ୍କଟ ର ସବୁଠାରୁ ଅଧିକ କୁପ୍ରଭାବ ଏଡାଇ ହେବ, ତେବେ ମାତ୍ର ୮ ବର୍ଷ ମଧ୍ୟରେ ଅଙ୍ଗାରକାମ୍ଳ ନିର୍ଗମନ କୁ ନିୟନ୍ତ୍ରଣ ରେ ଆଣିବାକୁ ହେବ।

କରୋନା ଭୁତାଣୁ ସମସ୍ୟା ର ପ୍ରତିଷେଧକ ନାହିଁ, କିନ୍ତୁ ଜଳବାୟୁ ସଙ୍କଟକୁ ହ୍ରାସ କରିବା ଏବଂ ଏହ ପଛରେ ଥିବା ଅଙ୍ଗାରକାମ୍ଳ ନିର୍ଗମନ ଚକ୍ରବୃଦ୍ଧି କୁ ସମତଳ କରିବା ପାଇଁ ସମସ୍ତ ଜ୍ଞାନ ଓ ଇଚ୍ଛା  କଲେ ସବୁ ସାଧନ ମଧ୍ୟ ଏକାଠି କାରୀ ହେବ। ଯଦି ସବୁ ଦେଶର ସରକାର ମାନେ ଏକାଠି ହୋଇ ଏହାକୁ କରିବାକୁ ଚାହିଁବେ ତାହେଲେ ନିଶ୍ଚୟ ଏହି ସଙ୍କଟ ର ସମାଧାନ ହୋଇପାରିବ । ଜୀବାଶ୍ମ ଇନ୍ଧନ କମ୍ପାନୀ  ମାନେ ୧୯୮୦ ଦଶକରୁ ଗବେଷଣା କରି ଆଜି  ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ର ସ୍ତର କ’ଣ ହେବ ତାହା ସଠିକ ଭାବରେ ଜାଣି ପାରି ଥିଲେ । ଏହା ଦ୍ଵାରା ହେବାକୁଥିବା ସବୁଜ ଘର ପ୍ରଭାବ ଓ ତତ୍ ଜନିତ ବିଶ୍ଵ ଉତ୍ତପ୍ତି କରଣ ଓ ଜଳବାୟୁ ପରିବର୍ତନ ବିଷୟରେ ବୈଜ୍ଞାନିକ ମାନେ ଅତି କମରେ ୩୦-୪୦ ବର୍ଷ ତଳୁ ମାନବ ସମାଜ କୁ ଚେତାବନୀ ଦେଇ ଆସୁଛନ୍ତି । ବିଭିନ୍ନ ଦେଶ ର ସରକାର ମାନେ ଏ ବିଷୟରେ ସମ୍ପୂର୍ଣ  ଭାବରେ ଅବଗତ ଥିଲେ ମଧ୍ୟ ବହୁ ଚେଷ୍ଟା ପରେ ୨୦୧୫ – ୧୬ ମସିହାରେ ପ୍ୟାରିସ  ଚୁକ୍ତି ମାଧ୍ୟମରେ ଏହି ସଙ୍କଟ ର ସମାଧାନ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ବଦ୍ଧ ହୋଇଥିଲେ। ନିକଟ ରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ୟାରିସ ଚୁକ୍ତି ରୁ ଓହରି ଯିବା ଦ୍ଵାରା ଏହାର ଫଳପ୍ରଦ କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି  ହୋଇଛି ।

ଜଳବାୟୁ ସଙ୍କଟ ର ଅନ୍ୟ ଏକ ଗୁରୁତ୍ଵପୂର୍ଣ ଦିଗ ହେଲା ବର୍ଦ୍ଧିତ ବାୟୁ ପ୍ରଦୂଷଣ, ଯାହାକି ମଣିଷର ହୃଦୟ ଏବଂ ଫୁସଫୁସକୁ କ୍ଷତି ପହଞ୍ଚାଏ । ପୂର୍ବରୁ ଶ୍ଵାସ କ୍ରିୟା ଏବଂ ହୃଦ୍‌ରୋଗରେ ଆକ୍ରାନ୍ତ କରୋନା ରୋଗୀ କୋବିଦ ରୋଗରେ ଆକ୍ରାନ୍ତ ହେବା ଏବଂ ମୃତ୍ଯୁ   ମୁଖରେ ପଡିବାର ସମ୍ଭାବନା ବହୁ ଅଧିକ । ବୈଜ୍ଞାନିକ ଅଧ୍ୟୟନରୁ ବାୟୁ ପ୍ରଦୂଷଣ ଓ ୨୦୦୩ ମସିହାର ସାର୍ସ ମହାମାରୀ ମଧ୍ୟରେ ଥିବା ସମ୍ବନ୍ଧ ପ୍ରମାଣିତ ହୋଇସାରିଛି ।  କରୋନା ମହାମାରୀ ପାଇଁ କରାଯାଇଥିବା ସମାନ ପ୍ରକାର ଅଧ୍ୟୟନଗୁଡିକ ଏପର୍ଯ୍ୟନ୍ତ ପୂର୍ଣ ସମୀକ୍ଷା ହୋଇପାରି ନଥିଲେ ମଧ୍ୟ ଏସବୁରୁ ମହାମାରୀର ବିସ୍ତାର ଏବଂ ନିୟନ୍ତ୍ରଣ କରିବାର  ଉପାୟ ବିଷୟରେ ସମ୍ୟକ ଧାରଣା ମିଳି ଥାଏ । ଆମେରିକା ର ଏକ ଅଧ୍ୟୟନ ରୁ ବାୟୁ ପ୍ରଦୂଷଣ ଓ ଅଧିକ କରୋନା ମୃତ୍ୟୁ ଦର ମଧ୍ୟରେ ସିଧା ସଳଖ ସମ୍ପର୍କ ରହିଥିବାର ଜଣାପଡିଛି । ଅନ୍ୟ ଏକ ୟୁରୋପୀୟ ଅଧ୍ୟୟନ ମଧ୍ୟ ଅନୁରୂପ ସିଦ୍ଧାନ୍ତରେ ପହଞ୍ଚିଛି । ପରିଶେଷରେ, ଚୀନ ଦେଶରେ ମଧ୍ୟ ୩୨୪ ଟି ସହର ର ଏକ ଅଧ୍ୟୟନ ଯବକ୍ଷାରଜାନ ଡାଇଅକସାଇଡ ପ୍ରଦୂଷଣର ମାତ୍ରା ସହିତ ସେହି ସ୍ଥାନଗୁଡିକର କରୋନା ମହାମାରୀର ସମ୍ପର୍କ ଥିବାର ଜଣାଯାଏ ।

ବାୟୁ ପ୍ରଦୂଷଣ ସାରା ବିଶ୍ୱରେ ବାର୍ଷିକ ୭ ନିୟୁତ ଅକାଳ ମୃତ୍ୟୁର କାରଣ ଅଟେ ।  ମହାମାରୀର ପରିଣତି ସ୍ଵରୂପ ଲକ ଡାଉନ ଦ୍ଵାରା ବାୟୁ ପ୍ରଦୂଷଣ ହାରାହାରି ୨୫ % କମ୍ ହେବା ଯୋଗୁଁ ଏକ ମାସ ଭିତରେ ୩୬୦୦୦ ଅକାଳ ମୃତ୍ୟୁ କମିପାରିଛି । ୟୁରୋପରେ, ପରିଷ୍କାର ବାୟୁ ଯୋଗୁଁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଏକ ମାସରେ ୧୧୦୦୦ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିଥିଲା। ଆଶ୍ଚର୍ଯ୍ୟ କଥା ହେଲା ତେଣେ ଆମେରିକାରେ ଟ୍ରମ୍ପ୍ ପ୍ରଶାସନ ଅଟୋ କମ୍ପାନୀଗୁଡିକୁ ଅଧିକ ଇନ୍ଧନ-ଦକ୍ଷ ଯାନ ଉତ୍ପାଦନ ନିୟମ ପାଳନ କରିବାକୁ ସଶକ୍ତ କରିବା ବଦଳରେ ଦୁର୍ବଳ କରୁଛି – ଯାହା ଅକ୍ଷମଣୀୟ |

ମାନବ ଯେ ପ୍ରକୃତି ଓ ପରିବେଶର ବିନାଶ କରି ନୂଆ ନୂଆ ଭୂତାଣୁ ଏବଂ ଜୀବାଣୁ ସବୁକୁ ଡାକି ଆଣୁଛି – ଏହାର କିଛି  କିଛି ଆଦ୍ୟ ପ୍ରମାଣ ମିଳି ସାରିଛି। ଭବିଷ୍ୟତରେ ମହାମାରୀ ସବୁ ର ମୁକାବିଲା ପାଇଁ  ଜଳବାୟୁ ସଙ୍କଟର ସମାଧାନ ତଥା ପରିବେଶ ର ସ୍ଥିରତା ଅବଶ୍ୟମ୍ଭାବୀ ଠିକ ସେହିପରି ଯେପରି କି ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ କରିବା ଯେତିକି ଯୁକ୍ତିଯୁକ୍ତ।

କରୋନା ମହାମାରୀର ସବୁଠାରୁ ତତକ୍ଷଣାତ୍ ପ୍ରଭାବ ହେଲା ସ୍ୱାସ୍ଥ୍ୟ ଓ ଜୀବନ ହାନି । ପରବର୍ତୀ ବଡ ସମସ୍ୟା ହେଲା ଅର୍ଥନୀତିର ବିନାଶ ଯୋଗୁଁ ଅନେକଙ୍କ ଜୀବିକା ହରାଇବା । ଏହି ଆର୍ଥିକ କ୍ଷତି ଭରଣା କରିବା ପାଇଁ ଅର୍ଥନୀତିଜ୍ଞ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତାବ ଦେଉଛନ୍ତି । ଉଦାହରଣ ସ୍ବରୂପ, ଆମେରିକାରେ ମଲ୍ଟି ଟ୍ରିଲିୟନ୍ ଡଲାର୍ ର ଆର୍ଥିକ ସହାୟତା ଘୋଷଣା କରାଯାଇଛି, ସ୍ପେନରେ ଏକ ସାର୍ବଜନୀନ ନ୍ୟୁନତମ ଆୟର ପ୍ରସ୍ତାବ ବିଚାରାଧୀନ ଅଛି ।  ବିଶ୍ୱ ସ୍ତରରେ ଏହି ସବୁ ଆର୍ଥିକ ସହାୟତା ର ମୂଲ୍ୟ ସାରା ପୃଥିବୀର ମୋଟ ଘରୋଇ ଉତ୍ପାଦ (ଜିଡିପି) ର ୫% ହେଇଥିବା ବେଳେ, ଜାପାନରେ ଏହା ଜିଡିପିର ୨୧% ଏବଂ ଆମେରିକାରେ ୧୧% ।  ଏହି ସବୁ ଆର୍ଥିକ ବିନିଯୋଗ ର ପ୍ରସ୍ତାବ ତୁଳନାରେ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଆବଶ୍ୟକ ଅର୍ଥ  ର ପରିମାଣ ହେଲା ବର୍ଷ ପ୍ରତି ୨୦୦ – ୩୦୦  ବିଲିୟନ ୟୁରୋ ଯାହା ୨୦୩୦ ମସିହାର ସମ୍ଭାବ୍ୟ ବିଶ୍ୱ ଜିଡିପିର ମାତ୍ର ୧% ରୁ ମଧ୍ୟ କମ୍ । କରୋନା ମହାମାରୀ ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଦୀର୍ଘମିଆଦୀ ସଂସ୍କାର ଆରମ୍ଭ କରିବାର ଏକ ବଡ ସୁଯୋଗ ଏବଂ  ଜୀବାଶ୍ମ ଇନ୍ଧନରୁ ଦୂରେଇ ଯାଇ ପ୍ୟାରିସ୍ ଜଳବାୟୁ ଚୁକ୍ତିନାମାର ଲକ୍ଷ୍ୟ ହାସଲ କରିବାକୁ ବଳିଷ୍ଠ ପଦକ୍ଷେପ ନେବାର ପ୍ରକୃଷ୍ଟ ଅବସର।  ଆନ୍ତର୍ଜାତୀୟ ନବୀକରଣ ଯୋଗ୍ୟ ଶକ୍ତି ଏଜେନ୍ସି (IRENA) ଏକ ରିପୋର୍ଟ ରେ ପ୍ରକାଶ କରିଛି ଯେ ଅକ୍ଷୟ ଶକ୍ତି ବର୍ତ୍ତମାନ ଏବଂ ୨୦୫୦ ମଧ୍ୟରେ ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ପ୍ରାୟ ୧୦୦ ଟ୍ରିଲିୟନ (ଏକ ଲକ୍ଷ କୋଟି) ଆମେରିକୀୟ ଡଲାରର ମୂଲ୍ୟ ଯୋଗ କରିପାରିବ ।

ସ୍ଵନାମଧନ୍ୟ ଲେଖିକା ଅରୁନ୍ଧତୀ ରୟ ତାଙ୍କର ନିକଟ ରେ ପ୍ରକାଶିତ ଏକ ପ୍ରବନ୍ଧରେ କରୋନା  ମହାମାରୀକୁ ମହାକାଶରେ ଏକ ଜାଗତିକ ସନ୍ଧି-ଦ୍ଵାର (ପୋର୍ଟାଲ) ସହ ତୁଳନା କରି କହିଛନ୍ତି – “ଏହା ମାନବ ସମାଜକୁ ଭବିଷ୍ୟତର ଗତିପଥ ନିର୍ଦ୍ଧାରଣ କରିବା ପାଇଁ ଏକ ଐତିହାସିକ  ସୁଯୋଗ ଦେଇଛି। ଜଳବାୟୁ ସଙ୍କଟର ମୁକାବିଲା କରିବା ପାଇଁ ସମର୍ଥ ବିଶ୍ୱ ନିର୍ମାଣ କରିବାର ଏହା ଏକ ସୁବର୍ଣ ଅବସର” । ଅଙ୍ଗାରକାମ୍ଳ ବକ୍ରରେଖା କୁ ସମତଳ କରି ମାନବ ସମାଜ ଭବିଷ୍ୟତର ଅଜଣା ମହାମାରୀ ମାନଙ୍କୁ ଏଡାଇବାର ଏହି ଅପୂର୍ବ ଅବସର ର ସଦୁପୋଯୋଗ କରିବ କି ନାହିଁ ତାହା ଭବିଷ୍ୟତ ହିଁ  କହିବ।

ଲେଖକ ଜଣେ ସିଭିଲ  ଇଞ୍ଜିନିୟରିଂ ର ପ୍ରାଧ୍ୟାପକ ଓ ବର୍ତ୍ତମାନ ଜଣେ ଗବେଷକ ଭାବରେ ହଂକଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ରେ କାର୍ଯ୍ୟରତ ତାଙ୍କୁ [email protected] ରେ ଇମେଲ ମାଧ୍ୟମରେ ଯୋଗାଯୋଗ  କରିହେବ

 

Related posts