କଟକ ଜିଲ୍ଲାରେ ଛଅ ହଜାର ସାତ ଶହ ଜଣ ସଫଳତା ସହ କ୍ବାରଣ୍ଟାଇନ ସମୟ ବିତାଇଥିବାରୁ ଦିଆଗଲା ଟଙ୍କା

Published: Jul 12, 2020, 8:13 pm IST

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

1-କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକ ଡ. ସୌରଭ ଗର୍ଗ କହିଛନ୍ତି ଯେ, କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲାରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି ।

2-ପ୍ରବାସୀମାନଙ୍କ ରହଣି ନିମନ୍ତେ କଟକ ଜିଲ୍ଲାରେ ମୋଟ ୬୧୭ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ଅଦ୍ୟାବଧି ୨୩,୧୧୦ ଜଣ ଲୋକ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିସାରିଛନ୍ତି। ଓଡ଼ିଶା ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁସାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପାଖାପାଖି ଥିବା ଗ୍ରାମପଞ୍ଚାୟତଗୁଡ଼ିକ ପାଇଁ କ୍ଲଷ୍ଟର ଟିଏମ୍‌ସି ଓ କୋଭିଡ୍‌ କେୟାର ହୋମ୍‌ରେ ପରିବର୍ତ୍ତିତ ହୋଇଛି । ପ୍ରବାସୀଙ୍କ ଆଗମନ ସଂଖ୍ୟା ବହୁମାତ୍ରାରେ କମିଥିବାବେଳେ ବିଦ୍ୟାଳୟର କୋଠାଗୁଡ଼ିକୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଛି।

3-ଅଦ୍ୟାବଧି ୬୧ଟି କ୍ଲଷ୍ଟର ଟିଏମ୍‌ସିରେ ୧୪୬୫ ଶଯ୍ୟା ପ୍ରସ୍ତୁତି ସରିଛି, ଆଜି ସୁଦ୍ଧା ଏଥିରେ ୧୦୫ ଜଣ ରହୁଛନ୍ତି । ପ୍ରବାସୀମାନଙ୍କ ସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଇ ଏହି ବ୍ୟବସ୍ଥା କରାଯାଇଛି ।

4-କୋଭିଡ୍‌ ପଜିଟିଭ୍‌ମାନଙ୍କ ଅସ୍ଥାୟୀ ରହଣି ନିମନ୍ତେ ୩୭୩ଟି ଗ୍ରାମପଞ୍ଚାୟତରେ ୩୩୯ଟି କୋଭିଡ୍‌ କେୟାର ହୋମ୍‌ ପ୍ରସ୍ତୁତ ରହିଛି । ଏଗୁଡ଼ିକରେ ସମୁଦାୟ ୩୩୧୫ ଶଯ୍ୟା ରହିଛି । ଅସ୍ଥାୀୟ ରହଣି ପରେ କୋଭିଡ୍‌ ପଜିଟିଭ୍‌ମାନେ ଏଠାରୁ କୋଭିଡ୍‌ କେୟାର ସେଣ୍ଟର ବା କୋଭିଡ୍‌ ହସ୍‌ପିଟାଲ୍‌କୁ ଯାଉଛନ୍ତି ।

5-କଟକ ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ନୂଆ କରି ଆସୁଥିବା ଲୋକମାନଙ୍କୁ ତଦାରଖ କରିବା ସହିତ ହୋମ୍‌ କ୍ୱାରାଣ୍ଟାଇନ୍‌ ଅନୁପାଳନ ଉଦ୍ଦେଶ୍ୟରେ ୨୨୯୫ଟି ଗ୍ରାମରେ ୫୭୦୩ଟି ୱାର୍ଡ କମିଟି ଗଠନ କରାଯାଇଛି । ପ୍ରତି କମିଟିରେ ୱାର୍ଡ ମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧି ଓ ଆଶା/ଅଙ୍ଗନବାଡ଼ି କର୍ମୀ ସଭ୍ୟ ଭାବେ ରହିଛନ୍ତି । ୧୧ଟି ବ୍ଲକ୍‌ରେ ତାଲିମ କାର୍ଯ୍ୟ ସଂପନ୍ନ ହୋଇଥିବାବେଳେ ଅବଶିଷ୍ଟ ୩ଟିରେ ତାଲିମ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ।

6-ଆଜି ସୁଦ୍ଧା କଟକର ଗ୍ରାମାଞ୍ଚଳଗୁଡ଼ିକରେ ୭୪୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୫୬୯ ଜଣ ସୁସ୍ଥ ହେବା ସହିତ ଘରକୁ ଫେରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ସକି୍ରୟ ରୋଗୀ ରହିଛନ୍ତି ।

7-କଟକ ଜିଲ୍ଲାରେ କୋଭିଡ୍‌ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ୭୦୦ ଶଯ୍ୟାର ବନ୍ଦୋବସ୍ତ କରାଯାଇଛି । ଅଶ୍ୱିନୀ କୋଭିଡ୍‌ ହସ୍‌ପିଟାଲ୍‌ରେ ୧୫୦ଟି ଶଯ୍ୟା, ଆଠଗଡସ୍ଥିତ ଗୋପବନ୍ଧୁ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନର କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ୧୫୦ଟି ଶଯ୍ୟା, ଟାଙ୍ଗିସ୍ଥିତ ଡ୍ରିମ୍‌ସର କୋଭିଡ୍‌ କେୟାର ସେଣ୍ଟରରେ ୩୦୨ଟି ଶଯ୍ୟା ଓ କଟକ ମହାନଗର ନିଗମ ପରିଚାଳିତ ବିଦ୍ୟାଧରପୁର କୋଭିଡ୍‌ କେୟାର ସେଣ୍ଟରରେ ୯୮ଟି ଶଯ୍ୟା ଏଥିରେ ଅନ୍ତର୍ଭୁକ୍ତ।

8-କ୍ୱାରାଣ୍ଟାଇନ୍‌ ଅବଧିକୁ ସଫଳତାର ସହିତ ସଂପୂର୍ଣ୍ଣ କରିଥିବା ହେତୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୭୦୭ ଜଣ ଲୋକଙ୍କୁ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

9-କଟକ ମହାନଗର ନିଗମ ଅଞ୍ଚଳରେ କୋଭିଡ୍‌ ପରସ୍ଥିତିର ବିଶ୍ଳେଷଣ କରି କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ କହିଛନ୍ତି ଯେ ସ୍ୱାସ୍ଥ୍ୟାନୁଷ୍ଠାନ, ଜନଗହଳିପୂର୍ଣ୍ଣ ବଜାରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବିଶୋଧନ ଓ ସକ୍ରୀୟ ନିରୀକ୍ଷଣ କାର୍ଯ୍ୟ ଜାରି ରହିଛି। କୋଭିଡ୍‌-୧୯ ମାର୍ଗଦର୍ଶିକାକୁ କଠୋର ଭାବେ ପାଳନ କରିବା ଏବଂ ବିଭିନ୍ନ ସାମାଜିକ ଉତ୍ସବାନୁଷ୍ଠାନରେ ବୟସ୍କ ନାଗରିକମାନଙ୍କର ଅଧିକ ନ ନେବା ପାଇଁ ସେ ଅନୁରୋଧ ଜଣାଇଛନ୍ତି।

10-ଜନସାଧାରଣ ଏବଂ ସମ୍ବେଦନଶୀଳ ଲୋକମାନଙ୍କ ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ସେରୋଲୋଜିକାଲ୍‌ ସର୍ବେକ୍ଷଣ ଆରମ୍ଭ ହୋଇଛି। ଏହା ସହରର ସମସ୍ତ ୱାର୍ଡରେ ଜାରି ରହିବ: ଫଳରେ ଏହି ସର୍ବେକ୍ଷଣରୁ ସଂକ୍ରମଣର ମାତ୍ରା ଆକଳନ କରିହେବ।

11-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୧୧ରୁ ଜୁଲାଇ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୮ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୬ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇ ଥିବାବେଳେ ୧ଟି ମାମଲା ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଏବଂ ୧ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ଅଟେ । ୪୫ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ।

Related posts