ଭୁବନେଶ୍ବରରେ କରୋନା ସ୍ଥିତି ଉପରେ ସୂଚନା ଦେଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ

Published: Jul 11, 2020, 7:58 pm IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିଶ୍ଵ ମହାମାରୀ କରୋନା। ଏହା ସହିତ ଭୁବନେଶ୍ୱରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ଆଜି କୋଭିଡ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ଯେ, ହଟସ୍ପଟ ଜିଲ୍ଲାରୁ ବିଭିନ୍ନ କାମ ପାଇଁ ଭୁବନେଶ୍ୱରକୁ ଲୋକ ଆସୁଛନ୍ତି, ଫଳରେ ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ବଢୁଛି। ଏହା ସହ କମିଶନର କହିଛନ୍ତି ଯେ, ଗତ ୧୦ ଦିନରେ ୩୧୭ କେସ ସାମ୍ନାକୁ ଆସିଛି। ଏ ମଧ୍ୟରୁ କେବଳ ୬୧ ଜଣଙ୍କୁ ବିଭିନ୍ନ ଡକ୍ତରଖାନାରୁ ଚିହ୍ନଟ କରାଯାଇଛି। ସଂକ୍ରମଣ କେସ ଚିହ୍ନଟ ହେଲେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି। ବସ୍ତି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଏହାକୁ ଧ୍ୟାନର ସହ ମନିଟର କରାଯାଉଛି। ଏନେଇ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ହାତ ଧୁଅନ୍ତୁ।’ ବସ୍ତି ଅଞ୍ଚଳରେ ୱାର୍ଡ କମିଟି ସକ୍ରିୟ ରହିଛନ୍ତି। ବସ୍ତି ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନକୁ ଅନୁମତି ନାହିଁ। ସ୍ଲମ କମିଟିମାନେ କରୋନା ମୁକାବିଲାରେ ସହଯୋଗ କରୁଛନ୍ତି।

ସଙ୍ଗରୋଧରେ ଥିବା ଲୋକମାନଙ୍କର କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ଭୁବନେଶ୍ଵରର ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ କରାଯାଇଛି। କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହୋଇଥିବା ଅଞ୍ଚଳ ମଧ୍ୟରେ ରହିଛି ମଞ୍ଚେଶ୍ବରସ୍ଥିତ ବ୍ଲୁହୁଇଲ ହସ୍ପିଟାଲ, ମଞ୍ଚେଶ୍ୱରର ଏକ ଶିଳ୍ପ, ଲକ୍ଷ୍ମୀବଜାର ବସ୍ତି ଏବଂ ସୁବାସନଗର ବସ୍ତି।

ବ୍ଲୁହୁଇଲ ହସ୍ପିଟାଲରୁ ମୋଟ ୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ଏବଂ ୨ଜଣ ପ୍ରାଣ ହରାଇଥିଲେ। ପ୍ରାଣ ହରାଇଥିବା ୨ଜଣ ରୋଗୀ ବ୍ଲୁହୁଇଲ ହସ୍ପିଟାଲରେ କରୋନା ଦ୍ୱାରା ଆକ୍ରାନ୍ତ ହେବା ପୂର୍ବରୁ ଚିକିତ୍ସିତ ହେଉଥିଲେ ବୋଲି ଜଣା ପଡିଛି। ୪୩ଜଣ ଚିହ୍ନଟ ପରେ ତାଙ୍କର ସଂସ୍ପର୍ଶରେ ଆସିଥିବା ୨୫୦ଜଣ ହସ୍ପିଟାଲ୍ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ପରେ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ ପରେ ରିପୋର୍ଟ ନେଗେଟିଭ ଆସିଥିଲା।

ସେହିଭଳି ମଞ୍ଚେଶ୍ୱରର ଏକ ଇଣ୍ଡଷ୍ଟ୍ରିରୁ ୩୮ଜଣ ଲୋକ କରୋନା ଆକ୍ରାନ୍ତ ହେବା ପରେ ଇଣ୍ଡଷ୍ଟ୍ରିକୁ ସିଲ କରାଯାଇ ୮୭ଜଣଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିଲା। ଚିକିତ୍ସା ପରେ ବର୍ତ୍ତମାନ ୩୮ଜଣ ସୁସ୍ଥ ହୋଇଯାଇଥିବା ବେଳେ ସଙ୍ଗରୋଧରେ ଥିବା ୮୭ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଦୁଇଟି ବସ୍ତି ଅଞ୍ଚଳ ଲକ୍ଷ୍ମୀବଜାର ଏବଂ ସୁବାସ ନଗରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଜୋନ୍‌ କରାଯାଇଥିଲା। ଡୁମୁଡୁମା ନିକଟସ୍ଥ ସୁବାସନଗର ବସ୍ତିରେ ୬ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିଲେ। ଚିକିତ୍ସିତ ହେବା ପରେ ଏବେ ୬ଜଣ ସୁସ୍ଥ ହୋଇଯାଇଛନ୍ତି। ୬ଜଣ କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିବା ପରେ ସୁବାସନଗର ବସ୍ତିକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରାଯିବା ସହ ୫୪ଟି ଘରକୁ କଣ୍ଟେନମେଣ୍ଟ୍‌ କରାଯାଇଥିଲା। ୧୪ଦିନିଆ ଆକ୍ଟିଭ ସର୍ଭିଲାନ୍ସ କରାଯାଇ ୧୮୨ ଲୋକଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା, ଯାହା ପରେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା।  ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ସୁବାସ ନଗର ବସ୍ତି କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହୋଇଛି।

ଗତକାଲି ଲକ୍ଷ୍ମୀବଜାର ବସ୍ତିକୁ ମଧ୍ୟ କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ କରାଯାଇଛି। ଏହି ବସ୍ତିରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚିକିତ୍ସିତ ହେବା ପରେ ଏବେ ୯ଜଣ ସୁସ୍ଥ ହୋଇଯାଇଛନ୍ତି। ୯ଜଣ କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିବା ପରେ ସୁବାଶନଗର ବସ୍ତିକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରାଯିବା ସହ ୬୩ଟି ଘରକୁ କଣ୍ଟେନମେଣ୍ଟ୍‌ କରାଯାଇଥିଲା। ୧୪ ରାଉଣ୍ଡ ଆକ୍ଟିଭ ସର୍ଭିଲାନ୍ସ କରାଯାଇ ୧୦୮ ଲୋକଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା, ଯାହା ପରେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ଲକ୍ଷ୍ମୀବଜାର ବସ୍ତି କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହୋଇଛି।

Related posts