ଦିନକ ପାଇଁ ଜିଲ୍ଲାପାଳ ଚଉକିରେ ବସିଲେ ପିଅନ, ଅବସର ବେଳେ ତାଙ୍କୁ ଏପରି ସମ୍ମାନ ଦେଲେ ଜିଲ୍ଲାପାଳ

Published: Aug 2, 2020, 1:31 pm IST

ବଦୋଦରା, ସେ ହେଉଛନ୍ତି ଜିଲ୍ଲାପାଳଙ୍କ ପିଅନ, ଦୀର୍ଘ ୩୮ ବର୍ଷ ଧରି ଜିଲ୍ଲାପାଳଙ୍କ ଚ୍ୟାମ୍ବର ଆଗରେ ବସନ୍ତି। ଜିଲ୍ଲାପାଳଙ୍କ ପାଖକୁ ଯେଉଁମାନେ ଆସନ୍ତି, ସେମାନେ ଭିତରକୁ ଯିବେ କି ନାହିଁ ପ୍ରଥମେ ତାଙ୍କୁ ପଚାରନ୍ତି। ସେ ହଁ କଲେ ଭିତରକୁ ଯାଆନ୍ତି। ହେଲେ ସେ କେବେ ଭାବି ନ ଥିଲେ ଯେ, ଯେଉଁ ଚ୍ୟାମ୍ବର ଆଗରେ ସେ ପିଅନ, ସେହି ଚ୍ୟାମ୍ବର ଚଉକିରେ ସେ ବସିବେ। କେବେ ଭାବି ନ ଥିଲେ ଯେ, ସକାଳୁ ସକାଳୁ  ଅଫିସ ଆସିଲେ ସେ ଯେଉଁ ଚ୍ୟାୟରକୁ ପୋଛାପୋଛି କରି ସଫା କରନ୍ତି ସେହି ଚ୍ୟାୟରରେ ସେ ବସିବେ। ହେଲେ ସେହି ଅସମ୍ଭବ କଥାଟି  ସମ୍ଭବ ହୋଇଛି।

ଘଟଣାଟି ଗୁଜୁରାଟ ରାଜ୍ୟର ଆନନ୍ଦ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ଘଟିଛି। ୬୦ ବର୍ଷ ବୟସ୍କ ପିଅନ ଫତେ ସିଂ ମାଖୱାନା। ଦୀର୍ଘ ୩୮ ବର୍ଷ ଧରି ସେ ପିଅନ ଭାବେ ସେହି ଗୋଟିଏ ଅଫିସରେ କାମ କରି ସେହିଠାରୁ ଅବସର ନେଲେ। ତାଙ୍କର ଚାକିରୀ କାଳ, କେବଳ ଜିଲ୍ଲାପାଳଙ୍କ ଚ୍ୟାମ୍ବର ଆଗରେ ବସିବାରୁ ଆରମ୍ଭ ହୋଇ ସେହିଠାରେ ଶେଷ ହେଲା। ତାଙ୍କର ଉତ୍ତମ ବ୍ୟବହାର ସହିତ ସଚ୍ଚୋଟ ଭାବେ କାମ କରିବା ଶୈଳୀ ସେହି ଅଫିସରେ ସମସ୍ତଙ୍କୁ ଭଲ ଲାଗେ। ଗତ ଶୁକ୍ରବାର ଦିନ ସେ ଦୀର୍ଘ ଚାକିରୀ ଜୀବନରୁ ଅବସର ନେଉଥିବାରୁ ତାଙ୍କୁ କର୍ମଚାରୀମାନେ ଏକ ଭଲ ବିଦାୟ କାଳିନ ସମ୍ବର୍ଧନା ମଧ୍ୟ ଦେଲେ।

ସେହି ସମ୍ବର୍ଧନା ଉତ୍ସବରେ ସ୍ବୟଂ ଜିଲ୍ଲାପାଳ ଆର.ଜି ଗୋହିଲ ମଧ୍ୟ ଉପସ୍ଥିତ ଥିଲେ। ସେ ତାଙ୍କ ବେକରେ ଫୁଲ ହାରଟିଏ ଲମ୍ବାଇ ଦେଲେ। ହେଲେ ସେ ସବୁ ଭିତରେ ହଠାତ ଜିଲ୍ଲାପାଳ ଉତ୍ସବ ସ୍ଥଳରୁ ଫତେ ସିଂଙ୍କୁ ତାଙ୍କ ଚ୍ୟାମ୍ବର ଭିତରକୁ ଭିଡି ଭିଡି ନେଇ ଆସିଲେ। ଆଉ ତାଙ୍କ ଚ୍ୟାୟରରେ ବସାଇ ତାଙ୍କ ପାଖରେ ଛିଡା ହେଲେ। ହଠାତ କେହି କିଛି ବୁଝିପାରିଲେ ନାହିଁ।

ସମସ୍ତଙ୍କ ମୁହଁକୁ ଦେଖି ଜିଲ୍ଲାପାଳ କହିଲେ, ଫତେ ସିଂ ଯେଉଁ ଚ୍ୟାୟରକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିଛନ୍ତି ଆଜି ତାଙ୍କ ଅବସରରେ ତାଙ୍କୁ ସେହି ଚ୍ୟାୟରରେ ବସାଇ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଏହା ଜାଣିବା ପରେ ସେଠାରେ ଥିବା ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହେବା ସହ ତାଳିମାରି ସମ୍ମାନ ପ୍ରଦାନ କରିଥିଲେ। ଏହା ଗୁଜୁରାଟରେ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

Related posts