ଲୋଧି ଇଷ୍ଟେଟ ବଙ୍ଗଳା ଛାଡ଼ିଲେ ପ୍ରିୟଙ୍କା ଗାନ୍ଧି, ଜାଣନ୍ତୁ କାରଣ କ’ଣ

Published: Jul 30, 2020, 3:16 pm IST

ନୂଆଦିଲ୍ଲୀ,କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଦକ୍ଷିଣ ଦିଲ୍ଲୀସ୍ଥିତ ଲୋଧି ଇଷ୍ଟେଟରେ ଥିବା ସରକାରୀ ବଙ୍ଗଳା ଛାଡ଼ିଛନ୍ତି। ତାଙ୍କ ନିକଟରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଥିବାରୁ ଏହି ବଙ୍ଗଳା ଅଗଷ୍ଟ 1 ତାରିଖ ସୁଦ୍ଧା ଛାଡ଼ିବାକୁ ସରକାର ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରିୟଙ୍କା ପୂର୍ବ ଉତ୍ତର ପ୍ରଦେଶ ପାଇଁ ଦଳର ଇନଚାର୍ଜ ଦାୟିତ୍ବରେ ବି ଅଛନ୍ତି। ପ୍ରିୟଙ୍କା 1997 ପରଠାରୁ ଲୋଧି ଇଷ୍ଚେଟ ବଙ୍ଗଳାରେ ରହି ଆସୁଥିଲେ। ଏହି ବଙ୍ଗଳା ଏବେ ବିଜେପି ରାଜ୍ୟସଭା ସାଂସଦ ଅନିଲ ବାଲୁନିଙ୍କ ଦିଆଯାଇଛି। ରବିବାର ଦିନ ପ୍ରିୟଙ୍କା ବାଲୁଙ୍କିଙ୍କୁ ଚା ପିଇବାକୁ ଡାକିଥିଲେ। ହେଲେ ସେ ସ୍ବାସ୍ଥ୍ୟ କାରଣ ଦର୍ଶାଇ ଭଦ୍ରାମୀର ସହ ପ୍ରିୟଙ୍କାଙ୍କ ଆମନ୍ତ୍ରଣକୁ ମନା କରି ଦେଇଥିଲେ। ହେଲେ ସେ ବଙ୍ଗଳାକୁ ଯିବା ପରେ କଂଗ୍ରେସ ନେତାଙ୍କୁ ଉତ୍ତରାଖଣ୍ଡର ଏକ ପାରମ୍ପରିକ ଖାଦ୍ୟ ଖାଇବାକୁ ଡାକିବେ ବୋଲି ପ୍ରତିଶୃତି ଦେଇଥିଲେ।

ଇତିମଧ୍ୟରେ ସୋମବାର ଦିନ ପ୍ରିୟଙ୍କା ଫୋନରେ ବାଲୁନିଙ୍କ ସହ କଥା ହୋଇ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ପ୍ରିୟଙ୍କା ଏବେ ଜେଡ ପ୍ଲସ ସୁରକ୍ଷା ସହ ଦେଶର ବିଭିନ୍ନ ସ୍ଥାନକୁ ଯିବା ବେଳେ ସିଆରପିଏଫ୍ ସୁରକ୍ଷା ବି ଦିଆଯାଉଛି। ଏହି କାରଣରୁ ତାଙ୍କୁ ସରକାରୀ ବଙ୍ଗଳା ଦେବାର ନିୟମ ନଥିବାରୁ ତାଙ୍କୁ ବଙ୍ଗଳା ଖାଲି କରିବାକୁ ସରକାର କହିଥିଲେ। (ଏଜେନସି)

Related posts