Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭିଡ19 ମୁକାବିଲା କରିବା ପାଇଁ ବିଧାୟକଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ, ବୈଠକରେ କଣ କହିଲେ ଜାଣନ୍ତୁ
ବିଶେଷ ଖବର

କୋଭିଡ19 ମୁକାବିଲା କରିବା ପାଇଁ ବିଧାୟକଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ, ବୈଠକରେ କଣ କହିଲେ ଜାଣନ୍ତୁ

July 29, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଲୋକଙ୍କ ଜୀବନ ରକ୍ଷା ହେଉଛି ଆମର ପ୍ରାଥମିକତା । ତେଣୁ ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୃଢତାର ସହ ଘୋଷଣା କରିଛନ୍ତି। କୋଭିଡ-୧୯ ସଂପର୍କରେ ବିଧାୟକମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସମ୍ବଳର କେବେ ବି ଅଭାବ ରହିବ ନାହିଁ।

କୋଭିଡ ଯୋଦ୍ଧା ମାନଙ୍କର ନିଷ୍ଠା ଓ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ କୋଭିଡ ଯୋଦ୍ଧା ଭାବରେ କାମ କରୁଥିବା ଓଡିଆ ଭାଇଭଉଣୀ ମାନେ ଦରମା ପାଇଁ ନୁହେଁ, ଏହି ଲଢେଇକୁ ଏକ ମିଶନ ଭାବରେ ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି। ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡିଶା ପାଇଁ ପ୍ରେରଣା। ସେମାନଙ୍କ ଭିତରେ, ସେମାନଙ୍କ ତ୍ୟାଗରେ ଜଣେ ଜଣେ ଗୋପବନ୍ଧୁ ଦାସ, ମଧୁବାବୁ, ମା ରମାଦେବୀ ଓ ପାର୍ବତୀ ଗିରି ଭଳି ମହାନ୍ ଦେଶସେବକ ରହିଛନ୍ତି। ସେହି ଯୋଦ୍ଧା ମାନଙ୍କ ତ୍ୟାଗକୁ ଓଡିଆ ଜାତି ସବୁଦିନ ପାଇଁ ମନେ ରଖିବ ଏବଂ ଏହା ଭବିଷ୍ୟତ ପୀଢିକୁ ପ୍ରେରଣା ଦେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବାପାଇଁ ସେ ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହେଉଛନ୍ତି। ଏହି କଷ୍ଟସାଧ୍ୟ ଲଢେଇରେ ସେମାନଙ୍କ ମନୋବଳକୁ ଉଚ୍ଚ ରଖିବା ପାଇଁ ସେମାନଙ୍କ ତ୍ୟାଗକୁ ଆମେ ସମସ୍ତେ ସମ୍ମାନ ଜଣାଇବା ସହିତ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ନିବେଦନ କରିଥିଲେ।
ଓଡିଶା ଆଜି ଏହି ଆହ୍ବାନକୁ ଦୃଢତାର ସହ ମୁକାବିଲା କରୁଛି । ଏହି ଲଢେଇରେ ସାମିଲ ହୋଇ ଆଗ ଧାଡିରେ ରହି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର କୃତଜ୍ଞତା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ କଠିର ପରିଶ୍ରମ, ତ୍ୟାଗ ଯୋଗୁ ଆଜି ଆମ ରାଜ୍ୟର ୧୮ ହଜାର ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଆମେ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ । ଏକ ଅନିଶ୍ଚିତ ପରିବେଶ ଭିତରେ ନିରନ୍ତର ଭାବରେ କାମ କରିବା ସହଜ କଥା ନୁହେଁ । କିନ୍ତୁ ନିଜେ ସଂକ୍ରମିତ ହେବା ସତ୍ତ୍ବେ ନିଜ ପରିବାର ଲୋକମାନେ ସଂକ୍ରମିତ ହେବା ସତ୍ତ୍ବେ ଏବଂ ଅନେକ କ୍ଷେତ୍ରରେ ନିଜେ ମୃତ୍ୟୁବରଣ କରୁଥିଲେ ମଧ୍ୟ, ଆମର କୋଭିଡ ଯୋଦ୍ଧା ମାନେ ଯେଭଳି ବୀରତ୍ବର ସହ ଗତ ୧୫୦ ଦିନ ହେଲା କାମ କରିଚାଲିଛନ୍ତି, ତାର ପଟାନ୍ତର ନାହିଁ ।

ଗତ ମାର୍ଚ୍ଚ ୧୩ ତାରିଖରେ ରାଜ୍ୟ ବିଧାନସଭାରେ ତାଙ୍କ ସମ୍ବୋଧନ ବିଷୟରେ ସ୍ମରଣ କରାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପୃଥିବୀ ଇତିହାସରେ ବହୁତ କମ୍ ସମୟ ମାନବଜାତି ତା କଳ୍ପନା ବାହାରେ ଏଭଳି ଏକ ଆହ୍ବାନର ସମ୍ମୁଖୀନ ହେଇଛି । ପ୍ରାୟ ଗତ ୫ ମାସ ହେଲା ସାରା ବିଶ୍ବର ବିଭିନ୍ନ ଦେଶକୁ ଏହି ମହାମାରୀ ପ୍ରଭାବିତ କରିଛି। ଏପରିକି ଯେଉଁ ଦେଶମାନେ ମହାମାରୀରୁ ମୁକ୍ତ ହୋଇସାରିଥିଲେ, ସେମାନେ ମଧ୍ୟ ପୁଣି ଥରେ ତା କବଳକୁ ଆସିଯାଇଛନ୍ତି। ଭାରତର ପ୍ରତ୍ୟେକ ରାଜ୍ୟ ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ପ୍ରତି ଦୁଇ ଦିନରେ ଏକ ଲକ୍ଷ ନୂଆ ସଂକ୍ରମିତ ସୃଷ୍ଟି ହେଉଛନ୍ତି। ଭାରତ ଆଜି ବିଶ୍ବର ତୃତୀୟ ସ୍ଥାନରେ ଅଛି ।

ଓଡିଶାରେ କୋଭିଡ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାତ୍ରାରୁ ସଂଗରୋଧ, ପରୀକ୍ଷା, Tracing, ଚିକିତ୍ସା,ଖାଦ୍ୟ, ରହଣୀ ସବୁକିଛି ଏଠାରେ କୋଭିଡ ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । ଯେତେବେଳେ ଅନ୍ୟ ରାଜ୍ୟର ଡାକ୍ତରଖାନା ଗୁଡିକ କୋଭିଡ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବୀ କରୁଛନ୍ତି, ଓଡିଶା ସରକାର ସବୁକିଛି ମାଗଣାରେ ଯୋଗାଉଛନ୍ତି। ସାରା ବିଶ୍ବରେ ଯେକୌଣସି ଅଞ୍ଚଳରେ କୋଭିଡ ରୋଗ ପାଇଁ ଶ୍ରେଷ୍ଠ ଚିକିତ୍ସା ମିଳୁଛି, ତାକୁ ଆମେ ଓଡିଶାରେ କାର‌୍ୟ୍ୟକାରୀ କରୁଛୁ ଏବଂ କେହି ଲୋକ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହେବେ, ସେଥିପାଇଁ ମାଗଣାରେ ଯୋଗାଇ ଦେଉଛୁ ।

ଏହି ଅବସରରେ ପ୍ଲାଜମା ଚିକିତ୍ସା ପଦ୍ଧତିର ଉତ୍ସାହଜନକ ସଫଳତା ଏବଂ କୋଭିଡ ଟୀକା ସଂପର୍କରେ Serum Instituteର CEOଙ୍କ ସହ ତାଙ୍କ ଆଲୋଚନା ବିଷୟରେ ମୁଖ୍ୟମନ୍ତ୍ରୀ ଅବତାରଣା କରିଥିଲେ। ମହାମାରୀର କୁପ୍ରଭାବ ସଂପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଏହି ମହାମାରୀ ଦ୍ବାରା ପୃଥିବୀର ପ୍ରତ୍ୟେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସ୍ଥାନୀୟ, ଜାତୀୟ ଏବଂ ବିଶ୍ବସ୍ତରରେ ଅର୍ଥନୀତିକୁ ଏହା ବିପୁଳ ଭାବରେ କ୍ଷତିଗ୍ରସ୍ତ କରିଛି । ଆମ ରାଜ୍ୟ ଓଡିଶା ବିଭିନ୍ନ ଜୀବିକା କାର‌୍ୟ୍ୟକ୍ରମ ତଥା ଶିଳ୍ପ ପାଇଁ କିଛି ନୂଆ ଉଦ୍ୟମ ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଉଦ୍ୟମ କରିଛି । ଏହା ଫଳପ୍ରଦ ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡିଶା ଅନେକ ବିପର‌୍ୟ୍ୟୟର ମୁକାବିଲା କରିଛି। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଏବଂ ପୁଣିଥରେ ଦୃଢ ଭାବରେ ପୂର୍ବ ସ୍ଥିତିକୁ ଫେରିଆସିବାର ଶକ୍ତି ପ୍ରତିଟି ଓଡିଆଙ୍କ ରକ୍ତରେ ରହିଛି । ମହାମାରୀ ଚାଲିଯିବା ପରେ ଓଡିଶା ଅଧିକ ଦୃଢ ଓ ସମୃଦ୍ଧ ଭାବରେ ତାର ସ୍ଥିତି ଜାହିର କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାପୋଷଣା କରିଥିଲେ।

ଏହି ଅବସରରେ ବିଧାନସଭାର ମାନ୍ୟବର ବିଧାୟକ ମାନେ ବ୍ୟକ୍ତିଗତଭାବେ ନିଜର ଯତ୍ନ ନେବା ସହିତ ସେମାନଙ୍କ ଅଞ୍ଚଳରେ ଏହି ପରିସ୍ଥିତିରେ ପ୍ରେରଣାଦାୟୀ ନେତୃତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। କୋଭିଡରେ ସଂକ୍ରମିତ ହୋଇଥିବା ୩ ଜଣ ବିଧାୟକ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦବ୍ୟକ୍ତ କରିଥିଲେ ।

ବିଧାୟକମାନେ ସେମାନଙ୍କ ଅଞ୍ଚଳରେ କୋଭିଡ ଯୋଦ୍ଧା ମାନଙ୍କର ଯତ୍ନ ନେବା ସହିତ ପ୍ଲାଜମା ଦାନକୁ ଉତ୍ସାହିତ କରିବା ଏବଂ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହାତ ଧୋଇବା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟର ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ କୋଭିଡ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ସେ କହିଥିଲେ ଯେ ପ୍ରାକୃତିକ ବିପର‌୍ୟ୍ୟୟ ହେଉ, ବା ମହାମାରୀ ପ୍ରତ୍ୟେକଟି ମଣିଷର ଜୀବନ ରକ୍ଷା କରିବା ତାଙ୍କର ପ୍ରାଥମିକ ଦାୟିତ୍ବ। ସରକାର କୋଭିଡ ନିୟମାବଳୀକୁ କାର‌୍ୟ୍ୟକାରୀ କରିବା ପାଇଁ ସବୁ ଘରେ ବା ସବୁ ରାସ୍ତାରେ ରହିବା ସମ୍ଭବ ନୁହେଁ । ସମସ୍ତେ ଏକାଠି ହୋଇ ଏହି ମହାମାରୀ ବିରୁଦ୍ଧରେ ଲଢେଇ କରିବା ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଦାୟିତ୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

କୋଭିଡ ଯୋଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.